ଗୁଣିଗାରେଡ଼ି ସନ୍ଦେହରୁ ନିର୍ମମ କାଣ୍ଡ; ଆଖି ବୁଜିଲା ବାପା, ୨ ପୁଅ ଗୁରୁତର
ରାୟଗଡା, ୪/୮: ଗୁଣି ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ଗ୍ରାମବାସୀ । ଖସି ପଳାଇବା ଯୋଗୁଁ ବର୍ତ୍ତିଗଲେ ଦୁଇ ପୁଅ । ଏପରି ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଦୁଡୁକାବାହାଲ ପଞ୍ଚାୟତ ଟିଟିଗୁଡା ଗାଁରେ ।
ସୂଚନାଯୋଗ୍ୟ ଯେ, ଗାଁର ଦଇ ମାଝି ସ୍ତ୍ରୀ ଓ ଦୁଇ ପୁଅଙ୍କୁ ଧରି ବୁଧବାର ରାତିରେ ଘରେ ଶୋଇଥିବା ବେଳେ ଗାଁର କିଛି ଲୋକ ଗୁଣିଗାରେଡି ସନ୍ଦେହ କରି ତାଙ୍କ ସହ ପାଟିତୁଣ୍ଡ ଓ ଗାଳି ଗୁଲଜ କରିଥିଲେ । ଗାଁ ଲୋକ ଏକାଠି ହୋଇ ରାତି ପ୍ରାୟ ୧୨ଟା ବେଳେ ବାପା ଓ ଦୁଇ ପୁଅକୁ ପ୍ରଥମେ ବାନ୍ଧି ନିର୍ଦ୍ଧୁମ ପିଟିଥିଲେ ।
ସେହି ସମୟରେ କୌଶଳ କ୍ରମେ ଦୁଇ ପୁଅ ଦୂର୍ୟ୍ୟ ମାଝି ଓ ଲାଲୁ ମାଝି ଖସି ପଳାଇଥିଲେ । କିନ୍ତୁ ବାପା ଦଇ ମାଝି ଖସି ନପାରିବାରୁ ତାଙ୍କୁ ପିଟିପିଟି ହତ୍ୟା କରିଦେଇଛନ୍ତି ।
ଏହି ଘଟଣା ସମ୍ପର୍କରେ ପରିବାରଲୋକ ସ୍ଥାନୀୟ ଟିକିରି ପୋଲିସକୁ ସୂଚନା ଦେବାକୁ ଚେଷ୍ଟା କରିଥିଲେ କିନ୍ତୁ ତାହା ସମ୍ଭବ ହୋଇନଥିଲା । ଗାଁରେ ପୂର୍ବରୁ ଗୁଣିଗାରେଡି ନେଇ ଗଣ୍ଡଗୋଳ ହୋଇଥିଲା ।
ବର୍ତ୍ତମାନ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ଓ ଜଣକୁ ଅଟକ ରଖି ପଚରାଉଚରା କରୁଛି ବୋଲି ଏସଡିପିଓ ଦିବ୍ୟଜ୍ୟୋତି ଦାଶ ସୂଚନା ଦେଇଛନ୍ତି । ବର୍ତ୍ତମାନ ଦୁଇ ପୁଅ ଟିକିରି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।