ଆଜି ହେଉଛି ସମ୍ବଲପୁର ଦିବସ, ସବୁଠି ନାଚ ଗୀତର ଆସର
ସମ୍ବଲପୁର,୧/୮ : ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଆଜି ବେଶ୍ ଉତ୍ସାହ, ଉଦ୍ଦିପଦାର ସହ ପାଳିତ ହେଉଛି ସମ୍ବଲପୁରୀ ଦିନ । ଏହି ଦିନ ସମ୍ବଲପୁର ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କୁ ସମ୍ବଲପୁରୀ ପୋଷାକ ପିନ୍ଧି କାର୍ଯ୍ୟାଳୟରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏଥିପାଇଁ ଜିଲ୍ଲାପାଳ ସମ୍ବଲପୁର ମ୍ୟୁନିସିପାଲ୍ କର୍ପୋରେସନ୍, ସମସ୍ତ ଉପଜିଲ୍ଲାପାଳ, ଜିଲ୍ଲାର ସବୁ ବିଡିଓ, ତହସିଲଦାର ଓ ବିଭାଗୀୟ ମୁଖ୍ୟମାନଙ୍କୁ ଚିଠି କରି ନିର୍ଦ୍ଦେଶ ଦେଇଛନ୍ତି।
ଅଗଷ୍ଟ ପହିଲାରେ ଗୁରୁ ସ୍ୱର୍ଗତ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ। ତାଙ୍କରି ଜନ୍ମଦିନକୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ସମ୍ବଲପୁରୀ ଦିନ୍ ଭାବେ ପାଳନ କରାଯାଉଛି। ତେଣୁ ସ୍ୱର୍ଗତ ବହିଦାରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏବଂ ସମ୍ବଲପୁରୀ ସଂସ୍କୃତିକୁ ତାଙ୍କ ଅବଦାନର ସମ୍ମାନ ସ୍ୱରୂପ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି।
ସମ୍ବଲପୁରୀ ଯେ ଓଡିଆ ଭାଷାଠାରୁ ଅଲଗା ଆଉ ତାର୍ ଗୋଟେ ନିଜର ବ୍ୟାକରଣ ଅଛି, ଏଇ କଥା ନିଜ ଗୀତ, ଗଳ୍ପ ତଥା କବିତା ମାଧ୍ୟମରେ ପ୍ରକାଶ କରିଥିଲେ ସତ୍ୟନାରାୟଣ ବହିଦାର। ସମ୍ବଲପୁରୀ ଶବ୍ଦକୋଷ ଆଉ ବ୍ୟାକରଣ ଲେଖି ସମ୍ବଲପୁରୀ ଭାଷା ସାହିତ୍ୟକୁ ଗୋଟେ ନୂଆ ବାଟ ଦେଖାଇଥିଲେ। ସେଥିପାଇଁ ତାଙ୍କୁ ସମ୍ବଲପୁରୀ ଭାଷା ଓ ସାହିତ୍ୟର ସ୍ରଷ୍ଟା ବୋଲି କୁହାଯାଏ।
୧୯୧୩ ମସିହା ଆଜିର୍ ଦିନରେ ସୋନପୁରରେ ଜନ୍ମଗ୍ରହଣ କରିଥିଲେ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର । ବାପା ମିତ୍ରଭାନୁ ବହିଦାର ସରାକାରୀ କ୍ଲାର୍କ ଥିଲେ। ବହିଦାରଙ୍କୁ ମାତ୍ର ୬ ବର୍ଷ ହେଇଥିଲାବେଲେ ମା’ ବିଲାସବତୀଙ୍କର ଦେହାନ୍ତ ହେଇଥିଲା।
ସୋନପୁରରେ ପ୍ରାଇମେରି ପାଠ ପଢ଼ିବା ପରେ ଉଚ୍ଚଶିକ୍ଷା ପାଇଁ ସେ ସମ୍ବଲପୁର ଆସିଥିଲେ। ଆଉ ଏଇ ସମ୍ବଲପୁର ମାଟି ତାଙ୍କ କର୍ମଭୂମି ପାଲଟି ଯାଇଥିଲା । ସମ୍ବଲପୁର ଜିଲ୍ଲା ସ୍କୁଲରେ ପଢିବା ଦିନୁ ସମ୍ବଲପୁର ଭାଷାରେ ସେ ବହୁତ୍ ସୁନ୍ଦର ଲେଖାମାନେ ଲେଖିବା ଆରମ୍ଭ କରିଥିଲେ।
ଖାଲି ସେତିକି ନୁହେଁ, ଯେଉଁ ଜିଲ୍ଲା ସ୍କୁଲରେ ସେ ପାଠ ପଢ଼ୁଥିଲେ ପରବର୍ତ୍ତୀ ସମୟରେ ସେହିଠାରେ ହିଁ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ଆଉ ସେ ସମୟରେ ଲେଖାଲେଖି ପାଇଁ ସେ ବେଶ୍ ସୁନାମ ଅର୍ଜନ କରିଥିଲେ। ଅନ୍ୟମାନଙ୍କୁ ବି ନିଜର ଭାଷାରେ ଲେଖିବା ପାଇଁ ସେ ପ୍ରୋତ୍ସାହିତ କରୁଥିଲେ।
ସମ୍ବଲପୁରୀ ବ୍ୟାକରଣ ସହିତ ଫୁଲ୍ ଚାଙ୍ଗୀର୍, ଘୁବକୁଡ୍, ଘାବଘାବୋ, ଟିକ୍ ଚହଁରା, ସମ୍ବଲପୁରୀ ଚଉକିଆ ଭଳି ଆହୁରି ଅନେକ ଲେଖା ଲେଖିଥିଲେ ସତ୍ୟନାରାୟଣ ବହିଦାର । ସମ୍ବଲପୁରୀ ଭାଷାର ପ୍ରଚାର, ପ୍ରସାର ଲାଗି ସେ ନିଜ ଜୀବନର ବହୁ ମୂଲ୍ୟ ସମୟ ଦେଇଥିଲେ । ଆଉ ତାଙ୍କର ତ୍ୟାଗ ପାଇଁ ସାରା ପଶ୍ଚିମ ଓଡ଼ିଶା ଅଗଷ୍ଟ ୧କୁ ସମ୍ବଲପୁରୀ ଦିନ ଭାବେ ପାଳନ କରି ଆସୁଛି।
ଭାଷା, ସାହିତ୍ୟ ଆଉ ସଂସ୍କୃତି ସାଙ୍ଗେ ସମ୍ବଲପୁରୀ ପୋଷାକ ପରିପାଟିର ପ୍ରଚାର ପ୍ରସାର ଏହି ଦିନର ମୁଖ୍ୟ ଉଦ୍ଦେଶ୍ୟ । ଆଜି ଦିନରେ ସମସ୍ତେ ସମ୍ବଲପୁରୀ ଡ୍ରେସ୍ ପିନ୍ଧିବା ସହିତ ପାରମ୍ପରିକ ଦୁଲଦୁଲି ବାଜାର ତାଲେ ତାଲେ ନାଚିଗାଇ ଉତ୍ସବ ପାଳନ କରୁଛନ୍ତି ।