Odisha News

ମୃତ ଅଧ୍ୟାପକଙ୍କ ପେନସନ ପାଇଁ ୧୦ ହଜାର ଲାଞ୍ଚ ନେଉଥିଲେ ସେକ୍ସନ ଅଫିସର, ମାଡ଼ି ବସିଲା ଭିଜିଲାନ୍ସ

ଭଦ୍ରକ, ୧୩/୪: ସବୁବେଳେ ଭିନ୍ନ ଭିନ୍ନ କାରଣ ଦେଖାଇ ଟଙ୍କା ନେଉଥିଲେ । ଏଥର କିନ୍ତୁ ଫସିଗଲେ । ନଗଦ ୧୦ ହଜାର ଟଙ୍କା ନେବା ବେଳେ ରାସ୍ତା ମଝିରେ ସେକ୍ସନ ଅଫିସରଙ୍କୁ ମାଡିବସିଲା ଭିଜିଲାନ୍ସ । ଭଦ୍ରକ ଜିଲ୍ଲା ସାଂଳପୁର ସ୍ଥିତ ଆଇ ଜି ଏମ କଲେଜର ସେକ୍ସନ ଅଫିସର ଭିଜିଲାନ୍ସ ପଞ୍ଝା ରେ ପଡିଛନ୍ତି ।
ସୂଚନା ଅନୁଯାୟୀ ଆଇ ଜି ଏମ କଲେଜର ପୂର୍ବତନ କର୍ମଚାରୀ ପ୍ରଫୁଲ୍ଲ ପୃଷ୍ଟିଙ୍କର ୨୦୨୦ ମସିହାରେ ମୃତ୍ୟୁ ହୋଇଥିଲା ।
ତାଙ୍କ ମୃତ୍ୟୁ ପରେ ଗ୍ରାଚ୍ୟୁଇଟ ଓ ଅନ୍ୟାନ୍ୟ ବିଲ ବାବଦକୁ ଟଙ୍କା ବକେୟା ରହିଛି । ତେବେ ଅନେକ ଥର ମୃତକଙ୍କ ପୁଅ ପୀୟୂଷ ପ୍ରତୀକ ପୃଷ୍ଟି ସେକ୍ସନ ଅଫିସର ପ୍ରଭାତ କୁମାର ନାୟକଙ୍କ ସହ ଯୋଗାଯୋଗ କରିଥିଲେ ।
ପ୍ରଭାତ ମଧ୍ୟ ପୂର୍ବରୁ କାମ କରାଇଦେବା କହି ବହୁଥର ଟଙ୍କା ନେଇଥିଲେ । ଶେଷରେ ଆଜି ବାଲେଶ୍ୱରରୁ ଫେରିବା ବେଳେ ଆରଡ଼ି ଛକ ନିକଟରେ କାର ଅଟକାଇ ପୋଲ ତଳେ ମୃତକଙ୍କ ପୁଅଙ୍କ ନିକଟରୁ ୧୦ ହଜାର ଟଙ୍କା ନେଉଥିଲେ ।
ପୂର୍ବ ଯୋଜନା ମୁତବିକ ଭିଜିଲାନ୍ସର କର୍ମଚାରୀମାନେ ଲୁଚି ରହିଥିଲେ ଓ ଟଙ୍କା ନେବା ମାତ୍ରକେ ପ୍ରଭାତ ନାୟକଙ୍କୁ ଧରିଥିଲେ । ତେବେ ଭିଜିଲାନ୍ସ ଅଫିସ ପକ୍ଷରୁ ଅଧିକ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି ।

Related Posts

Seo wordpress plugin by www.seowizard.org.