Odisha News

ବିଧାନସଭାର ନୂଆ ବିଧାୟକଙ୍କ ଉଦ୍ଦେଶ୍ୟରେ ପ୍ରଶିକ୍ଷଣ ଶିବିର କରୁଛି ବିଜେପି, ଯୋଗଦେବନି ବିଜେଡି

ଭୁବନେଶ୍ୱର,୧୪/୮: ଟ୍ରେନିଂ ନେବେ ବିଧାନସଭାର ନବ ନିର୍ବାଚିତ ବିଧାୟକ । ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ୮୪ ଜଣ ନବ ନିର୍ବାଚିତ ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ବିଧାୟକ ନରସିଂହ ମିଶ୍ର ପ୍ରମୁଖ ନୂଆ ବିଧାୟକଙ୍କୁ ବିଧାନସଭାର କାର୍ଯ୍ୟବିଧି ଓ ଦାୟିତ୍ୱ ସମ୍ପର୍କରେ ଟ୍ରେନିଂ ଦେବେ । ଯାହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ନୂଆ ବିଧାୟକ ।
ବିଧାୟକ ନେବେ ଟ୍ରେନିଂ । ପ୍ରଶିକ୍ଷଣ ଦେବେ ନବୀନ, ନଡ୍ଡା, ନରସିଂହ ଓ ଧର୍ମେନ୍ଦ୍ର । ଦୁଇ ଦିନ ଧରି ଏହି ପ୍ରଶିକ୍ଷଣ କ୍ଲାସ ଜାରି ରହିବ । ବିଧାନସଭାର କାର୍ଯ୍ୟବିଧୀ, କମିଟି ବ୍ୟବସ୍ଥା, ବୈଧାନିକ ପ୍ରକ୍ରିୟା, ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ, ପଏଣ୍ଡ ଅଫ ଅର୍ଡର ସହ ବିଭିନ୍ନ କାର୍ଯ୍ୟଶୈଳୀ ବିଷୟରେ ଜାଣିବେ ନୂଆ ବିଧାୟକ। ଆସନ୍ତା ୧୭ ଓ ୧୮ ତାରିଖ ଦୁଇ ଦିନ ଧରି ବିଧାନସଭାରେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ୫ ଥର ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କିରଣ ରିଜିଜୁ, ଜୁଏଲ ଓରାମ, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ପୂର୍ବତନ ବିଧାୟକ ନରସିଂହ ମିଶ୍ର ଦେବେ ପ୍ରଶିକ୍ଷଣ ।
ସପ୍ତଦଶ ବିଧାନସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି ୮୪ ଜଣ ବିଧାୟକ । ଭାଜପାରୁ ସର୍ବାଧିକ ୫୪ ଜଣ ଥିବାବେଳେ, ବିଜେଡିରୁ ୧୮, କଂଗ୍ରେସରୁ ୯ ଓ ୩ ଜଣ ସ୍ବାଧୀନ ବିଧାୟକ ନୂଆ କରି ନିର୍ବାଚିତ ହୋଇଛନ୍ତି । ନବ ନିର୍ବାଚିତ ବିଧାୟକମାନେ କିଭଳି ଜଣେ ପ୍ରଭାବୀ ବିଧାୟକ ହୋଇପାରିବେ ଓ ବିଭିନ୍ନ ବିଷୟରେ ଗୃହର ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେବେ ସେନେଇ ଟ୍ରେନିଂ ଦିଆଯିବ ।
ତେବେ ଏହି ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେବନି ବିଜେଡି । ଏନେଇ ପ୍ରେସମିଟ୍ କରି ଖୋଲାଖୋଲି ମନା କରିଛି ଦଳ। ବିରୋଧୀଦଳ ମୁଖ୍ୟ ସଚେତକ ପ୍ରତାପ ଦେବ କହିଛନ୍ତି, ବିଧାନସଭାର ଏହି କାର୍ଯ୍ୟକ୍ରମକୁ CM ଉଦଘାଟନ କରନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ବାଚସ୍ପତି ଉଦଘାଟନ କରନ୍ତି। କିନ୍ତୁ ଏଠି ଭାଜପା ନେତା ଉଦଘାଟନ ଓ ଉଦଯାପନ କରିବେ। ବିଧାନସଭା କାମରେ ବାହାର ନେତା କିଛି କରିବା ଅଶୋଭନୀୟ। ଏଭଳି କାର୍ଯ୍ୟରୁ କ୍ଷାନ୍ତ ରୁହନ୍ତୁ ନଚେତ ବିଜେଡି ଯୋଗ ଦେବନି ବୋଲି କହିଛନ୍ତି ପ୍ରତାପ ଦେବ।

Related Posts

Seo wordpress plugin by www.seowizard.org.