Odisha News

ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା, ପୋଲିସ ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ

ମାଲକାନଗିରି,୨୧/୧୦: ସୀମାନ୍ତରେ ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଯବାନଙ୍କ ଗୁଳିରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗ୍ର କାଙ୍କେର ଜିଲ୍ଲାରେ ହୋଇଥିବା ଗୁଳିବିନିମୟରେ ୨ ଜଣ ମାଓବାଦୀ ନିପାତ ହୋଇଛନ୍ତି। ଘଟଣାସ୍ଥଳରୁ ଯବାନମାନେ ବନ୍ଧୁକ ସହ ବହୁ ପରିମାଣରେ ମାଓ ସାମଗ୍ରୀ ଜବତ କରିଛନ୍ତି।
ସୂଚନା ଅନୁଯାୟୀ, କାଙ୍କେର ଜିଲ୍ଲା କୋୟେଲିବେଡା ଥାନା ଅନ୍ତର୍ଗତ ଚିଲପରସ ଓ ଗୋମେ ମଧ୍ୟରେ ଥିବା ଜଙ୍ଗଲରେ ଶୁକ୍ରବାର ରାତିରେ କିଛି ମାଓବାଦୀ ରହିଥିବା ନେଇ ସ୍ଥାନୀୟ ପୁଲିସକୁ ସୂଚନା ମିଳିଥିଲା। ଏହା ପରେ ବିଏସଏଫ୍ ଓ ଡିଆରଜି ଯବାନମାନେ ମିଳିତ ଭାବରେ ସର୍ଚ୍ଚ ଅପରେସନରେ ବାହାରିଥିଲେ।
ଆଜି ସକାଳ ୭ଟା ୪୫ ମିନିଟ ବେଳକୁ ଯବାନମାନେ ଗୋମେ ଗ୍ରାମ ନିକଟ ଜଙ୍ଗଲରେ ମାଓ କ୍ୟାମ୍ପ ଥିବା ଠାବ କରିଥିଲେ। ଯବାନମାନଙ୍କୁ ଦେଖି ମାଓବାଦୀମାନେ ଗୁଳିଚାଳନା ଆରମ୍ଭ କରିଦେଇଥିଲେ।
ଏହାର ଜବାବରେ ଯବାନମାନେ ମଧ୍ୟ ପାଲଟା ଗୁଳିଚାଳନା କରଥିଲେ। ଯବାନଙ୍କ ଗୁଳିକୁ ସମ୍ମୁଖୀନ କରି ନପାରି କିଛି ମାଓବାଦୀ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ପରେ ଯବାନମାନେ ସର୍ଚ୍ଚଅପରେସନ ବେଳେ ଘଟଣାସ୍ଥଳରୁ ୨ ଜଣ ପୁରୁଷ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଥିଲେ।
ସୂଚନାଯୋଗ୍ୟ, ଦିନକୁ ଦିନ ନକ୍ସଲ ଦୁର୍ଗ ଭାଙ୍ଗିବାରେ ଲାଗିଛି। ନକ୍ସଲମାନେ ସୁରକ୍ଷାକର୍ମୀଙ୍କୁ ମୁକାବିଲା କରିବାରେ ଆଗଭଳି ସଫଳ ହେଉ ନାହାନ୍ତି। ଅନ୍ୟପଟରେ ସରକାରଙ୍କ ବିକାଶମୂଳକ କାମରେ ଆକର୍ଷିତ ହୋଇ ମାଓ ଶିବିର ଛାଡ଼ି ଭଲ ମଣିଷ ହେବାକୁ ଚେଷ୍ଟା ମଧ୍ୟ କରୁଛନ୍ତି।
ଗତ ବୁଧବାର ଦିନ ୩ ଜଣ ନକ୍ସଲ ବିଜାପୁର ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଭୈରମଗଡ଼ ଏରିଆ କମିଟିର ସଦସ୍ୟ ଲଚ୍ଛୁ ଫରସା, ତାଙ୍କର ପତ୍ନୀ ପାର୍ଟି ସଦସ୍ୟ ହଡମେ ମାଣ୍ଡବୀଙ୍କ ସମେତ ମୋଟ ୩ ଜଣ ଏସ୍ପି ଆଞ୍ଜନେୟ ବାର୍ଷୋୟ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଥିଲେ।
ଏହି ଅବସରରେ ସେମାନେ କହିଥିଲେ ଯେ, ନକ୍ସଲ ସଂଗଠନ ଆଗ ଭଳି ନାହିଁ। ସେମାନଙ୍କର କାର‌୍ୟ୍ୟଶୈଳୀରେ ପରିବର୍ତ୍ତନ ଆସିଛି। ନକ୍ସଲ ନେତାଙ୍କର ବ୍ୟବହାର ଅତିଷ୍ଠ କରିଛି। ସରକାରୀ ବ୍ୟବସ୍ଥା ଓ ନୀତିରେ ପ୍ରଭାବିତ ହୋଇ ଆମେ ଆତ୍ମସମର୍ପଣ କରିଛୁ ବୋଲି ସେମାନେ ପୁଲିସକୁ କହିଥିଲେ।

Related Posts

Seo wordpress plugin by www.seowizard.org.