Odisha News

କାଶୀପୁର ବ୍ଲକରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ରାୟଗଡ଼ା,୧୬/୭: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକରେ ଝାଡ଼ାବାନ୍ତିରେ ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ରାୟଗଡ଼ା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଶଙ୍କରଡ଼ା ଗୋବରୀଘାଟିର ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତିରେ ରୋଗୀ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।
ଗତକାଲି ସନ୍ଧ୍ୟା ସୁଦ୍ଧା ଝାଡ଼ାବାନ୍ତିରେ ୫ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଅସୁସ୍ଥ ଥିବା ୧୬ ଜଣ ଆକ୍ରାନ୍ତଙ୍କୁ ଟିକିରି, କାଶିପୁର ଓ ରାୟଗଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଗାଁରେ ମେଡିକାଲ୍ ଟିମ୍ ପହଞ୍ଚି ଲୋକମାନଙ୍କର ଚିକିତ୍ସା କରୁଛନ୍ତି।
ଗତକାଲି ରାୟଗଡ଼ା ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଗାଁ ଗାଁ ବୁଲି ସମୀକ୍ଷା କରିଥିଲେ। କେଉଁ କାରଣ ପାଇଁ ଗାଁରେ ଝାଡ଼ାବାନ୍ତି ବ୍ୟାପିଛି, କିପରି ତାର ନିରାକରଣ କରାଯାଇପାରିବ ସେ ନେଇ ସମୀକ୍ଷା କରିଥିଲେ। ସେହିପରି ମେଡିକାଲ ଟିମ୍ ପାଣିର ନମୂନା ସଂଗ୍ରହ କରି ଭୁବନେଶ୍ୱର ପଠାଇଛନ୍ତି।
ରାୟଗଡ଼ା ଉପଜିଲ୍ଲାପାଳ କହିଛନ୍ତି, ଗାଁ ଗାଁ ବୁଲି ମେଡିକାଲ ଟିମ୍ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ଟିକିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନ ସ୍ଥିତି ଉପରେ ନଜର ରଖିଛି।
ସୂଚନାଯୋଗ୍ୟ, ଟିକିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨ରୁ ୩ବର୍ଷ ହେବ ଡାକ୍ତର ନ ଥିଲେ। ଜଣେ ଫାର୍ମାସିଷ୍ଟ ଲୋକମାନଙ୍କୁ ଚିକିତ୍ସା କରୁଥିଲେ। ଝାଡାବାନ୍ତି ବ୍ୟାପିବା ପରେ ଜଣେ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଉପଜିଲ୍ଲାପାଳ କହିଛନ୍ତି।

Related Posts

Seo wordpress plugin by www.seowizard.org.