Odisha News

ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା ଘଟଣା, ୨୯ ଆଇନଜୀବୀଙ୍କୁ ସର୍ତ୍ତମୂଳକ ଜାମିନ

କଟକ,୧୦/୨: ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ଆନ୍ଦୋଳନରେ ସାମିଲ ହୋଇ ଭଙ୍ଗାରୁଜା କରିବା ଅଭିଯୋଗରେ ଗିରଫ ସମ୍ବଲପୁର ଓକିଲ ସଂଘର ୨୯ ଆଇନଜୀବୀଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ।
ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ଆନ୍ଦୋଳନରେ ସାମିଲ ହୋଇ ଭଙ୍ଗାରୁଜା କରିବା ଅଭିଯୋଗରେ ଗିରଫ ଆଇନଜୀବୀମାନଙ୍କ ଜାମିନ ଆବେଦନର ଶୁଣାଣି ଗତକାଲି ହାଇକୋର୍ଟରେ ଶେଷ ହୋଇଥିଲା।
ଜଷ୍ଟିସ୍ ଭି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସମ୍ବଲପୁର କୋର୍ଟ ପରିସର ଘଟଣାରେ ଗିରଫ ହୋଇଥିବା ଆଇନଜୀବୀଙ୍କ ୨୦ଟି ନିୟମିତ ଆବେଦନର ପୂର୍ଣ୍ଣାଙ୍ଗ ଶୁଣାଣି ହୋଇଥିଲା।
ସରକାରଙ୍କ ତରଫରୁ ତଦନ୍ତର ସାନି ସ୍ଥିତି ନେଇ ଅବଗତ କରାଯାଇଥିବା ବେଳେ ଆବେଦନକାରୀଙ୍କ ତରଫରୁ ଚୂଡାନ୍ତ ପର‌୍ୟ୍ୟାୟ ଯୁକ୍ତି ଉପସ୍ଥାପନ କରାଯାଇଥିଲା।
ହାଇକୋର୍ଟ ଆଇନଜୀବୀ ପ୍ରମୋଦ କୁମାର ସରାଫ, ସୁରେଶ୍ବର ମିଶ୍ର, ପ୍ରଦୀପ ବହିଦାର, ରତନଲାଲ ଅଗ୍ରୱାଲ, ସୁରେନ୍ଦ୍ର ମହାନ୍ତି, ସତ୍ୟନାରାୟଣ ପଣ୍ଡା, ବିଷ୍ଣୁପ୍ରସାଦ ପାଢୀ, ଶିବ କୁମାର ଦିୱାନ, ଆଶିଷ ଗୁରୁ, ବିଦ୍ୟାଧର ପଣ୍ଡା, ବିମଳକାନ୍ତ ମହାପାତ୍ର ଓ ଅନ୍ୟମାନଙ୍କ ତରଫରୁ ଦାୟର ନିୟମିତ ଜାମିନ ଆବେଦନଗୁଡିକର ଏକତ୍ର ଶୁଣାଣି କରି ହାଇକୋର୍ଟ ରାୟ ସଂରକ୍ଷିତ ରଖିଥିଲେ।
ଅନ୍ୟପକ୍ଷରେ ସମ୍ବଲପୁରର ଧନୁପାଲି ଥନାରେ ୨୦୨୨ ମାର୍ଚ୍ଚ ମାସରେ ଏକ ସଡ଼କ ଦୁର୍ଘଟଣା ପରେ ହୋଇଥିବା ଆନ୍ଦୋଳନକୁ ନେଇ ରୁଜୁ ମାମଲାରେ ଗିରଫ ହୋଇଥିବା ୮ଜଣ ଆଇନଜୀବୀଙ୍କୁ ହାଇକୋର୍ଟ ଆଜି ଜାମିନ ପ୍ରଦାନ କରିଥିଲେ। ସମ୍ବଲପୁର କୋର୍ଟ ପରିସରରେ ହୋଇଥିବା ଭଙ୍ଗାରୁଜା ମାମଲାରେ ଗିରଫ ହେବା ପରେ ଏହି ଆବେଦନକାରୀଙ୍କୁ ପୁରୁଣା ଧନୁପାଲି ଥାନା ମାମଲାରେ ମଧ୍ୟ ଗିରଫ ବୋଲି ଦର୍ଶାଯାଇଥିଲା। ଏହି ଘଟଣା ସହିତ ଗତ ଡିସେମ୍ବର ମାସର ସମ୍ବଲପୁର କୋର୍ଟ ପରିସର ଘଟଣାର କୌଣସି ସଂପର୍କ ନଥିଲା। କିନ୍ତୁ ପୁଲିସ ଗିରଫ ଆଇନଜୀବୀଙ୍କୁ ଧନୁପାଲି ଥାନା ମାମଲାରେ ମଧ୍ୟ ଗିରଫ ବୋଲି ଦର୍ଶାଇଥିଲା। ଏହି ମାମଲାରେ ଶିବକୁମାର ଦିୱାନ, ବିମଳକାନ୍ତ ମହାପାତ୍ର, ସୂରଜ କୁମାର ବିଶ୍ବାଳ, ଏସ୍.ପି. ପାଢୀ, ସତ୍ୟନାରାୟଣ ପଣ୍ଡା, ଆଶିଷ ରଂଜନ ଗୁରୁ, ମନୋରଂଜନ ପଣ୍ଡା, ପି.କେ. ସିଂହଦେଓଙ୍କୁ ହାଇକୋର୍ଟ ଗତକାଲି ଧନୁପାଲି ମାମଲାରେ ଜାମିନ ମଞ୍ଜୁର କରିଥିଲେ।

Related Posts

Seo wordpress plugin by www.seowizard.org.