Odisha News

ବାଲିଗୁଡା : ସରକାରୀ ଅର୍ଥ ହଡ଼ପ ଅଭିଯୋଗ : ଭୂତପୂର୍ବ ମାର୍କଫେଡ ଆଞ୍ଚଳିକ ମ୍ୟାନେଜରଙ୍କୁ ୩ ବର୍ଷ ଜେଲ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୧/୧୧: ସରକାରୀ ଅର୍ଥ ହଡପ ଅଭିଯୋଗରେ ବୌଦ୍ଧ ଜିଲ୍ଲାର ତତ୍କାଳୀନ ମାର୍କଫେଡ ଏରିଆ ମ୍ୟାନେଜର ଭୂବନ ମୋହନ ଦାଶଙ୍କୁ ଫୁଲବାଣୀ ଭିଜିଲାନ୍ସ ଅଦାଲତ ତିନି ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥସହ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି।
ଜରିମାନା ଅନାଦେୟ ଦୋଷୀଙ୍କୁ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସୂଚନା ଅନୁଯାୟୀ, ଅଭିଯୁକ୍ତ ଶ୍ରୀ ଦାଶ ୨୦୦୭ ମସିହାରେ ବୌଦ୍ଧଠାରେ ମାର୍କଫେଡର ଆଞ୍ଚଳିକ ମ୍ୟାନେଜର ଦାୟିତ୍ଵରେ ଥିଲେ।
ତାଙ୍କ ବିରୋଧ ରେ ତିଳା ଓ ହଳଦୀ ବିହନ କିଣାରେ ୯ ଲକ୍ଷ ୬୬ ହଜାର ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ତାଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ପକ୍ଷରୁ ୩୦/୨୦୦୭ ରେ ଏକ ମାମଲା ରୁଜୁ କରାଯାଇଥିଲା। ପରେ ୨୦୦୮ ମସିହାରେ ସେ କାର୍ଯ୍ୟରୁ ବହିଷ୍କୃତ ହୋଇଥିଲେ।
ତେବେ ଅଭିଯୁକ୍ତ ଶ୍ରୀ ଦାଶ ଅଦାଲତରେ ହାଜର ନ ହେବାରୁ ତାଙ୍କ ବିରୋଧରେ ଫୁଲବାଣୀ ସ୍ଵତନ୍ତ୍ର ଭିଜିଲାନ୍ସ ଅଦାଲତ ଏକ ଜାମିନ ବିହୀନ ଓ୍ବାରେଣ୍ଟ ଜାରୀ କରିବା ପରେ ତାଙ୍କୁ ଧରିବା ପାଇଁ ଭିଜିଲାନ୍ସ ବିଭାଗ ଯୋଜନା ପ୍ରସ୍ତୁତ କରି ଏକ ସ୍ବତନ୍ତ୍ର ଟିମ ଗଠନ କରିଥିଲା କ୍ଷ ତେବେ ଅଭିଯୁକ୍ତ ବାରମ୍ବାର ନିଜର ସ୍ଥାନ ସହ ମୋବାଇଲ ନମ୍ବର ପରିବର୍ତ୍ତନ କରି ଚାଲିଥିଲେ ।
ଭିଜିଲାନ୍ସ ପକ୍ଷରୁ ନଜର ରଖାଯିବା ସହ ମୋବାଇଲ ନମ୍ବର ଟ୍ରାକିଙ୍ଗ କରାଯାଇ ସେ ଭୁବନେଶ୍ବରର ବାଲିଅନ୍ତା ଅଞ୍ଚଳରେ ଥିବା ଜଣା ପଡିବା ପରେ ଗତ ମାସ ୧୭ ତାରିଖରେ ଚଢାଉ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା। ଏ ସଂକ୍ରାନ୍ତରେ ମଙ୍ଗଳବାର ମାମଲାର ଶୁଣାଣୀ କରି ଫୁଲବାଣୀ ସ୍ଵତନ୍ତ୍ର ଭିଜିଲାନ୍ସ ଅଦାଲତର ବିଚାରପତି ସମର ବିଳାସ ବେହେରା ଉପରୋକ୍ତ ରାୟ ଶୁଣାଇଛନ୍ତି। ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଭି.ଭି ରାମଦାସ ପରିଚାଳନା କରୁଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଅନ୍ୟାନ୍ୟ ମାମଲା ମଧ୍ୟ ବିଚାରାଧୀନ ରହିଥିବା ବିଷୟ ସରକାରୀ ଅଧିବକ୍ତା ଶ୍ରୀ ରାମଦାସ ପ୍ରକାଶ କରିଛନ୍ତି ।
ବାଲିଗୁଡା : ଦାରିଙ୍ଗବାଡି କଫି ବଗିଚାରେ କାଫେର ମଜା ନେବେ ପର୍ଯ୍ୟଟକ
ବାଲିଗୁଡା,୧/୧୧: ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରରେ ଦିନକୁ ଦିନ ନୂଆଁ ନୂଆଁ ଅଧ୍ୟାୟ ଯୋଡ଼ି ହେଉଥିବା ଦେଖିବାକୁ ମିଳିଛି । କେତେବେଳେ ନୂତନ ପର୍ଯ୍ୟ ଟନ ସ୍ଥଳୀ ଯୋଡ଼ି ହେଉଛି ତ ଆଉ କେତେବେଳେ ସରକାର ଙ୍କ ନୂତନ ପ୍ରକଳ୍ପ ଯୋଡ଼ି ହେଉଛି । ଚଳିତ ବର୍ଷ ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ି ହୋଇଛି କଫି କାଫେ ।
ଏହି କଫି କାଫେ ଦାରିଙ୍ଗବାଡିରେ ରହିଥିବା କଫି ବଗିଚା ମଧ୍ୟରେ ନିର୍ମାଣ ହୋଇଛି । କଫି କାଫେ ସହ ରହିଛି ଶିଶୁ ଉଦ୍ୟାନ । ଏହି କଫି କାଫେରେ ପର୍ଯ୍ୟଟକ ମାନେ କଫିର ମଜା ନେବା ସହ ଶିଶୁ ମାନଙ୍କ ପାଇଁ ଶିଶୁ ଉଦ୍ୟାନରେ ବିଭିନ୍ନ ଖେଳ କୁଦର ବ୍ୟବସ୍ଥା ରହିଛି । ଫାଇବରରେ ନିର୍ମିତ ହରିଣ, ବାଘ, ଭାଲୁ, ସିମ୍ପାଞ୍ଜି,ମୟୂର ଭଳି ପଶୁ ପକ୍ଷୀଙ୍କ ମୂର୍ତ୍ତି ରହିଛି। ଏଥି ସହିତ ଦୋଳି, ଖସଡ଼ା, ଟୀଙ୍ଗ ଜମିଂ ଆଦିର ବ୍ୟବସ୍ଥା ରହିଛି ।
ଫାଇବରରେ ନିର୍ମିତ ପ୍ରଜାପତିରେ ରହିଛି ସେଲଫି ପଏଣ୍ଟ । ପୂର୍ବରୁ ପର୍ଯ୍ୟଟକ ମାନେ ଖାଲି କଫି ବଗିଚାରେ କଫି ଗଛ, ଗୋଲମରିଚ ଗଛ, ଠେକୁଆ ଆଦି ଦେଖୁଥିଲେ। ହେଲେ ଏବେ ଏହି କଫି ବଗିଚା ରେ ଆଉ କିଛି ସ୍ୱତନ୍ତ୍ର ଦେଖିବାକୁ ମିଳିବ । ଜିଲ୍ଲା ଓ ବ୍ଲକ ପ୍ରଶାସନର ଉଦ୍ୟମ କ୍ରମେ ଏହି କଫି କାଫେ ହୋଇ ପାରିଥିବାରୁ ପର୍ଯ୍ୟଟକ ତଥା ଅଞ୍ଚଳ ବାସୀ ପ୍ରଶାସନ କୁ ଧନ୍ୟବାଦ୍ ଜଣାଇଛନ୍ତି ।
ବାଲିଗୁଡା : ରାସ୍ତା ଅବସ୍ଥା ଶୋଚନୀୟ, ରାସ୍ତା ସାରା ମେଟାଲ ଓ ଖାଲ ଖମାରେ ଭର୍ତ୍ତୀ : ତୁରନ୍ତ ନିର୍ମାଣ ପାଇଁ ଦାବୀ
ବାଲିଗୁଡା,୧/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଧିନସ୍ଥ ସିମନବାଡ଼ି ଠାରୁ ରାଇକିଆ ରାସ୍ତାର ଦୀର୍ଘ ୧୨ କିଲୋମିଟର ରାସ୍ତା ଅବସ୍ଥା ନକହିବା ଭଲ । ରାସ୍ତା ସାରା ଖାଲ ଖମା ସହ ମେଟାଲ ବାହାରି ରହିଛି । ପ୍ରତ୍ୟେକ ଦିନ ଛୋଟ ଛୋଟ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି । କେତେବେଳେ ଯେ ବଡ ଦୁର୍ଘଟଣା ନଘଟିବ ତାହା କିଛି କହିହେବ ନାହିଁ । ଗାଡ଼ି ଚାଲିବା ବେଳେ ଗାଡ଼ି ଚକା ରୁ ମେଟାଲ ଓ ଗୁଡ଼ି ଲୋକଙ୍କ ଉପରେ ଛିଟିକି ପଡୁଛି। ଖାଲ ଖମା ଯୋଗୁଁ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହେଉଛି ।
ହେଲେ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ କରାଯାଉନାହିଁ । ଖାଲି ଏହି ଗୋଟିଏ ରାସ୍ତା ବିପଦରେ ଅଛି ତାହା ନୁହଁ ଦାରିଙ୍ଗବାଡି ଚାରି ଛକ ଠାରୁ ଡୁଲୁରି ପର‌୍ୟ୍ୟନ୍ତ ରାସ୍ତା ଅବସ୍ଥା ସଙ୍କଟାପନ୍ନ ରହିଛି। ଏଭଳି ଭାବେ ଅନେ ରାସ୍ତା ବିପଦପୂର୍ଣ୍ଣ ହୋଇ ରହିଛି । ହେଲେ ଏଥି ପ୍ରତି କାହାରି କିନ୍ତୁ ଦୃଷ୍ଟି ପଡୁନାହିଁ । ନିୟମ ଉଲଘଂନକାରୀ ଗାଡି ଚାଳକଙ୍କ ଠାରୁ ଯେମିତି ଜରିମାନା ଆଦାୟ ହେଉଛି ସେଭଳି ଭାବେ ରାସ୍ତା ଗୁଡ଼ିକୁ ମଧ୍ୟ ସଠିକ୍ ଭାବେ ମରାମତି କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Related Posts

Seo wordpress plugin by www.seowizard.org.