Odisha News

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଫୁଡ୍ ଫେଷ୍ଟିଭାଲ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୫/୧୨:ଓଡିଶା ସରକାରଙ୍କ ସମନ୍ଵିତ ଯୁବ ଉନ୍ନୟନ କାର୍ଯ୍ୟକ୍ରମ ଅନ୍ତର୍ଗତ ନୂଆ ଓଡିଶା ଯୋଜନା ଅନୁସାରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଅଭିନବ ଫୁଡ୍ ଫେଷ୍ଟିଭାଲ ଆୟୋଜିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଜିଲ୍ଲା ପରିଷଦର ଅଧ୍ୟକ୍ଷା ପ୍ରଭାସିନି ଦାସ ଯୋଗଦେଇ ଉଦଘାଟନ କରି ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ବ୍ୟଂଜନ ସବୁ ଚାଖି ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ ।
ସମ୍ମାନିତ ଅତିଥି ଭାବେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଏବଂ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟ ଭଞ୍ଜନ ମଦନମୋହନ ପାତ୍ର , ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଯୋଗଦେଇ ସମସ୍ତ ପ୍ରକାର ଖାଦ୍ୟ ଅଳ୍ପ ଅଳ୍ପ ଖାଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ସମସ୍ତଙ୍କୁ ନିଜ ହାତରେ ଖୁଆଇ ଦେଇଥିଲେ ।
ଏହି ପ୍ରତିଯୋଗିତାରେ ୬୦ ଜଣ ଛାତ୍ରଛାତ୍ରୀ ତାଙ୍କର ହାତ ତିଆରି ବ୍ୟଞ୍ଜନ ଆଣିଥିଲେ । ପ୍ରାୟ ହଜାରେ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସାଂସ୍କୃତିକ କମିଟି ର ମୁଖ୍ୟ ଅଧ୍ୟାପିକା ପ୍ରଣୀତା ପରିଡା ।
ଜିଲ୍ଲା ମୂଖ୍ୟ ସଂଯୋଜକ ଅଧ୍ୟାପିକା ଗୀତାଞ୍ଜଳି ମହାପାତ୍ର ଏବଂ ମହାବିଦ୍ୟାଳୟର ନୋଡାଲ ଅଫିସର ଅଧ୍ୟାପିକା ସୁଜାତା ସାହୁ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ସାଂସ୍କୃତିକ କମିଟି ର ଅନ୍ୟ ସଦସ୍ୟ ଅଧ୍ୟାପିକା ସୁମିତା ସାହୁ , ଅଧ୍ୟାପକ ରୋଶନ ତ୍ରିପାଠୀ, ଅଧ୍ୟାପିକା ଅମ୍ରିତା ମହାପାତ୍ର, ଅଧ୍ୟାପକ ଶରତ ପତି ଏଥିରେ ବହୁ ସହଯୋଗ କରିଥିଲେ । ମିଲେଟ୍ ତିଆରି ଖାଦ୍ୟ ଏଥିରେ ମୁଖ୍ୟ ଅକର୍ଷଣ ଥିଲା । ଶେଷରେ ସମସ୍ତଙ୍କୁ ଅଧ୍ୟାପକ ଡଃ ପ୍ରବୀର କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇ ଥିଲେ ।
ବୌଦ୍ଧବ୍ଲକ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ସରପଂଚ ଓ ସମିତି ସଭ୍ୟ
ବୌଦ୍ଧ,୫/୧୨: ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପଂଚାୟତ ବୁଲି ପରିବର୍ତ୍ତନ ସମାବେଶ କରି ବିଧାୟକ ମହିଧର ରଣାଙ୍କ ବିରୁଦ୍ଧରେ ଜନସମର୍ଥ ହାସଲ ପାଇଁ ଉଦ୍ୟମ ଆରମ୍ଭ କରିଥିବା ବେଳେ ଆଜି ବୌଦ୍ଧ ବ୍ଲକର ବିଭିନ୍ନ ପଂଚାୟତର ସରପଂଚ ଓ ସମିତିସଭ୍ୟ ବ୍ଲକ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିବା ଜଣାପଡିଛି ।
ସୂଚନା ମତେ, ବ୍ଲକ ଅଧ୍ୟକ୍ଷ ଶ୍ରୀ ରଥ ପଂଚାୟତ ସମିତିର ସମସ୍ତ ଉନ୍ନୟନ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି । ସମସ୍ତ ଅନୁଦାନ ରାଶିକୁ ନିଜ ସଂପର୍କିୟ, ଆତ୍ମୀୟ ଓ ପରିବାର ଲୋକଙ୍କୁ ଲଗାଇ ଠିକା କାମ କରିବାକୁ ବ୍ଲକ ପ୍ରଶାସନକୁ ଚାପ ପ୍ରୟୋଗ କରୁଛନ୍ତି । ଯେଉଁଠି ସେ ନିଜ ଲୋକଙ୍କୁ ଲଗାଇ କାମ କରିପାରୁନାହାନ୍ତି । ସେହି କାର୍ଯ୍ୟରେ ବିଭିନ୍ନ ପ୍ରକାର ଆଳ ଦେଖାଇ କାର୍ଯ୍ୟ କରାଇ ଦେଉନାହାନ୍ତି । ସେହି କାର୍ଯ୍ୟ ଅନ୍ୟ କୌଣସି ସହାୟତାରେ ବ୍ଲକ ପ୍ରଶାସନ ଲଗାଇଲେ ମଧ୍ୟ ବିଲ ହେବା ପରେ କାଉଣ୍ଟର ସାଇନ କରୁନାହାନ୍ତି । ମାସ ମାସ ଧରି ବିଲଟି ପଡିରହୁଛି ଯାଦ୍ୱାରା ବିକାଶ ବାଧାପ୍ରାପ୍ତ ହେଉଛି ବୋଲି ଅଭିଯୋଗ କରିଛନ୍ତି ।
ସେ ୧୨ ଜଣ ସମିତି ସଭ୍ୟ ସଭ୍ୟାଙ୍କ ଭୋଟରେ ନିର୍ବାଚନରେ ବିଜୟ ହୋଇଥିଲେ । ଅବିଶିଷ୍ଟ ୧୧ ଜଣ ସମିତି ସଭ୍ୟ ସଭ୍ୟା ତାଙ୍କୁ ଭୋଟ ଦେଇନଥିବାରୁ ତାଙ୍କ ପଂଚାୟତକୁ ପଂଚାୟତ ସମିତି ମାଧ୍ୟମରେ ଆସୁଥିବା ସିଏଫସି,ଏସଏଫସି ଅନୁଦାନକୁ ଅନ୍ୟ ଗ୍ରାମ ପଂଚାୟତକୁ ବେଆଇନ ଭାବରେ ଡାଇର୍ଭଟ କରି ନିଜେ ଠିକା କରୁଛନ୍ତି । ଏପରିକି ତାଙ୍କ ବିରୋଧୀ ଗ୍ରାମପଂଚାୟତ ଗୁଡିକରେ ସମିତି ସଭ୍ୟା ସଭ୍ୟ କିମ୍ବା ସରପଂଚମାନେ ଅନ୍ୟ କୌଣସି ଅନୁଦାନରେ କାମ କରାଇଲେ ମଧ୍ୟ କାଉଣ୍ଟରସାଇନ କରିବାକୁ ୫ରୁ ୧୦ ପ୍ରତିଶତ ପିସି ଦିଅ ନୋହିଲେ ଯେଉଁଠିକି ଯାଅ ମୁଁ ତୁମର କାଉଣ୍ଟରସାଇନ କରିବି ନାହିଁ କି ପେମେଣ୍ଟ କରାଇ ଦେବିନାହିଁ ବୋଲି କହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।
ଅଭିଯୋଗ ପତ୍ର ପ୍ରଦାନ ସମୟରେ ଅଁଳାପାଲି ସରପଞ୍ଚଅଜିତ ମେହେର, କସୁରବନ୍ଧ ସରପଞ୍ଚସରୋଜ କର୍ଣ୍ଣ,ସମିତି ସଭ୍ୟ ଚମ୍ପେ କିଶୋର ମେହେର,ବାଉଁଶୁଣୀ ସରପଞ୍ଚ ଅଇଁଠୁ ମହାଲିକ,ତାଳସରଡା ସରପଞ୍ଚସସ୍ମିତା ପାଣ୍ଡେ,ଗୋଛାପଡା ସମିତିସଭ୍ୟା ଶ୍ରଦ୍ଧାଞ୍ଜଳୀ ବାରିକ, ଖଲିଆପାଲି ସମିତିସଭ୍ୟା ସଂଘମିତ୍ରା ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଆଇଟିଆଇ ପରିସରରେ ରକ୍ତଦାନ ଶିବିର
ବୌଦ୍ଧ,୫/୧୨: ବୌଦ୍ଧଜିଲ୍ଲା ଗୌଡଦେଇ ଠାରେ ଥିବା ଆଇଟିଆଇ ଠାରେ ନୂଆଁ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଇଟିଆଇ ଅଧ୍ୟକ୍ଷ ଅବିନାଶ ମିଶ୍ର ଏହାକୁ ଉଦଘାଟନ କରିଥିଲେ ।
ଏହି ଶିବିରରେ ୩୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ବଘିଆପଡା ସ୍ୱାସ୍ଥ୍ୟ କେନ୍ଦ୍ରର ଡା, ଶିବକଲ୍ୟାଣ ସୁମନ ପ୍ରଧାନ ଓ ମେଡିକାଲ କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ । ଆଇଟିଆଇର ଶିକ୍ଷକ ସଂଗୀତା ସାହୁ,ଜାଫର ଖାଁ ଓ ଆଇଟିଆଇର ସମସ୍ତ କର୍ମଚାରୀ ଉପସ୍ଥିତଥିଲେ ।
ଜାତୀୟ ତାଇକୋଣ୍ଡୁ ପ୍ରତିଯୋଗିତାରେ ବୌଦ୍ଧ କୁ ମିଳିଲା ୪ଟି ସ୍ଵର୍ଣ୍ଣ ପଦକଓ ଗୋଟିଏ ବ୍ରୋଞ୍ଜ
ବୌଦ୍ଧ,୫/୧୨:ସର୍ବଭାରତୀୟ ସ୍ତରରେ ଡେରାଡୁନ ଠାରେ ଡିସେମ୍ବର ୧ରୁ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୩୭ତମ ସବ୍ ଜୁନିଅର୍ କ୍ୟୁରୋଗି ଓ ଏକାଦଶ ପୁମ୍ସୀ ଜାତୀୟ ତାଇକୋଣ୍ଡୁ ପ୍ରତିଯୋଗିତାରେ ଭାଗନେବା ପାଇଁ କୋଚ୍ ଅଞ୍ଜିତ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ଯାଇଥିବା ୪ଜଣ ଖେଳାଳୀ ୪ଟି ସ୍ବର୍ଣ୍ଣ ପଦକ ଓ ୧ଟି ବ୍ରୋଞ୍ଜ ପଦକ ର ବିଜେତା ହୋଇପାରିଛନ୍ତି।
ଟିମ୍ପୁମ୍ସି ରେ ସ୍ବାଗତ ମିର୍ଦ୍ଧା ,ଅସ୍ମିତ୍ କୁମାର ସାହୁ, ସୁବାଶିଷ ମହିଶାଳ ସ୍ଵର୍ଣ୍ଣ ପଦକ ପାଇଥିଲା ବେଳେ ବ୍ୟକ୍ତିଗତ ପୁମ୍ସି ରେ ଅନ୍ୱେଷା ସାହୁ ବ୍ରୋଞ୍ଜ ପଦକ ପାଇଥିଲା ବେଳେ ସ୍ଵାଗତ ମିର୍ଦ୍ଧା ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ପ୍ରକାଶ ଥାଉକି ପୁମ୍ସି ରେ ଓଡିଶା ଟିମ୍ ଚାମ୍ପିଅନ ହୋଇଥିଲା ବେଳେ କ୍ୟୁରୋଗି ରେ ରନର୍ସ ଟ୍ରଫି ପାଇବାରେ ସଫଳ ହୋଇଛନ୍ତି ।
ଓଡ଼ିଶା ତାଇକୋଣ୍ଡୁ ଆସୋସିଏସନ୍ ର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଙ୍କ ପ୍ରେରଣାରେ ଓ କୋଚ୍ ଅଂଜିତ କୁମାର ସାହୁ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଚାଲିଥିବା ବୌଦ୍ଧ ତାଇକୋଣ୍ଡୁ ଆସୋସିଏସନ୍ ର ଶିକ୍ଷାର୍ଥୀ ମାନେ ଜାତୀୟ ସ୍ତରରେ ଅନେକ ପଦକ ହାସଲ କରିଥିବାରୁ ଅଭିଭାବକ ତଥା ଜନସାଧାରଣ ମହଲରେ ଖୁସିର ଲହରୀ ଖେଳିଯାଇଛି ।
ଲାଞ୍ଚ ନେବା ଅଭିଯୋଗରେ ପୂର୍ବତନ ଗ୍ରାମ ରୋଜଗାର ସେବକଙ୍କୁ ୩ ବର୍ଷ ଜେଲ
ବୌଦ୍ଧ; ୪/୧୨: ଆବାସ ଯୋଜନା ରେ ଘର ଯୋଗାଇ ଦେବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ଆଜି ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଜନୈକ ପୂର୍ବତନ ଗ୍ରାମ ରୋଜଗାର ସେବକଙ୍କୁ ୩ ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି।
ଏଥିସହ ତାଙ୍କୁ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଧିକ ୩ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଘଣ୍ଟାପଡା ପଞ୍ଚାୟତର ତତ୍କାଳୀନ ଗ୍ରାମ ରୋଜଗାର ସେବକ ପାଣ୍ଡଵ ମାହଲ।
ସୂଚନା ଅନୁଯାୟୀ, ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ଘଣ୍ଟାପଡା ପଞ୍ଚାୟତର ହିତାଧିକାରୀ ରିଶିପାଲ ରଣା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ଆବେଦନ କରିଥିଲେ।
ଏ ନେଇ ସେ ତତ୍କାଳୀନ ଜିଆରଏସ ପାଣ୍ଡବଙ୍କୁ ପଚାରିବାରେ, ତାଲିକାରେ ନାଁ ଅଛି, ତେବେ ୨୦ ହଜାର ଟଙ୍କା ଦେଲେ ଅନୁମୋଦନ ମିଳିବ ବୋଲି କହିଥିଲେ। ରିଶିପାଲ ବାରମ୍ବାର ତାଙ୍କ ପାଖକୁ ଧାଇଁବା ପରେ ୧୫ ହଜାର ଟଙ୍କା ଦେବାକୁ କହିଥିଲେ ପାଣ୍ଡବ।
ଏ ନେଇ ରିଶିପାଲ ଅକ୍ଟୋବର ୨୧ ତାରିଖ ଦିନ ଭିଜିଲାନ୍ସ ବିଭାଗକୁ ଲିଖିତ ଭାବେ ଜଣାଇଥିଲେ। ପରଦିନ ପଞ୍ଚାୟତ କାର୍ଯ୍ୟାଳୟରେ ପାଣ୍ଡବ ଏହି ଟଙ୍କା ନେଉଥିବା ବେଳେ ପୂର୍ବ ପ୍ରସ୍ତୁତି ପ୍ରକାରେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲେ। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୨୯/୧୯ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।
ପରେ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା। ଆଜି ଏହି ମାମଲାର ଶୁଣାଣୀ କରି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ବିଚାରପତି ୧୩ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟ ତଥ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଉପରୋକ୍ତ ରାୟ ଶୁଣାଇଛନ୍ତି। ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଭି ଭି ରାମଦାସ ପରିଚାଳନା କରୁଥିଲେ ।

Related Posts

Seo wordpress plugin by www.seowizard.org.