Odisha News

ବୌଦ୍ଧ ମହାନଦୀ କୁଲିପଡା ଘାଟର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଊଦଘାଟନ କଲେ ମନ୍ତ୍ରୀ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୯/୧୧: ବୌଦ୍ଧଗଡ ଏନଏସି ଅନ୍ତର୍ଗତ କୁଲିପଡା ଘାଟର ଉନ୍ନତିକରଣ କାର୍ଯ୍ୟ ଏନଏସି ପକ୍ଷରୁ ହାତକୁ ନିଆଯାଇ ମଙ୍ଗଳବାର ଦିନ ଏହାକୁ ଲୋକାର୍ପିତ କରାଯାଇଛି । ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ,ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ଘାଟ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଉଦଘାଟନ କରିଛନ୍ତି ।
ଉଦଘାଟନୀ ଉତ୍ସବ ଅବସରରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର, ଉପାଧ୍ୟକ୍ଷା ସୁଭାଷିନୀ ସେଠୀ, ନିର୍ବାହୀ ଅଧିକାରୀ ଅଶୋକ କୁମାର ସେଠୀ, ବରିଷ୍ଠ ଆଇନଜିବୀ ଧୂରୀଣ କୁମାର ଦେହୁରୀ,କାଉନସିଲର ସ୍ୱର୍ଣ୍ଣଲତା ଦଳେଇଙ୍କ ସମେତ ସହରର ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ ।
ଡିସେମ୍ବର ୩ ରୁ ଅଷ୍ଟାଦଶ ବୌଦ୍ଧ ପୁସ୍ତକମେଳା
ବୌଦ୍ଧ,୨୯/୧୧: ବୌଦ୍ଧଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ୍‌୍ ତରଫରୁ ଆୟୋଜିତ ହୋଇ ଆସୁଥିବା ବୌଦ୍ଧ ପୁସ୍ତକମେଳା ଆସନ୍ତା ଡିସେମ୍ବର ୦୩ ତାରିଖରୁ ୦୮ ତାରିଖ ଯାଏଁ କଚେରୀ ଖେଳପଡିଆରେ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଚଳିତବର୍ଷ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ପ୍ରତିଭାଧରଙ୍କୁ ସମ୍ବର୍ଦ୍ଧିତ କରିବାପାଇଁ ସେମାନଙ୍କ ନାମ ଘୋଷଣା କରାଯାଇଛି ।
ଡିସେମ୍ବର ୭ ତାରିଖରେ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ୍‌୍‌ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ସ୍ମରଣିକା ‘ବୌଦ୍ଧ ବାର୍ତ୍ତାବହ’ ମଧ୍ୟ ଉନ୍ମୋଚିତ ହେବ । ଏହି ଅବସରରେ ସାମ୍ବାଦିକତା, ସାହିତ୍ୟ, ସମାଜସେବା, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁସ୍ତକମେଳା ସମ୍ମାନ ପ୍ରଦାନ କରାଯିବ । ସାମ୍ବାଦିକତା କ୍ଷେତ୍ରରେ ରାଜ୍ୟସ୍ତରରେ ବିଶେଷ ସଫଳତା ହାସଲ କରିଥିବା ବରିଷ୍ଠ ମହିଳା ସାମ୍ବାଦିକା ବବିତା ସ୍ୱାଇଁଙ୍କୁ ଚଳିତଥର ବାର୍ତ୍ତାବହ ସମ୍ମାନରେ ସମ୍ମାନିତ କରାଯିବ ।
ସେହିପରି ସାହିତ୍ୟ କ୍ଷେତ୍ରରେ ରାଜ୍ୟସ୍ତରରେ ପ୍ରତିଷ୍ଠା ଲାଭ କରିଥିବା ଗାୟତ୍ରୀ ସରାଫଙ୍କୁ ପୁସ୍ତକମେଳା ଅବସରରେ ବନମାଳୀ ପାଣିଗ୍ରାହୀ ସ୍ମୃତି ସମ୍ମାନ ପ୍ରଦାନ କରାଯିବ । ଏହା ସହିତ ଜିଲ୍ଲାସ୍ତରରେ ପୁସ୍ତକମେଳା ସମ୍ମାନରେ ସାମ୍ବାଦିକତା କ୍ଷେତ୍ରରେ ମୁଦ୍ରିତ ଗଣମାଧ୍ୟମରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମ୍ବାଦିକ ଭାଗବତ ମେହେର, ବୈଦ୍ୟୁତିକ ଗଣମାଧ୍ୟମରେ ଅବଦୁଲ ମହସିନ ଖାନ, ସାହିତ୍ୟ କ୍ଷେତ୍ରରେ ସତ୍ୟନାରାୟଣ ସାହୁ ଓ ସମାଜସେବା କ୍ଷେତ୍ରରେ ବୌଦ୍ଧଜିଲ୍ଲା ପ୍ରାଣୀ କଲ୍ୟାଣ ମଞ୍ଚକୁ ସମ୍ବର୍ଦ୍ଧିତ କରାଯିବ ।
ଏଥିସହିତ ବୌଦ୍ଧଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରିବାକୁ ବୈଠକରେ ସ୍ଥିରିକୃତ ହୋଇଛି । ଡିସେମ୍ବର ୦୩ ରୁ ୦୮ ତାରିଖ ମଧ୍ୟରେ ଜିଲ୍ଲାର ବହୁ ଅନୁଷ୍ଠାନଙ୍କ ଦ୍ୱାରା ସାହିତ୍ୟସଭା, କବିତା ଆସର, ଆଲୋଚନାଚକ୍ର, ପୁସ୍ତକ ଉନ୍ମୋଚନ, କର୍ମଶାଳା, ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ, ଚିତ୍ରାଙ୍କନ ଓ ବିତର୍କ ପ୍ରତିଯୋଗିତା ଇତ୍ୟାଦିି ଅନୁଷ୍ଠିତ ହେବ । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ଜିଲ୍ଲାବାହାରୁ ଅନୁଷ୍ଠାନମାନେ ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ଓ ବିଭିନ୍ନ ସଙ୍ଗୀତ ସନ୍ଧ୍ୟା ମଧ୍ୟ ଆୟୋଜିତ ହେବ । ଜର୍ଣ୍ଣାଲିଷ୍ଟ ଫୋରମ୍‌୍‌ର ସଭାପତି ଦିବ୍ୟଶଙ୍କର ରାଉତ ଓ ସାଧାରଣ ସଂପାଦକ ଯୁଗଳ କିଶୋର ସାମଲ ଏ ସଂପର୍କରେ ସବିଶେଷ ସୂଚନା ଦେଇଛନ୍ତି ।
ବୌଦ୍ଧ ଜିଲ୍ଲା ରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ଉଦଘାଟିତ
ବୌଦ୍ଧ,୨୯/୧୧: ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ରଥ ଉଦଘାଟିତ ହୋଇଛି । ବୌଦ୍ଧ ଜିଲ୍ଲାରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇଅଛି । ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ରଥର ଶୁଭାରମ୍ଭ କରିଥିଲେ । ଏହି ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ରଥ ସମଗ୍ର ଜିଲ୍ଲା ପରିକ୍ରମା କରିବ ।
ବୌଦ୍ଧ ସଦର ବ୍ଲକ ମୁରୁଶୁଣ୍ଢୀ ପଂଚାୟତ ଠାରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମୁରୁଶୁଣ୍ଢୀ ପଂଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଙ୍କ ସମତେ ଅନ୍ୟ ଅଧିକାରୀ, ନିର୍ବାଚିତ ପ୍ରତିନିଧି, ମହିଳା ଗୋଷ୍ଠୀ ସଦସ୍ୟା, ଅଙ୍ଗନବାଡି , ଆଶାକର୍ମୀମାନେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ରଥକୁ ସ୍ୱାଗତ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ଉପରେ ଅବଗତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ବାର୍ତା ପ୍ରସାରଣ ପରେ ବିକଶିତ ଭାରତ ସଙ୍କଳ୍ପ ନେଇ ସମସ୍ତେ ଶପଥ ପାଠ କରିଥିଲେ ।
ସେହିପରି ବଢିଗାଁ ଠାରେ ମଧ୍ୟ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ ର ଡେପୁଟି ସେକ୍ରେଟେରୀ ବିକ୍ରମ କେଶରୀ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ, ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବ ପ୍ରିୟ କମ୍ପ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ରୂପକ ମହାପାତ୍ର, ବୌଦ୍ଧ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ ପାଣି ଉଡ୍ଡୁ , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂ, ସହକାରୀ ଜିଲ୍ଲାପାଳ ଚନ୍ଦ୍ରକାନ୍ତ ବେହେରା ପ୍ରମୁଖ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ ।

Related Posts

Seo wordpress plugin by www.seowizard.org.