Odisha News

ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷ ଅଭାବି ବିକ୍ରିର ଶିକାର ହେବେ କପା ଚାଷୀ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩/୯: କୃଷି ଭିତିକ ବୌଦ୍ଧଜିଲ୍ଲାରେ ଚାଷୀ ସଦାସର୍ବଦା ଅଭାବୀ ବିକ୍ରୀ ଓ ଦଲାଲଙ୍କ ଦ୍ୱାରା ଶୋଷିତ ହୋଇ ଆସୁଅଛି । ଧାନ ଫସଲ ହେଉ ଅବା ପନିପରିବା କିମ୍ବା ଧଳା ସୁନା କୁହାଯାଉଥିବା କପା ଫସଲ ମଣ୍ଡି ଅଭାବରୁ ଚାଷୀ ସର୍ବଦା କ୍ଷତି ସହୁଛି । ବାରମ୍ବାର କ୍ଷତି ହେବା ଫଳରେ ଚାଷୀ ଚାଷ ପ୍ରତି ବିମୁଖ ହୋଇ ଦାଦନ ଖଟିଯିବାକୁ ଉଚିତ ମନେକରୁଛି ।
ଜିଲ୍ଲାରେ ୮୫ ହଜାର ହେକ୍ଟର ଚାଷ ଉପଯୋଗୀ ଜମି ମଧ୍ୟରୁ ଏବେ ପ୍ରାୟ ୫୮ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଉଥିବାବେଳେ ସ୍ଥାୟୀ ଜଳସେଚନର ସୁବିଧା ନଥିବାରୁ ପ୍ରତିବର୍ଷ ବୃଷ୍ଟିପାତରେ ଅନିୟମିତତା ସହିତ ରୋଗ ପୋକ ଯୋଗୁଁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି ।
ବର୍ଷର ଅଧା ସମୟ ଗରିବ ଚାଷୀ ପରିବାରମାନଙ୍କ କ୍ଷତିପୂରଣ ପ୍ରଦାନ ଦାବି କରି କରି ରାଜରାସ୍ତାରେ ଆନ୍ଦୋଳନ ପୁଣି ସରକାରୀ କାର୍ଯ୍ୟାଳୟକୁ ଦଉଡି ଦଉଡି ସମୟ ଚାଲିଯାଉଛି । ଫଳରେ ଜିଲ୍ଲାରେ ଚାଷୀମାନଙ୍କ ଆର୍ଥିକ ପ୍ରଗତି ହୋଇପାରୁନଥିବାବେଳେ ଅନେକ ଚାଷୀ ପରିବାର ଜମିବାଡି ଠିକାରେ ଦେଇ ଦାଦନ ଖଟିବାକୁ ଚାଲିଯାଉଛନ୍ତି ।
ଯେଉଁମାନେ ନିଜ ଜମିବାଡିରୁ ଫସଲ ଅମଳ ପାଇଁ ପରିଶ୍ରମ କରୁଛନ୍ତି ସେମାନେ କେତେବେଳେ ଅଭାବୀ ଧାନ ବିକ୍ରିର ଶୀକାର ହେଉଛନ୍ତି ଆଉ କେତେବେଳେ ମରୁଡିର ଶୀକାର ହେଉଛନ୍ତି ।
ତେବେ ବୃଷ୍ଟିପାତରେ ଅନିୟମିତତା ଯୋଗୁଁ ପାଣିର ସୁଷମ ଉପଯୋଗ କରି ଅଳ୍ପ ପାଣି ବ୍ୟବହାର କରି ଚାଷୀମାନେ ପାରମ୍ପରିକ ଧାନଚାଷ ଛାଡି ପନିପରିବା ଓ ଅନ୍ୟ ଅର୍ଥକାରୀ ଫସଲ ଉତ୍ପାଦନ କରିବାକୁ ସରକାରୀସ୍ତରରେ ବିଭିନ୍ନ ସଭା ସମିତି ଜରିଆରେ ସଚେତନ ଓ ପ୍ରୋତ୍ସାହନ କରାଯାଉଛି ।
କିନ୍ତୁ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ଅର୍ଥକାରୀ ଫସଲ ପାଇଁ ସରକାର ଉପଯୁକ୍ତ ବଜାର ସୃଷ୍ଟି କରିବାରେ ବିଫଳ ହେଉଥିବାରୁ ଚାଷୀମାନେ ନିଜ ଫସଲର ଉପଯୁକ୍ତ ମୂଲ୍ୟ ପାଇବାରୁ ବଂଚିତ ହେବା ସହିତ ଦଲାଲ ଜରିଆରେ ଫସଲ ବିକ୍ରୟ କରି କ୍ଷତିରେ ପଡି ଋଣ ବୋଝରେ ପେଶି ହେବାକୁ ବାଧ୍ୟ ହେଉଛନ୍ତି । ବୌଦ୍ଧଜିଲ୍ଲାର କାପାଚାଷୀମାନେ ବର୍ତ୍ତମାନ ସେହିଭଳି ପରିସ୍ଥିତିିର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି । ଗତ କେତେ ବର୍ଷ ହେଲା ଜିଲ୍ଲାର ବିଭିନ୍ନ ଅଂଚଳରେ କପାଚାଷ ବ୍ୟାପକ ଭାବରେ ଚାଲିଛି ।
ଆଉ କିଛି ଦିନ ପରେ ଅମଲ ଆରମ୍ଭ ହେବ । ହେଲେ ଜିଲ୍ଲାରେ କପାମଣ୍ଡି ଖୋଲୁନଥିବାରୁ କପାଚାଷୀ ଅଭାବି ବିକ୍ରିର ସମ୍ମୁଖିନ ହେଉଛନ୍ତି । କପାଚାଷରେ ଅଧିକ ମାତ୍ରାରେ ବ୍ୟୟ ହାଇଥିବାବେଳେ ଶେଷରେ ଅନେକ ଚାଷୀ ଗାଡି ଭଡା କରି ବଲାଙ୍ଗୀରକୁ ବିକ୍ରୟ କରିବାକୁ ନେବାକୁ ପାଖରେ ଟଙ୍କା ନଥିବା ଯୋଗୁଁ ଅଳ୍ପ ମୂଲ୍ୟରେ ଦଲାଲକୁ ବିକିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳୁଅଛି । ଚଳିତବର୍ଷ ଏହି କପାଚାଷ ଆହୁରି ବ୍ୟାପକ ଭାବରେ କରାଯାଇଛି ।
ଢିପ ଜମି ଗୁଡିକରେ ଧାନ ଚାଷ କଲେ ବ୍ୟାପକ ମାତ୍ରାରେ ପାଣି ଆବଶ୍ୟକ ହେଉଥିବାରୁ ଚାଷୀମାନେ ଏହି ଜମିରେ କପାଚାଷ କରୁଛନ୍ତି । ତିଲେଶ୍ୱର, ହରେକୃଷ୍ଣପୁର, ବାମଣ୍ଡା, ବଢ଼ିଗାଁ, ବଘିଆପଡା, ଗୁଡଭେଲିପଦର, ବିଳାସପୁର, ଶୁଣ୍ଢିପଦର, ବରଗୋଛା, ଶଗଡା, ଗୁନ୍ଦୁଳିଆ, ଆମ୍ବଝରୀ, ଗୋଛାପଡା, ବାଉଁଶୁଣୀ ଆଦି ପଞ୍ଚାୟତ ଗୁଡିକରେ ୫୦୦୦ରୁ ଉର୍ଦ୍ଧ ହେକ୍ଟର ଜମିରେ କପାଚାଷ କରାଯାଇଛି ।
ଚଳିତବର୍ଷ ଠିକ୍ ଭାବରେ ବର୍ଷା ହୋଇଥିବାରୁ କପା ଅମଳ ବୃଦ୍ଧି ପାଇବ ବୋଲି ଚାଷୀମାନେ ଅଶା ପ୍ରକାଶ କରିଛନ୍ତି । ଏପରିକି ଆଭ୍ୟନ୍ତୀରୀଣ ଅଂଚଳରେ ଗଂଜେଇ ଚାଷୀମାନେ ଧରପଗଡର ଅତିଷ୍ଠ ହୋଇ ଶେଷରେ କପାଚାଷକୁ ଆଦରି ନେଉଥିବା ଦେଖାଯାଉଅଛି । ଫଳରେ ଏହି ଅଂଚଳରେ ଗଂଜେଇ ଚାଷ କମୁଥିବାବେଳେ କପାଚାଷ ଆଶାତୀତ ଭାବରେ ବୃଦ୍ଧି ପାଇଛି । ଏପରିକି ଜଣେ ଜଣେ କପାଚାଷୀ ଶହେ ଏକରରୁ ଉର୍ଦ୍ଧ୍ୱ ଜମି ଠିକାରେ ନେଇ ସେଥିରେ କପାଚାଷ କରିଛନ୍ତି ।
ହେଲେ ନିକଟରେ କପାମଣ୍ଡି ନଥିବାରୁ ଚାଷୀ ଅଭାବି ବ୍ରିକିରେ ଶିକାର ହୋଇ ଦଲାଲଙ୍କ ଚକ୍ରାନ୍ତରେ ପଡି କ୍ଷତିଗ୍ରସ୍ତ ହେଉଛନ୍ତି । ଜିଲ୍ଲାରେ ଅତି କମ୍‌ରେ ୩ ଟି କପାମଣ୍ଡି ଖୋଲାଗଲେ ଏହି ଅଂଚଳର ଶହଶହ କପାଚାଷୀ ସହଜ ଓ ସୁବିଧାରେ ସେମାନଙ୍କର କଷ୍ଟ ଉପାର୍ଜିତ ଉତ୍ପାଦକୁ ବିକ୍ରି କରିପାରିନ୍ତେ । ତେଣୁ କପାଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଚଳିତ ବର୍ଷ କପାମଣ୍ଡି ଖୋଲିବାକୁ କପା ଚାଷୀମାନେ ଦାବି ଜଣାଇଛନ୍ତି ।

ବିଦ୍ୟାଳୟରେ ଅନୁପସ୍ଥିତ ୬ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ
ବୌଦ୍ଧ,୩/୯: ବୌଦ୍ଧଜିଲ୍ଲାରେ ଶିକ୍ଷକ ସମସ୍ୟା ଲାଗିରହିଥିବା ବେଳେ ଇତି ମଧ୍ୟରେ ୩ ଜଣ ଶିକ୍ଷକ ଜାଲ ଙ୍କୁ ବହିଷ୍କାର କରାଯାଇଥିବା ବେଳେ ୪ ଜଣଙ୍କୁ କରାଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଅନେକ ସ୍କୁଲରେ ଶିକ୍ଷକମାନେ ଠିକ ସମୟରେ ଅନୁପସ୍ଥିତ ରହିଥିବାରୁ ସେମାନଙ୍କ ଦରମା ମଧ୍ୟ ବନ୍ଦ କରାଯାଇଛି । ସେହିପରି ଶନିବାର ୬ ଜଣଙ୍କ ଶିକ୍ଷକଙ୍କୁ କରାଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।
ସୂଚନା ମତେ, ବୌଦ୍ଧ ବିଇଓ ଧ୍ରୃବ ଚରଣ ଘିବେଲା ଆଜି ସକାଳ ସମୟରେ ଅଚାନକ ବୌଦ୍ଧଗଡ ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ମର୍ଜାକୁଦ ଠାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ ।
୭ଟା ପାଖାପାଖି ପର୍ଯ୍ୟନ୍ତ ସ୍କୁଲ ଖୋଲାନଥିଲା । ୭ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରୁ ୬ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅନୁପସ୍ଥିତ ରହିଥିଲେ । ଅନୁପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରିକରିବା ସହିତ ସେମାନଙ୍କର ଗୋଟିଏ ଦିନର ଦରମା ବନ୍ଦ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଇଓ ଶ୍ରୀ ଘିବେଲା ଉକ୍ତ ବିଦ୍ୟାଳୟ ସହିତ ସେଠାରେ ଥିବା ପିତାବଳି ହାଇସ୍କୁଲ ପରିର୍ଶନ କରିଥିଲେ । ଏହି ସମୟରେ ସହଗୋଷ୍ଠୀ ଶିକ୍ଷାଧିକାରୀ ଅଖିଲ ପ୍ରଧାନ ଉପସ୍ଥିତଥିଲେ ।
କାସଲପୁର ମଣ୍ଡିରୁ ସିସି ଟିଭି କ୍ୟାମେରା ଚୋରୀ
ବୌଦ୍ଧ,୩/୯: ଚୋରଧରିବାପାଇଁ ଲଗାଯାଇଥିବା ସିସି ଟିଭିକୁ ଚୋର ଚୋରୀ କରିନେଇଥିବା ନେଇ ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି ।, ସୂଚନା ମତେ, ବୌଦ୍ଧ ଥାନା ଅନ୍ତର୍ଗତ ତେଲିବନ୍ଧ ପଂଚାୟତର କାସଲପୁର ଠାରେ ଥିବା କାସଲପୁର ମାର୍କେଟ ୟାଡରେ ଲାଗିଥିଲା ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସ୍ୱଚ୍ଛତା ଓ ଏଠାରେ ଥିବା କୃଷି ଯନ୍ତ୍ର ପାତିର ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ଉକ୍ତ ମଣ୍ଡରେ ୪ ଗୋଟି ସିସି କ୍ୟାମେରା ଲଗାଯାଇଥିଲା । ସିସି କେମେରା ସହିତ ଉକ୍ତ ମଣ୍ଡିରେ ଦୁଇ ଜଣ ସୁରକ୍ଷା କର୍ମୀ ନିୟୋଜିତ କରାଯାଇଥିଲା ।
ଏହା ସତ୍ୱେ ଗତ ୩୧ ତାରିଖରେ ଲଗାଯାଇଥିବା ୪ ଗୋଟି କ୍ୟାମେରାକୁ କେହି ଦୁର୍ବତ ଚରୀ କରିନେଇ ଥିବା ନେଇ ଶୁକ୍ରବାର ଦିନ ବୌଦ୍ଧ ନିୟନ୍ତ୍ରିତ ବଜାର କମିଟିର ସଂପାଦକ ସଂଜୟ ପଟ୍ଟନାୟକ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଏନେଇ ବୌଦ୍ଧ ଥାନାରେ କେସ ନମ୍ବର ୨୩୬/୨୨ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବୌଦ୍ଧ ଥାନା ପକ୍ଷରୁ ଜଣାପଡିଛି ।

Related Posts

Seo wordpress plugin by www.seowizard.org.