Odisha News

ପୁରୀରେ ତିନି ଠାକୁରଙ୍କ ବାହୁଡ଼ାଯାତ୍ରା: ପହଣ୍ଡିରେ ଆସୁଛନ୍ତି ମହାପ୍ରଭୁ

ଭୁବନେଶ୍ବର,୧/୭: ବୁଧବାର ଦିନ ସକାଳ ପ୍ରାୟ ୮ଟାରେ ପୁରୀରେ ତିନି ଠାକୁରଙ୍କର ବାହୁଡ଼ାଯାତ୍ରା ଆରମ୍ଭ ହୋଇଛି। ସେବାୟତମାନେ ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ଗୁଣ୍ଡିଚା ମନ୍ଦିରରୁ ପହଣ୍ଡିରେ ଆଣି ନାକଚଣା ଦ୍ବାର ନିକଟରେ ପ୍ରତୀକ୍ଷାରତ ତିନି ରଥଙ୍କ ମଧ୍ୟରୁ ଦର୍ପଦଳନ ରଥରେ ବିଜେ କରାଇବା ପରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କର ପହଣ୍ଡି ଆରମ୍ଭ ହୋଇଥିଲା।
ଘଣ୍ଟଘଣ୍ଟା ଓ କାହାଳୀ ଧ୍ବନିରେ ବଡ଼ଠାକୁର ଶରଧାବାଲିକୁ ଆସିବା ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଶେଷରେ ଆରମ୍ଭ ହୋଇଛି କାଳିଆ ଠାକୁର ଶ୍ରୀଜନ୍ନାଥଙ୍କ ପହଣ୍ଡି।
ତିନି ଠାକୁର ରଥାରୁଢ଼ ହେବା ପରେ ପୂର୍ବାହ୍ନ ୧୦ଟାରୁ ୧୧: ୩୦ ମଧ୍ୟରେ ଛେରାପହଁରା ନୀତି ଆରମ୍ଭ ହେବ। ସେହି ଭଳି ଚାରମାଳ ଫିଟା ଓ ଘୋଡ଼ାଲାଗିବା ମଧ୍ୟାହ୍ନ ୧୨ଟାରେ ଶେଷ ହୋଇ ରଥଟଣା ଆରମ୍ଭ ହେବ। ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାକୁ ସଫଳ କରିବାକୁ ଜିଲ୍ଲା ପ୍ରଶାସନ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି।
ଏ ପଟେ ଜୁଲାଇ ୨ ତାରିଖରେ ସୁନା ବେଶ ପାଇଁ ସିଂହଦ୍ବାରରେ ପ୍ରସ୍ତୁତି ଆରମ୍ଭ ହୋଇଛି।
ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ଆଜି ମଧ୍ୟ ବଡ଼ଦାଣ୍ଡକୁ କାହାକୁ ଆସିବାକୁ ଦିଆଯିବନାହିଁ। କେବଳ ସେବକମାନେ ରଥ ଟାଣିବେ। ବଡ଼ଦାଣ୍ଡରେ କଡ଼ା ସୁରକ୍ଷା ଭିତରେ ସବୁ କିଛି କରାଯିବ। ସୁରକ୍ଷା ପାଇଁ ୭୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁରୀର ସମସ୍ତ ପ୍ରବେଶ ପଥ ସିଲ୍ କରାଯିବା ସହିତ ଗଳିକନ୍ଦିକୁ ସିଲ୍ କରାଯାଇଛି।

-Sambad

Related Posts

Seo wordpress plugin by www.seowizard.org.