Odisha News

ପାଗଳ କକୁର ଆକ୍ରମଣରେ ୩୦ରୁ ଊର୍ଦ୍ଧ୍ୱ ଜଣ ଆହତ, ପିଟିପିଟି ମାରିଦେଲେ ଗ୍ରାମବାସୀ

ବାଲେଶ୍ୱର,୩/୧୨: ବାଲେଶ୍ୱର ଜିଲ୍ଲା ଶୂନହାଟ କଂସେଇ ମହଲରେ ଆତଙ୍କ ଖେଳାଇଛି ପାଗଳା କୁକୁର । ଆଜି ସକାଳୁ ପାଗଳା କୁକୁର ଆକ୍ରମଣରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଜଣ ଆହତ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରେ ବୟସ୍କ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି କୁନି କୁନି ପିଲା ବି ଅଛନ୍ତି। ପାଗଳା କୁକୁରଟି ବାଘ ପରି ଝାମ୍ପ ମାରି ମାଂସ ପୁଳା ପୁଳା ନେଇ ଯାଉଥିବା କହିଛନ୍ତି ସ୍ଥାନୀୟ ଲୋକେ।
ଆଜି ସକାଳୁ ସକାଳୁ ସବୁ ଦିନ ପରି ଚଳଚଞ୍ଚଳ ହୋଇ ଉଠିଥିଲା ବାଲେଶ୍ୱର ମ୍ୟୁନିସିପାଲିଟି ଅଧୀନ ୪ ନମ୍ବର ୱାର୍ଡର ଶୂନ ହାଟ କଂସେଇ ମହଲା। କିଛି ଲୋକେ ମର୍ଣ୍ଣିୱାକ ଯାଉଥିବା ବେଳେ ପିଲାମାନେ ସ୍କୁଲ ବାହାରିଥିଲେ। ମହିଳାମାନେ ବି ନିଜ ଘର କାମରେ ବ୍ୟସ୍ତ ଥିଲେ।
ଏହି ସମୟରେ ହଠାତ୍ ମାଡ଼ି ଆସିଲା ପାଗଳା କୁକୁର। କାହା ହାତ ତ କାହା ଜଂଘ ତ ଆଉ କାହା ଗୋଡ଼ରୁ ମାଂସ ପୁଳା ପୁଳା ଝାମ୍ପି ନେଇଛି। କୁକୁରଟି ପଛରୁ ଲୋକଙ୍କ ଉପରକୁ ଡେଇଁ ଅତର୍କିତ ଆକ୍ରମଣ କରୁଥିବାରୁ ଲୋକେ ନିଜକୁ ବଞ୍ଚାଇବାକୁ ସମୟ ପାଇପାରୁ ନାହାନ୍ତି। କୁକୁର ଆକ୍ରମଣରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କିଛି ଛୋଟ ଛୋଟ ଶିଶୁ ବି ଅଛନ୍ତି।
କୁକୁର କାମୁଡ଼ାର ଶିକାର ଲୋକେ ସକାଳୁ ବାଲେଶ୍ୱର ଜିଲ୍ଲା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିବା ବେଳେ ପୂର୍ବାପେକ୍ଷା ସେମାନେ ସୁସ୍ଥ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ତେବେ ପ୍ରାୟ ୪,୫ ଜଣଙ୍କ କ୍ଷତ ଗଭୀର ହୋଇଥିବା ସେ କହିଛନ୍ତି।
ଏନେଇ ସ୍ଥାନୀୟ ଲୋକେ ବାଲେଶ୍ୱର ମ୍ୟୁନିସିପାଲିଟି ଚେୟାରମ୍ୟାନଙ୍କୁ ଫୋନ୍ କରିବାରୁ ସେ କିନ୍ତୁ ନିଜ ମୁଣ୍ଡରୁ ସବୁ ଦାୟିତ୍ୱକୁ ଖସାଇ ଦେଇଥିଲେ। ଏପରିକି କୁକୁର ଧରିବା ମ୍ୟୁନିସିପାଲିଟିର କାମ ନୁହେଁ, ଆପଣ ଚାହିଁଲେ ପିଟି ପିଟି ମାରନ୍ତୁ, ନଚେନ ବିଷ ଦେଇ ମାରି ଦିଅନ୍ତୁ ବୋଲି କହିଥିଲେ।
ଆଜି ସକାଳେ ପାଗଳା କୁକୁରଟି ଜଣଙ୍କ ପରେ ଜଣଙ୍କୁ କାମୁଡ଼ିବାରୁ ଉତ୍ତ୍ୟକ୍ତ ଲୋକେ ଏକ କୁକୁରକୁ ପିଟି ମାରି ଦେଇଛନ୍ତି। ତେବେ ସେ ପାଗଳା କୁକୁର ନା ନୁହେଁ ତାହା ଏବେ ଦ୍ୱଦ୍ୱରେ ରହିଛି। ଫଳରେ ଲୋକେ ଘରୁ ବାହାରିବାକୁ ଡରୁଥିବା ବେଳେ ଛୋଟ ଛୋଟ ପିଲାଙ୍କୁ ବି ବାହାରକୁ ଛାଡ଼ୁ ନାହାନ୍ତି।

Related Posts

Seo wordpress plugin by www.seowizard.org.