Odisha News

‘ଆବଶ୍ୟକ ପଡ଼ିଲେ ଶ୍ରୀମନ୍ଦିରରେ ବ୍ୟବହୃତ ଘିଅର ମାନ ଯାଞ୍ଚ ହେବ’

ପୁରୀ, ୨୪/୯: ତିରୁପତି ଲଡ଼ୁକୁ ନେଇ ବିବାଦ ଏବେ ସାରା ଦେଶରେ ଭକ୍ତଙ୍କ ମନରେ ଏକ ବଡ଼ ସନ୍ଦେହ ସୃଷ୍ଟି କରିଛି । ତେବେ ଆବଶ୍ୟକ ପଡ଼ିଲେ ଶ୍ରୀମନ୍ଦିର ମହାପ୍ରସାଦ ଏବଂ ଘିଅର ମାନ ଯାଞ୍ଚ ହେବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ।
ଦକ୍ଷିଣ ଭାରତର ପ୍ରସିଦ୍ଧ ତିରୁପତି ବାଲାଜୀ ମନ୍ଦିର ଲଡୁ ପ୍ରସାଦରେ ଗୋ ମାଂସ ଚର୍ବି ଏବଂ ମାଛ ତେଲ ମିଶୁ ଥିବା ଅଭିଯୋଗ ଆସିବା ପରେ ଏବେ ଦେଶର ସମସ୍ତ ମନ୍ଦିରରେ ପ୍ରସାଦ ମାନକୁ ନେଇ ପ୍ରଶ୍ନ ଉଠିଛି । ଏହି ବିବାଦ ଦିନକୁ ଦିନ ରାଜନୈତିକ ରୂପ ମଧ୍ୟ ନେଲାଣି । ଏହାରି ମଧ୍ୟରେ ପୁରୀ ଶ୍ରୀମନ୍ଦିର ମହାପ୍ରସାଦ ଏବଂ ଦୀପରେ ବ୍ୟବହୃତ ହେଉଥିବା ଘିଅକୁ ନେଇ ଅନେକ ପ୍ରଶ୍ନ ଉଠିଲାଣି । କେହି କେହି ମହାପ୍ରସାଦ ଏବଂ ଘିଅର ମାନ ଯାଞ୍ଚ କରିବାକୁ ମଧ୍ୟ ଦାବି କଲେଣି । ମଙ୍ଗଳବାର ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି ଯେ ଶ୍ରୀମନ୍ଦିର ମହାପ୍ରସାଦ ପ୍ରସ୍ତୁତିକୁ ନେଇ କୌଣସି ପ୍ରକାର ଅଭିଯୋଗ ଆସି ନାହିଁ । ତିରୁପତି ଲଡୁକୁ ନେଇ ବିବାଦ ଆସିବା ପରେ ଆବଶ୍ୟକ ପଡ଼ିଲେ ଶ୍ରୀମନ୍ଦିର ମହାପ୍ରସାଦ ଏବଂ ଘିଅର ମାନ ଯାଞ୍ଚ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ।
ଜିଲ୍ଲାପାଳ କହିଛନ୍ତି ଯେ ମହାପ୍ରସାଦ ତିଆରି ପାଇଁ ବ୍ୟବହୃତ ହେଉଥିବା ଘିଅ ଏବଂ ଦୀପର ବ୍ୟବହୃତ ହେଉଥିବା ଘିଅର ମାନ ଯାଞ୍ଚ କରାଯିବ । ଏନେଇ ଓମ୍‌ଫେଡ୍‌, ସୁଆର ମହାସୁଆର ନିଯୋଗ ଓ ଅନ୍ୟ ସଂସ୍ଥା ସହ ଆଲୋଚନା କରିବା ପରେ ନିଷ୍ପତ୍ତି ନିଆଯିବ । ଏକ ମାନକଯୁକ୍ତ ଘିଅ ଯୋଗାଣ ନେଇ ଆମେ ଆଲୋଚନା କରିବୁ । ଆବଶ୍ୟକ ପଡ଼ିଲେ ମହାପ୍ରସାଦ ଓ ଦୀପରେ ବ୍ୟବହୃତ ଘିଅ ମାନ ଯାଞ୍ଚ ହେବ । ପୁରୀ ଶ୍ରୀନ୍ଦିରରେ ଦୀପରେ ଓମଫେଡ୍ ତିଆରି ଘିଅ ବ୍ୟବହାର କରାଯାଉଛି ।

Related Posts

Seo wordpress plugin by www.seowizard.org.