Top Stories

ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ, ଜମୁଛି ଭକ୍ତଙ୍କ ଗହଳି

ପୁରୀ ୨୯/୬: ଆଜି ହେଉଛି ପବିତ୍ର ନବଯୌବନ ଦର୍ଶନ। ୧୫ ଦିନର ଅନବସର ନୀତି ସରିଲା । ଏବେ ପୂରା ସୁସ୍ଥ ହୋଇଛନ୍ତି ଶ୍ରୀଜିଉ। ମହାପ୍ରଭୁ ଆଜି ନବଯୌବନ ପ୍ରାପ୍ତି ହୋଇ ଦର୍ଶନ ଦେବାର ପରମ୍ପରା ରହିଛି।
ସୁସ୍ଥ ହୋଇଥିବା ଶ୍ରୀବିଗ୍ରହ ମାନଙ୍କୁ ଗତକାଲି ଓ ଆଜି ଭୋରୁ ଦତ୍ତମହାପାତ୍ର ସେବାୟତମାନେ ବନକ ଲାଗି କରିଛନ୍ତି। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ପାରମ୍ପରିକ ରଙ୍ଗ, ହିଙ୍ଗୁଳ, ହରିତାଳ, କସ୍ତୁରୀ, କର୍ପୁର ଇତ୍ୟାଦି ବ୍ୟବହାର କରାଯାଇ କରାଯାଇଛି।
ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ପରମାଣିକ ବା ଟିକେଟ ଦର୍ଶନ ଓ ପରେ ସର୍ବସାଧାରଣ ଦର୍ଶନ ଦେବାର ପରମ୍ପରା ରହିଛି। ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ୧ଘଣ୍ଟା ପାଇଁ ପରିମାଣିକ ଦର୍ଶନ ହେବ। ପରେ ସକାଳ ୯ଟାରୁ ୧୦ଟା ୩୦ ଯାଏଁ ସର୍ବସାଧାରଣ ଦର୍ଶନ ହେବ।
ସେହିଭଳି ଦିନ ୨ଟାରୁ ୩ଟା, ସଂଧ୍ୟା ୬ଟାରୁ ୬ଟା ୩୦, ରାତି ୯ଟାରୁ ୧୦ଟା ୩୦, ରାତି ୧୧ଟା ୩୦ରୁ ୧୨ଟା ୩୦ ଯାଏଁ ସର୍ବସାଧାରଣ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ କରାଯାଇଛି । ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି ।
ଚଳିତବର୍ଷ ଦୁଇ ଦିନ ନବଯୌବନ ଦର୍ଶନ ପଢ଼ୁଥିବାରୁ ଗୁରୁବାର ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ପାଇଁ ସୁଯୋଗ ମିଳିବ । ଭୋର୍ ୪ଟାରୁ ୬ଟା ୩୦, ମଧ୍ୟାହ୍ନ ୧୨ଟା ୩୦ରୁ ୧ଟା ୩୦, ଅପରାହ୍ଣ ୩ଟା ୩୦ରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ କରିପାରିବେ ।
ଶୁକ୍ରବାର ଶ୍ରୀଗୁଣ୍ଡିଚା ନୀତିକାନ୍ତି ଓ ପହଣ୍ଡି ପ୍ରସ୍ତୁତି ପାଇଁ ଗୁରୁବାର ସଂଧ୍ୟା ୫ଟାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ନବଯୌବନ ଦର୍ଶନକୁ ଶୃଙ୍ଖଳିତ କରିବାକୁ ପ୍ରଶାସନ ପକ୍ଷରୁ ସିଂହଦ୍ବାରରେ ପ୍ରବେଶ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ସେହିଭଳି ଦର୍ଶନ ପରେ ଶ୍ରୀମନ୍ଦିରର ଅନ୍ୟ ଦ୍ବାର ଦେଇ ଭକ୍ତମାନେ ପ୍ରସ୍ଥାନ କରିବେ ।
ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।
ଏଥିସହ ୪ଜଣ କମାଣ୍ଡାଣ୍ଟ, ୧୦ ଅତିରିକ୍ତ ଏସପି ଏବଂ ୫୦ଜଣ ଅଭିଜ୍ଞ ପୋଲିସ ଅଧିକାରୀ ଦାୟିତ୍ଵରେ ରହିଛନ୍ତି। ସେପଟେ ରଥଖଳାରେ ତିନି ରଥର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

Related Posts

Seo wordpress plugin by www.seowizard.org.