ଶିଳ୍ପ ବିହୀନ ବିକାଶ ଦିଗରେ ନବରଂଗପୁର ଭବିଷ୍ୟତ
ପ୍ରିତିଶ ଚନ୍ଦ୍ରଙ୍କ ରିପୋର୍ଟ
ନବରଙ୍ଗପୁର,୭/୧: ନବରଙ୍ଗପୁର ଜିଲ୍ଲାର ସମୃଦ୍ଧି ଶିଳ୍ପକୁ ନେଇଁ। କିନ୍ତୁ,ଶିଳ୍ପ ବିହୀନ ଜିଲ୍ଲାର ସାଧାରଣ ଲୋକଙ୍କ ଅବସ୍ଥା ଶିଳ୍ପ ପ୍ରତିଷ୍ଠିତ ରାଜ୍ୟ ଅର୍ଥାତ ଦାଦନ ଆଡକୁ ମୁହାଇଥାଏ। ଏହା ଜିଲ୍ଲା ପାଇଁ ଏକ ଦୂର୍ଭାଗ୍ୟଜନକ ବ୍ୟବସ୍ଥା। ସ୍ବାଧିନତାର ଅମୃତ ମହୋତ୍ସବ ଅବସରରେ ଅନ୍ୟ ଜିଲ୍ଲା ମାନଙ୍କରେ ସମୃଦ୍ଧ ପଥରେ ଅଗ୍ରଗତି ହେଉଥିବା ଦେଖିବାକୁ ମିଳୁଥିବା ବେଳେ ନବରଂଗପୁର ଜିଲ୍ଲା ଅଭିଶପ୍ତ ଓ ସ୍ବାଭିମାନ ଖ୍ୟୁର୍ଣ ହେବାରେ ଲାଗିଲାଣି। ଦେଶରେ ନବରଂଗପୁର ଆକାଂଖ୍ୟା ଜିଲ୍ଲା ଭାବେ ପରିଗଣିତ ହୋଇଛି। ଜିଲ୍ଲାରେ ଏକମାତ୍ର ଶିଳ୍ପ କେନ୍ଦ୍ର ଭାବରେ ମଙ୍ଗଳମ ଟିମ୍ବର ବହୁଦିନ ଧରି ନିଷ୍କ୍ରିୟ ହୋଇ ଚାବି ପଡିଥିଲା। ହଜାର ହଜାର ଲୋକ,ଯେଉଁମାନେ ସେଠାରେ ରହି କାମ ବଦଳରେ ମାସିକ ଆୟ ପାଉଥିଲେ। ସେମାନଙ୍କର ପରିବାର ଗୁଜୁରାଣ ମେଣ୍ଟାଇ ପାରୁଥିଲେ,ସେମାନଙ୍କ ଅବସ୍ଥା ଦୟନୀୟ ହୋଇପଡିଥିଲା।
ବହୁ ଘାତପ୍ରତିଘାତର ସହିତ ବର୍ତ୍ତମାନ ଟିମ୍ବର ପୁନର୍ବିନ୍ୟାସ ହୋଇ କାର୍ୟ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି। ତଥାପି ଉତ୍ପାଦନ ପୂର୍ବାପେକ୍ଷା ବହୁ ମାତ୍ରା ପଛରେ ପଡିଯାଇଛି। ଜିଲ୍ଲାରେ ପ୍ରସ୍ତାବିତ ମକା ଉଦ୍ୟୋଗ,ରାଜନୈତିକ ଚକ୍ରବ୍ୟୁହୁ ଭିତରେ ଉଭାନ ହୋଇଗଲା।
ଏସିଆ ମହାଦେଶର ସର୍ବୋଚ୍ଚ ମକା ଉତ୍ପାଦନ ଜିଲ୍ଲା ଭାବେ ନବରଙ୍ଗପୁର ନାମ ସର୍ବାଗ୍ରେ ରହିଥିଲା। ତାହା ଦିବା ସ୍ବପ୍ନ ଦେଖାଇ ଜିଲ୍ଲାବାସୀଙ୍କୁ ଠକେଇ ଦିଆଗଲା। ସେହିପରି ଆଖୁଚାଷର ବହୁଳତା ଦେଖି ସର୍ବ ପ୍ରଥମେ ଅବିଭକ୍ତ କୋରାପୁଟ ଜିଲାର ନବରଂଗପୁର ଠାରେ ଚିନିକଳ ସ୍ଥାପିତ ହୋଇଥିଲା। ବର୍ତ୍ତମାନ ନବରଂଗପୁର ଜିଲ୍ଲା ମାନ୍ୟତା ପାଇବା ପର ଠାରୁ ଲୋକେ କେବଳ ଚିନିକଳ ବିଷୟରେ ଶୁଣି ଆସୁଛନ୍ତି।
ଆବଶ୍ୟକୀୟ କଞ୍ଚାମାଲ ମହଜୁଦ ରହିଥିଲେ ବି ତାହାକୁ ନେଇଁ ପ୍ରକ୍ରିୟାକରଣ କରି ନୂତନ ଉତ୍ପାଦ ପାଇଁ କୌଣସି ଶିଳ୍ପ ନଥିବାରୁ ଚାଷୀ ଏଠାରେ ଉଚିତ ମୂଲ୍ୟ ପାଉ ନାହିଁ। ତଥାପି ସବୁଦିନ ସକାଶେ ଜିଲ୍ଲା ପାଇଁ ଏକ ଶିଳ୍ପର ଆବଶ୍ୟକତା ରହିଆସୁଥିବ। ନଚେତ୍ ବେକାରୀ ଏଠାରେ ମହାମାରୀ ଭଳି ବଢିଯାଉଥିବ ଓ ଦାଦନରେ ହିଁ ମୃତ୍ୟୁର ବଭିତ୍ସିକା ଖେଳିଯାଉଥିବ।
ଅନ୍ୟପକ୍ଷରେ ସରକାରଙ୍କ ଶିଳ୍ପ ପ୍ରତିଷ୍ଠା ପାଇଁ ଅପ୍ରାଣ ଉଦ୍ୟମ ଜାରୀ ରଖିଛନ୍ତି। ଦେଶ ବିଦେଶରୁ ପୁଞ୍ଜିନିବେଶକାରୀଙ୍କୁ ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ଆହ୍ବାନ ଦିଆଯାଉଛି। ବିଭିନ୍ନ ସ୍ଥାନରେ ଇନଭେଷ୍ଟରସ ମିଟ ଜରିଆରେ ଶିଳ୍ପପତିଙ୍କୁ ସୁଯୋଗ ଦେବାକୁ ପ୍ରତିଶୃତି ଦିଆଯାଉଛି। ମେକ ଇନ୍ ଓଡିଶା କନକ୍ଲେଭ ଜରୀଆରେ ଶିଳ୍ପପତିଙ୍କୁ ଆକୃଷ୍ଟ କରାଯାଉଛି। ଏହା ସରକାରଙ୍କ ସ୍ବାଗତ ଯୋଗ୍ୟ ପଦକ୍ଷେପ ଅଟେ। ହେଲେ ପୁରୁଣା ତଥା ସୁପ୍ତ ହୋଇ ବନ୍ଦ ପଡିଥିବା କଳକାରଖାନା ଗୁଡିକୁ ପୁନଃରୁଦ୍ଧାର କରି ସକ୍ରିୟ କରା ନ ଯାଇପାରିବା ନିଜର ବଢିମା ଓ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
ଭିଜନ ନବରଂଗପୁର,ଜିଲ୍ଲାପରିଷଦ ବୈଠକ ଭଳି କାର୍ୟ୍ୟକ୍ରମରେ ଜିଲ୍ଲାର ସାମୂହିକ ସ୍ବାର୍ଥକୁ ନେଇଁ ଜିଲ୍ଲାପାଳଙ୍କ ନିକଟରେ ଅନେକ ପ୍ରସ୍ତାବ ଦିଆଯାଇଥିଲା। ଜିଲ୍ଲାର ବିକାଶକୁ ତ୍ବରାନ୍ବିତ କରିବାରେ ଜିଲ୍ଲାପାଳଙ୍କ ଭୂମିକା ଗୁରୁତ୍ତ୍ବପୂର୍ଣ। କିନ୍ତୁ, ବର୍ତ୍ତମାନସୁଦ୍ଧା ସଫଳ ରୂପାୟନ କରାଯାଇପାରୁ ନାହିଁ ଏବଂ ବାସ୍ତବ ପ୍ରତିଫଳନକୁ ନେଇଁ ଉଙ୍କି ମାରୁଛି। ଏକମାତ୍ର ମଙ୍ଗଳମ୍ବଟିମ୍ବର ହିଁ ନବରଂଗପୁରକୁ ଶିଳ୍ପ କ୍ଷେତ୍ରରେ ପରିଚୟ ସୃଷ୍ଟି କରିଆସିଥିଲା। ନୂଆଁକରି ଶିଳ୍ପ ଗଢି ତୋଳିବା ଏବଂ ନବରଂଗପୁର ଭଳି ଏକ ଉପାନ୍ତ ତଥା ଯୋଗାଯୋଗ ବିଚ୍ଛିନ୍ନ ଜିଲ୍ଲାରେ ଶିଳ୍ପାନୁଷ୍ଠାନ ଗଢିବାକୁ କିଏ ବା ଚାହିଁବ।
ସିଙ୍ଗଲ ଓ୍ବିଣ୍ଡୋ ଜରିଆରେ ଜଙ୍ଗଲ ପରିବେଶ ମଞ୍ଜୁରୀ,ପାଣି,ଜମି ଅଧିଗ୍ରହଣ,ବିଜୁଳି,ପରିବହନ ବ୍ୟବସ୍ଥା ଆଦି ସୁବିଧା ଯୋଗାଇବାକୁ ଦେଇଥିବା ପ୍ରସ୍ତାବ କେତେଦୂର ସତ୍ୟତା ରହିଛି। ତାହା ରାଜ୍ୟରେ ଅତୀତ ଓ ବର୍ତ୍ତମାନର ସ୍ଥିତିକୁ ପରଖିଲେ ଜଣାପଡୁ ଥିଲେ ସୁଦ୍ଧା ନବରଂଗପୁର ଜିଲ୍ଲାକୁ ସରକାରଙ୍କ ହତାଦର କରିବା କିଛି ଠିକ ହେଉ ନ ଥିବା ବୁଦ୍ଧିଜିବୀଙ୍କ ମହଲରେ ପ୍ରକାଶ ପାଉଛି। ସଂରଖ୍ୟଣ ରାଜନୈତିକ ପରିଚାଳନାରେ ଭୋଟରଙ୍କୁ ସୁହାଇଲା ଭଳି ଖାଲି ଫ୍ରି ଚାଉଳ ଦେଇ କଢୁଆ କରିବା ବଦଳରେ ବଞ୍ଚିବା ପାଇଁ ବିଭିନ୍ନ କ୍ଷେତ୍ରରେ ପ୍ରତ୍ସାହୋନ ଦିଆଯାଇ ପାରିଲେ ଜିଲ୍ଲାକୁ ଆଗେଇ ନେବାରେ ସାହାଯ୍ୟ ହୋଇପାରିବ।
ଏଠି ଯୁବକ ମାନଙ୍କ ବିଭିନ୍ନ କ୍ଷେତ୍ରରେ ଆଗ୍ରହର ପ୍ରତିଫଳନକୁ ରାଜନୀତିର ପଶାପାଲିରେ ଫସେଇ ଦିଆଯାଇ ବିକାଶର ଭବିଷ୍ୟତକୁ ଅନ୍ଧାର ଆଡକୁ ଠେଲି ଦିଆଯାଉଛି। ଚାଷ ନିର୍ଭର ଚାଷୀକୁ ଉତ୍ପାଦନର ଆକାର ଦେଇ ଜିଲ୍ଲାରେ ଏଥିପାଇଁ ନୂତନ ଉଦ୍ୟୋଗ,ଛୋଟ ଶିଳ୍ପ ପ୍ରତିଷ୍ଠା ପୂର୍ବକ ସ୍ବାବଲମ୍ବୀ ହେବାର ରାସ୍ତା କାଢି ପାରିଲେ ହୁଏତ ନବରଂଗପୁର ଆକାଂକ୍ଷା ଜିଲ୍ଲାରୁ ନିବୃତ୍ତ ହୋଇ ଏହାର ଭିତ୍ତିଭୂମି ମଜଭୂତ୍ ହୋଇପାରିବ ।