Odisha News

ଘରେ ଚାଲିଥିଲା ରୋଷେଇ, ହଠାତ୍ ଗ୍ୟାସ୍ ସିଲିଣ୍ଡରରୁ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ପରିବାର

ବ୍ରହ୍ମପୁର, ୨୨/୧୦: ରୋଷେଇ ବେଳେ ଗ୍ୟାସ ଟାଙ୍କିରେ ଲାଗିଗଲା ନିଆଁ । ହେଲେ ବଡ଼ ଅଘଟଣରୁ ବର୍ତ୍ତିଗଲେ ପତିପତ୍ନୀ। ଜଳନ୍ତା ଗ୍ୟାସ୍ ଟାଙ୍କିକୁ ବ୍ୟକ୍ତିଜଣକ ଘରୁ ବାହାର କରିଦେବାରୁ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଲା। ଖବର ପାଇ ପ୍ରାୟ ଅଧ ଘଣ୍ଟା ପରେ ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇଛି। ଏପରି ଘଟଣା ଆଜି ସକାଳେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗାଁର କୈଳାସ ପ୍ରଧାନଙ୍କ ଘରେ ଦେଖିବାକୁ ମିଳିଛି। ଏଥିରେ କୈଳାସ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି ।
କୈଳାସ ପ୍ରଧାନଙ୍କ ପିଲାମାନେ ଆଜି ସକାଳେ ସ୍କୁଲ ଚାଲି ଯାଇଥିବା ବେଳେ ଘରେ ସେ ଓ ତାଙ୍କ ପତ୍ନୀ ଥିଲେ। କୈଳାସଙ୍କ ପତ୍ନୀ ରୋଷେଇ କରୁଥିବା ବେଳେ ହଠାତ୍ ଗ୍ୟାସ୍ ସିଲିଣ୍ଡର ଜଳିବାକୁ ଲାଗିଲା। ଏହାଦେଖି ସେ ଚିତ୍କାର କରିବାରୁ ତୁରନ୍ତ କୈଳାସ ସିଲିଣ୍ଡର ଉପରେ ଏକ ଓଦା କପଡ଼ା ପକାଇ ଦେଇଥିଲେ। ଏହାପରେ ନିଆଁ ଲିଭିଯିବାରୁ ସେ ସିଲିଣ୍ଡରଟିକୁ ଘରୁ ବାହାରକୁ ନେଇ ଆସିଥିଲେ।
ଏହାପରେ ଓଦା କପଡ଼ା କାଢ଼ି ଦେବାରୁ ସିଲିଣ୍ଡରଟି ପୁଣି ଥରେ ଜଳିବାକୁ ଲାଗିଲା। ସିଲିଣ୍ଡର ଫାଟିଯିବା ଭୟରେ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଲା । ଖବର ପାଇ ଅଗ୍ନିଶମ କର୍ମଚାରୀ ପ୍ରାୟ ଅଧ ଘଣ୍ଟା ପରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଫଳରେ ଏକ ବଡ଼ ଅଘଟଣ ଟଳି ଯାଇଥିବା ବେଳେ ଗ୍ରାମବାସୀ ଆଶ୍ୱସ୍ତ ହୋଇଛନ୍ତି। ଏହି ଅଘଟଣରେ କୈଳାସ ପ୍ରଧାନ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କୁ ପରିବାର ଲୋକେ ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ପ୍ରାଥମିକ ଚିକିତ୍ସା ପରେ ସେ ଘରକୁ ଫେରିଥିବା ଜଣାଯାଇଛି।

Related Posts

Seo wordpress plugin by www.seowizard.org.