Odisha News

ପୁଣି ବଢ଼ିଲା ଇନ୍ଧନ ଦର: ଭୁବନେଶ୍ବରରେ ପେଟ୍ରୋଲ୍ ଲିଟର୍ ପିଛା ୫୪ ପଇସା ଓ ଡିଜେଲ୍ ୫୯ ପଇସା ବୃଦ୍ଧି

ନୂଆଦିଲ୍ଲୀ,୨୭/୩: ପୁଣି ସମଗ୍ର ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧି ପାଇଛି। ଗତ ୬ ଦିନ ମଧ୍ୟରେ ଏହା ହେଉଛି ଇନ୍ଧନ ମୂଲ୍ୟରେ ୫ମ ଥର ବୃଦ୍ଧି।
ରବିବାର ଦିନ ସକାଳ ୮.୦୭ରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ବରର ‘ହାଇୱେ ଡିଜେଲ୍ ସେଣ୍ଟର୍’ରେ ପେଟ୍ରୋଲ୍ ୫୪ ପଇସା ଓ ଡିଜେଲ୍ ୫୯ ପଇସା ବୃଦ୍ଧି ପାଇ ଲିଟର୍ପିଛା ଯଥାକ୍ରମେ ଟ. ୯୫.୬୧ ଓ ଟ. ୧୦୫.୭୬ରେ ବିକ୍ରୟ ହେଉଛି ବୋଲି ‘ଇଣ୍ଡିଆନ୍ ଅଏଲ୍’ ସୂଚନା ଦେଇଛି।
ଆଜି ସକାଳ ୬ଟା ବେଳଠାରୁ ଦିଲ୍ଲୀରେ ପେଟ୍ରୋଲ୍ ଲିଟର୍ପିଛା ୫୦ ପଇସା ବୃଦ୍ଧି ପାଇ ଟ. ୯୯.୧୧ ଏବଂ ଲିଟର୍ପିଛା ୫୫ ପଇସା ବୃଦ୍ଧି ପାଇ ଟ. ୯୦.୪୨ରେ ବିକ୍ରୟ ହେଉଛି।
ମୁମ୍ବାଇରେ ପେଟ୍ରୋଲ୍ ଲିଟର୍ପିଛା ୫୩ ପଇସା ବୃଦ୍ଧି ପାଇ ଟ. ୧୧୩.୮୮ ଏବଂ ଡିଜେଲ୍ ଲିଟର୍ପିଛା ୫୮ ପଇସା ବୃଦ୍ଧି ପାଇ ଟ. ୯୮.୧୩ରେ ବିକ୍ରୟ ହେଉଛି।
ପୂର୍ବରୁ ଚଳିତ ସପ୍ତାହର ମଙ୍ଗଳବାର, ବୁଧବାର, ଶୁକ୍ରବାର ଏବଂ ଶନିବାର ଦିନ ଉପରୋକ୍ତ ଇନ୍ଧନ ଦର ବୃଦ୍ଧି ପାଇଥିଲା। ପ୍ରତି ଥର ଲିଟର୍ପିଛା ମୂଲ୍ୟ ୮୦ ପଇସା ବୃଦ୍ଧି ପାଉଛି। ସେହି ହିସାବରେ ପେଟ୍ରୋଲ୍ ଦର ଲିଟର୍ ପିଛା ଟ. ୩.୭୦ ପଇସା ଓ ଡିଜେଲ୍ ଦର ଟ. ୩.୭୫ ପଇସା ବୃଦ୍ଧି ପାଇଲାଣି।
ଭାରତରେ ପେଟ୍ରୋଲ୍ ଏବଂ ଡିଜେଲ୍ ମୂଲ୍ୟ ଇନ୍ଧନର ଚାହିଦା, ଡଲାର୍ ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ଏବଂ ତୈଳଶୋଧନାଗାରର ବ୍ୟବହାର ଉପରେ ନିର୍ଭର କରେ। ଏହାଛଡ଼ା, ‘ଭାଟ୍’ ଏବଂ ପରିବହନ ମୂଲ୍ୟ ଆଧାରରେ ରାଜ୍ୟ ରାଜ୍ୟ ମଧ୍ୟରେ ଇନ୍ଧନ ମୂଲ୍ୟରେ ତଫାତ୍ ଦେଖା ଦେଇଥାଏ।
ଉଲ୍ଲେଖଯୋଗ୍ୟ, ୨୦୨୧ ନଭେମ୍ବର ୪ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ୍ ଉପରୁ ଟ.୫/- ଏବଂ ଡିଜେଲ୍ ଉପରୁ ଟ.୧୦/- ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପରେ ପରେ କେତେକ ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ୍ ଓ ଡିଜେଲ୍ ଦର ଉପରୁ ‘ଭାଟ୍’ ହ୍ରାସ କରିବା ଫଳରେ ମୋଟୋର୍ ଯାନ ମାଲିକମାନେ ଆଶ୍ବସ୍ତ ହୋଇଥିଲେ।

Related Posts

Seo wordpress plugin by www.seowizard.org.