Odisha News

ଝାଡ଼ାବାନ୍ତିରେ ରାଉରକେଲାରେ ଆଉ ଜଣେ ମୃତ, ୫କୁ ବଢ଼ିଲା ମୃତ୍ୟୁ ସଂଖ୍ୟା

ରାଉରକେଲା, ୧୭/୧୨: ରାଉରକେଲାରେ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇଥିବା ଆଉଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ରାଉରକେଲା ରେଳ ଷ୍ଟେସନ୍ ନିକଟ ନୀଳାଞ୍ଚଳ ହୋଟେଲର ମାଲିକ ପ୍ରଣବ କିଶୋର ସ୍ବାଇଁ(୫୦)। ସେ ହାଇଟେକ୍ ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲରେ ଆଖି ବୁଜିଛନ୍ତି।
ପ୍ରଣବଙ୍କୁ ମିଶାଇ ମୋଟ ୫ଜଣଙ୍କ ଜୀବନ ନେଲାଣି ଝାଡ଼ାବାନ୍ତି। ଗତ ଶୁକ୍ରବାର ଓ ଶନିବାର ଦୁଇଦିନରେ ୨ ବୃଦ୍ଧା, ଜଣେ ମହିଳାଙ୍କ ସମେତ ମୋଟ ୪ ଜଣ ଏଥିରେ ପ୍ରାଣ ହରାଇଲେଣି। ମୃତକମାନେ ହେଲେ ରାଉରକେଲା ପାନପୋଷର ଗ୍ଲାସନ୍ ସାମନ୍ତ (୩୮), ଉଦିତନଗରର ନାନ୍ସି ଦୁବେ (୭୫), ପାନପୋଷ ତରକେରାର ଫୁଲତୋଳି ଗୌଡ଼ (୨୩) ଓ ଉଦିତନଗର ଓରାମପଡ଼ାର ଅହଲ୍ୟା ନାୟକ (୭୦)।
ରାଉରକେଲା ମହାନଗର ଓ ଏହାର ଆଖପାଖ ଅଞ୍ଚଳରେ ଝାଡ଼ାବାନ୍ତି (ଡାଇରିଆ) ବ୍ୟାପିଛି। ଦିନକୁଦିନ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ସ୍ଥିତି ଅଣାୟତ୍ତ ହେଉଥିବାରୁ ଏହାର ମୁକାବିଲା କରିବାକୁ ଉଭୟ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କସରତ୍ ଆରମ୍ଭ ହୋଇଛି। ଗତ ୬ ଦିନରେ ମୋଟ ୧୬୭ ଡାଇରିଆ ରୋଗୀ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)ରେ ଭର୍ତ୍ତି ହେଲେଣି। ଏମାନଙ୍କ ମଧ୍ୟରୁ ମାତ୍ର ୬୧ ରୋଗୀ ଭଲହୋଇ ଘରକୁ ଫେରିଛନ୍ତି।
ଆର୍ଜିଏଚ୍ ଛଡ଼ା ସହରର ହାଇଟେକ୍ ମେଡିକାଲ କଲେଜ, ରାଜସ୍ଥାନ ସେବାସଦନ, ଇସ୍ପାତ ଜେନେରାଲ ହସ୍ପିଟାଲ, ଜୟପ୍ରକାଶ ଆଦି ବିଭିନ୍ନ ହସ୍ପିଟାଲରେ ୧୫୦ରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି।
ଆର୍ଜିଏଚ୍ରେ ଏକକାଳୀନ ଏତେ ସଂଖ୍ୟକ ଡାଇରିଆ ରୋଗୀ ଭର୍ତ୍ତି ହୋଇଥିବାରୁ ବେଡ୍ ମିଳୁନି। କିଛି ରୋଗୀ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି। ପ୍ରାୟ ୮୦% ରୋଗୀ ଜଳାପୋଡ଼ା, ଅସ୍ତ୍ରୋପଚାର, ସଂକ୍ରମଣ, ଡେଙ୍ଗୁ ଓ କ୍ୟାବିନ୍ ୱାର୍ଡରେ ଭର୍ତ୍ତି ହୋଇଛନ୍ତି। ଦୂଷିତ ପାଣି ନା ବାସି ଖାଦ୍ୟ ଖାଇବାରୁ ଏଭଳି ସ୍ଥିତି ଉପୁଜିଛି, ତାହା ସ୍ପଷ୍ଟ ହୋଇନି।

Related Posts

Seo wordpress plugin by www.seowizard.org.