Odisha News

ବିବାହ ବନ୍ଧନରେ ବାନ୍ଧି ହେଲେ ଅନ୍ତର୍ଜାତୀୟ ହକି ଖେଳାଳି ଲିଲିମା ମିଞ୍ଜ

ରାଜଗାଙ୍ଗପୁର,୩୦/୧୨: ବିବାହ ବନ୍ଧନରେ ବାନ୍ଧି ହେଲେ ଅନ୍ତର୍ଜାତୀୟ ହକି ଖେଳାଳି ଲିଲିମା ମିଞ୍ଜ। ଆଜି ସେ ତାଙ୍କର ବାଲ୍ୟ ସାଥୀ ତଥା ପୂର୍ବତନ ଜାତୀୟ ହକି ଖେଳାଳି ଷ୍ଟାନୀଲ ଭିକ୍ଟରଙ୍କ ହାତ ଧରିଛନ୍ତି।
ମୟୂରଭଞ୍ଜ ଜିଲ୍ଲା ରାଜଗାଙ୍ଗପୁର ଅନ୍ତର୍ଗତ ବିହାବନ୍ଦ ନିକଟସ୍ଥ ଟାନାଟୋଲୀ ଗ୍ରାମରେ ଏକ ଚର୍ଚରେ ଖ୍ରୀଷ୍ଟିଆନ୍ ପରମ୍ପରା ଅନୁଯାୟୀ ଦୁହିଁଙ୍କ ବିବାହ ହୋଇଛି। ଏହି ବାହାଘର ପାଇଁ ଉତ୍ସବ ମୁଖରିତ ହୋଇ ଉଠିଥିଲା ଲିଲିମାଙ୍କ ଗାଁ ଟାନାଟୋଲୀ।
ରାଇରଙ୍ଗପୁର କେଶ୍ରାମାଳ ଗ୍ରାମରେ ଷ୍ଟାନୀଲ ଭିକ୍ଟରଙ୍କ ଘର। ଲିଲିମା ରେଲୱେରେ ଚାକିରି କରୁଥିବା ବେଳେ ଷ୍ଟାନୀଲ ଏଫ୍ସିଆଇରେ ଚାକିରି କରୁଛନ୍ତି। ତେବେ ବିବାହ ପରେ ମଧ୍ୟ ହକି ଖେଳ ଓ କୋଚିଂ ଜାରି ରଖିବେ ବୋଲି ଏହି ନବ ଦମ୍ପତି କହିଛନ୍ତି। ଏହି ବିବାହ ଉତ୍ସବରେ ଦୁହିଁଙ୍କ ବନ୍ଧୁବାନ୍ଧବଙ୍କ ବ୍ୟତୀତ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ହକି ଖେଳାଳିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।
ଲିଲିମା କହିଛନ୍ତି, ହକିକୁ ସେ କେବେବି ଛାଡ଼ି ପାରିବେ ନାହିଁ। ବିବାହ ପରେ ପରିବାରକୁ ଯେତିକି ଗୁରୁତ୍ୱ ଦେବେ ହକିକୁ ମଧ୍ୟ ଦେବେ।
ଷ୍ଟାନୀଲ କହିଛନ୍ତି, ପାନପୋଷ ହଷ୍ଟେଲରେ ରହି ହକି ଖେଳିବା ଓ ତାଲିମ ନେବା ଭିତରେ ଦୁହିଁଙ୍କ ଭିତରେ ପ୍ରେମ ଆରମ୍ଭ ହୋଇଥିଲା। ଯାହା ଆଜି ପୂର୍ଣ୍ଣତା ପାଇଛି। ଆଗକୁ ଦୁହେଁ ମିଶି ନୂଆ ଜୀବନ ଆରମ୍ଭ କରିବେ। ହେଲେ ହକି ତାଙ୍କ ଜୀବନ। ଏହାକୁ ସେ କେବେବି ଛାଡ଼ିପାରିବେ ନାହିଁ।
ସୂଚନା ଥାଉକି, ଭାରତୀୟ ହକି ଟିମର ଷ୍ଟାର୍ ମିଡଫିଲ୍ଡର ଲିଲିମା ମିଞ୍ଜ ଚଳିତ ବର୍ଷ ଅନ୍ତର୍ଜାତୀୟ ହକିକୁ ଅଲବିଦା କରିଥିଲେ। ଏହି ଅଭିଜ୍ଞ ମିଡଫିଲ୍ଡର ୨୦୧୧ରେ ଆର୍ଜେଣ୍ଟିନାରେ ଅନୁଷ୍ଠିତ ଚତୁରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟରେ ପଦାର୍ପଣ କରିଥିଲେ।
ଏହା ପରଠାରୁ ସେ ଭାରତୀୟ ମହିଳା ହକି ଟିମର ନିୟମିତ ସଦସ୍ୟ ରହିଆସିଥିଲେ। ଏହି ତାରକା ମିଡଫିଲ୍ଡର ଭାରତ ପକ୍ଷରୁ ୧୫୬ ମ୍ୟାଚରେ ପ୍ରତିନିଧିତ୍ୱ କରି ୧୪ଟି ଗୋଲ୍ ସ୍କୋର କରିଥିଲେ।
ଲିଲିମା ୨୦୧୪ ଏସିଆନ୍ ଗେମ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ମହିଳା ହକି ଦଳର ସଦସ୍ୟ ଥିଲେ। ଏହାଛଡ଼ା ସେ ୨୦୧୮ ଏସିଆନ ଗେମ୍ସ ରୌପ୍ୟ ପଦକ ଏବଂ ୨୦୧୯ରେ ହିରୋଶିମାରେ ଅନୁଷ୍ଠିତ ଏଫଆଇଏଚ୍ ମହିଳା ସିରିଜ୍ ଫାଇନାଲ୍ସର ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ମହିଳା ଦଳର ମଧ୍ୟ ସଦସ୍ୟ ଥିଲେ।
ଲିଲିମା ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ଭାରତୀୟ ମହିଳା ହକି ଟିମ୍ ୩୬ ବର୍ଷ ପରେ ପ୍ରଥମଥର ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରି ଇତିହାସ ରଚିଥିଲା। ଓଡ଼ିଶାର ଏହି ତାରକା ଜଣକ ୨୦୧୯ରେ ଭୁବନେଶ୍ୱରରେ ଅନୁଷ୍ଠିତ ଏଫଆଇଏଚ୍ ହକି ଅଲିମ୍ପିକ୍ କ୍ୱାଲିଫାୟରରେ ଭାରତୀୟ ଦଳର ସଦସ୍ୟ ଥିଲେ ଏବଂ ଏହି ଟୁର୍ଣ୍ଣାମେଣ୍ଟରେ ଜିତି ଭାରତ ଟୋକିଓ ଅଲିମ୍ପିକ୍ସ ଟିକେଟ୍ କାଟିଥିଲା।

Related Posts

Seo wordpress plugin by www.seowizard.org.