Odisha News

ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ଵର,୨୫/୧୧: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା। କ୍ରମାଗତ ଦ୍ଵିତୀୟ ଦିନ ପାଇଁ ସେ ଇଡିରେ ହାଜର ହୋଇଛନ୍ତି। ପ୍ରଥମ ଦିନ ଇଡିର ଅଧିକାରୀ ଶ୍ରଦ୍ଧାଞ୍ଜଳିଙ୍କୁ ଦୀର୍ଘ ୧୪ ଘଣ୍ଟା ଧରି ଜେରା କରିଥିଲେ। ଏହି ସମୟରେ ସେ ଏହି ହାଇ ପ୍ରୋଫାଇଲ୍ ମାମଲାରେ ଅନେକ ଗୁମର ଖୋଲିଥିବା କୁହାଯାଉଛି।
ସୂଚନାଯୋଗ୍ୟ ଗୁରୁବାର ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭାଇ ତଥା କାର୍-ସୋ ରୁମ୍ ମାଲିକ ଗଙ୍ଗାଧର ସାମଲ ଇଡିରେ ହାଜର ହୋଇଥିଲେ । ତାଙ୍କୁ ୧୨ ଘଣ୍ଟାରୁ ଅଧିକ ସମୟ ଜେରା କରାଯାଇଥିଲା । ଅର୍ଚ୍ଚନା ମାମଲା ଇଡି ନେଲା ପରେ ଆର୍ଥିକ କାରବାର ନେଇ ତଦନ୍ତ ଆରମ୍ଭ କରିଥିଲା ।
ଏହି ସମୟରେ ଜଣାପଡ଼ିଥିଲା ଅର୍ଚ୍ଚନାର ଆକାଉଣ୍ଟକୁ ‘ଏମ୍ପିୟର ପ୍ରେଷ୍ଟିଜ୍’ ଆକାଉଣ୍ଟକୁ ୩୦ ଲକ୍ଷରୁ ଅଧିକ ଟଙ୍କା ଆସିଛି । ଯାଞ୍ଚ ସମୟରେ ଜଣାପଡ଼ିଥିଲା ‘ଏମ୍ପିୟର ପ୍ରେଷ୍ଟିଜ୍’ ମାଲିକ ହେଉଛନ୍ତି ଗଙ୍ଗାଧର ସାମଲ । ଏଣୁ ଇଡି ଗତ ସପ୍ତାହରେ ଗଙ୍ଗାଧରଙ୍କୁ ନୋଟିସ୍ କରିଥିଲା ।
ଗୁରୁବାର ସକାଳ ସାଢ଼େ ୧୦ଟାରେ ଗଙ୍ଗାଧର କାଗଜପତ୍ର ଧରି ପହଞ୍ଚିଥିଲେ ଇଡି କାର‌୍ୟ୍ୟାଳୟରେ । ଦୀର୍ଘ ସମୟ ଜେରା ପରେ ମଧ୍ୟ ଗଙ୍ଗାଧର କହି ନଥିଲେ କ’ଣ ପାଇଁ ସେ ଅର୍ଚ୍ଚନାକୁ ଏତେ ଟଙ୍କା ଦେଇଥିଲେ । ସେପଟେ ଅର୍ଚ୍ଚନା ଓ ଖଗେଶ୍ୱରଙ୍କ ଆର୍ଥିକ କାରବାର ରାଜ୍ୟ ବାହାରେ ରହିଛି ।
ସେ ବିଷୟରେ ଇଡି ତଥ୍ୟ ପାଇଛି । ଭାଇଜାଗ୍ର ଜଣେ ଖଣି ବ୍ୟବସାୟୀ କାର୍ତ୍ତିକେ ବୋଜୋଡ଼ିଆଙ୍କ ସହ ୨୦୧୯ରୁ ୨୦୨୨ ମଧ୍ୟରେ ୭୦ ଲକ୍ଷରୁ ଅଧିକ ଟଙ୍କା କାରବାର ହୋଇଛି । କ’ଣ ପାଇଁ ଏତେ ଟଙ୍କା କାରବାର ହୋଇଛି ସେ ନେଇ କୌଣସି ସୂଚନା ମିଳିନାହିଁ । କାର୍ତ୍ତିକେ ମଞ୍ଚେଶ୍ୱର ଅଞ୍ଚଳରେ ରହୁଥିଲେ ।
ଖଗେଶ୍ୱରଙ୍କ ସେ ଅଞ୍ଚଳରେ ଗ୍ୟାରେଜ୍ ଥିଲା । ଉଭୟେ ଏକ ଖଟିରୁ ପରିଚିତ ହୋଇଥିଲେ । ତା’ପରେ ଲକ୍ଷ ଲକ୍ଷର କାରବାର । ସେ କାରବାର ବିଷୟରେ ଜାଣିବା ପାଇଁ ଇଡି ଖଗେଶ୍ୱରଙ୍କୁ ତୃତୀୟ ପର‌୍ୟ୍ୟନ୍ତ ରିମାଣ୍ଡ ଆବେଦନ କରିଥିଲା । ଯାହାକୁ କୋର୍ଟ ଖାରଜ କରିଛନ୍ତି ।
ବିଳମ୍ବିତ ସନ୍ଧ୍ୟାରେ ଖଗେଶ୍ୱରଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଭାଇଜାଗର କାର୍ତ୍ତିକେଙ୍କ ‘ଶ୍ରୀୟା’ ନାମକ କମ୍ପାନୀରୁ ଏମାନଙ୍କ ପାଖକୁ ଆସିଥିବା ଟଙ୍କାର ହିସାବ ପାଇଁ ଇଡି ତାଙ୍କୁ ନୋଟିସ୍ କରିବ ବୋଲି ଜଣାପଡ଼ିଛି । ଅର୍ଚ୍ଚନା ଓ ଖଗେଶ୍ୱର ଦୁହେଁ ମିଶି କାର୍ତ୍ତିକେୟଙ୍କୁ ବ୍ଲାକ୍ମେଲିଂ କରି ଏ ସବୁ ଟଙ୍କା ଆଣୁଥିଲେ ବୋଲି ଜଣାପଡ଼ିଛି ।
ଆସନ୍ତା ୩୦ ତାରିଖରେ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ କୋର୍ଟରେ ହାଜର କରାଯିବ । ସେଠାରୁ ତାଙ୍କୁ ଇଡି ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି ।

Related Posts

Seo wordpress plugin by www.seowizard.org.