Odisha News

ଶ୍ରୀମନ୍ଦିରରେ ଠେଲାପେଲା; ୧୦ରୁ ଊର୍ଦ୍ଧ୍ୱ ଆହତ

ପୁରୀ, ୧୦/୧୧: ଶ୍ରୀମନ୍ଦିରରେ ମଙ୍ଗଳାଳତୀ ସମୟରେ ଘଣ୍ଟିଦ୍ୱାର ଓ ସାତପାହାଚ ନିକଟରେ ଠେଲାପେଲା ହେବା ଫଳରେ କେତେକ ହବିଷ୍ୟାଳୀଙ୍କ ସମେତ ୩୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବାର ଖବର ମିଳିଛି।
ବଗଲା ଧର୍ମଶାଳା ସରକାରୀ ହବିଷ୍ୟାଳୀ ସେଣ୍ଟରରେ ଥିବା ଜଣେ ହବିଷ୍ୟାଳୀଙ୍କ ଗୋଡ଼ରେ ଶକ୍ତ ଆଘାତ ଲାଗିଛି। ଏଣେ ଆହତ ମହିଳାମାନଙ୍କୁ ପୁରୀ ସଦର ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆହତମାନଙ୍କୁ ତୁରନ୍ତ ମେଡିକାଲ ନେବା ପାଇଁ ଏକାଧିକ ଆମ୍ବୁଲାନ୍ସ ନିୟୋଜିତ ହୋଇଛି। ତେବେ ଏଭଳି ଘଟଣା ଦର୍ଶନ ବ୍ୟବସ୍ଥାରେ ଅହେତୁକ ତ୍ରୁଟି ଯୋଗୁଁ ଘଟିଥିବା ଅଭିଯୋଗ ହେଉଛି।
ମଙ୍ଗଳାଳତୀ ପରେ ସିଂହଦ୍ୱାର ବେରିକେଡ ଖୋଲାଯିବା ସମୟରେ ହବିଷ୍ୟାଳୀମାନଙ୍କୁ ମଧ୍ୟ ଏକକାଳୀନ ମନ୍ଦିରକୁ ଛଡ଼ାଯାଇଥିଲା। ଫଳରେ ସାତପାହାଚ ନିକଟରେ ହଜାର ହଜାର ଭକ୍ତଙ୍କ ଗହଳି ଓ ଠେଲାପେଲା ହୋଇଥିଲା। ପୁଲିସ ଓ ଜେଟିପିମାନେ ଗହଳି ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ। ଆହଜ ହବିଷ୍ୟାଳୀ ଓ ଭକ୍ତମାନଙ୍କ କହିବା କଥା ହେଲା ଠେଲାପେଲା ସମୟରେ ଲୋକମାନେ ସେମାନଙ୍କ ଉପରେ ଚଢ଼ିଯିବା ସହ ଚକଟି ଦେଇଥିଲେ।
ଫଳରେ ବହୁ ଭକ୍ତ ଆହତ ହେବା ସହ ଅନେକ ଗୁରୁତର ଅଛନ୍ତି। କିଛି ଆହତଙ୍କୁ ଶ୍ରୀମନ୍ଦିର ଭିତରେ ଥିବା କାର୍ଯ୍ୟାଳୟରେ ରଖିଥିଲେ। ସେଠାରେ ସେମାନଙ୍କୁ ଫ୍ୟାନ୍ ଓ ଏସି ଲଗାଇ ଶୋଇଦେଇଥିଲେ। ଓଆରଏସ ପାଣି ମଧ୍ୟ ପିଇବାକୁ ଦେଇଥିଲେ। ମାତ୍ର ଆହତମାନଙ୍କୁ ପର୍ଯ୍ୟାୟକ୍ରମେ ମେଡିକାଲକୁ ପଠାଯାଉଛି। ତେବେ ଦର୍ଶନ ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି। ଗତକାଲି ମଧ୍ୟ ଏଭଳି ପରିସ୍ଥିତି ଉପୁଜିବା ଆଶଙ୍କା ଥିଲା।
ବୁଧବାର ମହାପ୍ରଭୁଙ୍କ ବନକଲାଗି ନିତି ପାଇଁ ନିତିକାନ୍ତି ବିଳମ୍ବ ହୋଇଥିଲା। ହଜାର ହଜାର ଭକ୍ତ ବେରିକେଡରେ ଦର୍ଶନ କରିବାକୁ ଅପେକ୍ଷା କରିଥିଲେ। ଏହି ସମୟରେ ସରକାରୀ ହବିଷ୍ୟାଳୀ ଶିବିରମାନଙ୍କୁ ଟିକେ ବିଳମ୍ବରେ ହବିଷ୍ୟାଳୀଙ୍କୁ ଆସିବା ପାଇଁ ସୂଚନା ଦିଆଯାଇ ପାରିଥାନ୍ତା।
ଫଳରେ ମନ୍ଦିରରେ ଗହଳି କମିଥିଲେ ଏହି ହବିଷ୍ୟାଳୀଙ୍କୁ ଅଣାଯାଇ ଶୃଙ୍ଖଳିତ ଭାବେ ଦର୍ଶନ କରାଯାଇଥାନ୍ତା। କିନ୍ତୁ କିଛି ନିର୍ଦ୍ଦିଷ୍ଟ ପୁଲିସ ଅଧିକାରୀଙ୍କ ମନମାନି ଯୋଗୁଁ ଶହଶହ ହବିଷ୍ୟାଳୀଙ୍କୁ ଆଣି ସିଂହଦ୍ଵାରରେ ଛଡ଼ାଯାଇଥିଲା। ଫଳରେ ବେରିକେଡରେ ହଜାର ହଜାର ଭକ୍ତ ଓ ବେରିକେଡ ବାହାରେ ହଜାର ହଜାର ହବିଷ୍ୟାଳୀଙ୍କ ଭିଡ଼ ଜମିଥିଲା। ହବିଷ୍ୟାଳୀମାନେ ଉପବାସ ଥିବାରୁ ପୁଲିସ କ୍ୟାମ୍ପ ନିକଟରେ ବସିଯାଇ ବହୁ ସମୟ ଧରି ଅପେକ୍ଷା କରିଥିଲେ।
ସବୁଠାରୁ ବିଡ଼ମ୍ବନାର ବିଷୟ ଯେତେବେଳେ ଦର୍ଶନ ଆରମ୍ଭ ହୋଇଥିଲା ସେତେବେଳେ ଏକକାଳୀନ ଉଭୟ ସାଧାରଣ ଭକ୍ତ ଓ ହବିଷ୍ୟାଳୀଙ୍କୁ ମନ୍ଦିରକୁ ଛଡାଯାଇଥିଲା। ଫଳରେ ସିଂହଦ୍ଵାର ଗୁମୁଟରେ ବି ଭକ୍ତମାନଙ୍କ ପ୍ରବେଶ ବେଶ୍ କଷ୍ଟଦାୟକ ହୋଇଥିଲା। ତେବେ ସୁରକ୍ଷା କର୍ମୀଙ୍କ ମନମାନି ଯୋଗୁଁ ଆଜି ଠେଲାପେଲା ଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଆଶଙ୍କା କରାଯାଉଛି।

Related Posts

Seo wordpress plugin by www.seowizard.org.