କେମିତି କିଏ ଭରିବ ଏ ଅପୂରଣୀୟ କ୍ଷତି ?
Who will compensate for this irreparable loss?
By Swagatika Bhutia
ରାଜଧାନୀ ଭୁବନେଶ୍ୱରର କେନ୍ଦ୍ରସ୍ଥଳରେ ବର୍ତ୍ତମାନ ଅନେକ ବୃକ୍ଷ ବଳି ପଡୁଛନ୍ତି । ଆଉ ଏ କାର୍ଯ୍ୟଟି ଘଟୁଛି ଠିକ୍ ଏହି ମନ୍ଦିରମାଳିନୀ ସହରର ଛାତି ଉପରେ,- ବିଧାନସଭା ଠାରୁ ମାତ୍ର ୧୦୦ ମିଟର ଦୂରରେ । ଏପର୍ଯ୍ୟନ୍ତ ୩୦୦ ଗଛକୁ ଅତି ନିର୍ମମ ଭାବରେ ହତ୍ୟା କରାଗଲାଣି । ଆହୁରି ୬ଶହ ଗଛ ବଳି ପଡିବେ ବୋଲି କୁହଯାଉଛି ।
ଏଇ ବୃକ୍ଷମାନଙ୍କର ଶବ ଉପରେ ବିଧାୟକ ମାନଙ୍କ ଲଗି ତିଆରି ହେବ ୧୧/୧୨ ମହଲା ବିଶିଷ୍ଟ ଏକ ସୁଉଚ୍ଚ ଅଟାଳିକା । ବଳିପଡୁଥିବା ଗଛମାନଙ୍କ ଭିତରେ ରହିଛନ୍ତି ଅନେକ ଶତାୟୁ । ଏ ସହରକୁ ଅନେକ ଦିନରୁ ସେମାନେ ଦେଖି ଆସୁଛନ୍ତି । ନିଜର ଶୀତଳ ସମୀରରେ ରାଜଧାନୀବାସୀଙ୍କୁ ଅସହ୍ୟ ଗ୍ରୀଷ୍ମରୁ ଆରମ ଦେଇଛନ୍ତି । ନିଜ ଘଂଚ ଛାଇ ତଳେ ସେମାନଙ୍କୁ ଆଶ୍ରୟ ଦେଇଛନ୍ତି ।
ଗତ କେତେ ଦିନ ହେଲା ଏଇ ଗଛ ମାନଙ୍କ ଉପରେ ଯେଉଁ ଭଳିଭାବରେ ନିର୍ମମ ଅତ୍ୟାଚାର ଚାଲିଛି ତାକୁ ଯେକୌଣସି ବ୍ୟକ୍ତି ଦେଖିଲେ ତା ଛାତି ଥରିଉଠିବ ଓ ମନ ଆନ୍ଦୋଳିତ ହେବ । ଅନ୍ତରରେ ଏକ କୋହ ଭାବ ସୃଷ୍ଟି ହେବ ।
ବିଧାନସଭା ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗଛ କଟାଯାଉଥିବା ଏମେଲେ କଲୋନିରେ ନିର୍ମାଣ ହେବାକୁ ଯାଉଥିବା ଏହି ବହୁ ତଳ ପ୍ରାସାଦରେ ୨୭୫କୋଟି ଟଙ୍କା ଖର୍ଚ୍ଚ ହେବ । ସରକାରଙ୍କର ଏଭଳି ନିଷ୍ପତି ନେଇ ସାରା ଓଡ଼ିଶାରେ ଜନ ଅସନ୍ତୋଷ ଦେଖା ଦେଇଛି । ପରିବେଶ ସୁରକ୍ଷାକର୍ମୀମାନଙ୍କ ଠାରୁ ଆରମ୍ଭ କରି ପୁର୍ବତନ ପ୍ରଶାସକ, ରାଜନେତା ଏହି ଗଛ କଟା କାର୍ଯ୍ୟକୁ ଅତି ଦୃଢ଼ ଭାବରେ ନିନ୍ଦା କରିବା ସହିତ ଏଥିରୁ କ୍ଷାନ୍ତ ରହିବା ପାଇଁ ରାଜ୍ୟ ସରକାର ଓ ବିଧାନସଭାର ବାଚସ୍ପତି ସୁର୍ଯ୍ୟନାରାୟଣ ପାତ୍ରଙ୍କୁ ଅନୁରୋଧ କରିଛନ୍ତି ।
ଆମେ ସମସ୍ତେ ଜାଣିଛେ ଯେ ବୃକ୍ଷ ହିଁ ଜୀବନ । ଏହା ଆମମାନଙ୍କୁ ଫୁଲ,ଫଳ ଓ ଛାଇ ଦେବା ସହିତ ବଂଚିବା ପାଇଁ ଅତ୍ୟାବଶ୍ୟକ ଅମ୍ଲଜାନ ପ୍ରଦାନ କରିଥାଏ ।
ଏକ ବୃକ୍ଷର ପ୍ରକୃତ ଆର୍ଥିକ ମୂଲ୍ୟ ଅକଳନୀୟ । ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଏକ ବିଶେଷଙ୍କ କମିଟିଙ୍କ ମତରେ ଗୋଟିଏ ବୃକ୍ଷର ପ୍ରକୃତ ଆର୍ଥିକ ହେଲା ତାର ବୟଷ ଗୁଣଣ ୭୪ହଜାର ୫୦୦ଟଙ୍କା ଅର୍ଥାତ୍ ଯଦି ବୃକ୍ଷଟିକୁ ୨ବର୍ଷ ହୋଇଥିବ ତାର ଦାମ ୧ଲକ୍ଷ ୪୯ହଜାର ଟଙ୍କା । ଯଦି ଗଛଟି ୧୦୦ ବର୍ଷ ହୋଇଥିବ ତାହାଲେ ତାର ଦାମ ୧କୋଟିରୁ ଅଧିକ ।
ଭୁବନେଶ୍ୱର ଏକ ଐତିହ୍ୟ ସହର । ଏହି ବହୁ ପ୍ରାଚୀନ ସହରକୁ ଏକାମ୍ର କାନନ କୁହାଯାଏ । ଭଗବାନ ଶିବଙ୍କର ଏହା ହେଉଛି ବିହାର ସ୍ଥଳୀ ।
ଏଠାରେ ପ୍ରଶ୍ନ ହେଉଛି, ଭୁବନେଶ୍ୱର ଐତିହ୍ୟର ଏଇ ମୁକୁସାକ୍ଷୀ ଥିବା ଏ ବୃକ୍ଷଗୁଡିକୁ ଅକ୍ଷତ ରଖି କ’ଣ ନିର୍ମାଣ କାର୍ଯ୍ୟ କରାଯାଇ ପାରିନଥାନ୍ତା? ସହରର ଉପକଣ୍ଠରେ ବା ବାହାରରେ ଏକ ଅନ୍ୟ ବିକଳ୍ପ ସ୍ଥାନ କ’ଣ ମିଳିପାରି ନଥାନ୍ତା?
ବର୍ତ୍ତମାନ ବିଶ୍ୱର ତାପମାତ୍ରା ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅଧିକରୁ ଅଧିକ ଉଷ୍ମ ହେବାରେ ଲାଗିଛି । ଜଙ୍ଗଲ ଧ୍ୱସଂ, ସବୁଜିମାର ବିନାଶ, ଅବାରିତ ଶିଳ୍ପ ପ୍ରତିଷ୍ଠା ଓ ଗୃହ ନିର୍ମାଣ ଲାଗି ବ୍ୟାପକ ଭାବରେ ଏହାର ମୁଖ୍ୟ କାରଣ ।
୨୦୨୧ମସିହାରେ ସୁପ୍ରିମ କୋର୍ଟ ତାଙ୍କ ରାୟରେ କହିଛନ୍ତି ଯଦି କୌଣସି ପାଇଁ ବୃକ୍ଷ କାଟିବାକୁ ପଡେ ତେବେ ପ୍ରଥମେ ସେ ବୃକ୍ଷ ଗୁଡିକ ଅନ୍ୟ କୌଣସି ସ୍ଥାନରେ ପୁନଃରୋପଣ ଲାଗି ଚେଷ୍ଟା କରାଯିବା ଆବଶ୍ୟକ । ନତୁବା କଟାଯାଉଥିବା ଗଛର ଭରଣା ଲଗି ଯଥେଷ୍ଟ ବୃକ୍ଷ ରୋପଣ କରାଯିବା ଦରକାର ।
ଆଶାକରିବା ଯେ ରାଜ୍ୟ ସରକାର ଓ ବାଚସ୍ପତି ଜନସାଧାରଣଙ୍କ ଭାବାବେଗକୁ ସମ୍ମାନ ଦେଇ ଏ ବୃକ୍ଷ କଟା ଅଭିଯାନରୁ କ୍ଷାନ୍ତ ରହିବେ ଏବଂ ବିଧାୟକମାନଙ୍କ ଲାଗି ଅନ୍ୟ କୌଣସି ଏକ ବିକଳ୍ପ ସ୍ଥାନରେ ବହୁତଳ ପ୍ରାସାଦ ନିର୍ମାଣ କରିବେ ।