Odisha News

ବୌଦ୍ଧ ଜିଲ୍ଲାସ୍ତରୀୟ ଜିଲ୍ଲା ପରିଷଦ, “ଦିଶା” ଏବଂ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୧/୫: ବୌଦ୍ଧ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହ ରେ ବୌଦ୍ଧ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ପଞ୍ଚାୟତି ରାଜ ଓ ପାନୀୟ ଜଳ, ଜଙ୍ଗଲ ଓ ପରିବେଶ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, କନ୍ଧମାଳ ସାଂସଦ ଡଃ. ଅଚ୍ୟୁତାନନ୍ଦ ସାମନ୍ତ, କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ମହୀଧର ରଣା ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ ଯୋଗ ଦେଇଥିଲେ ।
ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା, ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା, ତଥା ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ହୋଇ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଗୁଡିକର ଅଗ୍ରଗତୀ ଉପରେ ସମୀକ୍ଷା ରେ ଭାଗ ନେଇ ଥିଲେ । ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଆବାହକତ୍ଵ ରେ ଏହି ବୈଠକ ସହିତ କନ୍ଧମାଳ ସାଂସଦ ଡଃ. ସାମନ୍ତଙ୍କ ସଭାପତିତ୍ଵ ରେ ଜିଲ୍ଲା ଉନ୍ନୟନ ସମନ୍ଵୟ ପରିଚାଳନା କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ତତ୍ପରେ ମାନ୍ୟବର କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ମହୀଧର ରଣାଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ଯୋଜନା କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ବୈଠକ ରେ ଜିଲ୍ଲା କୃଷି ଅଧିକାରୀ ଜିଲ୍ଲାରେ କପା ଚାଷ ପାଇଁ ପର‌୍ୟ୍ୟାପ୍ତ ସୁବିଧା ସୁଯୋଗ ରହିଥିବା ପ୍ରକାଶ କରିଥିଲେ । ଏଥି ନିମନ୍ତେ ଆବଶ୍ୟକୀୟ ସାର କୀଟନାଶକ ଓ ରସାୟନ ଯୋଗାଇ ଦେବାକୁ ମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ ।
ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ କୃଷି ବିଭାଗ ଜିଲ୍ଲାରେ ହଳଦୀ ଓ ଅଦା ଚାଷ ପାଇଁ ଚଳିତ ବର୍ଷ ୧୦୦ ହେକ୍ଟର ଲକ୍ଷ୍ୟ ଥିବା କହିଥିଲେ । ଆମ୍ବ ଚାଷ ସହିତ ଏହି ଚାଷ କରାଯାଇ ପାରିବ । ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ ୨୫୦ ମେଟ୍ରିକ ଟନ ବିଶିଷ୍ଟ ସୌର ଚାଳିତ ପନିପରିବା ସାଇତା ଘର ପ୍ରତି ବ୍ଲକ୍ ରେ ନିର୍ମାଣ କରାଯିବାର ଯୋଜନା ରହିଥିବା କହିଥିଲେ । ପି. ଡି. ୱାଟରସେଡ କଣ୍ଟାମାଳ ବ୍ଲକ ରେ ଚେକ ଡ୍ୟାମ ଓ ଫାର୍ମ ପଣ୍ଡ ରେ ଅନିୟମିତତା କରିଥିବା ଗ୍ରୂହରେ ଅଭିଯୋଗ ଆସିଥିଲା ।
ଏଥି ନିମନ୍ତେ ଜିଲ୍ଲାପାଳ ନିଜେ ଅନୁଧ୍ୟାନ କରି ଦୃଢ କାର‌୍ୟ୍ୟାନୁଷ୍ଠାନ ନେବାକୁ ବୈଠକରେ ମତାମତ ପ୍ରକାଶ ପାଇଥିଲା । ୯ ଗୋଟି କମିଟି ମଧ୍ୟରୁ ୬ ଗୋଟି ଗଠିତ ହୋଇଛି । ଅନ୍ୟ ୩ ଗୋଟି ଯେପରି ଶୀଘ୍ର ଗଠିତ ହେବ ପଦକ୍ଷେପ ନେବାକୁ କୁହା ଯାଇଥିଲା । କାର୍ଯ୍ୟ ସରିଥିବା କ୍ଷେତ୍ରରେ ଏମ. ଆର. ଦ୍ଵାରା ୭ ଦିନ ଭିତରେ ତୁରନ୍ତ ପେମେଣ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
କେଉଟିପାଲି ଆଦି ଗ୍ରାମରେ ପେମେଣ୍ଟ ହେଉ ନ ଥିବା ଅଭିଯୋଗ ଆସିଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ କରିଥିଲେ ଯେ ତିନି ପର‌୍ୟ୍ୟାୟ ରେ ଅଦ୍ୟାବଧି ଜିଲ୍ଲାରେ ୫୭ ଗୋଟି ଉଚ୍ଚ ବିଦ୍ୟାଳୟକୁ ୫ଟି ଅଧୀନରେ ହାତକୁ ନିଆ ଯାଇ ସାରିଛି ।
ଆଉ ୧୯ ଗୋଟି ମଧ୍ୟ ଖୁବ ଶୀଘ୍ର ହାତକୁ ନିଆଯିବ । ଆମିକସ କ୍ୟୁରୀଙ୍କ ଦ୍ଵାରା ଜିଲ୍ଲାର ୭ ଗୋଟି ବିଦ୍ୟାଳୟ ପରିଦର୍ଶନ କରଯାଇଥିଲା ଏବଂ ତାଙ୍କ ରିପୋର୍ଟ ଆଧାରରେ ଜିଲ୍ଲାରେ ସମସ୍ତ ବିଦ୍ୟାଳୟ ଗୁଡିକରେ ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ପଦକ୍ଷେପ ନିଆଯାଉଛି । ସର୍ବ ଶିକ୍ଷା ଅଭିଯାନରେ କେତେ ଟଙ୍କା ଆବଶ୍ୟକ ଆକଳନ କରି ପ୍ରସ୍ତାବ ଦେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସ୍ୱାସ୍ଥ୍ୟ କ୍ଷେତ୍ରରେ ଧନୁଷ୍ଟଙ୍କାର ଆଦି ରୋଗ ମୂଳୋତ୍ପାଟନ ହେତୁ ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଗ୍ରୂହରେ ପ୍ରକାଶ କରିଥିଲେ ।
ନିର୍ବାହୀ ଯନ୍ତ୍ରୀ ଜଳସେଚନଙ୍କୁ ବାଘ ନଦୀ ଏବଂ ମହାନଦୀ କୂଳରେ ଆଡି ବନ୍ଧ ନିର୍ମାଣ ନିମନ୍ତେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲା ମତ୍ସ୍ୟ ଅଧିକାରୀ ଜିଲ୍ଲାରେ ଚଳିତ ବର୍ଷ ୮୫ଲକ୍ଷ ମାଛ ଜାଆଁଳ ଯୋଗାଇ ଦେବାର ଲକ୍ଷ୍ୟ ଥିବା କହିଥିଲେ ।ଏମ. ଆଇ. ପ୍ରକଳ୍ପ ଗୁଡିକରେ ମାଛ ଚାଷ ସହିତ ଚିଙ୍ଗୁଡି ଚାଷ କରିବାକୁ ପ୍ରସ୍ତାବ ଦିଆଯାଇଥିଲା ।
ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ତିନି ଗୋଟି ବ୍ଲକରେ ତିନିଗୋଟି ଆଦର୍ଶ ଅଙ୍ଗନ ବାଡି କେନ୍ଦ୍ର ନିର୍ମାଣ ନିମନ୍ତେ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ହିତାଧିକାରୀଙ୍କ ଖାତାକୁ ଯେପରି ଭତ୍ତା ପଇସା ସୁରୁଖୁରୁରେ ଯାଇପାରିବ ବ୍ୟାଙ୍କ ଗୁଡିକ ସହିତ ନିୟମିତ ବୈଠକ କରି ସ୍ଥିର କରିବାକୁ କୁହାଯାଇଥିଲା ।
ମୃତ୍ୟୁ ଜନିତ ହରିଶଚନ୍ଦ୍ର ସହାୟତା ରାଶି ଯେପରି ତୁରନ୍ତ ପଇଠ ହୋଇପାରିବ ନିର୍ଦ୍ଦେଶ ଦିଆଗଲା । ନିର୍ବାହୀ ସଂସ୍ଥା ଗୁଡିକ ଦ୍ଵାରା ଯେପରି ସବୁ ପ୍ରକଳ୍ପ ରେ ସୂଚନା ଫଳକ ଲଗାଯାଇ ପାରିବ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କେତେକ ଅଞ୍ଚଳରେ ଗମନାଗମନ ଅସୁବିଧା ଥିବାରୁ ପଞ୍ଚାୟତି ରାଜ ବିଭାଗ ରାସ୍ତା ଗୁଡିକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର ନିମନ୍ତେ ପ୍ରସ୍ତାବ ଦେବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାର୍ଗଦର୍ଶୀ ଅନୁସାରେ ଗାର୍ଡ ୱାଲ ନିର୍ମାଣ କରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଗଲା ।
ଯୋଗେନ୍ଦ୍ରପୁର, ଖଟଖଟିଆ, ବୀରନରସିଂହପୁର ଆଦି ଗ୍ରାମ ପଞ୍ଚାୟତରେ ନୂତନ ସେବା ସମବାୟ ସମିତି ଗଠନ ନିମନ୍ତେ ପ୍ରସ୍ତାବ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଟାଟା ପାୱାର ଦ୍ଵାରା ତେଲ ନଦୀ ଉପରେ ଟାୱାର ନିର୍ମାଣ କାର‌୍ୟ୍ୟ ବାଧାପ୍ରାପ୍ତ ହୋଇଥିବାରୁ କଣ୍ଟାମାଳ ଠାରେ ୧୩୨/୩୩ ଗ୍ରୀଡ ଷ୍ଟେସନ ସ୍ଥାପନ ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା । ମନରେଗା ଯୋଜନାରେ ଅଧିକରୁ ଅଧିକ ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ବୈଠକରେ ମତାମତ ପ୍ରକାଶ ପାଇଥିଲା ।
ଗ୍ରାମୀଣ ଆବାସ ଯୋଜନାରେ ଯେପରି ସ୍ଥାନ ପାଇ ନ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ପଞ୍ଜୀକୃତ କରାଯାଇପାରିବ ସେଥି ନିମନ୍ତେ ସଦସ୍ୟ ସଦସ୍ୟା ମାନେ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ପୋର୍ଟାଲ କାର‌୍ୟ୍ୟକ୍ଷମ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରିବାକୁ ମତ ପ୍ରକାଶ ପାଇଥିଲା । ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅଶ୍ଵିନୀ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବୌଦ୍ଧ ଜିଲ୍ଲା ଉପରେ ଏକ ପ୍ରାମାଣିକ ଚଳଚିତ୍ର “ମୋ ବୌଦ୍ଧ, ଭାରୀ ସୁନ୍ଦର “ପ୍ରଦର୍ଶନ କରଯାଇଥିଲା ।
ବୌଦ୍ଧଜିଲ୍ଲା ସ୍ନାତକ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ
ବୌଦ୍ଧ,୧୧/୫ : ବୌଦ୍ଧଜିଲ୍ଲାରେ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପଦୋନ୍ନତି ପ୍ରସ୍ତୁତିକୁ କେନ୍ଦ୍ରକରି ବୌଦ୍ଧଜିଲ୍ଲା ସ୍ନାତକ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଓଡିଶା ପ୍ରାଥମିକ ଶିକ୍ଷା ସଂଶୋଧନ ନିୟମାବଳୀ ୨୦୧୯ ଅନୁସାରେ ଶିକ୍ଷକମାନଙ୍କ ପଦୋନ୍ନତି ସମୟରେ ଶିକ୍ଷାଗତ ଯୋଗ୍ୟତାକୁ ବରିଷ୍ଠତା ଭାବରେ ପ୍ରାଧାନ୍ୟ ଦେବାପାଇଁ ସଂପୂର୍ଣ୍ଣ ରୂପେ ଉଲ୍ଲେଖ ଥିବା ବେଳେ ତାହା ବୌଦ୍ଧଜିଲ୍ଲାରେ ବ୍ୟତିକ୍ରମ ହୋଇଥିବା ଅଭିଯୋଗ କରିଛନ୍ତି । ପୂର୍ବରୁ ଏନେଇ ସଶୋଧନ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପଦୋନ୍ନତି ସମୟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ।
ଯାହାଫଳରେ ଜିଲ୍ଲାରେ ଥିବା ବରିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ଥାଇ ମଧ୍ୟ କନିଷ୍ଠମାନଙ୍କୁ ପଦୋନ୍ନତି ତାଲିକାରେ ସ୍ଥାନିତ କରାଯାଇଥିଲା । ଏହାର ପ୍ରତିକାର ପାଇଁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପତ୍ର ସଂଖ୍ୟା-୧୭୯୮୯ ତାରିଖ ୨୮.୧୧.୨୦ରେ ସ୍ପଷ୍ଟି କରଣ ଥିଲେ ମଧ୍ୟ ପଦୋନ୍ନତି ସମୟରେ ଏହାକୁ ଗୁରୁତ୍ୱ ଦିଆଯାଇ ନାହିଁ ।
ଫଳରେ କେତେକ ଶିକ୍ଷକ ଚାକିରୀକାଳ ମଧ୍ୟରେ ନିଜ ଯୋଗ୍ୟତା ଅନୁସାରେ ପଦୋନ୍ନତି ପାଇବେକି ନାହିଁ ସନ୍ଦେହ ଦେଖାଦେଇଛି । ପୂର୍ବରୁ ପଦୋନ୍ନତି ପାଇଥିବା ପ୍ରକ୍ରିୟାକୁ ରଦ୍ଧ କରାଯାଇ ବଂଚିତ ହୋଇଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପଦୋନ୍ନତି ତାଲିକାରେ ସଂପୃକ୍ତ କରିବା ପାଇଁ ଦାବିକରିଥିଲେ ।
ଏନେଇ ସ୍ନାତକ ଶିକ୍ଷକ ସଂଘର ସଭାପତି ସୌମିତ୍ରୀ ପ୍ରସାଦ ପଲିଆଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତା ରଶ୍ମିରଂଜନ ରାଜହଂସ, ବସନ୍ତ ବିଶ୍ୱାଳ, ଶ୍ରୀବନ୍ତ ନାୟକ, ରାମଚନ୍ଦ୍ର ସାହୁ, ମୋହନ କରଡିଆ,ତୈଲୋକ୍ୟ ତ୍ରିପାଠୀ,ମୋଦନ ମୋହନ ପ୍ରଧାନ,ଲୋକନାଥ ମେହେର, ସତ୍ୟନାରାୟଣ ପ୍ରଧାନ, ହୃଦାନନ୍ଦ ପ୍ରଧାନ, ହୃଦୟ ରଂଜନ ମିଶ୍ର, ନିରଜଂନ କହଁର, ଅଶୋକ ଘିବେଲା, ମନୋଜ ପ୍ରଧାନ, ଅରବିନ୍ଦ ପରୋହିତ, ପ୍ରଦିପ ସାହୁ, ସନ୍ତୋଷ ରଥ, ରମାକାନ୍ତ ବେହେରା, ଉମେଶ ପ୍ରଧାନ, ବୃନ୍ଦାବନ ଶତପଥି,ସୁଶାନ୍ତ ସାହୁ ପ୍ରମୁଖ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ ।
ରାଜ୍ୟସ୍ତରୀୟ ଗ୍ରୀଷ୍ମକାଳିନ ଓଡିଶୀ ନୃତ୍ୟ କର୍ମଶାଳା ଉଦଘାଟିତ
ବୌଦ୍ଧ,୧୧/୫ : ବୌଦ୍ଧର ପ୍ରଣାମ ନୃତ୍ୟାନୁଷ୍ଠାନ ପକ୍ଷରୁ ତୃତୀୟ ରାଜ୍ୟସ୍ତରୀୟ ଗ୍ରୀଷ୍ମକାଳିନ ଓଡିଶୀ ନୃତ୍ୟ କର୍ମଶାଳା ସହରସ୍ଥିତ ରାମେଶ୍ୱର ବିହାର ଠାରେ ଉଦଘାଟିତ ହୋଇଯାଇଛି । କର୍ମଶାଳାକୁ ବିଶିଷ୍ଠ ନୃତ୍ୟ ଗୁରୁ ଡ. ମନୋଜ ବେହେରା ଉଦଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ବସନ୍ତ ସାହୁ କର୍ମଶାଳାର ଆଭିମୁଖ୍ୟ ପ୍ରଦାନ କରିଥିବା ବେଳେ ସଂପାଦକ ତଥା ନୃତ୍ୟ ଗୁରୁ ପ୍ରଶାନ୍ତ ଭାଇନା କର୍ମଶାଳା ଉପରେ ବିଷଦ ବିବରଣୀ ପାଠ କରିଥିଲେ ।
ପ୍ରଣାମ ଅନୁଷ୍ଠାନର ପ୍ରତିଷ୍ଠାତା ସୁକାନ୍ତି ସିଂ ଅନୁଷ୍ଠାନର ଦଶବର୍ଷର ଅନୁଭୂତି ଓ ଅଗ୍ରଗତି ନେଇ ବର୍ଣ୍ଣନା କରିଥିଲେ । ଏହି କର୍ମଶାଳାରେ କେଉଁଝର, ବୌଦ୍ଧ, ସମ୍ବଲପୁର, କନ୍ଧମାଳ, ସୋନପୁର,ଖୋର୍ଦ୍ଧା ଜିଲ୍ଲାରୁ ପ୍ରାୟ ୭୦ ଜଣ ନୃତ୍ୟ ଶିଳ୍ପୀ ଯୋଗଦେଇଛନ୍ତି । ଏହି କର୍ମଶାଳା ଆଠ ଦିନ ଧରି ଅନୁଷ୍ଠିତ ହେବ । ଅନୁଷ୍ଠାନର ଉପସଭାପତି ଗୀତାଂଜଳି ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ଜିଲ୍ଲା ଫୁଟବଲ ଆସୋସିଏସନ ବୌଦ୍ଧ ତରଫରୁ ଫୁଟବଲ ଟିମ୍‌କୁ ସ୍ୱାଗତ
ବୌଦ୍ଧ,୧୧/୫: ମର୍ଯ୍ୟାଦାଜନକ ଆନ୍ତଃ ଜିଲ୍ଲା ସାହାଣି କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ବୌଦ୍ଧଜିଲ୍ଲା ପ୍ରଥମଥର ପାଇଁ କ୍ୱାଟର ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା । ସାହାଣି କପ୍‌ରେ ଅଂଶଗ୍ରହଣ କରିବାପାଇଁ ଜିଲ୍ଲା ଫୁଟବଲ ଆସୋସିଏସନ ତରଫରୁ ବୌଦ୍ଧଠାରେ ଜିଲ୍ଲାସ୍ତରୀୟ ନକ୍ ଆଉଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇ ଖେଳାଳୀ ଚୟନ କରାଯାଇଥିଲା ।
ଜିଲ୍ଲା ଟିମ୍ ଚୟନ ହେବାପରେ ବୌଦ୍ଧର କଚେରୀ ଖେଳପଡିଆ ଠାରେ ସ୍ୱତନ୍ତ୍ର ଭାବେ କୋଚିଂ କ୍ୟାଂପ୍ ଆୟୋଜନ କରାଯାଇଥିଲା । ସଂପୂର୍ଣ୍ଣ ଭାବେ କେବଳ ବୌଦ୍ଧ ଜିଲ୍ଲାର ଖେଳାଳୀ ମାନଙ୍କୁ ଏଥିରେ ଚୟନ କରାଯାଇ ତାଲିମ ଦେବାପରେ ଏହାର ସୁଫଳ ମିଳିଛି । ବୌଦ୍ଧ ଦଳ ଗ୍ରୁପ ‘ସି’ ରେ ବାଲେଶ୍ୱର ଏବଂ ଅନୁଗୁଳକୁ ପରାସ୍ତ କରିଥିବାବେଳେ ଜଗତସିଂହପୁର ସହ ହୋଇଥିବା ମ୍ୟାଚଟି ଅମୀମାଂସିତ ରହିଥିଲା । ଏହି ପ୍ରଦର୍ଶନ ଫଳରେ ବୌଦ୍ଧ ଦଳ ବୌଦ୍ଧର ଫୁଟବଲ ଇତିହାସରେ ପ୍ରଥମଥର ପାଇଁ କ୍ୱାଟର ଫାଇନାଲକୁ ଉନ୍ନୀତ ହୋଇଥିଲା ।
କ୍ୱାଟର ଫାଇନାଲ ମ୍ୟାଚ ଗୁଡିକରେ ବୌଦ୍ଧ ଟିମ୍ ସ୍ଥାନୀୟ ଖେଳାଳୀଙ୍କୁ ଧରି ଲଢୁଆ ଖେଳ ପ୍ରଦର୍ଶନ କରିଥିଲା । ଚଳିତବର୍ଷର ୬୨ ତମ ସାହାଣି କପ୍‌ରେ ବୌଦ୍ଧ କ୍ୟାପଟେନ ବିକ୍ରମ ନାୟକଙ୍କ ନେତୃତ୍ୱରେ ବୌଦ୍ଧ ଟିମ୍ ସର୍ବମୋଟ ୧୫ଟି ଗୋଲ୍ ବିଭିନ୍ନ ଦଳ ବିପକ୍ଷରେ ସ୍କୋର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଆଜି ବୌଦ୍ଧଟିମ୍ ଏଠାରେ ପହଞ୍ଚିବା ପରେ ଜିଲ୍ଲା ଫୁଟବଲ ଆସୋସିଏସନର କର୍ମକର୍ତ୍ତା ଓ ସ୍ଥାନୀୟ ଖେଳାଳୀମାନେ ସେମାନଙ୍କୁ ସ୍ୱାଗତ କରିଥିଲେ ।
ଜିଲ୍ଲା ଫୁଟବଲ ଆସୋସିଏସନ ସଭାପତି ଲମ୍ବୋଦର ପୁରୋହିତ, ସଂପାଦକ ଯୁଗଳ କିଶୋର ସାମଲ, ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ନିରଞ୍ଜନ ମେହେର ବସଷ୍ଟାଣ୍ଡରେ ଏହି ଫୁଟବଲ ଖେଳାଳୀମାନଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ବରିଷ୍ଠ ଖେଳାଳୀ ଜିତେନ୍ଦ୍ର ଜେନା, ଗରିବ ବେହେରା ମଧ୍ୟ ଉପସ୍ଥିତ ରହି ଖେଳାଳୀମାନଙ୍କୁ ସ୍ୱାଗତ କରିଥିବାବେଳେ ବୌଦ୍ଧଜିଲ୍ଲାର ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳୀ ସତ୍ୟପ୍ରକାଶ ଦାଶ, ୟୁନିଭରସିଟି ତଥା ରାଜ୍ୟସ୍ତରୀୟ ଖେଳାଳୀ ପ୍ରଦିପ କୁମାର ପ୍ରଧାନ, କୋଚ୍ ବିଭୁତି ଭୂଷଣ ବେହେରା ପ୍ରମୁଖ ବୌଦ୍ଧ ଖେଳାଳୀମାନଙ୍କ ପ୍ରଦର୍ଶନରେ ସନ୍ତୋଷ ପ୍ରକାଶ କରିବାସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Related Posts

Seo wordpress plugin by www.seowizard.org.