Odisha News

ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ, ଦୁଲୁକିବ କଟକର ବାରବାଟୀ ଷ୍ଟାଡିୟମ

କଟକ,୧୧/୧: ଆଜି ଦୁଲୁକିବ ବାରବାଟୀ ଷ୍ଟାଡିୟମ । ବିଶ୍ୱକପ ହକିର ଉଦ୍ଘାଟନୀ ଉତ୍ସବ ନିମନ୍ତେ ଆୟୋଜିତ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବାକୁ ପୁରା ସହର ସମେତ ଷ୍ଟାଡିୟମକୁ ସଜାଯାଇଛି ।
ଆସନ୍ତା ୧୩ରୁ ୨୯ ତାରିଖ ପର‌୍ୟ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲା ଷ୍ଟାଡିୟମରେ ଆୟୋଜିତ ହେବ ହକି ବିଶ୍ୱକପ୍ । ଏହି କାର୍ଯ୍ୟକ୍ରମକୁ ଆଜି ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଅନ୍ୟ କିଛି ରାଜ୍ୟର ଅତିଥି ବି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ବଲିଉଡ୍ ସୁପରଷ୍ଟାର ରଣବୀର ସିଂ, ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ୍ ଏବଂ ଅଭିନେତ୍ରୀ ଦିଶା ପଟାନୀଙ୍କ ସମେତ ବ୍ଲାକ ସ୍ୱାନ୍ ଗ୍ରୁପ୍ ଉଦଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ । ଓଲିଉଡ୍ ଷ୍ଟାର୍ କପଲ୍ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କର ବି ଜବରଦସ୍ତ ଡ୍ୟାନ୍ସ ପରଫର୍ମାନ୍ସ କାର୍ଯ୍ୟକ୍ରମ ରହିଛି।
ଉଦଘାଟନୀ ଉତ୍ସବର ମଜା ଉଠାଇବାକୁ ଷ୍ଟାଡିୟମରେ ୪୦ ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହେବା ଆଶା କରାଯାଉଛି । ଉଦଘାଟନୀ ଉତ୍ସବର ସିଧାପ୍ରସାରଣ ଦେଖିବା ପାଇଁ ସହରର ୧୬ଟି ସ୍ଥାନରେ ଫ୍ୟାନ୍ ପାର୍କ କରାଯାଇଛି । ପ୍ରତି ଓ୍ୱାର୍ଡ଼ରେ ମଧ୍ୟ ଏଲଇଡି ସ୍କ୍ରିନ୍ର ବ୍ୟବସ୍ଥା ହୋଇଛି ।
ଉଦଘାଟନୀ ଉତ୍ସବ ପାଇଁ କଟକରେ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୦୦ ଅଫିସରଙ୍କ ସହ ୫୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ଷ୍ଟାଡିୟମ୍ ଭିତରେ ଓ ବାହାରେ ସୁରକ୍ଷା ଦାୟିତ୍ୱରେ ରହିବେ । ରିଙ୍ଗ ରୋଡରୁ ବାରବାଟୀ ଯାଏଁ ରହିବ କଡ଼ା ସୁରକ୍ଷା ବ୍ୟବସ୍ଥା ।
ସୁରକ୍ଷା ଦୃଷ୍ଟିରୁ ଷ୍ଟାଡିୟମ ଭିତରକୁ ଖାଦ୍ୟ ପଦାର୍ଥ, ପାଣି ବୋତଲ ସହ ଫୋଫାଡିଲା ଭଳି ଜିନିଷ ଛଡାଯିବନି। ଷ୍ଟାଡିୟମ ଭିତରେ ଦର୍ଶକଙ୍କ ପାଇଁ ଖାଦ୍ୟ ଓ ପାଣି ଷ୍ଟଲ୍ କରାଯାଇଛି । ଉଦଘାଟନୀ ଉତ୍ସବରେ ହଜାର ହଜାର ଦର୍ଶକଙ୍କ ସମାଗମକୁ ଦୃଷ୍ଟିର ରଖି ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ସହ ପାର୍କିଂ ବ୍ୟବସ୍ଥା କରାଯାଇଛି ।
ହକି ବିଶ୍ୱକପ୍ ଉଦ୍ଘାଟନୀ ପାଇଁ ୧୧ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି । ସାଧାରଣ ଦର୍ଶକଙ୍କ ଗାଡ଼ି ପାଇଁ ୨ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି । ଡିସିପି ଅଫିସ ନିକଟ ଓ କ୍ୟାଣ୍ଟନମେଣ୍ଟ ଥାନା ପାଖ ତଳ ବାଲିଯାତ୍ରା ପଡିଆରେ ପାର୍କିଂ ବ୍ୟବସ୍ଥା ହୋଇଛି । ସେହିପରି ଭିଭିଆଇପି ଏବଂ ଭିଆଇପିଙ୍କ ପାଇଁ ଗଡ଼ଗଡ଼ିଆ ମନ୍ଦିର ପାଖ ତଳ ବାଲିଯାତ୍ରା ପଡ଼ିଆ, ଖ୍ରୀଷ୍ଟିଆନ ପଡ଼ିଆ, ଦୟାଶ୍ରମ ପଡ଼ିଆ, ଜାଭିୟର ସ୍କୁଲ, ଓସିଏ ଲନ୍ରେ ପାର୍କିଂ ବ୍ୟବସ୍ଥା ହୋଇଛି । ଏପଟେ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ କେମ୍ବ୍ରିଜ ସ୍କୁଲ ପଡ଼ିଆରେ ପାର୍କିଂ ବ୍ୟବସ୍ଥା ହୋଇଛି । ସେହିପରି କଳାକାରଙ୍କ ପାଇଁ କ୍ଲବ ହାଉସ, ଉପର ବାଲିଯାତ୍ରା ଏବଂ ବାସ୍କେଟବଲ ପଡ଼ିଆରେ ପାର୍କିଂ ବ୍ୟବସ୍ଥା ହୋଇଛି ।
ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବରେ ଷ୍ଟାର ଆଟ୍ରାକସନ୍ ହେଉଛନ୍ତି ବଲିଉଡ୍ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟାନୀ। ଗତକାଲି ଉଭୟ ସେଲିବ୍ରିଟି ଭୁବନେଶ୍ୱରରେ ପହଞ୍ଚି ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତିା ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ କଳାକାରମାନେ ବାରବାଟୀ ଷ୍ଟାଡିୟମ୍ ଯାଇ ଅଭ୍ୟାସ କରିଥିଲେ ।
ଏପଟେ ସଜେଇ ହୋଇଛି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ । ସାରା ଦୁନିଆକୁ ହକି ବିଶ୍ୱକପ୍ ଲାଗି ସ୍ୱାଗତ କରିବାକୁ ନୂଆ ବେଶ ଧରିଛି କଳିଙ୍ଗ ଷ୍ଟାଡିୟମ । ଆଖି ଝଲସିଲା ଭଳି ଲାଇଟ୍ ସାଙ୍ଗକୁ ମନ ମୋହିଲା ଭଳି ପରିବେଶ । ୫ଶହ ମିଟର ଦୂରରୁ ଝଲସୁଛି ରଙ୍ଗ ବେରଙ୍ଗର ଆଲୋକମାଳା।
ଷ୍ଟାଡିୟମ୍ ପ୍ରବେଶ ଦ୍ୱାରରେ ସୁଶୋଭିତ ତୋରଣ ସାଙ୍ଗକୁ ଭିତରେ ଚକ୍ ମକ୍ ରଙ୍ଗୀନ ଆଲୋକ । ଷ୍ଟାଡିୟମ୍ ପରିସରରେ ହୋଇଛି ଓଲି ଲ୍ୟାଣ୍ଡ । ଚମକୁଛି ୨୦ ଫୁଟର ବିଶ୍ୱକପ୍ ପ୍ରତିକୃତି । ମ୍ୟାଚ୍ ନ ଥିବା ଦିନ ଏଠାକୁ ସର୍ବସାଧାରଣ ଯାଇପାରିବେ । ଭିତରେ ଦେଶୀ ବିଦେଶୀ ଖାଦ୍ୟର ପସରା ବି ରହିଛି । ଦିନ ୩ଟାରୁ ରାତି ୧୦ଯାଏଁ ଲୋକେ କଳିଙ୍ଗ ଷ୍ଟାଡିୟମର ଏହି ଆକର୍ଷଣୀୟ ସାଜସଜ୍ଜାର ମଜା ଉଠାଇ ପାରିବେ ।

Related Posts

Seo wordpress plugin by www.seowizard.org.