Odisha News

ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧଜିଲ୍ଲାରେ ବୁଦ୍ଧ ଜୟନ୍ତୀ ମହାସମାରୋହରେ ପାଳନ କରିବାକୁ ନିଷ୍ପତି

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୩/୫ : ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧଜିଲ୍ଲାରେ ପ୍ରତିବର୍ଷ ବୁଦ୍ଧ ଜୟନ୍ତୀ ପାଳନ କରାଯାଉଥିବା ବେଳେ ଗତ ୨ବର୍ଷ କୋଭିଡ କଟକଣା ଯୋଗୁଁ ସାଧାରଣ ଭାବେ ପାଳନ କରାଯାଇଥିଲା । ଗତବର୍ଷ ବୌଦ୍ଧଜିଲ୍ଲା ପ୍ରଶାସନର ଉଦ୍ୟମରେ ବୁଦ୍ଧ ଜୟନ୍ତୀ ଦିନକୁ କେବଳ ବୌଦ୍ଧଜିଲ୍ଲାରେ ସରକାରୀ ଛୁଟି ଘୋଷଣା କରାଯାଇଥିବାବେଳେ ଚଳିତବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଦ୍ଧ ପୁର୍ଣ୍ଣିମାକୁ ସରକାରୀ ଛୁଟି ଘୋଷଣା କରାଯାଇଅଛି ।
ଚଳିତବର୍ଷ ବୁଦ୍ଧ ଜୟନ୍ତୀ କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ପାଳନ କରିବା ପାଇଁ ଅନୁରୋଧ କରିବାପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକରେ ମହାସମାରୋହରେ ଏହି ଉତ୍ସବ ଜିଲ୍ଲାସାରା ପାଳନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।
ବୁଦ୍ଧଙ୍କ ନାମରେ ନାମିତ ହୋଇଥିବା ବୌଦ୍ଧଜିଲ୍ଲାର ବିଭିନ୍ନ ପଂଚାୟତ କାର୍ଯ୍ୟାଳୟ ପରିସରରେ ନିର୍ବାଚିତ ପ୍ରତିନିଧିମାନଙ୍କ ନେତୃତ୍ୱରେ ଚଳିତ ବର୍ଷ ପ୍ରତିମୂର୍ତି ଏବଂ ଆସନ୍ତା ବର୍ଷ ପଥରର ପ୍ରତିମୂର୍ତି ସ୍ଥାପନ କରିବା ପାଇଁ ଅନୁରୋଧ କରାଯାଇଥିଲା । ବୁଦ୍ଧ ଜୟନ୍ତୀ କମିଟି ତରଫରୁ ବିଭିନ୍ନ କାର୍ଯ୍ୟାଳୟର ମୁଖ୍ୟ ଦ୍ୱାରରେ ବୁଦ୍ଧଙ୍କ ପ୍ରତିମୂର୍ତି ସ୍ଥାପନା କରିବା ପାଇଁ ପ୍ରସ୍ତାବ ଆଗତ କରାଯାଥିଲା ।
ବୌଦ୍ଧଜିଲ୍ଲାର ପ୍ରବେଶ ଦ୍ୱାରର ଉଭୟ ପଟରେ ଆସନ୍ତା ବୁଦ୍ଧ ଜୟନ୍ତୀ ଦିନ ବୁଦ୍ଧ କିର୍ତୀରାଜୀ ଏବଂ ବୌଦ୍ଧଗଡ ଏନ୍‌.ଏ.ସି. ଏବଂ ତିନି ବ୍ଲକର କାର୍ଯ୍ୟାଳୟ ପରିସରରେ ବୁଦ୍ଧଙ୍କ ପ୍ରତିମା ସ୍ଥାପନ କରିବା ପାଇଁ ଅଧ୍ୟକ୍ଷ/ଅଧ୍ୟକ୍ଷାମାନଙ୍କୁ ଅନୁରୋଧ କରାଯାଇଥିଲା । ଆଜି ବୌଦ୍ଧଗଡ ବିଜ୍ଞାପିତ ଅଂଚଳ ପରିଷଦ ପରିସରରେ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୁଦ୍ଧ ଜୟନ୍ତୀ କମିଟିର ସଦସ୍ୟମାନଙ୍କ ସହିତ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଆସନ୍ତା ୧୬ ତାରିଖ ଦିନ ସକାଳେ ପ୍ରତ୍ୟେକ ବୌଦ୍ଧପୀଠରେ ପୂଜାର୍ଚ୍ଚନା କରିବା ସହିତ ସଂଧ୍ୟାରେ ବୌଦ୍ଧ ସହରର ରାମନାଥ ମନ୍ଦିର ପରିସରରୁ ଏକ ଶାନ୍ତି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ବୁଦ୍ଧ ପାର୍କଠାରେ ଏକ ସାଧାରଣ ସଭା ଆୟୋଜନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।
ପବିତ୍ର ବୁଦ୍ଧ ଜୟନ୍ତୀ ଦିନ ସଂଧ୍ୟାରେ ବୌଦ୍ଧଜିଲ୍ଲାର ବିଭିନ୍ନ ସ୍ଥାନରେ ଦୀପଦାନ କରିବାସହ ବିଶ୍ୱଶାନ୍ତି ଉଦ୍ଦେଶ୍ୟରେ ପ୍ରତ୍ୟେକ ପରିବାର ଘର ସମ୍ମୁଖରେ ଦୀପଦାନ କରିବାକୁ ଅନୁରୋଧ କରାଯାଇଛି । ଶ୍ୟାମସୁନ୍ଦରପୁର ଓ ପରଗଳପୁର ଠାରେ ରହିଥିବା ଐତିହାସିକ ବୌଦ୍ଧପୀଠ ପରିସରରେ ମହାସମାରୋହରେ ଉତ୍ସବ ପାଳନ କରିବା ପାଇଁ ବୈଠକରେ ଚୂଡାନ୍ତ ହୋଇଛି । ଏହି ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ଉପସ୍ଥିତ ରହିଥିଲେ ।
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରରେ ଅନୁଷ୍ଠିତ ଜିଲ୍ଲା ପରିଷଦ ସଭାରେ ସଦସ୍ୟ ବିଶ୍ୱଜିତ୍ ମିଶ୍ର ବୁଦ୍ଧ ଜୟନ୍ତୀ ପାଳନ କରିବା ପାଇଁ ପ୍ରସ୍ତାବ ଦେବାପରେ ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା । ସଂଧ୍ୟାରେ ବୁଦ୍ଧ ଜୟନ୍ତୀ କମିଟି ପକ୍ଷରୁ ଅନୁଷ୍ଠିତ ବୈଠକରେ ମହାସମାରୋହରେ ପାଳନ କରିବା ପାଇଁ ଆଲୋଚନା କରାଯାଇଥିଲା ।
ବୈଠକରେ ଆବାହକ ଦେବାଶିଷ ପୁରୋହିତ, ସତ୍ୟନାରାୟଣ ହୋତା, ସୁଜ୍ଞାନ କୁମାର ପାତ୍ର, ଶଶାଙ୍କ ଶେଖର ମିଶ୍ର, କୃତିବାସ ପଲିଆ, ସମ୍ପଦ କୁମାର ଅଗ୍ରଓ୍ୟାଲା, ବାବୁଲା ମହାପାତ୍ର, ସୂର୍ଯ୍ୟେନ୍ଦ୍ର କୁମାର ଶତପଥି, ଅଧ୍ୟାପକ ଲଳିତ କୁମାର ମେହେର, ଜୟ ନାରାୟଣ ମହାନ୍ତି, ସମୀର କୁମାର ସାହୁ, ସ୍ୱାଧିନ ପରିଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ବୌଦ୍ଧ ଜିଲ୍ଲାପରିଷଦ ବୈଠକ : ସହରବାସୀଙ୍କ ପାନୀୟ ଜଳକଷ୍ଟ ଦୂର ପାଇଁ ମହାନଦୀରେ ନିର୍ମାଣ ହେବ ଆଡିବନ୍ଧ
ବୌଦ୍ଧ,୧୩/୫: ବୌଦ୍ଧ ଜିଲ୍ଲା ପରିଷଦ ବୈଠକ ପଞ୍ଚାୟତ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିଥି ଭାବରେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଓ କଣ୍ଟାମାଳ ବିଧାୟକ ମହୀଧର ରଣା ଯୋଗଦେଇଥିଲେ । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୈଠକରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସଂପର୍କରେ ବିଷଦ ବିବରଣୀ ପ୍ରଦାନ କରିଥିଲେ । ବୈଠକରେ ବିଭିନ୍ନ ବିଭାଗୀୟ ସମୀକ୍ଷା କରାଯିବା ସହିତ ଅଧାରେ ରହିଥିବା ପ୍ରକଳ୍ପ ଗୁଡିକ ତୁରନ୍ତ ସଂପୁର୍ଣ୍ଣ କରାଯିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ବୌଦ୍ଧଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବି ଜିଲ୍ଲାକୁ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତରୁ ବାହାର କରାଯାଇ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତରେ ସାମିଲ କରାଯିବା ସଂପର୍କରେ ସାଂସଦ ପ୍ରତିନିଧି ତାରେଣି ମହାପାତ୍ର ଆଲୋଚନା କରିବା ସହିତ ଜିଲ୍ଲାପରିଷଦ ବୈଠକରେ ସର୍ବସମ୍ମତିକ୍ରମେ ଏହି ପ୍ରସ୍ତାବକୁ ଗୃହୀତ କରାଯାଇ ରାଜ୍ୟସରକାରଙ୍କ ନିକଟକୁ ପଠାଯିବାକୁ ନିଷ୍ପତିଗ୍ରହଣ କରାଯାଇଥିଲା ।
ସମସ୍ତ ଉପସ୍ଥିତ ସଦସ୍ୟ ଏହି ପ୍ରସ୍ତାବକୁ ସ୍ୱାଗତ କରିବା ସହିତ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ମତପ୍ରକାଶ କରିଥିଲେ । ସେହିପରି ମହାନଦୀରେ ଜଳ ସଙ୍କଟ ଯୋଗୁଁ ନଦୀ କୂଳରେ ଥାଇ ମଧ୍ୟ ବୌଦ୍ଧ ସହରବାସୀ ବିଶୁଦ୍ଧ ପାନୀୟଜଳ ପାଇବାରୁ ବଞ୍ଚିତ ହେଉଥିବାବେଳେ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଥିବା ଆଡିବନ୍ଧ ନିର୍ମାଣ ଦାବିକୁ ମଧ୍ୟ ପରିଷଦ ବୈଠକରେ ଅନୁମୋଦନ କରାଯାଇଥିଲା । ମହାନଦୀରେ ନିର୍ମାଣାଧିନ ମର୍ଜାକୁଦ ସେତୁ ନିକଟରେ ସ୍ୱଳ୍ପ ଉଚ୍ଚତାରେ ଏକ ଆଡିବନ୍ଧ ନିର୍ମାଣ କରାଯିବାକୁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିବାବେଳେ ଏଥିପାଇଁ ଯୋଜନା ଓ ବ୍ୟୟ ଅଟଳଳ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହି ଆଡିବନ୍ଧ ନିର୍ମାଣହେଲେ ବୌଦ୍ଧଠାରେ ତଳମୁଣ୍ଡକୁ ବୋହିଯାଉଥିବା ମହାନଦୀ ଜଳ ସଂରକ୍ଷଣ ହେବା ସହିତ ସହରବାସୀଙ୍କ ଜଳକଷ୍ଟ ଦୂର ହୋଇପାରିବ । ବୈଠକରେ ଦିଆଯାଇଥିବା ସୂଚନା ମୁତାବକ ମନରେଗା ଯୋଜନାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨୫୨୦୩୯୩ ଲକ୍ଷ ଶ୍ରମ ଦିବସ ସୃଷ୍ଟି ପାଇଁ ଅଟକଳ ଧାର୍ଯ୍ୟ କରାଯାଇଥିବାବେଳେ ଅଦ୍ୟାବଧି ୧୭୯୩୧୨ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇଛି ।
ଏଥିପାଇଁ ୯୮୮୪ ୯୮୧୩୫ କୋଟି ବ୍ୟୟ ଅଟକଳ କରାଯାଇଥିବାବେଳେ ଏପର୍ଯ୍ୟନ୍ତ ୪୪୦୨୪୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । କୃଷିକ୍ଷେତ୍ର ପୋଖରୀ ଖନନ ଯୋଜନାରେ ବୌଦ୍ଧ ବ୍ଲକ କୁ ୬୪ ଗୋଟି ହରଭଙ୍ଗା ବ୍ଲକକୁ ୭୨ ଗୋଟି ଏବଂ କଣ୍ଟାମାଳ ବ୍ଲକକୁ ୧୬୫ ଗୋଟି ପ୍ରକଳ୍ପ ଏହିପରି ମୋଟ ୩୦୩ ଗୋଟି କୃଷିକ୍ଷେତ୍ର ପୋଖରୀ ଖନନ ପାଇଁ ମଂଜୁର କରାଯାଇଛି । ଭୂମି ଉନ୍ନତିକରଣ ଯୋଜନାରେ ହରଭଙ୍ଗା ବ୍ଲକ ପାଇଁ ୧୦ ଗୋଟି ପ୍ରକଲ୍ପ ମଂଜୁରୀ ଦିଆଯାଇ କାର୍ଯ୍ୟ ଚାଲୁରହିଛି ।
ମନରେଗା ଯୋଜନାରେ ଖେଳପଡିଆ ନିର୍ମାଣ ପାଇଁ ହରଭଙ୍ଗା ବ୍ଲକରେ ୩ ଗୋଟି ଏବଂ କଣ୍ଟାମାଳ ବ୍ଲକରେ ଗୋଟିଏ ପ୍ରକଳ୍ପକୁ ମଂଜୁରୀ ଦିଆଯାଇ କାର୍ଯ୍ୟ ଚାଲୁଅଛି । ସେହିପରି ଗ୍ରାମାଂଚଳ ପାର୍କ ଯୋଜନାରେ ହରଭଙ୍ଗା ଓ କଣ୍ଟାମାଳ ବ୍ଲକରେ ଗୋଟିଏ ଲେଖାଏଁ ପ୍ରକଳ୍ପକୁ ମଂଜୁରୀ ଦିଆଯାଇ କାର୍ଯ୍ୟ ଚାଲୁଅଛି । ଗ୍ରେଡ ୧ ରାସ୍ତା ଉନ୍ନତିକରଣ ଯୋଜନାରେ ବର୍ତ୍ତମାନ ସୁଧା ବୌଦ୍ଧ ବ୍ଲକରେ ୨୧ ଗୋଟି ହରଭଙ୍ଗା ବ୍ଲକରେ ୨ ଗୋଟି ଓ କଣ୍ଟାମାଳ ବ୍ଲକରେ ୭ ଗୋଟି ଏହିପରି ମୋଟ ୩୦ ଗୋଟି ପ୍ରକଳ୍ପ କାର୍ଯ୍ୟ ଚାଲୁରହିଛି ।
ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଏପର୍ଯ୍ୟନ୍ତ ୯୨୮୦ ଗୋଟି ଗୃହ ନିର୍ମାଣ ପାଇଁ ଲକ୍ଷଧାର୍ଯ୍ୟ କରାଯାଇଥିବାବେଳେ ସେଥିମଧ୍ୟରୁ ୮୭୭୧ ଗୋଟି ଗୃହ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ବୈଠକରେ ଆଲୋଚନା ପାଇଁ ସମସ୍ତ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦର ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେରଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦର ସଭ୍ୟସଭ୍ୟା ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.