ପୌଷ ପୂର୍ଣ୍ଣିମାର ଅନନ୍ୟ ପର୍ବ ଛେରଛେରା,ଏହା ଲୋକ କଥା ନୁହେଁ ବରଂ ଜୀବନ ରେଖା
ପ୍ରିତୀଶ ଚନ୍ଦ୍ରଙ୍କ ରିପୋର୍ଟ
ନବରଙ୍ଗପୁର,୮/୧ : ଆଦିବାସୀ ବହୁଳ ନବରଂଗପୁର ଅଞ୍ଚଳ ଚାଷ ସମୃଦ୍ଧ ଓ ଚାଷ ସମ୍ପୃକ୍ତି ପାର୍ବଣରେ ଅନନ୍ୟ ଭାବ ସୃଷ୍ଟି କରେ। କେବଳ ଯେ,ନବରଂଗପୁର ନୁହେଁ। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଚାଷ ସହିତ ମହାପର୍ବର ସମନ୍ବୟ କାହିଁ କେତେ ଯୁଗରୁ ଆରମ୍ଭ।
ଏଠାକାର ଆଦିବାସୀ ଜନଜାତି ମଧ୍ୟରେ ମୁଖ୍ୟତଃ ପରଜା,କନ୍ଧ,ଭତ୍ରା,ଗଣ୍ଡ,ପରଜାଙ୍କ ଜୀବିକା ଚାଷ ହୋଇଥିବା ବେଳେ ମୁଖ୍ୟ ପର୍ବପର୍ବାଣୀ ସବୁ ମଣ୍ଡେଇ,ବାଲି ଯାତ୍ରା, ଦଶହରା,ଦିଆଲି ଓ ପୁଷ ପରବ ହୋଇଥାଏ। କୋରାପୁଟ ଜିଲ୍ଲା ହେଉଛି,ବିଭିନ୍ନ ଜାତି ତଥା ଭାଷା ସମନ୍ଵୟର ମହାନ ଏବଂ ପବିତ୍ର ସ୍ଥଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ହିନ୍ଦୁଧର୍ମାନୁସାରେ ବାର ମାସେ ତେର ଯାତ।
ଏଠି ବିଭିନ୍ନ ପର୍ବପର୍ବାଣୀରେ ପାରିବାରିକ ସମ୍ବନ୍ଧକୁ ଉତ୍ସାହର ସହ ପାଳନ କରିଥାନ୍ତି ନବରଙ୍ଗପୁର ଜିଲ୍ଲାବାସୀ। ପ୍ରତୈକ ଗାଁରେ ଦେଖିବାକୁ ମିଳେ ଆନନ୍ଦ ଉଲ୍ଲାସ। ଆଞ୍ଚଳିକ ପର୍ବ ଲୋକଙ୍କ ମଧ୍ୟରେ ଭାତୃଭାବ,ଭାଇଚାରା ଓ ସମସ୍ତଙ୍କୁ ସ୍ନେହପ୍ରେମରେ ବାନ୍ଧି ରଖିବାରେ ଯେ,ସହାୟକ ହୁଏ ଏଥିରେ ତିଳେ ମଧ୍ୟ ସନ୍ଦେହ ନାହିଁ। ମାର୍ଗଶିର ମାସର ଶେଷ ପର୍ୟ୍ୟାୟ ଠାରୁ ଆରମ୍ଭ ହୋଇଯାଏ ଦିଆଲି ପର୍ବ। ନିଜ ବନ୍ଧୁବାନ୍ଧବ,ପରିଜନଙ୍କୁ ନିମନ୍ତ୍ରଣ କରି ପ୍ରତି ପରିବାରରେ ଏକ ଉତ୍ସାହର ମାହୋଲ ଦେଖିବାକୁ ମିଳେ।
ଦିଆଲି ପର୍ବର ବାସୀ ଦିନ ବିଭିନ୍ନ ବେଶରେ ସୁସଜ୍ଜିତ ହୋଇ ଗାଁର ସାହି ଗଳିର ଘରକୁ ଘର ବୁଲି ବିଭିନ୍ନ ଢଗଢମାଳି ସହ ପୁଷ ପରବ ଗୀତ ଗାଇ ନାଚିକୁଦି ଧାନ,ଚାଉଳ,ଟଙ୍କା ପଇସା ଯିଏ ଯାହା ଦେଲା ଖୁସିରେ ମାଗି ନେଇଥାନ୍ତି। ଦେଖଣାହାରୀ ମଧ୍ୟ ତାଙ୍କର ନାଚଗୀତର ମଜା ନେବା ସହ ଆନନ୍ଦରେ ଧାନ,ଚାଉଳ, ମାଣ୍ଡିଆ,ପଇସା ଯାଚିଦିଅନ୍ତି। ଦିଆଲି ପର୍ବର କିଛି ଦିନ ପରେ ଆସେ ପୁଷ ପରବ। ଯାହାକୁ ଆମେ ପୌଷ ପୂର୍ଣ୍ଣିମା ବୋଲି କହିଥାଉ।
ମହାଭାରତରେ ବର୍ଣିତ ଏହି ଦିନରେ ଭୀମ ମଣ୍ଡାଖିଆ ଅସୁରକୁ ବଧକରି ଗ୍ରାମବାସୀଙ୍କୁ ଅସୁରର ଅତ୍ୟାଚାରରୁ ରକ୍ଷା କରିଥିବା କଥା ଆମେ ପିଲାଦିନୁ ଶୁଣିଛୁ। ମଣ୍ଡାଖିଆ ଅସୁରର ମୃତ୍ୟୁ ପରେ ଅସୁର ଠାରୁ ନିସ୍ତାର ପାଇଥିବା ଗ୍ରାମବାସୀ ହର୍ଷଲ୍ଲାତିତ ହୋଇ ନାଚିଗାଇ ଝୁମିଥିଲେ। ଆଜି ସେହି ଦିନକୁ ଚିରାଚରିତ ପ୍ରଥା ଭାବେ ଗାଁ ଗାଁରେ ଆଜି ବି ମନେ ରଖି ନିଆରା ଢଙ୍ଗରେ ଲୋକେ ପାଳିଥାନ୍ତି।
ଗ୍ରାମାଞ୍ଚଳରେ ଛୋଟ ଛୋଟ ପୁଅଝିଅ ମାନେ ଦଳଦଳ ହୋଇ ବିଭିନ୍ନ ପ୍ରକାର ବେଶରେ ସୁସଜ୍ଜିତ ହୋଇ କିଏ ବଜା,ମହୁର,ଢଗ ଆଦିରେ \”ଛେରଛେରା ଗୀତ ଗାଇ ଘରକୁ ଘର ବୁଲି ନାଚିକୁଦି ଚାଉଳ,ଟଙ୍କା,ମୁଢିଚୂଡା,ଗୁଡ଼,ଡାଲି,ମୁଗ,କୋଳଥ,ବିରି ଓ ଅନ୍ୟାନ୍ୟ ଶସ୍ୟ ସାମଗ୍ରୀ ସବୁ ସଂଗ୍ରହ କରି ଗାଁ ମୁଣ୍ଡରେ ଯାଇ ଭୋଜି କରି ଖାଇଥାନ୍ତି। ବେଶଭୂଷାର ଅଲୌକିକତା ସମସ୍ତଙ୍କୁ ଆକୃଷ୍ଟ କରେ।
ବାସ୍ତବରେ କହିବାକୁ ଗଲେ ଏଠାକାର ଲୋକେ ଯେତିକି ସରଳ,ସେତିକି ନିଆରା ଏଠାକାର ପର୍ବପର୍ବାଣୀ ଓ ପରମ୍ପରା। ପର୍ବପର୍ବାଣୀ ଓ ଯାନୀଯାତରା ସମସ୍ତଙ୍କୁ ଗୋଟିଏ ସାମାଜିକ ସୂତ୍ରରେ ବାନ୍ଧି ରଖୁବାରେ ମୁଖ୍ୟ ଭୂମିକା ଗ୍ରହଣ କରେ। ପୌଷ ମାସର ଶେଷ ଦିନ ଅର୍ଥାତ୍ ପୂର୍ଣ୍ଣିମାରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ପାଳନ ହୁଏ ପୁଷ ପୁନେଇଁ ପରବ। ଏହି ପର୍ବ ପୌରାଣିକ ଯୁଗରୁ ଆରମ୍ଭ।
ଅବିଭକ୍ତ କୋରାପୁଟ ଜିଲ୍ଲାର କନ୍ଧ ସମ୍ପ୍ରଦାୟ ସର୍ବ ପୁରାତନ ଜାତି,ଏ ଅଞ୍ଚଳ ଥିଲା ଉଡ୍ର ରାଜ୍ୟର ଏକ ଅଂଶ ବିଶେଷ। ଏହାର ପ୍ରାଚୀନ ନାମ ଥିଲା ମହାକାନ୍ତାର ରାଜ୍ୟ। ସେତେବେଳେ ରାଜ୍ୟର ଅବସ୍ଥା ଜଙ୍ଗଲରେ ପରିପୂର୍ଣ୍ଣ ଓ ଦିନ ବେଳେ ଦକ୍ଷିଣ ଆଫ୍ରିକା ପରି ପଶୁପକ୍ଷୀଙ୍କ ଗହଳଚହଳ।
ଏ ରାଜ୍ୟର ଆଦିମ ଜାତି କନ୍ଧ ସମ୍ପ୍ରଦାୟର ଲିଖିତ ଭାଷା ନ ଥିଲା। କେବଳ ମୂଖ ନିଃସୃତ ବାଣୀ ରହିଥିଲା। ଆଜି ସେହି ଭାଷା ବିଭିନ୍ନ ଭାଷାର ପରିମାର୍ଜିତ ଓ ବର୍ଣିତ। ପରେ ପରେ ପରଜା ସଂପ୍ରଦାୟ ତେଲୁଗୁ ରାଜ୍ୟରୁ ଆସି ଏମାନଙ୍କ ସହ ସାମିଲ ହେଲେ ।
ହଜାର ବର୍ଷ ପରେ କନ୍ଧ ଭାଷାରେ ତେଲୁଗୁ ପଦ ଦେଖିବାକୁ ମିଳିଲା। ଏହା ପରେ ୧୨୦୦ ଶତାବ୍ଦୀର ନଳ ବଂଶର ରାଜା ଭାବଦତ୍ତଙ୍କ ସମୟରେ ଛତିଶଗଡ଼ ରାଜ୍ୟର ମା\’ ଦନ୍ତେଶ୍ୱରୀ ପୀଠରୁ ଭତରା ସଂପ୍ରଦାୟ ପ୍ରବେଶ କରି ଜନ ଜୀବନରେ ପ୍ରଭାବ ପକାଇଥିଲେ। ଏହା ପରେ ପୁଷ ପୁନେଇଁର ଗୀତରୁ ନାଟକକୁ ପରିବର୍ତ୍ତନ ହୋଇଥିଲା ।
ରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ମୁସଲମାନ ଓ ରାଜା ବିଶମ୍ଭର ଦେବଙ୍କ ସମୟରେ ବ୍ରାହ୍ମଣ ମାନଙ୍କ ଆଗମନ ହୋଇଥିଲା। ସନ ୧୮୩୭ ମସିହାରେ ଇଂରେଜ ଗଭର୍ଣ୍ଣର ସାର ମାଥ୍ୟୁସ ଜୟପୁର ଦଖଲ କଲା ପରେ ମିଶନାରୀ ମାନେ ଏହି ଜିଲ୍ଲାରେ ପ୍ରବେଶ କଲେ ।
ପରେ ପରେ ସମସ୍ତ ଜାତିର ମହା ମିଳନରେ ଜନ୍ମ ଏହି ଧାନ କଟାର ପରବର୍ତ୍ତୀ ସମୟର ପର୍ବ ପୌଷ ପୁନେଇଁ । ପୁଷ ପନେଁଇର ସର୍ବ ପ୍ରାଚୀନ ଗୀତକୁ ଆଜି ହଜିବାକୁ ଲାଗିଲାଣି। ଲୋକକଥା,ଲୋକଗୀତ ଯାହା ପାରମ୍ପରିକ ଭାବେ ଅଭ୍ୟାସ ଦ୍ବାରା ଆଜିପର୍ୟ୍ୟନ୍ତ ବଞ୍ଚିତ ରହିଥିଲା,ତାହାକୁ ଆଗକୁ ନେବାର ପ୍ରୟାସ ଆଜିଠୁ ନ କଲେ ହୁଏତ ପୂର୍ବ ପରମ୍ପରାର ମହାଗାଥା ବିଷୟରେ ଆଗାମୀ ଭବିଷ୍ୟତ ବୁଝିବା ଓ ଜାଣିବା କଷ୍ଟସାଧ୍ୟ ହେବ।