Odisha News

ବୌଦ୍ଧ: ପୁଅ ଜିଉଁତିଆ ପାଳିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୫/୯: ବୌଦ୍ଧଜିଲ୍ଲା ପୁରପଲ୍ଲୀରେ ଆଜି ପୁଅ ଜିଉଁତିଆ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହେଉଅଛି । ମା ମାନେ ପୁଅମାନଙ୍କର ଦୀର୍ଘାୟୁ କାମନା କରିବା ସହିତ ତାଙ୍କର ଶୁଭକାମନା ମନାସି ଏହି ଜିଉଁତିଆ ପାଳନ କରିଥାନ୍ତି ।
ମା ମାନେ ନିର୍ଜଳା ଉପବାସ ରହି ସନ୍ଧ୍ୟାରେ ଗାଁ ଦାଣ୍ଡ ମଝିରେ ସମସ୍ତେ ଏକତ୍ରିତ ହୋଇ ଜିଉଁତିଆ ପାଳନ କରିଥାନ୍ତି । ପରଦିନ ପାହାନ୍ତିଆରୁ ମା ମାନେ ନଦୀ ଓ ପୋଖରୀକୁ ଯାଇ ସ୍ନାନ ସାରି ଗାଧୁଆ ତୁଠରେ ପୂଜା ଅର୍ଚ୍ଚନା କରିଥାନ୍ତି ।
ଏବଂ ଘରକୁ ଆସି ପୁଅମାନଙ୍କୁ ୧୦୮ ଦୁବ, ଫୁଲ ଓ ଦୀପ ଲାଗାଇ ବନ୍ଦାଇ ଥାନ୍ତି । ଏହି ଜିଉଁତିଆ କରିବା ଦ୍ୱାରା ପୁଅମାନଙ୍କ ରିଷ୍ଟ ଖଣ୍ଡନ ହେବା ସହିତ ସେମାନେ ଦୀର୍ଘାୟୁ ହୋଇଥାନ୍ତି ଏବଂ ଶରୀର ସୁସ୍ଥ୍ୟ ରହିଥାଏ ବୋଲି ବିଶ୍ୱାସ ରହିଛି । ଏହି ପୁଅ ଜିଉଁତିଆରେ ମା ଦୁର୍ଗାଙ୍କ ପୂଜା ଆରଧ୍ୟନା କରାଯାଇଥାଏା ଏବଂ ଆଜି ଠାରୁ ବିଭିନ୍ନ ଦେବୀ ପିଠରେ ଖଣ୍ଡାବସା ପର୍ବ ଆରମ୍ଭ ହୋଇଥାଏ । ଆଜି ଠାରୁ ବିଭିନ୍ନ ଦେବୀ ମନ୍ଦିର ଗୁଡିକରେ ମାଁ ବିଭିନ୍ନ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।
ଚାରି କୁଇଣ୍ଟାଲ ଗଂଜେଇ ଜବତ, ଅଭିଯୁକ୍ତ ଫେରାର
ବୌଦ୍ଧ,୨୫/୯: ବୌଦ୍ଧ ଥାନା ପୁଲିସ ଆଜି ଏକ ବଡ ସଫଳତା ମିଳିଛି । ଏକ ବୋଲେରୋ ପିକଅପ ଗାଡି ସହିତ ୪କୁଇଣ୍ଟାଲ ଗଂଜେଇ ଜବତ କରିଥିବା ଜଣାଯାଇଛି । ସୂଚନା ମତେ, ୫୭ ନମ୍ବର ଜାତୀୟ ରାଜପଥରେ ମନମୁଣ୍ଡା ଅଞ୍ଚଳରୁ ବୌଦ୍ଧ ଦେଇ ଗଂଜେଇ ଚାଲାଣ ସଂପର୍କରେ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ବୌଦ୍ଧ ଆଦର୍ଶ ଥାନାର ଏକ ଟିମ୍ ଜାତୀୟ ରାଜପଥରେ ବଲାଶିଙ୍ଗା ନିକଟରେ ଜଗି ରହିଥିଲେ ।
ମନମୁଣ୍ଡା ପଟରୁ ଆସୁଥିବା ଏକ ବୋଲେରୋ ପିକଅପ (ଓଡି ୩୧ଏଚ୮୧୧୬) ଆସୁଥିବାବେଳେ ପୁଲିସ ଟିମକୁ ଦେଖି ଡ୍ରାଇଭର ସାଲୁଙ୍କି ବ୍ରିଜ ନିକଟରେ ଗାଡିଛାଡି ଗାଡିର ଚାବି ନେଇ ଦୌଡି ପଳାଇଥିଲା । ପୁଲିସ ପକ୍ଷରୁ ଗାଡିକୁ ଯାଞ୍ଚ କରାଯିବା ପରେ ସେଥିରୁ ଜରି ବସ୍ତାରେ ଥିବା ୪ କୁଇଣ୍ଟାଲ ଗଂଜେଇ ଜବତ କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରହିଥିବା ପୁଲିସ ସୂଚନା ଦେଇଛି ।
ବିଜେପି ସମବାୟ ପ୍ରକୋଷ୍ଠ ସଦସ୍ୟତା ଅଭିଯାନ
ବୌଦ୍ଧ,୨୫/୯: ବୌଦ୍ଧ ଜିଲ୍ଲା ବିଜେପିର ସମବାୟ ସେଲ ପକ୍ଷରୁ ବୌଦ୍ଧ ସହରର ତୁଳସୀ କଲ୍ୟାଣ ମଣ୍ଡପ ଠାରେ ବିଜେପି ସମବାୟ ପ୍ରକୋଷ୍ଠ ସଦସ୍ୟତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।
ବିଜେପି ଜିଲ୍ଲା ସଂଯୋଜକ ସମବାୟ ସେଲ କିଶୋର କୁମାର ମେହେରଙ୍କ ସଭାପତିତ୍ୱରେ ଏହି ସଦସ୍ୟତା ଅଭିଯାନରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ କଂଟାମାଳ ବିଧାୟକ କହ୍ନାଁଇ ଚରଣ ଡାଙ୍ଗ, ବିଜେପି ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି,ପୁର୍ବତନ ବିଧାୟକ ସଚ୍ଚିଦାନନ୍ଦ ଦଲାଲ, ରାଜ୍ୟ ସମବାୟ ସହ ସଂଯୋଜକ ଶେଷ କୁମାର ମେହେର, ରାଜ୍ୟ ସଂଯୋଜକ ସମବାୟ ସେଲ ରଂଜନ ମଙ୍ଗରାଜ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ସମବାୟ ସଂଯୋଜକ ସେଲ ଶ୍ରୀ ମେହେର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ସମବାୟ ସଦସ୍ୟତା ଅଭିଯାନ ପ୍ରମୁଖ ପୟୋଧର ମହାକୁଡ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଏହି ସଦସ୍ୟତା ଅଭିଯାନରେ ଯୋଗ ଦେଇଥିବା ଅତିଥିମାନେ ଜିଲ୍ଲା ଓ ଦେଶରେ ଯେପରି ଅଗାମୀ ଦିନରେ ମଜଭୁତ ହୋଇପାରିବ ସେ ନେଇ ମତବ୍ୟକ୍ତ କରିଥିଲେ । ଏହା ସହ ସମବାୟ ସ୍ତରରେ ଯେପରି ସଦସ୍ୟତା ଅଭିଯାନ ବୃଦ୍ଧି ହୋଇପାରିବ ସେ ନେଇ ମତ ବ୍ୟକ୍ତ କରିଥିଲେ । ଶେଷରେ ସୁବାସ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟରେ ବିଜେପି ନେତା ଓ କର୍ମୀ ସାମିଲ ଥିଲେ ।
ମୋ ଜଙ୍ଗଲ ଜମି ଯୋଜନାର ଏକ ଦିବସୀୟ କର୍ମଶାଳା
ବୌଦ୍ଧ,୨୫/୯: ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନ୍ତର୍ଗତ ମୋ ଜଙ୍ଗଲ ଜମି ଯୋଜନାର ଏକ ଦିବସୀୟ କର୍ମଶାଳା ଆୟୋଜିତ ହୋଇଥିଲା ।
ଏହି ଯୋଜନାରେ ଜନଜାତି ଓ ଅନ୍ୟାନ ପାରମ୍ପାରିକ ବନବାସୀ ମାନଙ୍କୁ ଜଙ୍ଗଲ ଅଧିକାର , ଗୋଷ୍ଠୀ ଜଙ୍ଗଲ ଓ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ନିମିତ ଜଙ୍ଗଲ ବିଭାଗ ଓ ରାଜସ୍ୱ ବିଭାଗ କର୍ମଚାରୀମାନଙ୍କୁ ତାଲିମ ଦିଆଯାଇଥିଲା । ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଏଫଇଏସ କର୍ମଚାରୀ, ତହସିଲଦାର, ରାଜସ୍ୱ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
କେବେ କାର୍ଯ୍ୟକ୍ଷମ ହେବା ଟିକରପଡା ସ୍ୱାସ୍ଥ୍ୟ କେନ୍ଦ୍ର
ବୌଦ୍ଧ, ୨୫/୯ : ନିର୍ମାଣ ସରିଥିଲେ ବି ଖୋଲୁନି ଡାକ୍ତରଖାନା । ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛି ରୋଗୀ । ଯାହାକୁ ନେଇ ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତବାସୀ ଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ।
ଅନ୍ୟପଟେ ଖୁବଶୀଘ୍ର ନୂତନ ଗୃହ ରେ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବ ବୋଲି କହିଛନ୍ତି ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ।ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ଏହି ନୂତନ ସ୍ୱାସ୍ଥ୍ୟକେନ୍ଦ୍ର ଗୃହ । ଦୀର୍ଘ ଦିନ ହେଲା ଗେଟ ରେ ପଡିଛି ତାଲା ।
ନୂତନ ଗୃହ ଥିଲେ ସୁଦ୍ଧା କାର୍ଯ୍ୟକ୍ଷମ ହେଉନାହିଁ ସ୍ୱାସ୍ଥ୍ୟକେନ୍ଦ୍ର ।କାର୍ଯ୍ୟାଳୟ ନିର୍ମାଣ ସରିବାର ଦୀର୍ଘ ମାସ ପରେ ବି ହୋଇପାରୁ ନାହିଁ କାର‌୍ୟ୍ୟକ୍ଷମ । ବିଜୁଳି ଖୁମ୍ବ ରେ ତାର ଝୁଲୁଛି କିନ୍ତୁ ହୋଇନାହିଁ ବିଦ୍ୟୁତ ଯୋଗାଣ ।
ପାନୀୟ ଜଳ ପାଇଁ ଵୋର ୱେଲ ଅଛି କିନ୍ତୁ ହେଉନାହିଁ ପାନୀୟ ଜଳ ଯୋଗାଣ । ଆଉ ଟିକେ ବର୍ଷା ହେଲେ କୋଠା ଆଗରେ ଜମି ରହିଛି ପାଣି । ତେଣୁ ସ୍ୱାସ୍ଥ୍ୟ କେନ୍ଦ୍ର ନ ଖୋଲିଲେ ନୂତନ ଗୃହ ଆଗରେ ପୋଖରୀ ଖୋଲିବେ ଓ କରିବେ ମାଛ ଚାଷ କରିବେ ବୋଲି କହିଲେ ଗ୍ରାମବାସୀ । ଏହି କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତ ର ୨୦ଖଣ୍ଡ ଗାଁ ର ଲୋକେ ।
ଏବେ ହଠାତ କୌଣସି ଦେହ ଖରାପ ହେଲେ ସ୍ୱାସ୍ଥ୍ୟସେବା ପାଇବା ପାଇଁ ବୌଦ୍ଧ କିମ୍ବା ବଘିଆପଡା ଚିକିସକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି ରୋଗୀ । ନୂତନ କୋଠା ରେ ତାଲା ଝୁଲୁଥିବା ବେଳେ ଅସ୍ଥାୟୀ ଭାବେ ପଞ୍ଚାୟତ ଗୃହରେ ଚାଲିଛି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର । ସେଠାରେ ମଧ୍ୟ ସେଇ ସମାନ ଅବସ୍ଥା ମନ କଲେ ଆସୁଛନ୍ତି ସ୍ୱାସ୍ଥ୍ୟକର୍ମୀ ।
ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟ ସବୁବେଳେ ପଡି ରହୁଛି ତାଲା ତେଣୁ ଯଥାଶୀଘ୍ର ନୂତନ କୋଠା ର ଲୋକାର୍ପଣ କରି ନିୟମିତ ସ୍ୱାସ୍ଥ୍ୟକର୍ମୀ ଯୋଗାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗୀୟ ସୂଚନା ଅନୁଯାୟୀ ନୂତନ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କୋଠା ୨୦୨୨ ମସିହାରେ ୩୩ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ଟେଣ୍ଡର ହୋଇଥିଲା । କିନ୍ତୁ ଦୁଇବର୍ଷ ବିତିଯାଇଥିଲେ ବି କାର୍ଯ୍ୟକ୍ଷମ ହୋଇ ପାରୁନାହିଁ ।
ଜିଲ୍ଲାରେ ମୋଟ ୩୭ଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ସେଥିମଧ୍ୟରୁ ବୌଦ୍ଧ ବ୍ଲକ ରେ ୧୧ଟି ରହିଛି ସେଥିରୁ ୩ଟି ର କାମ ସାରିଥିବା ବେଳେ ୩ଟି ର କାର‌୍ୟ୍ୟ ଆରମ୍ଭ ହୋଇନାହିଁ । ଆଉ ୫ଟି ର କାର୍ଯ୍ୟ ଚାଲିଛି ।
ସେଇଭଳି ହରଭଙ୍ଗା ବ୍ଲକ ରେ ମୋଟ ୧୨ଟି କେନ୍ଦ୍ର ରହିଛି ସେଥିରୁ ୪ଟିର କାମ ସରିଛି ଅନ୍ୟପଟେ ୮ଟି ର କେଉଁଠି କାମ ଆରମ୍ଭ ହୋଇଛି ତ ଆଉ କେଉଁଠି ଜମା ଆରମ୍ଭ ମଧ୍ୟ ହୋଇନାହିଁ ।
ସେଇଭଳି କଣ୍ଟାମାଳ ବ୍ଲକ ରେ ୧୪ଟି ଆରୋଗ୍ୟ କେନ୍ଦ୍ର ପାଇଁ ପ୍ରସ୍ତାବ ରହିଛି । ସେଥିମଧ୍ୟରୁ ମାତ୍ର ୨ଟି ର କାମ ସାରିଥିବା ବେଳେ ୩ଟି ର କାର‌୍ୟ୍ୟ ଆରମ୍ଭ ହୋଇନାହିଁ ଆଉ ୯ଟି କେନ୍ଦ୍ର ର କାର୍ଯ୍ୟ ଚାଲୁରହିଛି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଅନ୍ୟପଟେ ରାଜ୍ୟ ଓ କେନ୍ଦ୍ର ସରକାର ଜନସାଧାରଣଙ୍କ ନିକଟରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପ୍ରୟାସ ଜାରି ରଖିଛନ୍ତି । କିନ୍ତୁ କିଛି ଲାଭଖୋର ଠିକାଦାର ଓ ଯନ୍ତ୍ରୀ ଙ୍କ ପାଇଁ ମୂଳଲକ୍ଷ ରୁ ବିଚୁତ ହେଉଛି ସରକାର ଙ୍କ ଲକ୍ଷ । ତେବେ ଯଥାଶୀଘ୍ର ସ୍ୱାସ୍ଥ୍ୟକେନ୍ଦ୍ର ଚାଲୁ କରନ୍ତୁ ନଚେତ ପଞ୍ଚାୟତ ବାସୀ ଆନ୍ଦୋଳନ ମୁହାଁ ହେବେ ବୋଲି ସ୍ଥାନୀୟଲୋକେ କହିଛନ୍ତି ।
ଉଦଯାପିତ ହେଲା ବିକାଶ ମେଳା
ବୌଦ୍ଧ,୨୫/୯: ସୂଚନା, ଶିକ୍ଷା ଓ ସଂଚାର କାର୍ଯ୍ୟକ୍ରମକୁ ନେଇ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ତିନି ଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଯାପିତ ହୋଇଯାଇଛି । ଗତ ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି ବିକାଶ ମେଳା ବୌଦ୍ଧ କଚେରୀ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ଓରମାସ ତଥା ବିଭିନ୍ନ ବିଭାଗ ପକ୍ଷରୁ ୨୮ ଗୋଟି ଷ୍ଟଲ ପ୍ରଦର୍ଶନ କରାଯାଇଥିଲା ।
ଷ୍ଟଲରେ ବିଭିନ୍ନ ବିଭାଗ ପକ୍ଷରୁ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ଉପରେ ପ୍ରଚାର କରାଯାଇଥିଲା କ୍ଷ ଏହି ବିକାଶମେଳାର ଅନ୍ତିମ ଦିନର ସାଂସ୍କୃତିକ ସନ୍ଧ୍ୟାରେ ଶକ୍ତି ଶଙ୍କର ବାରିକ, ହରେକୃଷ୍ଣପୁର ଏକ ସମ୍ବଲପୁରୀ ଗୀତ ପରିବେଷଣ କରିଥିଲେ ।
ଵଜରଙ୍ଗବାଲି ଦାଶକାଠିଆ ଦଳ, ବଡ଼ମାଲ, ମୁଣ୍ଡପଡା ଦାଶକାଠିଆ, ଢୋଲ ନିଶାନ ତାଶା, ବୌଦ୍ଧ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ, କୃଷ୍ଣ ପ୍ରିୟା କଳାପରିଷଦ ତୁଷୁରା ପକ୍ଷରୁ ଘୁଡକା, କୋଶଲ ଫୋକ ଏକାଡେମୀ ବଲାଙ୍ଗିର ରୁ ଡାଲଖାଇ, ସୃଷ୍ଟି ଏକାଡେମୀ ବୌଦ୍ଧ ରୁ ସମ୍ବଲପୁରୀ ଲୋକ ନୃତ୍ୟ ଏବଂ ବାଉଁଶୁଣି ସାଂସ୍କୃତିକ ପରିଷଦ ବାଉଁ ଶୁଣି ଦ୍ୱାରା ଛୁଆଖେଲ ଆଦି ନୃତ୍ୟ ପରିବେଷଣ କରାଯାଇଥିଲା ।
ଉଦଯାପନୀ ସନ୍ଧ୍ୟାରେ ଜ଼ିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜ଼ିଲ୍ଲାପାଳ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନ,, ସି ଇ ଓ, ଓରମାସ ଶିବାଶିଷ ଦାଶ, ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ ପରିଚାଳନା କରିବା ସହିତ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Related Posts

Seo wordpress plugin by www.seowizard.org.