Odisha News

ବୌଦ୍ଧ: ଭିନ୍ନକ୍ଷମ ପାଇଲେ ମାଗଣା ଚାରିଚକିଆ ସ୍କୁଟି

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୫/୩: ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତି କରଣ ଓ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ସହରର ଜଣେ ଭିନ୍ନକ୍ଷମଙ୍କୁ ମାଗଣାରେ ଏକ ଚାରିଚକିଆ ସ୍କୁଟି ପ୍ରଦାନ କରାଯାଇଛି । କାହାରି ଉପରେ ନିର୍ଭରଶିଳ ନହୋଇ ସ୍ୱାବଲମ୍ବି ହେବାପାଇଁ ବିଭାଗ ପକ୍ଷରୁ ଏହି ଯାନଟି ସହରର ୯ନଂ ୱାର୍ଡର ଭରତ ନାୟକଙ୍କୁ ପ୍ରଦାନ କରାଯାଇଛି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ସତ୍ୟ ରଂଜନ ସାହୁ, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଏନ.ଏ.ସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଉପ ଜିଲ୍ଲାପାଳ ରବିନ୍ଦ୍ରନାଥ କହଁର, ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂପ୍ରମୁଖ ଉପସ୍ଥିତ ହୋଇ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଏହି ଯାନଟି ପ୍ରଦାନ କରିଥିଲେ । ସ୍କୁଟିପାଇ ଭିନ୍ନକ୍ଷମ ବ୍ୟକ୍ତିଟି ଖୁସିହେବାସହ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି ବ୍ୟକ୍ତିଙ୍କ ପରିବାର ଲୋକେ ।
ବୌଦ୍ଧ : ବିଶ୍ୱ ଯକ୍ଷ୍ମା ଦିବସ ପାଳିତ
ବୌଦ୍ଧ,୨୫/୩ : ବୌଦ୍ଧଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡା, ବିକେ ହେମ୍ବ୍ରମଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା, ମଦନମୋହନ ପ୍ରଧାନ ଯୋଗଦେଇ ୨୦୨୫ ସୁଦ୍ଧା ଯକ୍ଷ୍ମାର ସଂପୂର୍ଣ୍ଣ ନିରାକରଣ ପାଇଁ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ ।
ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା, ସଂଘମିତ୍ରା ପାଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସସ୍ମିତା ପ୍ରଧାନ ଯୋଗଦେଇ ସଚେତନତା ବୃଦ୍ଧି ହେଲେ ଯକ୍ଷ୍ମା ରୋଗର ଦୂର କରାଯାଇ ପାରିବ ବୋଲି କହିଥିଲେ ।
ବୌଦ୍ଧ : କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ବୌଦ୍ଧ,୨୫/୩ : ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ନବ କୁମାର ମଶ୍ରଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଦେଶରେ ଚାଲିଥିବା ତାନାସାହି ଶାସନ ଦ୍ୱାରା ବର୍ତ୍ତମାନ ଗଣତନ୍ତ୍ର ବିପଦ ପୂର୍ଣ୍ଣ ହୋଇଥିବା ନାରାବାଜି ଦେବା ସହ ରାହୁଳ ଗାନ୍ଧୀଙ୍କୁ ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନୈତିକ ସମର୍ଥନ ଜଣାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲା ମୁଖପାତ୍ର ଶାନ୍ତନୁ ମହାପାତ୍ର, ପୂର୍ବତନ ପିସିସି ସଭ୍ୟ ରାୟ ସଂଜିବ କୁମାର ଦେଓ, ଜିଲ୍ଲା ଉପସଭାପତି ସମରେଶ ମିଶ୍ର, ତାରେଣୀ ଜେନା, ପ୍ରଦ୍ୟୁମ୍ନ ଧଳ,ବୁଦ୍ଧଦେବ ପ୍ରଧାନ, ପଙ୍କଜ କର୍ଣ୍ଣ,ଟି.କ୍ରିଷ୍ଣା ରାଓ,ଶିବ ବେହେରା,ସମରେନ୍ଦ୍ର ମହାକୁଳ,ରହିତାଶ୍ୱ ବେହେରା, ଅର୍ଜ୍ଜୁନ ମହାନନ୍ଦିଆ, ନାରାୟଣ ବେହେରା,ପ୍ରଦିପ ପ୍ରଧାନ,ଗିରିଧାରି ପ୍ରଧାନ,ଝରିଆ ସାହୁ,ମିଟୁ ଦନାୟକ,ବେଣୁଧର ମେହେର, ଅଭିଳାଷ ସ୍ୱାଇଁ,ଗୋପାଳ ବାଘ,ନିତେଶ ମେହେର ପ୍ରମୁଖ ସାମିଲଥିଲେ ।
ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି କାରୀଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ସରପଞ୍ଚ
ବୌଦ୍ଧ,୨୫/୩ : ବୌଦ୍ଧ ଜିଲ୍ଲା ବହିରା ପଞ୍ଚାୟତର ଜୁରାମଣ୍ଡା ଗ୍ରାମଟି ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ଠାରୁ ୪ କିମି ଦୂରରେ ଅବସ୍ଥିତ । ଗ୍ରାମରେ ବିଭିନ୍ନ ଉନ୍ନୟନ କାମରେ ଗ୍ରାମର ବର୍ତ୍ତମାନ ବୌଦ୍ଧ ସଦର ରାଜସ୍ୱ ନିରିକ୍ଷକ ଓ ତାଙ୍କ ବାପା ବାଧକ ସାଜିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ବର୍ତ୍ତମାନ ଗ୍ରାମରେ କଂକ୍ରିଟ ରାସ୍ତା ନିର୍ମାଣ ଚାଲିଥିବା ବେଳେ କୁଆଡେ ସଦର ଆରଆଇ ଓ ତାଙ୍କ ବାପା କାମ ନକରିବାକୁ ବୌଦ୍ଧ ବ୍ଳକର କନିଷ୍ଠ ଯନ୍ତ୍ରୀଙ୍କ ପାଖରେ ଅଭିଯୋଗ କରିବା ପରେ କୁଆଡେ କନିଷ୍ଠ ଯନ୍ତ୍ରୀ କାମ ନକରିବାକୁ ମନାକରି ଦେଇଛନ୍ତି ।
ରାସ୍ତା କାମ ନହେଲେ ଗ୍ରାମରେ ବର୍ଷା ଦିନେ ବହୁ ଅସୁବିଧା ହେଉଥିବା ଗ୍ରାମାବସୀ ଅଭିଯୋଗ କରିବା ସହ ଛୋଟ ଛୋଟ ପିଲା ମାନେ ବିଦ୍ୟାଳକୟକୁ ଯିବା ଆସିବାରେ ଅସୁବିଧା ହେଉଥିବା ମଧ୍ୟ ଅଭିଯୋଗ କରଛନ୍ତି । ସଦର ଆରଆଇ ଓ ତାଙ୍କ ବାପା ଗ୍ରାମରେ ହେଉଥିବା ବିଭିନ୍ନ ଉନ୍ନୟନ ମୁଳକ କାମରେ ମଧ୍ୟ ଅସୁବିଧା ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି । ଏନେଇ ଶୁକ୍ରବାର ଦିନ ଗ୍ରାମବାସୀ ମାନେ ସରପଞ୍ଚଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି । ତୁରନ୍ତ ଏହାର ତଦନ୍ତ କରି ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।
ବୌଦ୍ଧ : ଜିଲ୍ଲାରୁ ରାଜ୍ୟକୁ ଗଲା ୨୫,୯୫,୦୪୧ ଟଙ୍କା ରେଡକ୍ରସ ପାଣ୍ଠି
ବୌଦ୍ଧ,୨୫/୩ : ବୌଦ୍ଧ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ରାଜ୍ୟ ରେଡକ୍ରସ ପାଣ୍ଠିକୁ ୨୫,୯୫,୦୪୧ ଟଙ୍କାର ସହଯୋଗ ରାଶି ପ୍ରେରଣ କରାଯାଇଛି। ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଚେକ ଆକାରରେ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ୨୦୧୬ ମସିହାଠାରୁ ରାଜ୍ୟ ରେଡକ୍ରସକୁ ଜିଲ୍ଲାରୁ କୌଣସି ଅର୍ଥରାଶି ପ୍ରେରଣ କରାଯାଇନାହିଁ ।
୧୪.୮.୨୦୨୨ରେ ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ ଭାବରେ ଶ୍ରୀ ସତ୍ୟରଞ୍ଜନ ସାହୁ କାର୍ଯ୍ୟରେ ଯୋଗଦାନ କରିବା ପରଠାରୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ବହୁ ଅସହାୟ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ କରାଯାଇଛି ।
ପ୍ରତିଦିନ ବହୁ ଅସହାୟ ଲୋକଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସହାୟତା ପ୍ରଦାନ କରାଉଛି । ଜିଲ୍ଲାରେ ଅନୁଷ୍ଠିତ ପ୍ରତ୍ୟେକ ଜନଶୁଣାଣି କାର୍ଯ୍ୟକ୍ରମରେ ମଧ୍ୟ ଅସହାୟଙ୍କୁ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।
ଜିଲ୍ଲାରେ ସଂଗୃହିତ ପାଣ୍ଠିର ଶତକଡ଼ା ୩୦ ଭାଗ ରାଜ୍ୟ ରେଡକ୍ରସକୁ ପଠାଇବା ରେଡକ୍ରସର ନିୟମ ରହିଛି,ହେଲେ ୨୦୧୬-୧୭ଠାରୁ କୌଣସି ଟଙ୍କା ପ୍ରେରଣ କରାଯାଇ ନାହିଁ । ଅନ୍ୟ ପକ୍ଷରେ ୨୦୧୬-୧୭ରେ ୯ ଜଣ, ୨୦୧୭-୧୮ରେ ୬ଜଣ, ୨୦୧୮-୧୯ରେ ୭ ଜଣ, ୨୦୧୯-୨୦ରେ ୨ ଜଣ, ୨୦୨୦-୨୧ରେ ୫୫ ଜଣ, ୨୦୨୧-୨୨ରେ ଜଣେ, ୨୦୨୨-୨୩ର ମାର୍ଚ୍ଚ ୨୩ ତାରିଖ ସୁଦ୍ଧା ୪୭ ଜଣ ଆଜୀବନ ସଦସ୍ୟଙ୍କଠାରୁ ଏକ ହଜାର ଟଙ୍କା ହିସାବରେ ୧ଲକ୍ଷ ୨୭ ହଜାର ଟଙ୍କା ସଂଗ୍ରହ ହୋଇଛି ।
ସେହିପରି ଦାନ ସୂତ୍ରରେ ୮୫,୨୩,୧୩୭ଟଙ୍କା ସଂଗ୍ରହ କରାଯାଇଛି। ଉଭୟ ରାଶିର ଶତକଡ଼ା ୩୦ ଭାଗ ହିସାବରେ ୨୫,୯୫,୦୪୧ ଟଙ୍କା ଜିଲ୍ଲା ପକ୍ଷରୁ ପ୍ରେରଣ କରାଯାଇଛି ।

Related Posts

Seo wordpress plugin by www.seowizard.org.