Odisha News

ବୌଦ୍ଧ: ବିଜୁବାବୁଙ୍କ ୨୬ତମ ଶ୍ରାଦ୍ଧ ଦିବସ ପାଳନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୮/୪ : ବୌଦ୍ଧଜିଲ୍ଲା ଯୁବ ବିଜେଡି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୬ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ସକାଳୁ ବୌଦ୍ଧ ମହାନଦୀ ସ୍ଥିତ ଚନ୍ଦ୍ରଚୁଡ ଘାଟରେ ତିଳତର୍ପଣ କରିଥିଲେ ।
ସେଠାରୁ ବ୍ରିଜଛକସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମନ୍ତ୍ରୀ ପ୍ରଦିପ କୁମାର ଅମାତ, ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର, ଜିଲ୍ଲାପର୍ଯ୍ୟବେକ୍ଷକ ସୌଭାଗ୍ୟ ରଂଜନ ନାଏକ, ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ଅଶୋକ କୁମାର ସାହୁ, ଚିତରଂଜନ ଦାସ, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ସୁବୋଧ ପ୍ରଧାନ, କମ୍ଭୁ କ୍ଷେତୀ, ପୂର୍ବତନ ଉପାଧ୍ୟକ୍ଷ ବସନ୍ତ ସ୍ୱାଇଁ ,ଏନଏସି ଉପାଧ୍ୟକ୍ଷା ସୁବାସିନୀ ସେଠୀ, ବିଦ୍ୟାଧର ସ୍ୱାଇଁଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତାମାନେ ମାଲ୍ୟାର୍ପଣ କରିଥିଲେ ।
ପରେ ବିଜୁପଟ୍ଟନାୟକ ଛକ ଠାରୁ ମହାନଦୀ ସେତୁ ପର୍ଯ୍ୟନ୍ତ ମନ୍ତ୍ରୀ ଶ୍ରୀ ଅମାତ ଓ ଦଳୀୟ ନେତା ଓ କର୍ମୀ ମାନେ ସଫେଇ କାର୍ଯ୍ୟ କରିଥିଲେ । ପରେ ଦଳ ପକ୍ଷରୁ ଜିଲ୍ଲା ରକ୍ତଭଣ୍ଡାର ଠାରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।
ଚାଲାଣ ପାଇଁ ପ୍ୟାକିଙ୍ଗ ହେଉଥିବାବେଳେ ପୋଲିସର ଅଚାନକ ଚଢାଉ,୮୪୦ କେଜି ଗଞ୍ଜେଇ ଜବତ
ବୌଦ୍ଧ; ୧୮/୪: ଅନ୍ୟତ୍ର ଚାଲାଣ ପାଇଁ ଜଙ୍ଗଲରେ ପ୍ୟାକିଙ୍ଗ ହେଉଥିବାବେଳେ ବିଶ୍ୱସ୍ତ ସୁତ୍ରରୁ ଖବରପାଇ ବୌଦ୍ଧ ପୋଲିସର ଅଚାନକ ଚଢାଉ କରାଯାଇଥିଲା । ଚଢାଉରେ ପୋଲିସକୁ ସମୁଦାୟ ୮୪୦ କେଜି ଗଞ୍ଜେଇ ବସ୍ତାରେ ମିଳିଥିବାବେଳେ ପ୍ୟାକିଙ୍ଗ କରୁଥିବା ଲୋକେ ସେଠାରୁ ଫେରାର ହୋଇଯାଇଥିଲେ । ବୌଦ୍ଧ ଆଦର୍ଶଥାନା ଅଧିକାରୀ ମାଧବାନନ୍ଦ ନାୟକଙ୍କ ନେତୃତ୍ୱରେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ଏହି ଚଢାଉରେ ସାମିଲ ଥିଲେ । ବଘିଆପଡା ଫାଣ୍ଡି ଅନ୍ତର୍ଗତ ପେଞ୍ଜାବାଲି ଗ୍ରାମ ନିକଟ ଜଙ୍ଗଲରୁ ଏହି ଗଞ୍ଜେଇ ସିଜ କରାଯାଇଛି ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।
ପ୍ରଭୁ ଶ୍ରୀରାମଙ୍କ ରାଜ୍ୟାଭିଷେକ ସହ ଉଦଯାପିତ ହେଲା ବୌଦ୍ଧର ଗଣପର୍ବ ରାମଲୀଳା ଯାତ୍ରା
ବୌଦ୍ଧ,୧୮/୪ : ଶ୍ରୀରମ ନବମୀ ଠାରୁ ଦୀର୍ଘ ୧୮ଦିନ ଧରି ବୌଦ୍ଧଜିଲ୍ଲାର ସର୍ବପୁରାତନ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ରାମଲୀଳା ନାଟ୍ୟସଂସଦ ପକ୍ଷରୁ ସ୍ଥାନୀୟ ମାରୁତୀମଣ୍ଡପ ଠାରେ ଚାଲିଆସୁଥିବା ବୌଦ୍ଧଗଡଜାତର ଗଣପର୍ବ ରାମଲୀଳା ଯାତ୍ରା ରବିବାର ଦିନ ଉଦଯାପିତ ହୋଇଛି ।
ମାରୁତି ମଣ୍ଡପ ଠାରେ ରାମଲୀଳା ଯାତ୍ରାରେ ମର୍ଯ୍ୟାଦା ପୁରୁଷତ୍ତଶ୍ରୀରାମଚନ୍ଦ୍ରଙ୍କ ଲୀଳାକୁ ନାଟକ ମାଧ୍ୟମରେ ରାମଜନ୍ମ ଠାରୁ ରାଜ୍ୟାଭିଷେକ ପର୍ଯ୍ୟନ୍ତ ନାଟକ ପରିବେଷଣ କରାଯାଇଥିଲା । ସମସ୍ତ ନାଟକ ଗୁଡିକ ରାମଲୀଳା ନାଟ୍ୟ ସଂସଦର କଳାକାର ମାନଙ୍କ ଦ୍ୱାରା ପରିବେଷଣ ହୋଇଥିଲା । ଏହି ଅନୁଷ୍ଠାନର ବ୍ରତୀମାନେ ୧୮ ଦିନ ଧରି ଗୃହତ୍ୟାଗୀ ହେବା ସହିତ ଦିନକୁ ଗୋଟିଏ ଓଳି ଅନ୍ନ ଭକ୍ଷଣ କରିବା ଓ ସମସ୍ତ ସୁଖ ସୁବିଧାକୁ ତ୍ୟାଗ କରି ଭୂମିରେ ଶୋଇବା ସହ ନିଷ୍ଠାର ସହିତ ଯାତ୍ରାରେ ଅଭିନୟ ପ୍ରଦର୍ଶନ କରିଥାନ୍ତି ।
୧୮ଦିନ ରାମଲୀଳା ଯାତ୍ରାର ମୁଖ୍ୟ ଆର୍କଷଣ ହେଉଛି ରାବଧ ବଧ । ଗତ ଶନିବାର ଦିନ ରାତି ତମାମ ରାମ ରାବଣଙ୍କ ସମର ଶୋଭାଯାତ୍ରା ବିରାଟ ପଟୁଆରରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲା ଷ୍ଟାଡିୟମ,ବାଘଗୁଡା ଛକ ଓ ଯାତ୍ରାପଡିଆଠାରେ ଉଭୟ ସେନା ମୁହାଁମୁହିଁ ହୋଇଥିଲେ । ଜିଲ୍ଲା ଷ୍ଟାଡିୟମ, ଯାତ୍ରାପଡିଆ ସମେତ ସହରର ବିଭିନ୍ନ ଛକରେ ଆତସବାଜୀ କାର୍ଯ୍ୟକ୍ରମ,ମେଲୋଡି କାର୍ଯ୍ୟକ୍ରମ ସହିତ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ରାତିସାରା ଦର୍ଶକମାନେ ଉପଭୋଗ କରିଥିଲେ ।
ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଯାତ୍ରାର ଅନ୍ତିମ ଦିବସରେ ସାମିଲ ହୋଇଥିଲେ । ଶେଷରେ ଯାତ୍ରା ପଡିଆଠାରେ ପରିବେଷଣ ହୋଇଥିଲା ନାଟକ ରାବଣ ବଧ । ରବିବାର ଦିନ ପ୍ରତ୍ୟୁଷରେ ୩୦ ଫୁଟ ଉଚ୍ଚର ରାବଣର ପ୍ରତିକୃତି ଶ୍ରୀରାମଙ୍କ ବ୍ରହ୍ମାସ୍ତ୍ରରେ ଖଣ୍ଡ ବିଖଣ୍ଡିତ ହେବାରେ ଚାରିଆଡେ ଜୟଶ୍ରୀରାମ ଧ୍ୱନି ଗୁଂଜରିତ ହୋଇ ଉଠିଥିଲା ।
ରାବଣବଧ ପରେ ରବିବାର ଦିନ ପ୍ରଭୁଶ୍ରୀରାମଙ୍କ ରାଜ୍ୟାଭିଷେକ ହୋଇଥିବାବେଳେ ଏଥି ପାଇଁ ମଧ୍ୟ ସାରା ସହରର ଉତ୍ସବ ମୁଖର ହୋଇପଡିଥିଲା । ଏହି ଅବସରରେ ଯାତ୍ରା ପଡିଆ ଠାରୁ ଏକ ସୁସଜ୍ଜିତ ରଥରେ ପ୍ରଭୁ ଶ୍ରୀରାମ , ଅନୁଜ ଲକ୍ଷ୍ମଣ, ମାତା ସୀତା ଓ ହନୁମାନଙ୍କୁ ସହରର ପରିକ୍ରମା କରାଯାଇଥିଲା । ଏହି ଶୋଭାଯାତ୍ରାରେ ଦୁଲଦୁଲି ସହିତ ବିଭିନ୍ନ ଘଣ୍ଟବାଦ୍ୟରେ କମ୍ପି ଉଠିଥିଲା ।
ମହିଳାଙ୍କୁ ଅସଦାଚରଣ ମାମଲା :ଅଭିଯୁକ୍ତକୁ ତିନି ବର୍ଷ କାରାଦଣ୍ଡାଦେଶ
ବୌଦ୍ଧ,୧୮/୪: ବୌଦ୍ଧ ଜିଲ୍ଲା ହରଭଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିଶ ଶୁଭଙ୍କର ମହାନ୍ତି ସୋମବାର ଦିନ ଏକ ମାମଲାର ବିଚାର କରି ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡାଦେଶ ଦେବା ସହ ୫୦୦୦ ଟଙ୍କା ଜୋରିମୋନା ଆଦେଶ ପ୍ରଦାନ କରିଛନ୍ତି । ମାମଲାରୁ ପ୍ରକାଶ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ପୁରୁଣାକଟକ ଥାନା ଅନ୍ତର୍ଗତ ବାହାଲି ଗ୍ରାମରେ ଗତ ୩. ୧୦. ୨୦୧୮ ରିଖରେ ବିଧବା ମହିଳା କୈକେୟି ପାତ୍ର ଘର ବାରଣ୍ଡାରେ ଶୋଇଥିବା ବେଳେ ଓ ତାର ୩ ଜଣ ନାବାଳକ ଛୁଆ ଘର ଭିତରେ ଶୋଇଥିଲେ । ଉକ୍ତ ଦିନ ରାତି ୨ ଟା ସମୟରେ ଗ୍ରାମର ଅଭିଯୁକ୍ତ ରଂଜନ ବଘାର (୩୫) ହଠାତ ଘରକୁ ପଶିଆସି ଘରର ବିଦ୍ୟୁତ ବଲବ ଖୋଲି ଘର ଅନ୍ଧାର କରିଦେଇଥିଲା ।
ଏହା ସହିତ ଘରେ ଶୋଇଥିବା ଛୁଆମାନଙ୍କୁ ତାଲା ପକାଇଦେଇଥିଲା । କୈକେୟିର ମୋବାଇଲ ଫୋନକୁ ନେଇଯାଇ ତାକୁ ଜବରଦସ୍ତ ଉଠାଇବାକୁ ଚେଷ୍ଟା କରିଥିଲା । ଯେତେବେଳେ ମହିଳାଜଣକ ଉଠିପଡିଛି ତାକୁ ଜବରଦସ୍ତ ଟଣାଓଟରା କରିବା ସହ ଅସଦାଚରଣ କରିବାକୁ ଲୁଗାପଟା ଅସ୍ତବ୍ୟସ୍ତ କରିପକାଇଥିଲା । ଭୟରେ ମହିଳା ଜଣକ ପିଲାଙ୍କୁ ଉଠାଇବାକୁ ଯିବା ସମୟରେ ପିଲାମାନେ ଶୋଇଥିବା ଘର ତାଲା ପଡିଥିଲା ।
ଘରର ଚାବି ପାଇବା ପରେ ତାଲା ଖୋଲିବା ପରେ ଘର ଆଲୁଅରେ ମହିଳା ଜଣକ ଅଭିଯୁକ୍ତକୁ ଚିହ୍ନି ପାରିଥିଲେ । ଏନେଇ ମହିଳା ଜଣକ କାର୍ହିକି ଆସିଛୁ ବୋଲି କହିବାରୁ ଅଭିଯୁକ୍ତ ସେଠାରୁ ପଲାଇଥିଲା । ସଙ୍ଗେ ସଙ୍ଗେ ମହିଳା ଜଣକ ଉକ୍ତ ରାତିରେ ନିଜର ଦେଢଶାଶୂୁଙ୍କୁ ଡାକି ଅଭିଯୁକ୍ତର ଘରୁକ ଯାଇ କାହିଁକି ଯାଇଥିଲୁ ଓ ମୋବାଇଲ ଦେବାକୁ ମାଗିବାରୁ ଅଭିଯୁକ୍ତଜଣକ ଗାଳିମନ୍ଦ କରିବା ସହ ମାଡମାରିବା ଧାଇଁଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ମହିଳା ଜଣକ ଗତ ୬.୧୦ ୨୦୧୮ ରିଖରେ ଅଭିଯୁକ୍ତ ଜଣ ଅସଦଚରଣ କରିଥିବା ନେଇ ପୁରୁଣାକଟକ ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗ ପରେ ପୁଲିସ ଥାନା କେସନଂ ୧୧୮/୧୮ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରିବର୍ତ୍ତର ସମୟରେ ମାମଲାଟି ଅଦାଲତରେ ସିଟି କେସ ୫୫୯/୧୮ ହୋଇ ବିଚାର ହୋଇଥିଲା । ଏହି ମାମଲାରେ ସରକାରଙ୍କ ପକ୍ଷରୁ ୮ ଜଣ ସାକ୍ଷୀଙ୍କ ବୟାନକୁ ଭିତି କରି ପ୍ରମାଣ ଥିବା ନେଇ ହରଭଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିଶ ଶୁଭଙ୍କର ମହାନ୍ତି ଅଭିଯୁକ୍ତ ରଂଜନ ବଘାରକୁ ୩ ବର୍ଷ କାରାଦଣ୍ଡାଦେଶ ସହ ୫୦୦୦ ଟଙ୍କା ଜୋରିମୋନା ଆଦେଶ ପ୍ରଦାନ କରିଛନ୍ତି । । ସରକାରଙ୍କ ପକ୍ଷରୁ ମାମଲାକୁ ସରକାରୀ ଓକିଲ ଦିଲିପ କୁମାର ଧଳ ଓ ଅଜିତ ପରିଡା ପରିଚାଳନା କରୁଥିଲେ ।
ଗୋଛାପଡାରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର
ବୌଦ୍ଧ,୧୮/୪ : ବୌଦ୍ଧ ବ୍ଳକ ଗୋଛାପଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ଉପସ୍ଥିତିରେ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଶିବିରରେ ସମୁଦାୟ ୨୮୫ ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୨୬୮ ଗୋଟି ବ୍ୟକ୍ତିଗତ ମାମଲା ଓ ୧୭ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା । ରେଡକ୍ରସ ପାଣ୍ଠିରୁ ୧୮ ଜଣଙ୍କୁ ଏକ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୩ ଜଣଙ୍କୁ ଏକ ଲକ୍ଷ ୧୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥିଲା । ଏହି ଶିବିରରେ ୧୩୯ ଗୋଟି ଅଭିଯୋଗର ତôତକାଳ ସମାଧାନ କରାଯାଇଥିଲା ଏଥି ସହିତ ୯ ଜଣଙ୍କୁ ଭତ୍ତା ପ୍ରଦାନଓ ୩ ଜଣଙ୍କୁ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା । ଏହି ଶିବିରରେ ବୌଦ୍ଧ ବ୍ଳକ ଅଧ୍‌ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥଙ୍କ ସମତେ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।
ଗଂଜେଇ ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ବୌଦ୍ଧ,୧୮/୪ ବୌଦ୍ଧଜିଲ୍ଲା ଦୌରାଜଜ ତଥା ସ୍ପେଶାଲ ଜଜ ବିକ୍ରମ କୁମାର ପ୍ରଧାନ ସୋମବାର ଦିନ ଏକ ଗଂଜେଇ ମାମଲାର ବିଚାର କରି ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ ଯେ ଗତ ୧୪.୮.୧୯ ତାରିଖରେ ବୌଦ୍ଧ ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିଶେଷ ସୁତ୍ରରୁ ଖବର ପାଇଲେ ଯେ ଫୁଲବାଣୀ ପଟୁ ବୌଦ୍ଧ ଆଡକୁ ଏକ ଧଳା ରଙ୍ଗର ମହିନ୍ଦ୍ରା ଟିୟୁଭି ଗାଡିରେ ଗଂଜେଇ ଚାଲାଣ ହେଉଅଛି ।
ଏନେଇ ଅବକାରୀ କର୍ମଚାରୀ ମାନେ ପୁରୁଣାକଟକ ଥାନା ଅର୍ନ୍ତଗତ ଫୁଲବାଣୀ –ଚାରିଛକ ରାସ୍ତାର ଭିମଖୋଲ ନାଳ ଟିକଟରେ ଗାଡିକୁ ସନ୍ଦେହରେ ଅଟକାଇଥିଲେ । କିନ୍ତୁ ଗାଡିର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଗାଡିରେ ବସିଥିବା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସାସପଦର ଗ୍ରାମର ଚୈତନ୍ୟ ଦିଗାଲଙ୍କୁ ଧରିବାରେ ସଫଳ ହୋଇଥିଲେ । ଅବକାରୀ କର୍ମଚାରୀ ମାନେ ଗାଡିରୁ ଦୁଇଗୋଟି ବସ୍ତାରୁ ୬୦ କେଜି ଗଂଜେଇ ଜବତ କରିବା ସହ ଗାଡିକୁ ମଧ୍ୟ ଜବତ କରିଥିଲେ ।
ଗଂଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ଚୈତନ୍ୟକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହି ମାମଲାଟି ପରିବର୍ତି ସମୟରେ ବୌଦ୍ଧଜିଲ୍ଲା ଦୌରାଜଜଙ୍କ ଅଦାଲତରେ (୨ଏ ସିସି ୧୦/୧୯ )ହୋଇ ବିଚାର ହୋଇଥିଲା । ୫ ଜଣ ସାକ୍ଷୀଙ୍କ ବୟାନକୁ ଭିତି କରି ପ୍ରମାଣ ଅଭାବରୁ ଅଦାଲତ ଅଭିଯୁକ୍ତ ଚୈତନ୍ୟକୁ ନିଦ୍ଦୋର୍ଷରେ ଖଲାସ କରିଛନ୍ତି । ଅଭିଯୁକ୍ତ ପକ୍ଷରୁ ମାମଲାକୁ ଆଇନଜୀବୀ ରାଜୀବ କୁମାର ଦଲାଲ ପରିଚାଳନା କରିଥିଲେ ।

Related Posts

Seo wordpress plugin by www.seowizard.org.