Odisha News

ଭାରତ ବନ୍ଦକୁ ସମର୍ଥନ ଜଣାଇ ଡାକ ଓ ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୯/୩: କେନ୍ଦ୍ର ସରକାରଙ୍କ ବିଭିନ୍ନ ନିତିକୁ ବିରୋଧ କରି ୧୦ଟି ଟ୍ରେଡ ୟୁନିଆନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦର ପ୍ରଭାବ ବୌଦ୍ଧଜିଲ୍ଲାର ଦେଖିବାକୁ ମିଳିନଥିଲା । ସମସ୍ତ ଦୋକାନ ବଜାର ଖୋଲା ରହିବା ସହିତ ଗାଡି ମଟର ଚଳାଚଳ ଜାରି ରହିଥିଲା । କେବଳ କେତେକ ବ୍ୟାଙ୍କ ସହିତ ଡାକ କାର୍ଯ୍ୟାଳୟ ଗୁଡିକ ବନ୍ଦ ରହିଥିଲା ।
ବ୍ୟାଙ୍କ ଓ ଡାକ କର୍ମଚାରୀମାନେ ଆନ୍ଦୋଳନରେ ସାମିଲଥିଲେ । ବ୍ୟାଙ୍କ ଓ ଡାକ କାର୍ଯ୍ୟାଳୟ ଗୁଡିକ ବନ୍ଦ ରହିଥିବା ଯୋଗୁଁ ଲୋକଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଥିବା ଦେଖିବାକୁ ମିଳିଥିଲା । ଡାକକର୍ମଚାରୀମାନେ ସହରସ୍ଥିତ ଡାକ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ବିଭିନ୍ନ ସ୍ଲୋଗାନ ମାନ ଦେଇଥିଲେ । ଆଇନ ଶୃଙ୍ଖଳାକୁ ଆଖି ଆଗରେ ରଖି ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।
ମାଁମୁକୁ ହତ୍ୟା ଅଭିଯୋଗରେ ଭଣଜାକୁ ଆଜୀବନକାରାଦଣ୍ଡାଦେଷ
ବୌଦ୍ଧ,୨୯/୩: ବୌଦ୍ଧଥାନା ଅନ୍ତର୍ଗତ ତାଳପଦର ଗ୍ରାମରେ ଗତ ୨୦୧୮ ମସିହାରେ ଏକ ହତ୍ୟାକଣ୍ଡ ଘଟିଯାଇଥିଲା । ଏହି ହତ୍ୟାକାଣ୍ଡର ରାୟ ସୋମବାର ପ୍ରକାଶ ପାଇଛି । ଜିଲ୍ଲାଜଜ ବିକ୍ରମ କୁମାର ପ୍ରଧାନ ଏହି ମକଦ୍ଦମାର ବିଚାର କରି ତାଙ୍କ ରାୟରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଷ ଦେବା ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଆଉ ଅଧିକ ଛଅ ମାସ କାରାଦଣ୍ଡ ବୋଲି ରାୟରେ ଶୁଣାଇଛନ୍ତି । ଅଭିଯୁକ୍ତ ଜଣକ ହେଲେ ତାଳପଦର ଗ୍ରାମର ସୁଧାଂଶୁ ମୁଖୀ ।
ମିଳିଥିବା ସୁଚନା ଅନୁଯାଇ, ତାଳପଦର ଗ୍ରାମର ସୁଧାଂଶୁ ମୁଖୀ ଗତ ୨୩.୩.୧୮ ତାରିଖରେ ପ୍ରାତଃ ୪ ଘଣ୍ଟା ସମୟରେ ଗ୍ରାମରେ ଥିବା ମାଁମୁ ଭାଗବତ ନାଏକଙ୍କ ଘରକୁ ଯାଇ କାହାକୁ କିଛି ନ ଜଣାଇ ସାଇକେଲଟି ନେଇଯାଇଥିଲେ । ଅପରାହ୍ନ ୧୨ ଘଣ୍ଟା ସମୟରେ ସାଇକଲଟିକୁ ଆଣି ଦେଇଥିଲେ । ଏହାକୁ ନେଇ ମାଁମୁ ଭଣଜାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ତାପର ଦିନ ଭାଗବତ ଝାଡା ଯାଇ ଫେରି ଗାଁ ଦାଣ୍ଡରେ ଠିଆ ହୋଇଥିବା ଏହି ସମୟରେ ସୁଧାଂଶୁ ଏକ ପଥରେ ମାଁମୁଙ୍କୁ ଆକ୍ରମଣ କରିଥିଲା । ଫଳରେ ଭାଗବତ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ।
ଏନେଇ ଭାଗବତଙ୍କ ପତ୍ନୀ ବୌଦ୍ଧ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତିକରି ପୁଲିସ ଭାଗବତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହି ମକଦ୍ଦମାର ବିଚାର କରି ମାନ୍ୟବର କୋର୍ଟ ସମସ୍ତ ୧୨ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତିକରି ଅଭିଯୁକ୍ତ ସୁଧାଂଶୁକୁ ଆଜିବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ଜରିମାନା ଆଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଏହି ମକଦ୍ଦମାକୁ ସରକାରୀ ଓକିଲ ସବିତା କୁମାରୀ ପଣ୍ଡା ପରିଚାଳନା କରୁଥିଲେ ।
ଋାଧେଶ୍ୟାମ କେଡିଆ ହେଲେ ବୌଦ୍ଧ ମାରୱାଡି ସମାଜର ନୂତନ ସଭାପତି
ବୌଦ୍ଧ,୨୯/୩: ବୌଦ୍ଧ ମାରୱାଡି ସୋସାଇଟିର ନୂତନ ସଭାପତି ଭାବେ ଋାଧେଶ୍ୟାମ କେଡିଆଙ୍କୁ ମନୋନିତ କରାଯାଇଛି,ରବିବାର ସଂନ୍ଧ୍ୟାରେ ଅନୁଷ୍ଠିତ ବୈଠକରେ ଆଗାମୀ ୨ ବର୍ଷ ନିମନ୍ତେ ବୌଦ୍ଧ ମାରୱାଡି ସମାଜର ନୂତନ କର୍ମକର୍ତା ନିର୍ବାଚନ କରାଯାଇଥିଲା ।
ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଗୌରିଶଙ୍କର ଅଗ୍ରୱାଲା ନିର୍ବାଚନ ଅଧିକାରୀ ଭାବେ ସଭା ପରିଚାଳନା କରିଥିଲେ, ନିର୍ବାଚନ ପୂର୍ବରୁ ମାରୱାଡି ସୋସାଇଟିର ସାଧାରଣ ସଭା ସଭାପତି ଉମାଶଙ୍କର ଅଗ୍ରୱାଲାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ।
ବୈଠକରେ ସମାଜରେ ରହିଥିବା ବିଭିନ୍ନ ସମସ୍ୟା ନେଇ ସଦସ୍ୟମାନେ ଆଲୋଚନା କରିଥିଲେ । ସୋସାଇଟିରେ ନୂତନ ସଦସ୍ୟ ଭାବେ ୧୦ ଜଣଙ୍କୁ ସାମିଲ କରାଯାଇଥିଲା । ସଂପାଦକ ସୁନ୍ଦରପ୍ରକାଶ ଅଗ୍ରୱାଲା, କୋଷାଧ୍ୟକ୍ଷ ନାରାୟଣ ପ୍ରସାଦ ଅଗ୍ରୱାଲା ପ୍ରମୁଖ ବୈଠକ ପରିଚାଳନାରେ ସହଯୋଗ କରିଥିଲେ, ବୈଠକରେ ସୋସାଇଟିର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ ।

କ୍ରିକେଟ ଟୁର୍ଣ୍ଣାମେଂଟରେ ମୁଷୁଣ୍ଢିର ଏମ୍ସିସି ଷ୍ଟ୍ରମ ଦଳ ଚମ୍ପିଆନ

ବୌଦ୍ଧ,୨୯/୩: ବୌଦ୍ଧ ସହରର କଚେରୀ ପଡିଆରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଂଟରେ ମୁଷୁଣ୍ଢିର ଏମ୍ସିସି ଷ୍ଟ୍ରମ ଦଳ ବିଜୟ ଲାଭ କରି ଚମ୍ପିଆନ ହୋଇଛି,ମର୍ଣ୍ଣିଙ୍ଗ କ୍ରିକେଟ ବୟ୍ଜ୍ ଗୃପ ପକ୍ଷରୁ ଆୟୋଜିତ ଜିଲାସ୍ତରୀୟ ପ୍ରଥମ କ୍ରିକେଟ ଟୁର୍ଣ୍ଣାମେଂଟରେ ୮ ଟି ଦଳ ଅଂଶ ଗ୍ରହଣ କରିଥିଲେ ।
ଫାଇନାଲ ଖେଳ ମର୍ଣ୍ଣିଙ୍ଗ କ୍ରିକେଟ ବୟ୍ଜ୍ ଗୃପ ଓ ମୁଷୁଣ୍ଢିର ଏମ୍ସିସି ଷ୍ଟ୍ରମ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା,ମୁଷୁଣ୍ଢିର ଏମ୍ସିସି ଷ୍ଟ୍ରମ ଦଳ ଭଲ ଖେଳ ପ୍ରଦର୍ଶନ କରି ୭ ରନରେ ବିଜୟ ଲାଭ କରିଥିଲା ।
ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ନବନିର୍ବାଚିତ ଏନ୍ଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର । ସମ୍ମାନିତ ଅତିଥି ଭାବେ ରାକେଶ ପ୍ରଧାନ ଯୋଗଦେଇ ଚମ୍ପିଆନ ଓ ରନର୍ସଅପ ଦଳକୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ,ମେନ ଅଫଦି ମ୍ୟାଚ ଭାବେ ଆରତ ଭୋଇ ଓ ମ୍ୟାନ ଅଫ ଦ ସିରିଜ ଭାବେ ଧମେନ୍ଦ୍ର ମାଝିଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା, ବିପୁନା ପାତ୍ର, ପ୍ରତାପ ନାୟକ, ରଞ୍ଜିତ ମହାରଣା ପ୍ରମୁଖ କ୍ରିକେଟ ଟୁର୍ଣ୍ଣାମେଂଟ ପରିଚାଳନାରେ ସହଯୋଗ କରିଥିଲେ ।
ଓଡ଼ିଶା ଗୁଡ଼ିଆ ସମାଜ ରାଜ୍ୟକାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ବୌଦ୍ଧ,୨୯/୩ : ବୌଦ୍ଧ ଜିଲ୍ଲାରେ ଓଡ଼ିଶା ଗୁଡ଼ିଆ ସମାଜର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଇଷ୍ଟଦେବ ଶ୍ରୀ ଗଣେଷଙ୍କ ପୂଜନ କରାଯାଇଥିଲା ।
ଓଡ଼ିଶା ଗୁଡ଼ିଆ ସମାଜ ର ରାଜ୍ୟ ସଭାପତି ପ୍ରଭାତ କୁମାର ସାହୁଙ୍କ ସଭାପତିତ୍ୱ ତଥା କ୍ଷେତ୍ରବାସୀ ସାହୁଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ ରାଜ୍ୟକାର‌୍ୟ୍ୟକାରୀ ସଭାପତି ବିଶ୍ୱନାଥ ସାହୁ, ସାଧାରଣ ସମ୍ପାଦକ ରାଜେନ୍ଦ୍ର ସାହୁ,ଯୁବ ସଂଗଠନ ସଭାପତି ଜୟଦେବ ସରଫ ଉପସ୍ଥିତ ଥିଲେ । ଏଥିରେ ସମାଜର ଉନ୍ନତି ଓ ବିଭିନ୍ନ ପ୍ରସ୍ତାବ ଗୁଡିକ ଆଗତ କରାଗଲା ।
ପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୁଡିକ ଗୃହୀତ ହେଲା । ଯୁବ ସଂଘଠନକୁ ଅନୁମୋଦନ ପ୍ରଦାନ ପୂର୍ବକ ସମସ୍ତ କ୍ଷମତା ପ୍ରଦାନ କରାଗଲା ।
ସମାଜ ପ୍ରତି ନିଜର ଉତ୍ସର୍ଗୀକୃତ ସେବା ପାଇଁ ବିଭିନ୍ନ ବ୍ୟକ୍ତିଙ୍କୁ ଏହି ଅବସରରେ ଅଂଗବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଗଲା । ଶେଷରେ ବୌଦ୍ଧ ଜିଲ୍ଲାର ସାଧାରଣ ସମ୍ପାଦକ ଦେବକିଶୋର ସାହୁ ଓ ରିତୁ ସାହୁ ଧନ୍ୟବାଦ ଅର୍ପଣ କଲେ ।

Related Posts

Seo wordpress plugin by www.seowizard.org.