Odisha News

ଆତଙ୍କବାଦୀ ଆକ୍ରମଣରେ ସହିଦ ହେଲେ ଦେବାଶିଷ ବିଶ୍ୱାଳ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ସାକ୍ଷୀଗୋପାଳ,୨୧/୪: ମ୍ମୁ କଶ୍ମୀରର ପୁଞ୍ଚର ମେନ୍ଧାର ଅଞ୍ଚଳରେ ଗୁରୁବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ଜଣ ଯବାନ ଶହୀଦ ହୋଇଛନ୍ତି। ଏଥିରେ ଜଣେ ଓଡ଼ିଆ ଯବାନ ରହିଛନ୍ତି। ସେ ହେଲେ ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହିର ଦେବାଶିଷ ବିଶ୍ୱାଳ। ଏହି ଖବର ପାଇବା ପରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
୨୦୨୧ ମସିହାରେ ଦେବାଶିଷ ସୈନ୍ୟବାହିନୀରେ ନିଯୁକ୍ତି ପାଇଥିଲେ। ସ୍ଥାନୀୟ ବିଷ୍ଣୁପୁର ପଞ୍ଚାୟତର ବନ୍ତୁ ଗ୍ରାମର ସୁଶ୍ରୀ ସଙ୍ଗୀତା ବିଶ୍ୱାଳଙ୍କୁ ବିବାହ କରିଥିଲେ। ପରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିବା ବେଳେ ଗତ ଜାନୁୟାରୀରେ ଦେବାଶିଷ ଗାଁକୁ ଆସିଥିଲେ। ପରିବାରରେ ସ୍ତ୍ରୀ ପିଲାଙ୍କ ସହ ବାପା ପ୍ରତାପ ବିଶ୍ୱାଳ, ମା’ ମମତା ବିଶ୍ୱାଳ, ସାନ ଭାଇ, ଜେଜେବାପା ଓ ଜେଜେମା ରହିଛନ୍ତି।
ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ବୀର ଯବାନ ଦେବାଶିଷ ବିଶ୍ୱାଳ ସହିଦ ହୋଇଥିବା ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
ନିଜର ଟୁଇଟରରେ ସେ ଲେଖିଛନ୍ତି,ଜମ୍ମୁ କାଶ୍ମୀରର ପୁଞ୍ଛରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ବୀର ଯବାନ ଦେବାଶିଷ ବିଶ୍ୱାଳ ସହିଦ ହୋଇଥିବା ଖବର ଅତ୍ୟନ୍ତ ଦୁଃଖଦାୟକ। ଦେଶର ସୁରକ୍ଷାରେ ତାଙ୍କର ବଳିଦାନ ସବୁବେଳେ ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।
ଏଣେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ନିଜର ଟୁଇଟରରେ ସେ ଲେଖିଛନ୍ତି, ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ଅଞ୍ଚଳର ଯବାନ ଦେବାଶିଷ ବିଶ୍ୱାଳ (ସାହିତ୍ୟ)ଙ୍କ ସମେତ ଯବାନମାନେ ଶହୀଦ ହୋଇଥିବା ଖବର ଶୁଣି ମୁଁ ଦୁଃଖିତ ଏବଂ ଗଭୀର ଭାବରେ ମର୍ମାହତ । ଏହି ବୀର ଯବାନ ମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ।

Related Posts

Seo wordpress plugin by www.seowizard.org.