Odisha News

ବୌଦ୍ଧ ଏନଏସି ର ପ୍ରଥମ ପରିଷଦ ବୈଠକ,ଜନସାଧାରଣଙ୍କୁ ପରିଷଦ ପକ୍ଷରୁ ଉଚିତ ସେବା ଯୋଗାଇଦେବାକୁ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୧/୪: ବୌଦ୍ଧଗଡ ଏନଏସି ପାଇଁ ନବଗଠିତ ପରିଷଦର ପ୍ରଥମ ବୈଠକ ନବନିର୍ବାଚିତ ଅଧ୍ୟକ୍ଷ ମୃତ୍ୟୁଜଂୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ପରିଷଦର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି । ପ୍ରଥମେ ନିର୍ବାହୀ ଅଧିକାରୀ ଇଂ.ମନୋରଞ୍ଜନ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ନବନିର୍ବାଚିତ ଅଧ୍ୟକ୍ଷ ଓ ସଭ୍ୟ ସଭ୍ୟାମାନଙ୍କୁ ପ୍ରଥମ ପରିଷଦ ବୈଠକକୁ ସ୍ୱାଗତ କରିଥିଲେ ।
ପରିଷଦର ପ୍ରଥମ ବୈଠକରେ ସହରର ଅନେକ ସମସ୍ୟା ନେଇ ଆଲୋଚନା କରାଯିବା ସହିତ ସେସବୁର କିପରି ସମାଧାନ କରାଯାଇପାରିବ ଯୋଜନାବଦ୍ଧ ଭାବରେ କାର୍ଯ୍ୟକରିବା ଓ ସମସ୍ତ ନିର୍ବାଚିତ ସଦସ୍ୟ ଓ ପରିଷଦ କର୍ମଚାରୀଙ୍କ ସହଯୋଗ କାମନା କରାଯାଇଥିଲା । ପରିଷଦକୁ ପ୍ରତିଦିନ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଜନସାଧାରଣଙ୍କୁ ଉଚିତ ସେବା ଯୋଗାଇଦେବା ଏବଂ ବୃଦ୍ଧ ବୃଦ୍ଧାମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ନିମନ୍ତେ ବ୍ୟବସ୍ଥା କରାଯିବାକୁ ଅଧ୍ୟକ୍ଷ ଶ୍ରୀମିଶ୍ର ପରାମର୍ଶ ଦେଇଥିଲେ ।
ଏହାବ୍ୟତୀତ ଗ୍ରୀଷ୍ମପ୍ରବାହ ପ୍ରଖର ଥିବା ହେତୁ ସହରର ପାନୀୟଜଳର ବ୍ୟବସ୍ଥାକୁ ତୁରନ୍ତ କାର୍ଯ୍ୟକାରି କରିବା,ବର୍ଷାଦିନ ପୂର୍ବରୁ ସମସ୍ତ ନାଳ ଓ ରାସ୍ତା ସଫେଇ ଓ ମରାମତି କାର୍ଯ୍ୟକୁ ଅଗ୍ରାଧିକାର ଦେବା,ସରକାରଙ୍କ ପକ୍ଷରୁ ଭୂମିହୀନମାନଙ୍କୁ ବାସଗୃହ ପଟ୍ଟା ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା,ସହରର ସଫେଇ ଓ ସୌନ୍ଦର୍ଯ୍ୟକରଣକୁ ପ୍ରାଥମିକତା ଦେବାକୁ ଅଧ୍ୟକ୍ଷ ଶ୍ରୀମିଶ୍ର ପ୍ରଥମ ଅଧିବେଶନରେ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।
ସହରରେ ବିଭିନ୍ନ ବିଭାଗ ଦ୍ୱାରା ନିର୍ମାଣ କରାଯାଉଥିବା ପ୍ରକଳ୍ପଗୁଡିକର ପୂର୍ବରୁ ପାନୀୟଜଳ,ଆଲୋକ,ରାସ୍ତା ଓ କୋଠାବାଡି ବିଭାଗ ଓ ପରିଷଦ ମଧ୍ୟରେ ସମନ୍ୱୟ ରଖାଯିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ରୋଗଗ୍ରସ୍ତ. ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସୁବିଧା ପ୍ରଦାନ ନିମନ୍ତେ ଘରକୁ ଯାଇ ସମସ୍ତ ସେବା ପ୍ରଦାନ କରିବାକୁ ପ୍ରାଥମିକତା ଦେବାକୁ ନିଷ୍ପତିସହ ସହରରେ କରାଯାଉଥିବା ସମସ୍ତ ଉନ୍ନୟକମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇ ତୁରନ୍ତ ସମାପ୍ତ କରାଯିବାକୁ ଗୁରୁତ୍ୱାରୋପ କରାଯାଇଥିଲା ।
ପରିତ୍ୟକ୍ତ ବୃଦ୍ଧ,ବୃଦ୍ଧା,ଶିଶୁମାନଙ୍କ ଥଇଥାନ ପାଇଁ ଯୋଜନା କରାଯିବା ସହିତ ଉପଯୁକ୍ତ ସେବା ଯୋଗାଇଦେବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ସହରର ପ୍ରବେଶ ଦ୍ୱାରରେ ତୋରଣ ନିର୍ମାଣ ସହିତ ସହର ମଧ୍ୟରେ ପାର୍କିଂ ଅଞ୍ଚଳ ଚିହ୍ନଟ କରାଯାଇ ବ୍ୟବସ୍ଥା କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ପରିଷଦର ସମସ୍ତ କାର୍ଯ୍ୟରେ ସ୍ୱଛତା ସହ ଜନସାଧାରଣଙ୍କୁ ଉପଯୁକ୍ତ ଯୋଗାଇଦେବାରେ କର୍ମଚାରୀମାନେ ତତ୍ପରତା ପ୍ରକାଶ କରିବାକୁ ଅଧ୍ୟକ୍ଷ ଶ୍ରୀମିଶ୍ର ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଉପନଗରପାଳ ସୁବାସିନୀ ସେଠୀଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଓ ପରିଷଦର କର୍ମଚାରୀମାନେ ଉପସ୍ଥିତ ଥିଲେ । ଶେଷରେ ପ୍ରଫୁଲ୍ଲ କୁମାର ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।

ବୌଦ୍ଧ ସଡକ ସୁରକ୍ଷା ସମିତି ବୈଠକ: ଜିଲ୍ଲାରେ ବଢୁଥିବା ଦୁର୍ଘଟଣା ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କଲେ ଜିଲ୍ଲାପାଳ,ତିନି ମାସରେ ୨୧ ଜଣଙ୍କ ମୃତ୍ୟୁ
ବୌଦ୍ଧ,୨୧/୪: ବୌଦ୍ଧଜିଲ୍ଲାରେ ସଡକ ଦୁର୍ଘଟଣା ହାର ହୁହୁ ହୋଇ ବୃଦ୍ଧି ପାଇଚାଲିଥିବାବେଳେ ବୌଦ୍ଧଜିଲ୍ଲା ସଡକ ସୁରକ୍ଷା ସମିତିର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳଙ୍କ ଆବାସିକ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାରେ ବୃଦ୍ଧି ପାଉଥିବା ଦୁର୍ଘଟଣାଜନିତ ମୃତ୍ୟୁକୁ ନେଇ ଜିଲ୍ଲାପାଳ ଶ୍ରୀମିଶ୍ର ଉଦବେଗ ପ୍ରକାଶ କରିବା ସହିତ ବାରମ୍ବାର ନିର୍ଦ୍ଦେଶ ପରେ ମଧ୍ୟ ଜାତୀୟ ରାଜପଥରେ ଦୁର୍ଘଟଣାସ୍ଥଳ ଗୁଡିକୁ ଚିହ୍ନଟ କରାଯାଇ ଗାଡିଚାଳକମାନଙ୍କ ପାଇଁ ଉପଯୁକ୍ତ ସୂଚନା ଫଳକ ଲଗାଯାଉନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ।
ବୈଠକରେ ଦିଆଯାଇଥିବା ସୂଚନା ମୁତାବକ ୨୦୨୨ ବର୍ଷର ପ୍ରଥମ ତିନିମାସରେ ୨୧ ଜଣଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇସାରିଛି । ଜାନୁୟାରୀ ମାସରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଫେବୃୟାରୀ ମାସରେ ୭ ଜଣ ଓ ମାର୍ଚ୍ଚ ମାସରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି ।
ତେବେ ଏଣିକି ଯେଉଁ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ସଡକ ଦୁର୍ଘଟଣା ଘଟିବ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀମିଶ୍ର ସତର୍କ କରାଇଦେଇଥିଲେ ।
ଜାତୀୟ ରାଜପଥ ନିର୍ମାଣ ହେବାପରେ ବେପରୁଆ ଗାଡିଚାଳନା ଯୋଗୁଁ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବାରୁ ଟ୍ରାଫିକ୍ ନିୟମ କଡାକଡି ଭାବରେ ଲାଗୁ କରିବାକୁ ଜିଲ୍ଲାପାଳ ଶ୍ରୀମିଶ୍ର ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଦିଆଯାଇଥିବା ସୂଚନା ମୁତାବକ ବର୍ଷର ପ୍ରଥମ ତିନିମାସରେ ମଦ୍ୟପାନ କରି ଗାଡି ଚାଳନା ପାଇଁ ୪ ଜଣ,ଦ୍ରୁତ ଗତି ପାଇଁ ୩୭୬ ଜଣ,ଅନୁମତି ଠାରୁ ଅଧିକମାତ୍ରାରେ ସାମଗ୍ରୀ ବୋଝେଇ ପାଇଁ ୫୫ ଜଣ,ମାଲ ପରିବହନ ଗାଡିରେ ଯାତ୍ରୀ ପରିବହନ ପାଇଁ ୧୫ଜଣ,ହେଲମେଟ ବ୍ୟବହାର ନକରିବା ଯୋଗୁଁ ୩୮୮ ଜଣ,ସିଟ ବେଲଟ୍ ନଲଗାଇବା ପାଇଁ ୧୭ ଜଣ ଓ ଗାଡିଚାଳନା ସମୟରେ ମୋବାଇଲ ବ୍ୟବହାର ପାଇଁ ୫୪ ଜଣ,ରେଡ ଲାଇଟ ଅତିକ୍ରମଣ ଯୋଗୁଁ ୫ ଜଣ ଏହିପରି ସମୁଦାୟ ୯୧୪ ଜଣ ଗାଡିଚାଳକଙ୍କ ଲାଇସେନସ ନିଳମ୍ବିତ କରାଯାଇଛିି ।
ଟ୍ରାଫିକ୍ ନିୟକ ଉଲଂଘନକାରୀଙ୍କୁ ଧରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଶ୍ରୀମିଶ୍ର ଆଞ୍ଚଳିକ ପରିବହନ ବିଭାଗ ଓ ଜିଲ୍ଲା ପୁଲିସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ବୌଦ୍ଧ ସହରର ଏନଏସି ଛକଠାରେ ସ୍ଥାପିତ ନୂତନ ଟ୍ରାଫିକ ଛକରେ ଥିବା ଜବରଦଖଲ ହଟାଇବା ସହିତ ୫୦ ମିଟର ପର୍ଯ୍ୟନ୍ତ ନୋ ପାର୍କିଂ ଜୋନ ଭାବରେ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ମହାନଦୀ ବ୍ରିଜ ଛକଠାରେ ବହୁ ସଂଖ୍ୟାରେ ଟ୍ରକ ରାସ୍ତା ଉପରେ ଛିଡା ହେବାଯୋଗୁଁ ସବୁବେଳେ ଦୁର୍ଘଟଣା ଆଶଙ୍କା ରହୁଥିବାରୁ ସେଗୁଡିକୁ ନିର୍ଦ୍ଧାରିତ ସ୍ଥାନରେ ରଖିବାକୁ ଜିଲ୍ଲାପାଳ ସଂଘର କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ ।
ଦ୍ରୁତ ଗତିରେ ଗାଡି ଚଳାଉଥିବା ଏବଂ ଟ୍ରାଫିକ ନିୟମ ଉଲଂଘନ କରୁଥିବା ବ୍ୟକ୍ତିବିଶେଷଙ୍କ ଗାଡିର ଫଟୋ କିମ୍ବା ଭିଡିଓ ଉଠାଇ ପରିବହନ ବିଭାଗ ଅଧିକାରୀଙ୍କ ନିକଟକୁ ପଠାଇଲେ ସେମାନଙ୍କ ବିରୋଧରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଜାତୀୟ ରାଜପଥରେ ନିର୍ମାଣାଧିନ ପୋଲ ଗୁଡିକର କାର୍ଯ୍ୟ ତୁରନ୍ତ ସମାପନ କରିବା ସହିତ ବିପଦଜନକ ଭାବରେ ଥିବା ରାସ୍ତାର ତୁରନ୍ତ ମରାମତି କରାଯିବାକୁ ବୈଠକରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।
ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସାଳୟ ପର୍ଯ୍ୟନ୍ତ ପହଞ୍ଚାଇବା ବ୍ୟକ୍ତିବିଶେଷଙ୍କୁ ଆର୍ଥିକା ପୁରସ୍କାର ରାଶି ପ୍ରଦାନ ପାଇଁ ସରକାର ଘୋଷଣା କରିଥିବାବେଳେ ଏହାର ପ୍ରଚାର ପ୍ରସାର ସହିତ ଉପଯୁକ୍ତ ଲୋକଙ୍କୁ ଚିହ୍ନଟ କରାଯାଇ ପ୍ରଦାନ କରିବାକୁ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା ।
ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଂଜନ ମହାନ୍ତି, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସାଲଖୁ ମୁର୍ମୁ, ଜୁନିୟର ଏମଭିଆଇ ପ୍ରମୋଦ କୁମାର ସିଂହ,ପୁର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଭାତ ଦାଶ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା, ଅଭୟ କୁମାର ଦାଶ,ବୌଦ୍ଧ ଏନଏସି ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା,ବୌଦ୍ଧ ଯୁବ ରେଡକ୍ରସ ର ସଂପାଦକ ଅଧ୍ୟପକ ପ୍ରବୀର କୁମାର ଦାସ,ଜିଲ୍ଲା ଟ୍ରକ ମାଲିକ ସଂଘର ସଭାପତି ଶିବ ପ୍ରସାଦ ମିଶ୍ର,ଘରୋଇ ବସ ମାଲିକ ସଂଘର ସଂପାଦକ ରାଜକିଶୋର ପଟ୍ଟନାୟକ,ସଡକ ସୁରକ୍ଷା କମିଟି ସଦସ୍ୟ ଶଶାଙ୍କ ଶେଖର ମିଶ୍ରଙ୍କ ସମେତ ଜାତୀୟ ରାଜପଥ ଓ ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
ବୌଦ୍ଧ ରାମଲୀଳା ଯାତ୍ରାର ଦଶମ ଦିବସ ମଞ୍ଚସ୍ଥ ହେଲା ନାଟକ କୁମ୍ଭକର୍ଣ୍ଣ ବଧ
ବୌଦ୍ଧ,୨୧ା/୪: ବୌଦ୍ଧଗଡଜାତର ଗଣପର୍ବ ପ୍ରସିଦ୍ଧ ରାମଲୀଳା ଯାତ୍ରାର ବୁଧବାର ଦିନ ଦଶମ ଦିବସରେ ମଞ୍ଚସ୍ଥ ହୋଇଛି ନାଟକ କୁମ୍ଭକର୍ଣ୍ଣ ବଧ । ଇନ୍ଦ୍ରଜିତର ନାଗଫାସରୁ ଶ୍ରୀରାମ ଲକ୍ଷ୍ମଣ ମୁକ୍ତି ପାଇବା ପରେ ଇନ୍ଦ୍ରଜିତ ଫେରିଯାଇଥିବା ବେଳେ ଅନ୍ୟ ପୁତ୍ର ଓ ନାତିଙ୍କୁ ହରାଇ ରାବଣ ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି । ରାବଣ ନିଜର ସାନଭାଇ କୁମ୍ଭକର୍ଣ୍ଣକୁ ଯୁଦ୍ଧ କରିବାକୁ ଡାକାଇବା ସହ ଶୋଇଥିବା ଅବସ୍ଥାରେ ଉଠାଇଛି ।
କୁମ୍ଭକର୍ଣ୍ଣ ଛଅମାସ ଶୋଇଥାଏା ଛଅ ମାସ ପରେ ଉଠିବା ପରେ ଯୁଦ୍ଧ କରିଗଲେ ତାର ସମକକ୍ଷ କେହି ହୋଇନଥାନ୍ତି । କିନ୍ତୁ ଅଦିନରେ ଉଠିଲେ ମରଣ ତାର ସୁନିଶ୍ଚିତ । କୁମ୍ଭକର୍ଣ୍ଣ ବଧ ନାଟକକୁ ନିଖୁଣ ଭାବେ ଅନୁଷ୍ଠାନର କଳାକାରମାନେ ପ୍ରଦର୍ଶିତ କରିଥିଲେ । ନାଟକକୁ ହୃଦାନନ୍ଦ ମେହେର ରଚନା କରିଥିବାବେଳେ ଭବାନିଶଙ୍କର ମହାପାତ୍ର ନିର୍ଦ୍ଦେଶନା ଓ ତୁଷାରକାନ୍ତ ପଟ୍ଟନାୟକ ସଙ୍ଗିତ ନିର୍ଦ୍ଦେଶନା ଦେଇଛନ୍ତି । କୁମ୍ଭକର୍ଣ୍ଣ ନାଟକ ଦେଖିବାକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ହଜାର ହଜାର ଦର୍ଶକଙ୍କ ଭିଡ ଲାଗିରହିଥିଲା ।
କରଡି ଗାଁ ନିକଟରେ ହାତୀ, ନଷ୍ଟ କଲେ ତରଭୁଜ ଚାଷ ଓ ପନିପରିବା
ବୌଦ୍ଧ,୨୧/୪: ବୌଦ୍ଧଜିଲ୍ଲାରେ କିଛି ଦିନ ହେବ ପ୍ରବଳ ଗରମ ସାଙ୍ଗକୁ ଜଙ୍ଗଲ ପୋଡୁଥିବା ଯୋଗୁଁ ଜୀବଜନ୍ତୁ ଗାଁ ମୁହାଁ ହେଉଥିବା ଦେଖିବାକୁ ମିିଳିଛି । ଏପେଟ ଜଙ୍ଗଲ ବିଭାଗ ପକ୍ଷରୁ ବିଭିନ୍ନ ରେଂଜରେ ନୀରିହ ଗରିବ ଲୋକଙ୍କୁ ଜଙ୍ଗଲରେ ନିଆଁ ଲଗାଉଥିବା ନେଇ ମାମଲା କରି କୋର୍ଟ ଚାଲାଣ କରୁଥିବା ବେଳେ କିନ୍ତୁ ପ୍ରକୃତ ପକ୍ଷେ ଜିଲ୍ଲାରେ ବର୍ତ୍ତମାନ ଗଂଜେଇ ଚାଷ ପାଇଁ ସଂରକ୍ଷିତ ଜଙ୍ଗଲ ନଷ୍ଟ ହେଉଥିôବା ଦେଖିବାକୁ ମିଳିଛି । ଏପେଟ ଜଙ୍ଗଲ ନଷ୍ଟ ହେଉଥିବା ଯୋଗୁଁ ଜୀବଜନ୍ତୁଙ୍କ ଖାଇବାରେ ବହୁ ଅ୍ରସୁବିଧା ହେଉଥିବା ଯୋଗୁଁ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳିଛି ।
ପ୍ରାୟ ଏକ ସପ୍ତାହ ତଳେ ରାତିରେ ଜିଲ୍ଲାର ହରଭଙ୍ଗା ବ୍ଳକର ବୀରନରସିଂହପୁର ଠାରେ କିଛି ଜଙ୍ଗଲି ହାତୀ ଗାଁର ଧାନ ଫସଲ ଓ କିଛି କଦଳୀ ଚାଷ ନଷ୍ଟ କରିଥିବା ବେଳେ ପୁଣି ବୁଧବାର ଦିନ ବୀରନରସିଂହପୁର ପଞ୍ଚାୟତର କରଡି ଗାଁ ନିକଟରେ ଜଗନ୍ନାଥ ସଡକରେ ଦୁଇଟି ହାତୀ ରହିଥିବା ଦେଖିବାକୁ ମିଳିଛି । ଗତ ମଙ୍ଗଳବର ରାତିରେ ହାତୀ ଦୁଇଟି ଅନୁଗୋଳ ଜିଲ୍ଲା ଆଠମଲିକ ପଟରୁ ମହାନଦୀ ପାର ହୋଇ ଆସିଥିବା ଜଣାପଡିଛି ।
ହାତୀ ଦୁଇଟି କରଡି ଗ୍ରାମର ଶମ୍ଭୁ ଲୋଇଙ୍କ ତରଭୁଜ ଓ ଆଖୁ ଚାଷ ନଷ୍ଟ କରିଥିବା ବେଳେ ଅନ୍ୟ ଚାଷୀଙ୍କ ପନିପରିବା ଓ ଧାନ ଫସଲ ନଷ୍ଟ କରିଥିବା ଜଣାପଡିଛି । ହାତୀ ଦୁଇଟି ଗାଁ ଠାରୁ ମାତ୍ର ଅଧକିମି ଦୁରତାରେ ଶୋଇ ରହିଥିବା ଜଣାପଡିଛି । ହାତୀ ଗାଁ ନିକଟରେ ରହିଥିବା ଯୋଗୁଁ ଜଗନ୍ନାଥ ସଡକରେ ଯିବା ପାଇଁ ଲୋକଙ୍କ ଭୟ ଦେଖାଦେଇଛି । ଖବର ପାଇ ବୌଦ୍ଧ ବନ ବିଭାଗ ପକ୍ଷରୁ ରାସ୍ତାରେ ଯିବା ସମୟରେ ଲୋକଙ୍କୁ ଦେଖି ଯିବାକୁ କହିବା ସହ ସଚେତନ କରାଇଛି ।
ଟାଣ ଖରାରେ ଜବାହାର ନବୋଦୟ ବିଦ୍ୟାୟରେ ଷଷ୍ଠ ଶ୍ରେଣୀରେ ପଢିବା ପାଇ ଚୟନ ପରୀକ୍ଷାପରୀକ୍ଷା ସମୟ ପରିବର୍ତ୍ତନ କରିବାକୁ ଅଭିଭାବକଙ୍କ ଜିଲ୍ଲାପାଳଙ୍କ ପାଖରେ ଦାବୀ
ବୌଦ୍ଧ,୨୧/୪ : ଜବାହାର ନବୋଦୟ ବିଦ୍ୟାଳୟ ଗୁଡିକରେ ଗ୍ରାମାଞ୍ଚଳର ବହୁ ଗରୀବ ମେଧାବୀ ପିଲାମାନେ ପାଠ ପଢିଥାନ୍ତି । ଏଥି ପାଇଁ ଦେଶର ସବୁ ଜିଲ୍ଲାଗୁଡିକରେ ନବୋଦୟ ବିଦ୍ୟାଳୟ ସ୍ଥାପନ ହୋଇଅଛି । ଉକ୍ତ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଜଣେ ଛାତ୍ର ମାଗଣାରେ ପାଢ ପଡିବାର ସୁଯୋଗ ପାଇଥାଏ । ସେଥିପାଇଁ ଛାତ୍ରମାନଙ୍କୁ ପ୍ରଥମେ ଏକ ଚୟନ ପରୀକ୍ଷା ଦେବାକୁ ପଡିଥାଏ ।
ଏହି ଚୟନ ପରୀକ୍ଷା ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ । ଛାତ୍ର ମାନେ ଯଦି ଚୟନ ପରୀକ୍ଷାରେ ପାଶ କରିଥାନ୍ତି ତେବେ ଷଷ୍ଠ ଶ୍ରେଣୀରୁ ପାଠ ପଢିବାର ସୁଯୋଗ ପାଇଥାନ୍ତି । କିନ୍ତୁ ଚଳିତ ବର୍ଷ ଚୟନ ପରୀକ୍ଷାର ସମୟ ନେଇ ଅଭିଭାବକ ମହଲରେ ଚିନ୍ତା ବଢିଯାଇଛି । ବର୍ତ୍ତମାନ ବୌଦ୍ଧ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ବହୁ ମାତ୍ରାରେ ଥିବା ବେଳେ ପାରଦ ୪୨ ଡିଗ୍ରୀ ଉପରେ ରହୁଅଛି ।
ଲୋକମାନେ ଦିନ ୯ଟା ହେଲେ ଘରୁ ବାହାରିବା କଷ୍ଟ କର ହୋଇପଡୁଛି । ପ୍ରଚଣ୍ଡ ଟାଣ ଖରାଥିବା ସ୍ୱତ୍ତେ ଜବାହର ନବୋଦୟ ବିଦ୍ୟାଳୟ ବୌଦ୍ଧ ପକ୍ଷରୁ ଆସନ୍ତା ୩୦.୪.୨୦୨୨ ତାରିଖରେ ଷଷ୍ଠ ଶ୍ରେଣୀରେ ପଢିବା ପାଇଁ ଚୟନ ପରୀକ୍ଷା ଅନୁଷ୍ଠିତ ହେବା ନେଇ ପରୀକ୍ଷାର୍ଥୀ ମାନଙ୍କ ପାଖକୁ ଆଡମିଟ କାଡ ପଠାଯାଇଅଛି । ଉକ୍ତ ପରୀକ୍ଷାର ସମୟ ରଖାଯାଇଛି ଦିନ ୧୧ଟା୩୦ରୁ ଅପରାହ୍ନ ୧ଟା୩୦ ମିନିଟ ପର୍ଯ୍ୟନ୍ତ ।
ଚୟ୍ରନ ପରୀକ୍ଷାର ସମୟ ଦେଖି ଅଭିଭାବକ ମହଲରେ ଚିନ୍ତା ବଢିଯାଇଛି । ପ୍ରଚଣ୍ଡ ଖରାରେ ଘରୁ ବାହରିବା କଷ୍ଟକର ହୋଇପଡୁଥିବା ବେଳେ କିଭଳି ପିଲାମାନେ ପରୀକ୍ଷା ଦେବେ ଏହାକୁ ନେଇ ଚିନ୍ତାରେ ପରୀକ୍ଷାର୍ଥୀ ଓ ଅଭିଭାବକ ।
ଆହୁରୀ ମଧ୍ୟ ପରୀକ୍ଷାର୍ଥୀଙ୍କ ପାଇଁ ନିଜ ସ୍ଥାନ ଠାରୁ ୨୦ରୁ ୩୦ କିମି ଦୁରତାରେ ପରୀକ୍ଷା କେନ୍ଦ୍ର ରଖାଯାଇଛି । ଟାଣ ଖରାରେ ପରୀକ୍ଷାର୍ଥୀ ପରୀକ୍ଷା ଦେବା ଅସମ୍ଭବ ହୋଇ ପଡିବ । ଏପେଟ ରାଜ୍ୟ ସରକାର ଖରାକୁ ଦୃଷ୍ଟିରେ ରଖି ଗତ ଅପ୍ରେଲ ୨ତାରିଖ ଠାରୁ ରାଜ୍ୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀର ପିଲାମାନଙ୍କ ପାଇଁ ସକାଳ ୬ଟା୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ବିଦ୍ୟାଳୟର ପାଠ ପଢିବାର ସମୟ ଧାର୍ଯ୍ୟ କରିଛନ୍ତି ।
ଖରାଯୋଗୁଁ ଯାତ୍ରୀ ବାହୀ ବସ ଗୁଡିକ ମଧ୍ୟ ବେଳା ସମୟରେ ବନ୍ଦ ରହୁଥିବା ଯୋଗୁଁ ଗ୍ରାମାଞ୍ଚର ପରୀକ୍ଷାର୍ଥୀ ଆସିବା ମଧ୍ୟ କଷ୍ଟକର ହୋଇପଡିବ । ଏନେଇ ମଙ୍ଗଳବାର ଦିନ ଜୈନିକ ଅଭିଭାବକ କ୍ଷୀରୋଦ ଚନ୍ଦ୍ର ଚିନାରା ବୌଦ୍ଧ ନବୋଦୟ ବିଦ୍ୟାଳୟର ଚେୟାରମେନ ତଥା ବୌଦ୍ଧ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରିବା ସହ ପରୀକ୍ଷାର ସମୟ ପରିବର୍ତ୍ତନ କରିବାକୁ ଦାବୀ କରିଛନ୍ତି । ଆହୁରୀ ମଧ୍ୟ ବୌଦ୍ଧ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ, ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ଓଡିଶା, ମୁଖ୍ୟମନ୍ତ୍ରୀ ଓଡିଶା, ୫ଟି ସଚିବ ଓଡିଶା ସରକାର , ସଚିବ ନବୋଦୟ ବିଦ୍ୟାଳୟ ଭୋପାଳ, ଓ ଚେୟାରମେନ ସବିଏସଇ ଦିଳ୍ଲୀଙ୍କୁ ମଧ୍ୟ ଜଣାଇଥିବା ଜଣାପଡିଛି ।

Related Posts

Seo wordpress plugin by www.seowizard.org.