Odisha News

ଅଧ୍ୟାପକ ଡ଼. ପ୍ରବିର କୁମାର ଦାସଙ୍କୁ ଆନ୍ତର୍ଜାତିକ ପରିବେଶ ସୁରକ୍ଷା ଗବେଷଣା ପୁରସ୍କାର ପ୍ରଦାନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩୧/୮: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଉଦ୍ଭିଦ ବିଜ୍ଞାନ ବିଭାଗ ମୂଖ୍ୟ ତଥା ପରିବେଶବିତ୍ ଅଧ୍ୟାପକ ଡ. ପ୍ରବୀର କୁମାର ଦାସ ଙ୍କୁ ପରିବେଶ ସୁରକ୍ଷା ଏବଂ ଗବେଷଣା କାର୍ଯ୍ୟ ପାଇଁ ଉତ୍ତରାଖଣ୍ଡ ର ନଇନିତାଲ ଠାରେ ଅନୁଷ୍ଠିତ ଷଷ୍ଠ ଆନ୍ତର୍ଜାତିକ କୃଷି, ବିଜ୍ଞାନ, ପରିବେଶ ସମ୍ମିଳନୀ ରେ “ପରିବେଶ ସୁରକ୍ଷା ଗବେଷଣା ସମ୍ମାନ -୨୦୨୪ ” ଦ୍ବାରା ସମ୍ମାନିତ କରାଯାଇଛି ।
ଗତ ବର୍ଷ ମଧ୍ୟ ତାଙ୍କୁ ଆନ୍ତର୍ଜାତିକ ପରିବେଶବିତ୍ ସମ୍ମାନ ପ୍ରାପ୍ତ ହୋଇଥିଲା । ସେ ଅଧ୍ୟାପନା ବ୍ୟତୀତ ୨୫ ବର୍ଷ ଧରି ଜିଲ୍ଲାର ପରିବେଶ ସୁରକ୍ଷା, ବୃକ୍ଷ ରୋପଣ କାର୍ଯ୍ୟ କରିବା ସହ ଇକୋ କ୍ଳବ୍ ର ମାଷ୍ଟର ଟ୍ରେନର ଭାବେ କାର୍ଯ୍ୟ କରି ଆସୁଛନ୍ତି କ୍ଷ ତାଙ୍କର ପ୍ରଚେଷ୍ଟାରେ ୧୯୯୬ ମସିହାରୁ ବୌଦ୍ଧ ରେ ବୃକ୍ଷ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଆସୁଛି ଯାହା ଭାରତ ବର୍ଷ ର ବହୁ ରାଜ୍ୟ କୁ ବିସ୍ତାର ହୋଇ ସକ୍ଷରିଛି ।
ସେହି ସମ୍ମିଳନୀ ରେ ତାଙ୍କର ବୌଦ୍ଧ ଜିଲ୍ଲା ର ଗ୍ରାମାଞ୍ଚଳରେ ଖାଦ୍ୟ ଭାବରେ ବ୍ୟବହୃତ ହେଉଥିବା ବିଭିନ୍ନ ଗଛ ର ଫୁଲ, କଢ଼ ଉପରେ ତାଙ୍କର ଗବେଷଣା ନିବନ୍ଧ ଉପସ୍ଥାପନା ବରିଷ୍ଠ ବୈଜ୍ଞାନିକ ମାନଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ତାଙ୍କର ଏହି ସଫଳତା ପାଇଁ ଜିଲ୍ଲାପାଳଙ୍କ ସହ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶୁଭେଛା ଜ୍ଞାପନକ୍ଷ କରିଛନ୍ତି ।

ମହାନଦୀର ବୌଦ୍ଧ- ମର୍ଜାକୁଦ ସେତୁ ଉପରୁ ନଦୀକୁ ଡେଇଁ ପଡିଲେ ଛାତ୍ରୀ
ବୌଦ୍ଧ,୩୧/୮ : ବୌଦ୍ଧ ସହର ସ୍ଥିତ ବୌଦ୍ଧ-ମର୍ଜାକୁଦ ମହାନଦୀ ସେତୁ ଉପରୁ ଆଜି ଜଣେ ନବମ ଶ୍ରେଣୀ ଛାତ୍ରୀ ମହାନଦୀକୁ ଡେଇଁ ପଡିଛନ୍ତି ।
ସୂଚନା ମୁତାବକ ବୌଦ୍ଧ ସହରର ଏକ ଘରୋଇ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢୁଥିବା ଛାତ୍ରୀ ଜଣକ ସବୁଦିନ ଭଳି ଆଜି ଦିନ ୧୦ ଘଣ୍ଟା ସମୟରେ ବିଦ୍ୟାଳୟକୁ ଯିବା ପାଇଁ ଘରୁ ବାହାରିଥିଲେ ।
ବିଦ୍ୟାଳୟ ଯିବା ରାସ୍ତାରେ କୋର୍ଟଛକ ଠାରୁ ସେ ବୌଦ୍ଧ-ମର୍ଜାଦକୁ ସଂଯୋଗ କରୁଥିବା ମହାନଦୀ ସେତୁ ଉପରକୁ ଯାଇ ସେଠାରେ ନିଜର ସାଇକେଲ ଓ ସ୍କୁଲ ବ୍ୟାଗକୁ ରଖିଦେଇ ଭରା ନଦୀ ଭିତରକୁ ଡେଇଁ ପଡିଥିଲେ ।
ନଦୀର ପ୍ରଖର ସୂଅରେ ଭାସି ଯାଉଥିବାବେଳେ ଛାତ୍ରୀଜଣକ ଜୀବନ ବଞ୍ଚାଇବାକୁ ଚିତ୍କାର କରୁଥିବା ବେଳେ ପ୍ରାୟ ଏକ କିଲୋମଟିର ଧୂର ଭାସି ଭାସି ଯିବା ପରେ ଦୂରରେ ଗାଧୋଉ ଥିବା ମର୍ଜାକୁଦ ଗ୍ରାମର ଜଣେ ମହିଳା ଏହା ଦେଖିପାରି ଅନ୍ୟମାନଙ୍କୁ ଡାକ ପକାଇଥିଲେ ।
ମର୍ଜାକୁଦ ଗ୍ରାମବାସୀମାନେ ମାଛମରା ଡଙ୍ଗା ସାହାର୍ଯ୍ୟରେ ଛାତ୍ରୀଙ୍କୁ ଭରା ନଈରୁ ଉଦ୍ଧାର କରିଥିଲେ । ଅଗ୍ନିଶମ ବିଭାଗ ଓ ପୁଲିସକୁ ଏ ସଂପର୍କରେ ସୂଚନା ଦେବା ସହିତ ବ୍ରିଜ ଉପରେ ଛାଡି ଯାଇଥିବା ଛାତ୍ରୀଙ୍କ ସ୍କୁଲ ବ୍ୟାଗରୁ ତାଙ୍କର ପରିଚୟ ମିଳିବା ପରେ ଘର ଲୋକଙ୍କୁ ମଧ୍ୟ ଏନେଇ ସୂଚନା ପ୍ରଦାନ କରାଯାଇଥିଲା । ପୁଲିସ ଗାଡିରେ ତୁରନ୍ତ ଛାତ୍ରୀଜଣଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରାଯିବା ପରେ ସେ ସୁସ୍ଥ ଥିବା ଜଣାଯାଇଛି ।
ଛାତ୍ରୀଜଣକ ଭରା ନଦୀକୁ ଡେଇଁ ପଡିବା କାରଣ ସଂପର୍କରେ ଜଣାପଡିନଥିବା ବେଳେ ପୁଲିସ ପକ୍ଷରୁ ସଂପୃକ୍ତ ଛାତ୍ରୀଙ୍କୁ ପଚରା ଉଚୁରା ପରେ ପରିବାର ଲୋକଙ୍କ ଜିମା ଦିଆଯାଇଥିବା ଜଣାଯାଇଛି ।
କଣ୍ଟାମାଳ ଗୋଷ୍ଠୀଶିକ୍ଷା ଅଧିକାରୀଙ୍କ ନାମରେ ସଙ୍ଗିନ ଅଭିଯୋଗ ଅଣିଲା ପାଣ ଗଣ୍ଡା ସମାଜ
ବୌଦ୍ଧ,୩୧/୮ : ବୌଦ୍ଧଜିଲ୍ଲା ଶିକ୍ଷା ବିଭାଗର ଜଣେ ପଦସ୍ଥ ଅଧିକାରୀ ନକଲି ଜାତି ପ୍ରମାଣପତ୍ର ଦେଇ ଚାକିରୀ କରୁଥିବା ଭଳି ଏକ ସଙ୍ଗିନ ଅଭିଯୋଗ ଅଣିଛନ୍ତି ବୌଦ୍ଧଜିଲ୍ଲା ପାଣ ଗଣ୍ଡା ସମାଜ ବିକାଶ ପରିଷଦ ।
ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ବୌଦ୍ଧଜିଲ୍ଲା କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ସାନୋଜ ସେଠୀ ନିଜକୁ ଅନୁସୂଚୀତ ଜାତି ଅନ୍ତଭର୍ଭୁକ୍ତ ବୋଲି ନକଲି ପ୍ରମାଣପତ୍ର ଦେଇ ଚାକିରୀ କରୁଥିବା ଅଭିଯୋଗ କରିଛି ଜିଲ୍ଲା ପାଣ ଗଣ୍ଡା ସମାଜ ବିକାଶ ପରିଷଦ ।
ପାଣ ଗଣ୍ଡା ସମାଜ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ ସାନୋଜ କୁମାର ସେଠୀ ଅନୁସୂଚୀତ ଜାତି ପ୍ରମାଣପତ୍ର ଜରିଆରେ ସଂରକ୍ଷଣର ସୁବିଧା ପାଇ ଗତ ୨୮.୦୬.୨୦୨୩ ରେ କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ଯୋଗଦେଇଥିଲେ । କିନ୍ତୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀସେଠୀଙ୍କ ଜାତି ପ୍ରମାଣପତ୍ର ନକଲି ବୋଲି ପାଣଗଣ୍ଡା ସମାଜ ପକ୍ଷରୁ ଅଭିଯୋଗ କରାଯାଇଛି ।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ଅନ୍ତର୍ଗତ ଯଶପୁର ଗ୍ରାମର ବ୍ରହ୍ମା ସେଠୀଙ୍କ ପୁଅ ସାନୋଜ ସେଠୀ । ବ୍ରହ୍ମା ସେଠୀ ବଂଶାନୁଗତିକ ଭାବରେ ଗିଙ୍ଗରା ସଂପ୍ରଦାୟ ହୋଇଥିବାବେଳେ ଏହି ସଂପ୍ରଦାୟ ଅନୁସୂଚୀତ ବର୍ଗ ଅନ୍ତର୍ଭୁକ୍ତ ନୁହେଁ ।
ତେଣୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀସେଠୀ ନିଜର ଜାତି ଗିଙ୍ଗିରା ରୁ କେଉଟ କରି ଜାତି ପ୍ରମାଣପତ୍ର ହାସଲ କରିବା ପରେ ଚାକିରୀ କରୁଥିବା ନେଇ ଜିଲ୍ଲା ପାଣ ଗଣ୍ଡା ସମାଜ ପକ୍ଷରୁ ଅଭିଯୋଗ କରାଯାଇଛି ।
ଏହା ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜିଲ୍ଲା ପାଣଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଛି । ଏହା ସହ ଜିଲ୍ଲାପାଳଙ୍କ ଠାରେ ମଧ୍ୟ ଅଭିଯୋଗ କରାଯାଇଥିବା ଜଣାପଡିଛି । ସଂଗଠନର ସଭାପତି ରୋହିତ କହଁର,ସଂପାଦକ ସୁଧାଂଶୁ ଡାଙ୍ଗ, ଉପସଭାପତି ମକରଧ୍ୱଜ ମହାନନ୍ଦିଆ,ଦଶରଥ ବେହେରା, ବସନ୍ତ ଖୁରା, କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି, ସେବତୀ ବେହେରା, ବିଶ୍ୱଜିତ ହରିପାଲ, ଧରଣୀଧର ବିଭାର,ଚିତ୍ରସେନ ବେହେରା,ଶ୍ରୀନିବାସ ହାତୀ, ନନ୍ଦିନୀ ନାୟକ,ରମେଶ ମହାନନ୍ଦିଆ,ରାଧାକାନ୍ତ ରାଜହଂସ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।
ବୌଦ୍ଧଗଡ ଏନଏସି ଫୁଟବଲ ପ୍ରତିଯୋଗିତା ଉଦଯାପିତ ,ଗେହ୍ଳମା କ୍ଳବ ଚମ୍ପିୟାନ
ବୌଦ୍ଧ,୩୧/୮ : ବୌଦ୍ଧଏନଏସି ପକ୍ଷରୁ ସ୍ଥାନୀୟ କଚେରୀ ପଡିଆଠାରେ ଏନଏସି ନକ୍ଆଉଟ ଫୁଟବଲ ପ୍ରତିଯୋଗିତା ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି । ଉଦଯାପନ ଦିବସରେ ଗେହ୍ଲାମା କ୍ଲବ ଓ ଆଇଆରବି ବୌଦ୍ଧ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।
ଗେହ୍ଲାମା କ୍ଲବ ସଂପୁର୍ଣ୍ଣ ଖେଳରେ ପ୍ରଭାବ ବିସ୍ତାର କରିବା ସହିତ ମ୍ୟାଚ୍ ର ଦ୍ୱିତିୟ ଓ ନଶମ ମିନିଟରେ ପ୍ରବଣ ପ୍ରକାଶ ପ୍ରଧାନଙ୍କ ଦ୍ୱାରା ଲଗାତାର ଭାବରେ ଦୁଇଗୋଟି ଗୋଲ ଓ ୩୩ତମ ମିନିଟ ରେ ଜିତେନ୍ଦ୍ର ଦେହୁରୀଙ୍କ ଗୋଲ ବଳରେ ୩-୦ ଗୋଲରେ ବିଜୟୀ ହେବାସହ ଟୁର୍ଣ୍ଣାମେ ଚମ୍ପିୟାନ ହୋଇଥିଲା । ଉଦଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ବିଜ୍ଞାପିତ ଅଳ ପରିଷଦ ଅଧକ୍ଷ୍ୟ ମୃତ୍ୟୁଞ୍ଜୟ ମିଶ୍ର ଓ ସମ୍ମାନିତ ଅତିଥି ଭାବରେ ଉପାଧକ୍ଷ୍ୟା ସୁଭାଷୀନୀ ସେଠୀ, ନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାର, ୱାର୍ଡସଭ୍ୟା ମାନିନୀ ଅମାତ, ସସ୍ମିତା ମେହେର ଓ ୱାର୍ଡ ସଭ୍ୟ ଧବଳେଶ୍ୱର ମାଝୀ ଓ ରାଧେଶ୍ୟାମ ସେଠୀ ଯୋଗ ଦେଇଥିଲେ । ଖେଳକୁ ରେଫରୀ ଭାବରେ ଶେଷଦେବ ବେହେରା ,ସଲିଲ ବେହେରା,ଅମିତ ନାଏକ,ସୂର୍ଯ୍ୟକାନ୍ତ ବେହେରା ପରିଚାଳନା କରିଥିଲେ ।
ଅବସରପ୍ରାପ୍ତ କ୍ରିଡା ନିରୀକ୍ଷକ ରଞ୍ଜିତ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କ୍ରିଡାବିତ ବଦ୍ରିନାରାୟଣ ମିଶ୍ର,ବିଦ୍ୟାଧର ପ୍ରଧାନ ଓ ପରିଷଦର କର୍ମଚାରୀମାନେ ଖେଳ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

ମହିଳା ଚାଷୀଙ୍କୁ ପନିପରିବା ଚାଷ ଉପରେ ତାଲିମ ପ୍ରଦାନ
ବୌଦ୍ଧ,୩୧/୮: ବୌଦ୍ଧ ସଦର ବ୍ଲକ ବଘିଆପଡା ପାଳଝାର ସ୍ଥିତ ରାଷ୍ଟ୍ରୀୟ ଉଦ୍ୟାନ ଗବେଷଣା ଏବଂ ଉନ୍ନୟନ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ନାବାର୍ଡ ସହାୟତାରେ ୧୫ ଦିନ ପାଇଁ ୩୦ ଜଣ ସ୍ୱୟଂ ସହାୟିକା ମହିଳାଙ୍କୁ ପରିବା ଚାଷୀ ନେଇ ପରିବା ଚାଷ ରୁ ବିହନ ପ୍ରସ୍ତୁତି ଓ ବିକ୍ରିବଟା କରି ଅର୍ଥନୌତିକ ଅଭିବୃଦ୍ଧି ସହିତ ସ୍ୱାବଲମ୍ବୀ ହେବା ପାଇଁ ତାଲିମ ଶିବିର ଶୁଭ ଉଦଘାଟନ ହୋଇଯାଇଛି । ସାଲୁଙ୍କି କୃଷକ ଉତ୍ପାଦକ କମ୍ପାନୀ ଆମଠାପଡା ଆୟୋଜନ କରିଥିବା ବେଳେ ପିସପୁଲ ସୋସାଇଟି ସହାୟତା କରିଥିଲେ ।
ଏହି ଅବସରରେ ଉଦଘାଟନୀ ଉତ୍ସବ ସାଲୁଙ୍କି କମ୍ପାନୀ ନିର୍ଦ୍ଦେଶକ ଶୁକଦେବ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ସାଲୁଙ୍କି କମ୍ପାନୀ ମୁଖ୍ୟ କାର‌୍ୟ୍ୟ ନିର୍ବାହୀ କୃତ୍ତିବାସ ପଲିଆ ମଞ୍ଚ ପରିଚାଳନା କରିଥିଲେ ।
ପିସପୁଲ ସୋସାଇଟି ସମ୍ପାଦିକା ମଞ୍ଜୁଲତା ଦାସ ଅତିଥି ମାନଙ୍କୁ ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥିଭାବେ ରାଷ୍ଟ୍ରୀୟ ଉଦ୍ୟାନ କୃଷି ଗବେଷଣା କେନ୍ଦ୍ର ନିର୍ଦ୍ଦେଶକ ତୁଷାର ଆମ୍ବ୍ରେ, ମୁଖ୍ୟବକ୍ତା ଭାବେ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଯୋଗେନ୍ଦ୍ର ନାରାୟଣ ମହାପାତ୍ର, ସ୍ୱତନ୍ତ୍ର ଅତିଥି ଭାବେ ଡି ଡି ଏମ ନାବାର୍ଡ ସତ୍ୟ ସ୍ୱସୃପ ବିଦାନ୍ତ ଯୋଗଦେଇ ଉଦ୍ୟାନ କୃଷି ଉପରେ ଉଦବୋଧନ ଦେଇଥିଲେ ।
ସମ୍ମାନିତ ଅତିଥିଭାବେ ବଘିଆପଡା ସରପଞ୍ଚ ଅନୁଜା ଦୀପ ମଞ୍ଚାସିନ ଥିଲେ । ତାଲିମ ଦାତ୍ତା ଭାବେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ଼ା ସମାପିକା ଦଳେଇ,ଉଦ୍ୟାନ କୃଷି ଗବେଷଣା କେନ୍ଦ୍ରର ଯାନ୍ତ୍ରିକ ଅଧିକାରୀ ରଂଜିତ କୁମାର ଦାଶ, ତାଲିମ ପ୍ରଦାନ ଦେଇଥିଲେ ।
ସାଲୁଙ୍କି କମ୍ପାନୀର ନିର୍ଦ୍ଦେଶକ ଅଜିତ କୁମାର ପଟ୍ଟନାୟକ, ଗୀତାଞ୍ଜଳି ରଣବିଡା, ହିମାଦ୍ରି ପ୍ରଧାନ, ଶୋଭାଗିନୀ ଭୋଇ, କେଦାର ନାଥ ରଣବିଡା ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ପିସପୁଲ ସୋସାଇଟି ସମ୍ପାଦିକା ମଞ୍ଜୁଲତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Seo wordpress plugin by www.seowizard.org.