Odisha News

ସୁଧୁରୁଛି ସମ୍ବଲପୁର ସ୍ଥିତି, ସାଢ଼େ ୮ ଘଣ୍ଟା କୋହଳ ହେବ କର୍ଫ୍ୟୁ

ସମ୍ବଲପୁର,୧୮/୪: ଆଜି ପୁଣି ଥରେ ସମ୍ବଲପୁର ଜିଲ୍ଲାରେ ୨୪ ଘଣ୍ଟା ପାଇଁ ଇଣ୍ଟର୍ନେଟ୍ ସେବା ବନ୍ଦ ଘୋଷଣା ହୋଇଛି। ସୋସିଆଲ୍ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଇଛି। ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି।
ଶୁକ୍ରବାର ମଧ୍ୟରାତ୍ରିରୁ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଘୋଷଣା ପରେ ଶନିବାର ଦିନ ସମ୍ବଲପୁରରେ ହିଂସାକାଣ୍ଡ ଥମିଥିଲା। ହେଲେ ରବିବାର ସହରରେ ଆଉ ଥରେ ହିଂସାକାଣ୍ଡ ଫେରିବା ପରେ କର୍ଫ୍ୟୁ ଜାରି ରହିଛି। ହିଂସା ବି ଥମିଛି। ଏଥିସହିତ ସମ୍ବଲପୁର ସହରରେ ଧୀରେ ଧୀରେ ସ୍ବାଭାବିକ ସ୍ଥିତି ଫେରୁଛି।
କର୍ଫ୍ୟୁ ଅବଧିରେ ଆଜି ଆହୁରି ଅଧିକ କୋହଳ କରାଯାଇଛି। ସକାଳ ବେଳା ୬ ଘଣ୍ଟା ଏବଂ ଅପରାହ୍ଣରେ ଅଢ଼େଇ ଘଣ୍ଟା କର୍ଫ୍ୟୁ ସମୟରେ କୋହଳ କରାଯାଇଛି। ଗତକାଲି ସହରର କୌଣସି ଅଂଚଳରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ।
ଅପରପକ୍ଷରେ ପୁଲିସ ପ୍ରଶାସନର ଗିରଫଦାରୀ ଜାରି ରହିଛି। ସୋମବାର ଦିନ ଜଳାପୋଡ଼ା ଓ ପଥରମାଡ଼ ଘଟଣାରେ ୩ ଜଣ ଲେଖାଏଁ ଗିରଫ କରାଯାଇଥିବା କୁହାଯାଇଛି। ଏହାସହିତ ମୋଟ୍ ଗିରଫ ସଂଖ୍ୟା ୮୫ରେ ପହଂଚିଛି।
ସହରର ସ୍ଥିତିରେ ସ୍ବାଭାବିକତା ଫେରୁଥିବା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଆଜି(ମଙ୍ଗଳବାର) ସକାଳ ୭ଟାରୁ ଅପରାହ୍ଣ ୧ଟା ଏବଂ ସାଢ଼େ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ଏହି ସମୟରେ ଲୋକେ ନିଜର ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା କରିପାରିବେ ବୋଲି କୁହାଯାଇଛି।

Related Posts

Seo wordpress plugin by www.seowizard.org.