Odisha News

ମାର୍ଚ୍ଚରେ ଖରା କଲବଲ କରିବା ପରେ ଏପ୍ରିଲ ପାଇଁ ଏବେଠାରୁ ଜାରି ହୋଇଛି ଆଲର୍ଟ

ଭୁବନେଶ୍ବର, ୨/୪ : ନିକଟରେ ସମାପ୍ତ ମାର୍ଚ୍ଚ ମାସ ଗତ ୧୨୧ ବର୍ଷରେ ସବୁଠାରୁ ଗରମ ମାର୍ଚ୍ଚ ମାସ ଥିଲା । ଏହି ମାସରେ ହାରାହାରି ତାପମାତ୍ରା ଅନ୍ୟ ବର୍ଷଗୁଡ଼ିକର ମାର୍ଚ୍ଚମାସ ତୁଳନାରେ ଟିକିଏ ଅଧିକ ଥିଲା ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି । କିନ୍ତୁ ଏପ୍ରିଲ ମାସରେ ବି ଗରମରୁ ନିସ୍ତାର ମିଳିବାର ସମ୍ଭାବନା କମ । କାରଣ ନିକଟ ଭବିଷ୍ୟତରେ ବର୍ଷା ହେବାର ସମ୍ଭାବନା କମ ବୋଲି ସ୍କାଏମେଟ କହିଛି ।
ଗତ ମାର୍ଚ୍ଚ ମାସରେ ସାରା ଦେଶରେ ହାରାହାରି ସର୍ବୋଚ୍ଚ ତାପମାତ୍ରା ଥିଲା ୩୩.୧ ଡିଗ୍ରୀ ସେଲସିୟସ । ଏହା ଅନ୍ୟ ବର୍ଷର ମାର୍ଚ୍ଚ ମାସର ହାରାହାରି ସର୍ବୋଚ୍ଚ ତାପମାତ୍ରା ତୁଳନାରେ ୧.୮୬ ଡିଗ୍ରୀ ସେଲସିୟସ ଅଧିକ । ୧୯୮୧ରୁ ୨୦୧୦ ମଧ୍ୟରେ ରେକର୍ଡ କରାଯାଇଥିବା ହାରାହାରି ମାର୍ଚ୍ଚ ତାପମାତ୍ରା ୩୧.୨୪ ଡିଗ୍ରୀ ରହିଆସିଛି ।
ବିଭିନ୍ନ କାରଣରୁ ଏବର୍ଷର ମାର୍ଚ୍ଚ ମାସ ଗରମ ଥିଲା । ପ୍ରଥମ କାରଣ ହେଉଛି ବର୍ଷାର ଅଭାବ । ଏହି ମାସରେ କାଁ ଭାଁ ବର୍ଷା ହୋଇଥିଲା । ସେହିପରି ଉତ୍ତରପଶ୍ଚିମ ଦିଗ ପାକିସ୍ତାନର ବେଲୁଚିସ୍ତାନ ଅଂଚଳରୁ ଗରମ ହାଓ୍ବା ଭାରତକୁ ପ୍ରଭାବିତ ହେଉଥିଲା ।
ଏଥିପାଇଁ ଉତ୍ତର ଭାରତରେ ଅଧିକ ଗରମ ଥିଲା । ଦିଲ୍ଲୀ ପାଇଁ ଚଳିତ ବର୍ଷର ମାର୍ଚ୍ଚ ଥିଲା ୪ର୍ଥ ସବୁଠାରୁ ଗରମ ମାର୍ଚ୍ଚ ମାସ । ଏହି ମାସରେ ହାରାହାରି ତାପମାତ୍ରା ଥିଲା ୩୨.୬ ଡିଗ୍ରୀ ସେଲସିୟସ । ଗତ ବର୍ଷ ମାର୍ଚ୍ଚରେ ଏହା ୩୩.୧ ଡିଗ୍ରୀ ସେଲସିୟସ ଥିଲା ଓ ୨୦୦୪ରେ ଏହା ଥିଲା ୩୩.୪ ଡିଗ୍ରୀ ସେଲସିୟସ । ୧୯୫୩ରେ ଦିଲ୍ଲୀରେ ମାର୍ଚ୍ଚ ମାସରେ ହାରାହାରି ସର୍ବୋଚ୍ଚ ତାପମାତ୍ରା ଥିଲା ୩୪.୪ ଡିଗ୍ରୀ ସେଲସିୟସ ।

Related Posts

Seo wordpress plugin by www.seowizard.org.