Odisha News

ଗଜପତି: ଯକ୍ଷ୍ମା ପ୍ରତିଷେଧକ ବି:ସି:ଜି: ଟୀକାକରଣର ଜିଲ୍ଲାସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ,୭୦ ହଜାର ୭୯୧ ବୟସ୍କଙ୍କୁ ଟୀକାକରଣର ଲକ୍ଷ୍ୟଧାର୍ଯ୍ୟ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୩/୯ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତିକାଳୀନ ଏବଂ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ ଆଜି ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ନିମନ୍ତେ ଯକ୍ଷ୍ମା ପ୍ରତିଷେଧକ ବି:ସି:ଜି: ଟୀକାକରଣର ଜିଲ୍ଲାସ୍ତରୀୟ ଶୁଭାରମ୍ଭ କାର‌୍ୟ୍ୟକ୍ରମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି ।
ଅନୁଷ୍ଠିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ଏମ: ମୁବାରକା ଅଲ୍ଲୀ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହି ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସର ସମସ୍ତ ବ୍ୟକ୍ତି ମାନଙ୍କ ସମେତ ୧୮ ବର୍ଷରୁ ୬୦ ବର୍ଷ ବୟସ ମଧ୍ୟରେ ଥିବା ଚିହ୍ନଟ ଓ କେତେକ ନିର୍ଦ୍ଧିଷ୍ଟ ଯୋଗ୍ୟ ବ୍ୟକ୍ତି ଏହି ପ୍ରତିଷେଧକ ଟିକା ନେଇ ପାରିବେ ବୋଲି ସୂଚନା ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପୂର୍ବରୁ ବି:ସି:ଜି: ଟିକା କେବଳ ଜନ୍ମିତ ଶିଶୁ ମାନଙ୍କୁ ଦିଆ ଯାଉଥିଲା , ତେବେ ଦେଶର ଜସଶ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧରେ ଭାରତ ଆସନ୍ତା ୨୦୨୫ ମସିହା ସୁଦ୍ଧା ଯକ୍ଷ୍ମାମୁକ୍ତ ରାଷ୍ଟ୍ର ଗଠନ ପାଇଁ ସଂକଳ୍ପ ନେଇଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମରେ ପ୍ରାପ୍ତ ବୟସ୍କ ମାନଙ୍କୁ ଏଣିକି ଯକ୍ଷ୍ମା ନିରୋଧି ବି:ସି:ଜି: ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଛି । ତେଣୁ କରି ଯକ୍ଷ୍ମାମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
କାର୍ଯ୍ୟକ୍ରମରେ ଡି:ଏମ:ଓ: ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡ଼ାଃ ପ୍ରମୋଦ କୁମାର ପଣ୍ଡା ଏବଂ ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡ଼ାଃ ରବି ନାରାୟଣ ଦାସ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ୧୮ ବର୍ଷ ବୟସରୁ ଅଧିକ ବୟସର ବ୍ୟକ୍ତି ମାନେ ଯକ୍ଷ୍ମା ରୋଗର ନିରାକରଣ ପାଇଁ ବି:ସି:ଜି: ଟିକା ନେବା ସହ ଏଥିରେ ପୂର୍ବରୁ ଯକ୍ଷ୍ମା ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଥିବା ଲୋକ ଏବଂ ୬୦ ବର୍ଷ ବୟସରୁ ଅଧିକ ବୟସର ଲୋକ , ଅପପୃଷ୍ଟିର ଶିକାର ହେଉଥିବା ବ୍ୟକ୍ତି , ଧୁମ୍ରପାନ ଓ ମଧୁମେହ ରୋଗାକ୍ରାନ୍ତ ଲୋକଙ୍କୁ ଏହି ବି:ସି:ଜି: ଟିକା ଦିଆହେବ।
ଗଜପତି ଜିଲ୍ଲାରେ ମୋଟ ୭୦ ହଜାର ୭୯୧ ଜଣ ବୟସ୍କ ବ୍ୟକ୍ତି ଏହି ଯକ୍ଷ୍ମା ପ୍ରତିଷେଧକ ବି:ସି:ଜି: ଟୀକାକରଣ ପାଇଁ ଚିହ୍ନଟ ପ୍ରକାରେ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଏଥିପାଇଁ ଜିଲ୍ଲାର ସମସ୍ତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର , ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ସ୍ୱାସ୍ଥ୍ୟ ଉପକେନ୍ଦ୍ର ମାନଙ୍କରେ ଏହି ଟୀକାକରଣ କାର୍ଯ୍ୟକ୍ରମ ଉପଲବ୍ଧ ହେଉଥିବା ସୂଚନା ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଏଡିପିଏଚଓ:(ଏଫ:ଡବ୍ଲ୍ୟୁ) ଡ଼ାଃ ମହେନ୍ଦ୍ର କୁମାର ଭୂୟାଁ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ଡିପିଏମ: ସୌମ୍ୟା ରାଣୀ ଗୌଡ ପ୍ରମୁଖ ମଞ୍ଚାସିନ ଥିଲେ ।
ଏହି ଟୀକାକରଣ କାର୍ଯ୍ୟକ୍ରମରେ ମହିଳା ସ୍ୱାସ୍ଥ୍ୟ କର୍ମଚାରୀ ଏଏନଏମ: (ଏଲ୍ଏଚଭି) ଶ୍ରୀମତୀ ଶାନ୍ତିଲତା ବିଶ୍ଵାଳ ଏବଂ ଶ୍ରୀମତୀ ରତୀ ଦେବୀ ପ୍ରମୁଖ ଆସିଥିବା ଶତାଧିକ ଜଣଙ୍କୁ ଜିଲ୍ଲାପାଳ ଓ ସିଡିଏମଓ’ଙ୍କ ଉପସ୍ଥିତିରେ ଯକ୍ଷ୍ମା ନିରୋଧୀ ବି:ସି:ଜି: ଟିକା ଦେଇଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ଏଡିପିଏଚସିଓ: ଶ୍ରୀମତୀ ନୟନା ମଲ୍ଲିକ ଏବଂ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପରିଚାଳିକା ସୁପ୍ରିୟା ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ସମସ୍ତ ଆଉଟ ସୋର୍ଶିଂ ସୁପରଭାଇଜର ମାନେ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.