Odisha News

ବାପୁଜୀ ନଗର ସୁଜିତ ଦେହୁରୀ ହତ୍ୟାକାଣ୍ଡ ମାମଲା: ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବାକୁ ଥାନା ଆଗରେ ବସ୍ତିବାସିନ୍ଦାଙ୍କ ବିକ୍ଷୋଭ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୭/୫ : ବୌଦ୍ଧ ସହର ବାପୁଜୀନଗର ବସ୍ତିର ସୁଜିତ ଦେହୁରୀଙ୍କ ମୃତଦେହ ଗତ ଶୁକ୍ରବାର ମାଉଲସିଙ୍ଗା ଗ୍ରାମର ଏକ ବନ୍ଧହୁଡାରେ ଥିବା ପଲଶା ଗଛ ନିକଟରୁ ଝୁଲନ୍ତା ଅବସ୍ଥାରେ ପୁଲିସ ଉଦ୍ଧାର କରିଥିଲା । ପୁଅକୁ ଶ୍ୱଶୁର ଘର ଲୋକ ହତ୍ୟା କରିଥିବା ନେଇ ମୃତ ସୁଜିତର ପିତା ଯୋଗିନ୍ଦ୍ର ଦେହୁରୀ ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗକୁ ଭିତି କରି ପୁଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି । ପୁଲିସ ଏହି ମାମଲାରେ ମୃତ ଯୁବକର ଶ୍ୱଶୁର ଘର ପରିବାର ଲୋକଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବାବେଳେ ରବିବାର ଦିନ ସନ୍ଧ୍ୟାରେ ବାପୁଜୀନଗର ବସ୍ତିବାସୀନ୍ଦା ବୌଦ୍ଧ ଥାନାକୁ ଆସି ପୁଲିସର ତଦନ୍ତ ସଂପର୍କରେ ପଚାରିବା ସହିତ ତୁରନ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବାକୁ ଦାବି କରିବା ସହ ବିକ୍ଷୋଭ କରିଥିଲେ । ବୌଦ୍ଧ ଥାନା ଅଧିକାରୀ ରଂଜିିତ କୁମାର ମୁନୀ ବସ୍ତିବାସୀଙ୍କ ସହିତ ଆଲୋଚନା କରି ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ତଥ୍ୟକୁ ଆଧାର କରି ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୁଝାଇବା ପରେ ବସ୍ତିବାସୀନ୍ଦା ଫେରିଯାଇଥିବା ଜଣାଯଡିଛି ।

ବୌଦ୍ଧ ଜିଲ୍ଲାରେ ବଢୁଛି ବେଆଇନ ମଦ କାରବାର, ପୋଲିସ ଓ ଅବକାରୀ ବିଭାଗ ନିରବ ଦ୍ରଷ୍ଟା
ବୌଦ୍ଧ,୨୭/୫: ବୈାଦ୍ଧଜିଲ୍ଲାରେ ବେଆଇନ ଭାବରେ ମଦ କାରବାର ଦିନକୁ ଦନ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ଚାଲିଥିବା ବେଆଇନ ମଦକାରବାରକୁ ରୋକିବାରେ ଜିଲ୍ଲା ଅବକାରୀ ବିଭାଗର ଅନ୍ତରିକତାର ଅଭାବ ଦେଖିବାକୁ ମିଳୁଛି ।
କେବଳ ଧର୍ମକୁ ଆଖିଠାର ସଦୃଶ୍ୟ ଚଢଉ କରାଯାଉ ଥିବାର ଅଭିଯୋଗ ହେଉଛି । ଜନଗହଳ ସ୍ଥାନ ଓ ନିଶେଧାଂଚଳ ନିକଟରେ ମଧ୍ୟ ଖୁଲମ ଖୁଲା ମଦ ବିକ୍ରି ହେଉଛି । ବୌଦ୍ଧଜିଲ୍ଲାର ୩ଟି ବ୍ଲକ ସମେତ ଗୋଟିଏ ସଦର ମହକୁମାରେ ୧୪ ଗୋଟି ବିଦେଶୀ ମଦ ଦୋକାନ ରହିଥିବା ବେଳେ ୨୯ ଗୋଟି ଦେଶୀମଦ ଭାଟି ରହିଛି । ଜିଲ୍ଲାର ଅଂଚଳ ଅନୁପାତରେ ଜିଲ୍ଲାରେ ଅଧିକ ମାତ୍ରାରେ ମଦ ଦୋକାନ ଖୋଲାଯାଇଥିବା ଅନୁମାନ କରାଯାଉଛି । ଏତେ ସଂଖ୍ୟାରେ ମଦ ଦୋକାନ ଥିବା ସ୍ୱତ୍ତେ କିନ୍ତୁ ଜିଲ୍ଲାରେ ବ୍ୟାପକ ଭାବେ ବେଆଇନ ଭାବେ ମଦ ବିକ୍ରି ହେଉଥିବା ଦେଖିବାକୁ ମିଳିଛି ।
ବେଆଅଇନ ମଦ କାରବାରକୁ ଅବକାରୀ ବିଭାଗ କିମ୍ବା ପୁଲିସ ରୋକିବାରେ ଏକ ପ୍ରକାର ବିଫଳ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାରେ ସରକାରୀ ଭାବରେ ୧୩ଟି ବିଦେଶୀ ମଦ ଦୋକାନ ରହିଥିବା ବେଳେ ଗୋଟିଏ ଅଫ ସପ ରହିଛି । ସେହିପରି ୩୦ଟି ଦେଶୀ ମଦ ଭାଟି ରହିଥିବା ବେଳେ ସେଥିମଧ୍ୟରୁ ଗୋଟିଏ ବନ୍ଦ ରହିଛି । କଣ୍ଟାମାଳ ବ୍ଲକରେ ୧୪ ଦେଶୀ ଭାଟି ରହିଥିବା ବେଳେ ୪ ଗୋଟି ବିଦେଶୀ ମଦ ଦୋକାନ ରହିଛି । ସେହିପରି ବୌଦ୍ଧ ବ୍ଲକରେ ୭ଟି ଦେଶୀ ଭାଟି ଓ ୨ଟି ବିଦେଶୀ ମଦ ଦୋକାନ ରହିଛି ।
ହରଭଙ୍ଗା ବ୍ଲକରେ ୮ଟି ଦେଶୀ ଭାଟିରୁ ରୁ ଗୋଟେ ବନ୍ଦ ରହିଛି ଓ ୪ଟି ବିଦେଶୀ ମଦ ଦୋକାନ ରହିଛି । ସେହିପରି ବୌଦ୍ଧ ସହରରେ ଗୋଟିଏ ଦେଶୀ ଭାଟି ରହିଥିବା ବେଳେ ୩ଟି ବିଦେଶୀ ମଦ ଦୋକାନ ଓ ଗୋଟିଏ ଅଫ ସପ ରହିଛି । ଜିଲ୍ଲାରେ ବେଆଇନ ଭାବରେ ଶତାଧିକ କୁଚିଆ ମଦ ଦୋକାନ ଖୋଲାଯାଇ । ବିଭିନ୍ନ ପାନ ଦୋକାନ, ରାଜରାସ୍ତା କଡରେ ଥିବା ଢାବା, ଫାଷ୍ଟଫୁଡ ଦୋକାନ ଆଦି ଗୁଡିକରେ ବ୍ୟାପକ ଭାବେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ମଦ ବିକ୍ରି ବନ୍ଦ ନେଇ ବହୁ ସମୟରେ ମହିଳାମାନେ ରାଜରାସ୍ତା ଅବରୋଧ ସହିତ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଲାଭଖୋର ମନବୃତ୍ତି ଓ ରାଜସ୍ୱ ବୃଦ୍ଧି ଆଳରେ ମାଫିଆମାନଙ୍କ ବିରୋଧରେ କାର୍ଯ୍ୟାନଷ୍ଠାନ ହୋଇପାରୁ ନାହିଁ କି ବେଆଇନ ମଦବିକ୍ରି ବନ୍ଦ ହେଉନାହିଁ । ମଦକୁ ନେଇ ଜିଲ୍ଲାର ପ୍ରତିଦିନ ପାରିବାରିକ କଳହ ସହିତ ବଡ ବଡ ହିଂସା ମାନ ଘଟୁଥିବା ଦେଖିବାକୁ ମିଳଛି ।
ମଦ ଯୋଗୁଁ ଜିଲ୍ଲାରେ ସଡକ ଦୁର୍ଘଟଣା ଏକ ପ୍ରମୁଖ କାରଣ ପାଲଟିଛି । ପ୍ରଶାସନ ଗୋଟିଏ ପାଖରେ ମଦ୍ୟପାନ କରି ଗାଡିମଟର ନ ଚଳାଇବା ପାଇଁ ସଚେତନତା କରାଉଥିବା ବେଳେ ଅନ୍ୟ ପାଖରେ ଜିଲ୍ଲାରେ ବେଆଇନ ଭାବରେ ଶତାଧିକ ମଦ ଦୋକାନ ଖୋଲାଯାଉଛି । ବେଆଇନ ମଦ ବିକ୍ରି ଉପରେ ପ୍ରଶାସନ ଯଦି ଅଙ୍କୁଶ ନ ଲଗାଯାଏ ତାହାହେଳେ ଆଗାମୀ ଦିନରେ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ଯାଯାବର ପୁଣି ଖୋଲାଯିବା ନେଇ ସାଧାରଣରେ ଦାବି
ବୌଦ୍ଧ,୨୭/୫ : ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ହରଭଙ୍ଗା ବ୍ଲକର ବୀରନରସିଂହପୁର ପଞ୍ଚାୟତର ଖଜୁୁରୀପଡା ନିକଟରେ ବୌଦ୍ଧଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିବା ଯାଯାବର ବର୍ତ୍ତମାନ ପ୍ରାୟ ତିନି ମାସ ହେବ ଝୁଲୁଛି ତାଲା । ଯାହାଫଳରେ ଏହି ରାସ୍ତା ଦେଇ ଯାଅ ଆସ କରୁ ଥିବା ପଥଚାରୀମାନେ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି । ଏଠାରେ ପଥଚାରୀଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ରେଷ୍ଟରାଣ୍ଟ, ମିଶନଶକ୍ତି କାଫେ ସହ ପରିବେଶ ପାର୍କ ନର୍ମାଣ କରାଯାଇଥିଲା ।
ଏଥି ପାଇଁ ପର୍ଯ୍ୟଟନ ଓ ପଶ୍ଚିମ ଓଡିଶା ଅନୁଦାନ ଖର୍ଚ୍ଚ କରାଯାଇଥିବା ଜଣାପଡିଛି । ମହିଳା ସ୍ୱୟଂସହାୟକ ଦଳକୁ ରୋଜଗାରକ୍ଷମ କରିବା ଲକ୍ଷ୍ୟରେ ଏହାର ଦାୟିତ୍ୱ ପୁରା ମାଗଣାରେ ଦିଆଯାଇଥିଲା । ଯାଯାବରରେ ସମସ୍ତ ଆନୁସାଙ୍ଗିକ ସୁବିଧା କରାଯାଇଥିଲା । ଏଠାରେ ଦୋକାନ ଖୋଲିବା ପାଇଁ ବ୍ୟବସାୟୀମାନଙ୍କୁ ଦୋକାନଘର ଭଡା ଗୋଟିଏ ବର୍ଷ ମାଗଣାରେ ଯୋଗାଇ ଦିଆଯାଇଥିଲା ।
ମହିଳା ସ୍ୱୟଂଦଳ ଗୁଡିକ ପ୍ରଥମରୁ କିଛି ଦିନ ଚଳାଇଥିଲେ ପରେ ପ୍ରଶାସନ ପକ୍ଷରୁ ଜଣେ ହୋଟେଲ ବ୍ୟବସାୟୀ ଦିଆଯାଇ ଥିଲା । ସେ ମଧ୍ୟ ଠିକ ଭାବେ ଲୋକଙ୍କୁ ସେବା ଯୋଗାଇ ଆସୁଥିଲେ । ଏହା ପଥଚାରୀଙ୍କ ପାଇଁ ବହୁ ସୁବିଧା ହେଉଥିବା ବେଳେ ଏବେ ପ୍ରାୟ ତିନିମାସ ହେଲା ବନ୍ଦ ହୋଇପଡିଛି । ଏହାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠାରୁ ଆରମ୍ଭ କରି ପରିବେଶ ପାର୍କ ,ରେଷ୍ଟୁରାଷ୍ଟ,ମିଶନ ଶକ୍ତି କାଫେ ଏବେ ଧିରେ ଧିରେ ନଷ୍ଟ ହେବାକୁ ବସିଲାଣି ।
ଏବେ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳି ପାଲଟିଛି । ବନ୍ଦ ଯୋଗୁଁ ସୌନ୍ଦର୍ଯ୍ୟକରଣ ପାଇଁ ଲାଗିଥିବା ଲାଇଟ ୍‌ଗୁଡିକ ଭାଙ୍ଗିରୁଜୁ ଯିବା ଅନ୍ୟାନ୍ୟ ସାମଗ୍ରୀ ସବୁ ନଷ୍ଟ ହୋଇଗଲାଣି । ପଥଚାରୀଙ୍କ ପାଇଁ ନିର୍ମାଣ କରାଯାଇଥିବା ଏହି ଯାଯାବର ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ,ଜିଲ୍ଲାରେ ପାଶ ହାର ୯୫.୪୯ ପ୍ରତିଶତ: ଶୁଭ୍ରଦୀପ ପ୍ରଧାନ ଜିଲ୍ଲା ଟପର ,ଏ-୧ରେ ୪ ଜଣ ଛାତ୍ରଛାତ୍ରୀ
ଜିଲ୍ଲାରେ ୨୮ ହାଇସ୍କୁଲରେ ଶତ ପ୍ରତିଶତ ପାଶ ହାର
ବୌଦ୍ଧ,୨୭/୫ : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଚଳିତ ବର୍ଷ ଜିଲ୍ଲାରେ ପାଶ ହାର ୯୫.୪୯ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ଚଳିତ ବର୍ଷ ଏ-୧ରେ ୪ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ଛାତ୍ର ଶୁଭ୍ରଦୀପ ପ୍ରଧାନ ୫୫୪ ମାର୍କ ରଖିଥିବା ବେଳେ ୯୨.୩୩ ପ୍ରତିଶତ ମାର୍କ ରଖି ଜିଲ୍ଲା ଟପର ହୋଇଛନ୍ତି ।
ସେହିପରି ବହିରା ପଂଚାୟତ ହାଇସ୍କୁଲର ଛାତ୍ର ପଦ୍ମନାଭ ମେହେର ୫୫୨ ମାର୍କ ରଖିଥିବା ବେଳେ ୯୨ ପ୍ରତିଶତ ରଖିଛନ୍ତି । ଯୋଗୀନ୍ଦ୍ର ଦେବ ହାଇସ୍କୁଲର ଛାତ୍ର ପ୍ରେମାନନ୍ଦ ମେହେର ୫୪୦ ମାର୍କ ରଖିଥିବା ବେଳେ ୯୦ ପ୍ରତିଶତ ମାର୍କ ରଖିଛନ୍ତି । ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଛାତ୍ରୀ ମନୀଷା ରାଣୀ ପୁରୋହିତ ୫୪୦ ମାର୍କ ରଖିଥିବା ବେଳେ ୯୦ ପ୍ରତିଶତ ମାର୍କ ରଖିଛନ୍ତି ।
ଚଳିତ ବର୍ଷ ଜିଲ୍ଲାରେ ଫେବୃଆରୀ ୨୦ ତାରିଖରୁ ମାର୍ଚ୍ଚ ୪ ତାରିଖ ମଧ୍ୟରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏଥିରେ ୬୫୬୭ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ଜିଲ୍ଲାରେ ୭୫ଟି ହାଇସ୍କୁଲ ରହିଥିବା ବେଳେ ସେଥିମଧ୍ୟରୁ ୨୮ଟି ବିଦ୍ୟାଳୟରେ ଶତପ୍ରତିଶତ ପାଶ ହାର ହୋଇଥିବା ଜଣାପଡିଛି ।
ଦେବର୍ଷି ନାରଦ ଜୟନ୍ତୀ ପାଳିତ
ବୌଦ୍ଧ,୨୭/୫: ସୃଷ୍ଟିର ଆଦ୍ୟରୁ ଦେବତା ଦାନବ ଓ ମାନବ ସମାଜ ମଧ୍ୟରେ ତ୍ରିଭୁବନରେ ପ୍ରଭୁ ଦେବର୍ଷି ନାରଦଙ୍କ ପଥପ୍ରଦର୍ଶନ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ଆଦ୍ୟ ଯୁଗରୁ ଶ୍ରୀ ନାରଦ ଗଣମାଧ୍ୟମର କାର୍ଯ୍ୟ ସୁଚାରୁ ରୂପେ ପ୍ରତିପାଦନ କରି ସର୍ବତ୍ର ପ୍ରଶଂସାପାତ୍ର ହୋଇ ପାରିଥିଲେ ବୋଲି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ଠାରେ ଆୟୋଜିତ ନାରଦ ଜୟନ୍ତୀ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ମାନନୀୟ ଜିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଜିଲ୍ଲା ପ୍ରଚାର ପ୍ରମୁଖ ରଘୁନାଥ ଷଡଙ୍ଗୀ ମଂଚ ପରିଚାଳନା କରିଥିଲେ ।
ମୁଖ୍ୟ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ବରଜ କୁମାର ବେହେରା ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତାଭାବେ ସଂଘର ପଶ୍ଛିମପ୍ରାନ୍ତ ପ୍ରତିନିଧି ତଥା ବଲାଙ୍ଗିର ବିଭାଗ ବୌଦ୍ଧିକ ପ୍ରମୁଖ ମାନନୀୟ ଦେବବ୍ରତ ପାଣିଗ୍ରାହୀ ଯୋଗଦେଇ ଉପସ୍ଥିତ ସାମ୍ବାଦିକଙ୍କୁ ସମାଜର ଶୃଙ୍ଖଳାପାଇଁ ନିରପେକ୍ଷ ଭାବେ ସମ୍ବାଦ ପରିବେଷଣକରି ପ୍ରଭୁ ନାରଦଙ୍କ ମର୍ଯ୍ୟଦା ଅକ୍ଷୁର୍ଣ୍ଣ ରଖିବାପାଇଁ ଆହ୍ୱାନ ଦେଇଥିଲେ ।
ପ୍ରାରମ୍ଭରେ ସ୍ୱୟଂ ସେବକ ବିଜୟ କୁମାର ସାହୁ ଅତିଥି ପରିଚୟ ବ୍ୟକ୍ତିଗତ ଗୀତ ଗାନ କରିବାସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ବୁଦ୍ଧିଜୀବୀ, ସାମ୍ବାଦିକ, ମାତୃଶକ୍ତି ଓ ସାହିତ୍ୟିକ ପ୍ରମୁଖ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମରେ ନିରଂଜନ ମେହେର, ନବୀନ କୁମାର ସାହୁ, ଶମ୍ଭୁ ପ୍ରସାଦ ମିଶ୍ର, ଆଶୁତୋଷ ଦାଶ, ଦୁର୍ଯ୍ୟଧନ ବିଶି, ସତ୍ୟାନନ୍ଦ ପାଣ୍ଡେ,ପଦ୍ମ ଚରଣ ମେହେର, ନିରଞ୍ଜନ ଦାନୀ, ପ୍ରଧାନ ଆଚାର୍ଯ୍ୟ ଧରଣୀଧର ପରିଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.