Odisha News

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ଲୋକ ସାହିତ୍ୟର ସମନ୍ବୟ ପୀଠ ବୌଦ୍ଧ ଜିଲ୍ଲା

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧/୧୧: ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ସ୍ଥାନୀୟ ପାରିଜାତ ପେଲେସରେ ଲୋକ ସାହିତ୍ୟ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି ।
ପ୍ରଥମ ଅଧିବେଶନର ଓଡ଼ିଶାର ଲୋକ ସାହିତ୍ୟ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ରୂପେ ଜଙ୍ଗଲ, ପରିବେଶ, ଲୋକସମ୍ପର୍କ, ସୂଚନା ପ୍ରସାରଣ,ଗ୍ରାମ୍ୟ ଜଳଯୋଗାଣ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ ।
ମୁଖ୍ୟ ବକ୍ତା ଭାବରେ ପ୍ରଫେସର କୁମୁଦ ରଞ୍ଜନ ପାଣିଗ୍ରାହୀ ,ସମ୍ମାନିତ ଆଲୋଚକ ଭାବେ ଡ.ଲକ୍ଷ୍ମଣ ମେହେର, ଗବେଷକ, ବଲାଙ୍ଗୀର,ଡ.ଶରତଚନ୍ଦ୍ର ପତି, ବୌଦ୍ଧ ପଞ୍ଚାୟତ ମହାବିଦ୍ୟା ଳୟ,ଡ.ଅଶୋକ କୁମାର ପଣ୍ଡା,ବ୍ରହ୍ମପୁର, ସଞ୍ଜୟ କୁମାର ଷଡ଼ଙ୍ଗୀ, ଡ.ଲକ୍ଷ୍ମୀ ନାରାୟଣ ଦାଶ, ପ୍ରବନ୍ଧିକ,ଚନ୍ଦ୍ର ଶେଖର ପାଢୀ, ଅଧିବକ୍ତା ଓ ଗିରିଜା ପ୍ରସାଦ ମିଶ୍ର, ସଦସ୍ୟ, ଓଡିଶା ସାହିତ୍ୟ ଏକାଡେମୀ, କନ୍ଧମାଳ ସବିଶେଷ ଭାବରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଲୋକ ସାହିତ୍ୟ ଉପରେ ଆଲୋଚନା କରିଥିଲ ।
ମାନବୀୟ ଚିନ୍ତା, ଚେତନାର ରସପୂର୍ଣ୍ଣ ମୌଖିକ ଅଭିବ୍ୟକ୍ତି ହିଁ ଲୋକ ସାହିତ୍ୟ ବୋଲି ମତ ପ୍ରକାଶ ପାଇଥିଲା,ତତ୍ ସହିତ ବୌଦ୍ଧ ଜିଲ୍ଲା ଉଭୟ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଲୋକ ସାହିତ୍ୟର ସମନ୍ୱୟ ସ୍ଥଳୀ ହେବା ଗର୍ବ ଓ ଗୌରବର ବିଷୟ ବୋଲି ଅଭିମତ ପ୍ରକାଶ ପାଇଲା ।
ଉକ୍ତ ଅଧିବେଶନରେ ଡ.ସଞ୍ଜୟ କୁମାର ପଣ୍ଡା ,ଅର୍ଥ କମିଟି ସଦସ୍ୟ ,ଓଡିଶା ସାହିତ୍ୟ ଏକାଡେମୀ,ଭୂବନେଶ୍ୱର ସଭାପତିତ୍ୱ କରିଥିବା ବେଳେ ଦେବାଶିଷ ପୁରୋହିତ, ଯୋଗଗୁରୁ ଓ ସୁଶାନ୍ତ କୁମାର ମହାପାତ୍ର, ଶିଶୁ ଲେଖକ ମଞ୍ଚ ପରିଚାଳନା କରିଥିଲେ,ଦ୍ବିତୀୟ ଅଧିବେଶନ କବିତା ପାଠୋତ୍ସବରେ ମୁଖ୍ୟ ଅତିଥି ଭାବରେ ଭବାନୀ ଶଙ୍କର ରାଉତ ,ଶିକ୍ଷାବିତ,ସମ୍ମାନିତ ଅତିଥି ଭାବରେ ପ୍ରଶାନ୍ତ କୁମାର ମହାପାତ୍ର, ଶିକ୍ଷାବିତ, ଅବସର ପ୍ରାପ୍ତ ଅଧ୍ୟକ୍ଷ, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ, ଡ.ପ୍ରମୋଦ କୁମାର ମହାପାତ୍ର, ଅଧ୍ୟାପକ, ଭୈରବୀ ଡିଗ୍ରୀ କଲେଜ,ପୁରୁଣାକଟକ,କିଶୋର ମିଶ୍ର,ରୋମାଣ୍ଟିକ କବି,ବିଦେଶୀ ନାୟକ,ସାହିତ୍ୟିକ, ଦୁଃଖିଶ୍ୟାମ ବେହେରା, ବରିଷ୍ଠ ସାହିତ୍ୟିକ ଯୋଗଦାନ କରି ଲୋକ ସାହିତ୍ୟର ଉତ୍କର୍ଷତା ଉପରେ ଆଲୋକପାତ କରିଥିଲେ,ଏହି ଅଧିବେଶନରେ ଦିଲ୍ଲୀପ ମହାନ୍ତି, କବି ଓ ନାଟ୍ୟକାର, ସତ୍ୟ ନାରାୟଣ ସାହୁ, କବି ସଂଯୋଜନା କରିଥିଲେ,ଅନ୍ୟୁନ୍ୟ ୬୦ଜଣ କବି ସ୍ବରଚିତ କବିତା ପାଠ କରିଥିଲେ, ଶେଷରେ ଦେବାଶିଷ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।

ଚାଷୀଙ୍କୁ କେନ୍ଦ୍ର ଅବହେଳା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜିଲ୍ଲା ବିଜେଡି ଧାରଣା
ବୌଦ୍ଧ,୧/୧୧:କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟର କୃଷକମାନଙ୍କୁ କୃଷି ବୀମା ପ୍ରଦାନରେ ଅବହେଳାକୁ ନେଇ ବୌଦ୍ଧଜିଲ୍ଲା ବିଜେଡି ପକ୍ଷରୁ ସୋମବାର ଜିଲ୍ଲାପାଳମାନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଏହି ଅବସରରେ ଚାଷୀଙ୍କୁ କେନ୍ଦ୍ରୀୟ ଅବହେଳା ଓ ବୀମାଟଙ୍କା ତୁରନ୍ତ ପ୍ରଦାନ କରିବାକୁ ବିଜେଡି ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା ।
ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଏହି ଦାବିପତ୍ରକୁ ଗ୍ରହଣ କରିଥିଲେ । କେନ୍ଦ୍ର ସରକାରରେ କ୍ଷମତାସୀନ ବିଜେପି ପକ୍ଷରୁ ବାରମ୍ବାର ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବାକୁ ବିଭିନ୍ନ କୌଶଳ ଆପଣାଉଥିବାବେଳେ ବିରୋଧୀଙ୍କ ଏହି କୌଶଳ କେବେ ମଧ୍ୟ ସଫଳ ହେବନାହିଁ ବୋଲି ବିଜେଡି ନେତାମାନେ ପ୍ରକାଶ କରିଥିଲେ । କେନ୍ଦ୍ର ସରକାର ଦ୍ୱାରା ରାଜ୍ୟର ଗରିବ ଚାଷୀମାନେ ଦୀର୍ଘଦିନ ହେଲା ଅବହେଳିତ ହୋଇ ରହିଛନ୍ତି । ଚାଷୀଙ୍କ ଧାନକ୍ରୟର ସହାୟକ ମୂଲ୍ୟ ବୃଦ୍ଧି ପାଇଁ ବାରମ୍ବାର କେନ୍ଦ୍ର ନିଟକରେ ଦାବି କରାଯାଇଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଇଆସିଛି । ସେହିପରି ପ୍ରଧାନମନ୍ତ୍ରୀ ଫସଲ ବୀମା ନାମରେ ଚାଷୀଙ୍କଠାରୁ ଋଣ ପ୍ରଦାନ ସମୟରେ ଅର୍ଥ କାଟି ରଖାଯାଇଥିବାବେଳେ ଏପର୍ଯ୍ୟନ୍ତ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ବୀମା ଅର୍ଥ ପ୍ରଦାନ କରାଯାଇନଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ଚାଷୀଙ୍କୁ କେନ୍ଦ୍ର ସରକାର କେବଳ ଭୋଟବ୍ୟାଙ୍କ ଭଳି ବ୍ୟବହାର କରିଆସିଥିବାବେଳେ ସେମାନଙ୍କର କୌଣସି ସମସ୍ୟା ପ୍ରତି ଧ୍ୟାନ ଦିଆଯାଉନାହିଁ । ପ୍ରତିବର୍ଷ ବନ୍ୟା,ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଅନେକ ଗରିବ ଚାଷୀ ହତାଶ ହୋଇସାରିଲେଣି ।
ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ନିଜସ୍ୱ ଯୋଜନା ମାଧ୍ୟମରେ ଚାଷୀ ପରିବାରକୁ ସାମାଜିକ,ସ୍ୱାସ୍ଥ୍ୟ,ଶିକ୍ଷା,ଖାଦ୍ୟ ଭଳି ମୌଳିକ ସହାୟତା ଯୋଗାଇଦିଆଯାଇଥିବାବେଳେ ପ୍ରଚାର ସର୍ବଶ୍ୱ କେନ୍ଦ୍ର ସରକାର ଚାଷୀଙ୍କୁ ଅଣଦେଖା କରିଆସିଛି । ତେଣୁ ଚାଷୀଙ୍କ ସ୍ୱାର୍ଥ ଲାଗି କେନ୍ଦ୍ର ବିରୋଧରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ବିଜେଡି ନେତାମାନେ ଚେତାବନୀ ଦେଇଛନ୍ତି । ବୌଦ୍ଧଗଡ ଏନଏସି ଅଧ୍ୟକ୍ଷ ତଥା ଜିଲ୍ଲା ଯୁବବିଜେଡି ସଭାପତି ମୃତ୍ୟୁଂଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଧାରଣା ସମାବେଶରେ କଣ୍ଟାମାଳ ବିଧାୟକ ମହୀଧର ରଣା,ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଂଜନ ନାୟକ,ସାଂସଦ ପ୍ରତିନିଧି ତାରେଣି ମହାପାତ୍ର,ବିଜେଡି ରାଜ୍ୟ ଯୁଗ୍ମ ସଂପାଦକ ଅଶୋକ କୁମାର ସାହୁ,ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ପ୍ରଧାନ, ମୁଣ୍ଡାପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁ,ବରିଷ୍ଠ ନେତା କିଶୋର ମେହେର,ସୁବାଶ ଚନ୍ଦ୍ର ସାହୁ,ମନୋରଂଜନ ପୁରୋହିତ, ହରିଶ୍ଚନ୍ଦ୍ର ମିଶ୍ର,ଯୋଗେଶ୍ୱର ମହାକୁଳ ଓ ଏନଏସି ଉପନଗରପାଳ ସୁଭାଷିନୀ ସେଠୀଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ସାମିଲ ହୋଇଥିଲେ ।
ବୌଦ୍ଧରେ ତୁରନ୍ତ କାର୍ଯ୍ୟକ୍ଷମ ହେବ ବନ୍ଦୋବସ୍ତ ଓ ଚକବନ୍ଦୀ କୋର୍ଟ
ବୌଦ୍ଧ,୧/୦: ବୌଦ୍ଧଜିଲ୍ଲାରେ ତୁରନ୍ତ ବନ୍ଦୋବସ୍ତ ଓ ଚକବନ୍ଦୀ କୋର୍ଟ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ଜଣାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ବ୍ରହ୍ମପୁର ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ଚିଠି ନମ୍ବର ୧୭୯୬ ତା ୨୭.୧୦.୨୦୨୨ରିଖରେ ବୌଦ୍ଧଜିଲ୍ଲାପାଳଙ୍କୁ ତୁରନ୍ତ ଏହି କୋର୍ଟ କାର୍ଯ୍ୟକ୍ଷମ କରିବାକୁ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଚିଠି ନମ୍ବର ୩୫୨୮୦/ ତା ୧୭.୧୦.୨୦୨୨ ଅନୁଯାୟୀ ବୌଦ୍ଧ ଓ ନୂଆପଡା ଜିଲ୍ଲା ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀ ବୀରସେନ ପ୍ରଧାନଙ୍କୁ ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ କମିଶନର ଭାବରେ ନିଯୁକ୍ତି ଦିଆଯାଇଛି ।
ବର୍ତମାନ ଶ୍ରୀପ୍ରଧାନ ଉଭୟ ଜିଲ୍ଲାରେ ନିର୍ଦ୍ଧାରିତ ଦିବସରେ କୋର୍ଟ କାର୍ଯ୍ୟ ଚାଲୁରଖିବା ସହିତ ମାମଲା ଗୁଡିକର ଶୁଣାଣି କରିବେ ବୋଲି ଜଣାପଡିଛି । ଅତିରିକ୍ତ କମିଶନର ଶ୍ରୀପ୍ରଧାନ ସୋମବାର ବୌଦ୍ଧରେ ପହଞ୍ଚି କୋର୍ଟ କାର୍ଯ୍ୟକ୍ଷମ ପାଇଁ ଆବଶ୍ୟକୀୟ ସୁବିଧା ଯୋଗାଇଦେବାକୁ ଜିଲ୍ଲାପାଳ ସତ୍ୟରଂଜନ ସାହୁ ଓ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରାଙ୍କ ସହିତ ଆଲୋଚନା କରିଛନ୍ତି ।
ବର୍ତମାନ ଅନେକ ଜମିବାଡି ର ବନ୍ଦୋବସ୍ତ ଓ ଚକବନ୍ଦୀ ମାମଲା ପାଇଁ ସମ୍ବଲପୁର ଓ ବଲାଙ୍ଗୀର ଯିବାକୁ ପଡୁଥିବାବେଳେ ସାଧାରଣଲୋକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା । ତିନିଦିନ ମଧ୍ୟରେ ବୌଦ୍ଧର ବନ୍ଦୋବସ୍ତ ଓ ଚକବନ୍ଦୀର ସମସ୍ତ ଜମିବାଡି ମାମଲାର ଫାଇଲ ଅତିରିକ୍ତ କମିଶନର ଶ୍ରୀପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବୌଦ୍ଧକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି । ବର୍ତମାନ ଏହି କୋର୍ଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନିର୍ଦ୍ଧାରିତ ଦିବସରେ କାର୍ଯ୍ୟକରିବ ବୋଲି ଜଣାପଡିଛି ।
ଦୁଇ ବାଇକ୍ ମୁଁହା ମୁଁହି ଧ୍କକା ଜଣେ ମୃତ ଦୁଇ ଗୁରୁତର
ବଘିଆପଡା:୧/୧: ବୌଦ୍ଧ ବଘିଆପଡ଼ା ମୂଖ୍ୟ ରାସ୍ତା ପାନଖିମାଲ ଠାରେ ଦୁଇ ବାଇକ ମଧ୍ୟରେ ମୁଁହା ମୁଁହି ଧକ୍କା ହେବା ଫଳରେ ଜଣେ ମୃତ ଦୁଇ ଗୁରୁତର,ମୃତକ ଜଣକ ହେଲେ କନକପୁର ଗ୍ରାମର ଅଜିତ ବାଘ, ସୂଚନା ଅନୁସାରେ ଅଜିତ ନିଜ ବାଇକ୍ ରେ ପନିପରିବା ବିକ୍ରି କରିବା ପାଇଁ ବୌଦ୍ଧ ଅଭିମୁଖେ ଯାଉଥିବା ବେଳେ ବୌଦ୍ଧ ବଘିଆପଡ଼ା ମୂଖ୍ୟ ରାସ୍ତା ପାନଖିମାଲ ଠାରେ ଦୁଇ ବାଇକ୍ ମଧ୍ୟରେ ଧକ୍କା ହେଇଥିଲା ଫଲରେ ବାଇକ୍ ଆରୋହି ୩ ଜଣ ଯାକ ରାସ୍ତା ଉପରେ ପଡ଼ିଯାଇଥିଲେ ।
ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସଲୟ କୁ ପଠାଇ ଥିଲେ । ସେଠାରେ ଡକ୍ଟର ବଘିଆପଡ଼ା ଗ୍ରାମ ପଞ୍ଚାୟତ କନକପୁର୍ ଗ୍ରାମର ଆଜିତ୍ ବାଘ (୨୪)କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇ ଜଣ ଗୁରୁତର ଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବା ରୁ ତାଙ୍କୁ ବୁର୍ଲା ଡ଼ାକ୍ତରଖାନା କୁ ପଠାଇ ଦେଇଥିଲେ, ଆହତ ୨ଜଣ ଏକ ରାଇସ ମିଲ ର କର୍ମଚାରି ବୋଲି ଜଣା ପଡିଛି, ଘଟଣା ସ୍ଥଳ ବୌଦ୍ଧ ପୁଲିସ ପହଞ୍ଚି ଦୁଇ ବାଇକ୍ ଜବତ୍ କରିବା ସହ ଶବକୁ ବ୍ୟବଚ୍ଛେଦ କରାଯାଇଛି ।

ଭୈରବୀ ଡିଗ୍ରୀ କଲେଜରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
ହରଭଙ୍ଗା, ୧/୧୧) : ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ କଲେଜରେ ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସ ଅବସରରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣିଆଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସଂହତି, ରାଷ୍ଟ୍ରୀୟ ଏକତା ଏବଂ ରାଷ୍ଟ୍ରର ଅଖଣ୍ଡତା ଉପରେ ସବିଶେଷ ଆଲୋଚନା କରାଯାଇଥିଲା । ତତସହିତ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ଭାରତକୁ ଲୌହ ମାନବଙ୍କ ଛୋଟ ଛୋଟ ରାଜ୍ୟ ଗୁଡିକର ସମ୍ମିଶ୍ରଣ ଭଳି ଅନେକ ଅବଦାନ ଗୁଡିକ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇ ଥିଲା ।
ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ରମ ଅଧିକାରୀ ରଞ୍ଜିତ କୁମାର ସାମଲ ପରିଚାଳନା କରିଥିବା ବେଳେ ଛାତ୍ରୀ ପ୍ରିୟଙ୍କା ହଂସ ଧନ୍ୟବାଦ ଅର୍ପଣ କରିଥିଲେ, ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ବାଉଁଶୁଣୀ ନାଗରିକ କମିଟିର ନୂତନ କର୍ମକର୍ତା ଚୟନ

ବାଉଁଶୁଣୀ,୧/୧୧: ବୌଦ୍ଧ ଜିଲ୍ଲା ବାଉଁଶୁଣୀ ନାଗରିକ କମିଟି ପକ୍ଷରୁ ଆଜି ପଞ୍ଚାୟତ ସଭାଗୃହ ଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକାରୀ ସଭାପତି ବିକ୍ରମ ମହାକୁଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କମିଟିର ନୂତନ କର୍ମକର୍ତା ଚୟନ କରାଯାଇଥିଲା । ବରିଷ୍ଠ ସଦସ୍ୟ ନାରାୟଣ ଦେହୁରୀଙ୍କୁ ସର୍ବସମ୍ମତି କ୍ରମେ ନାଗରିକ କମିଟିର ନୂତନ ସଭାପତି ଭାବରେ ମନୋନିତ କରାଯାଇଥିବା ବେଳେ ବିକ୍ରମ କୁମାର ମହାକୁଡଙ୍କୁ ଉପ ସଭାପତି, ପ୍ରବୋଧ ରଥଙ୍କୁ ସମ୍ପାଦକ ଦାୟିତ୍ବ, ଆବାହକ ଭାବରେ ବାଉଁଶୁଣୀ ସରପଞ୍ଚ ଅଇଁଠୁ ମହାଲିକ, ସଦାଶିବ ଦେହୁରୀଙ୍କୁ କୋଷାଧ୍ୟକ୍ଷ ଭାବରେ ମନୋନିତ ହୋଇଛନ୍ତି ।
ଉପଦେଷ୍ଠା ଭାବରେ କମିଟିର ବରିଷ୍ଠ ସଦସ୍ୟ ଘୁମୁଡୁ ଦନ୍ତା, ରଙ୍କନିଧି ଗାଇଗୌରିଆ, ଗିରିଶ ମହାକୁଡ, କଳାକାହ୍ନୁ ବେଜ୍, ରାଜେନ୍ଦ୍ର ବେହେରା ପ୍ରମୁଖ ରହିଛନ୍ତି ।ସେହିପରି ଲିଗାଲ କମିଟିରେ ଆଇନଜୀବି ରାଜେନ୍ଦ୍ର ମେହେର ଓ ବିବେକା ଦେହୁରୀ ରହିଥିବା ବେଳେ ପ୍ରଚାର କମିଟିରେ ମହେନ୍ଦ୍ର ମହାକୁଡ ଓ ଅକ୍ରୁର ଗାଇଗୌରିଆଙ୍କୁ ଦାୟିତ୍ବ ଦିଆଯାଇଛି ।
ସଭାପତି ଶ୍ରୀ ଦେହୁରୀ ଅଞ୍ଚଳର ସାମୁହିକ ବିକାଶ ପାଇଁ ଏକମନ ହୋଇ କାର‌୍ୟ୍ୟକରିବାକୁ ଆହ୍ବାନ ଦେଇଥିଲେ, ଅନୁଷ୍ଠିତ ବୈଠକରେ ପ୍ରମୋଦ କୁମାର ମେହେର, ରଂଜନ କୁମାର ଦାଶ, ଗୋପ ସାହୁ, ଛବିଳ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧ କିଆକଟା ମହାନଦୀ ସେତୁ ପାଲଟିଛି ମରଣଯନ୍ତା
ବୌଦ୍ଧ,୧/୧: ବୌଦ୍ଧ- କିଆକଟା ସେତୁ ଏବେ ପାଲଟିଛି ମରଣଯନ୍ତା । ଏହା ଜିଲ୍ଲାର ପ୍ରମୁଖ ପ୍ରବେଶ ଦ୍ୱାର କୁହାଯାଉଥିବା ବେଳେ ବୌଦ୍ଧ କିଆକଟା ମହାନଦୀ ସେତୁର ଦୂରାବସ୍ଥା ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି । ଉତ୍ତର ପ୍ରଦେଶ ବ୍ରିଜ ନିର୍ମାଣ କମ୍ପାନୀ ଦ୍ୱାରା ୨୦୦୨ ମସିହାରେ ଏହି ସେତୁ ସଂପୁର୍ଣ୍ଣ ହେବାପରେ ଏହାର ନିର୍ମାଣକୁ ନେଇ କମ୍ପାନୀ ସହିତ ପୁର୍ତ୍ତ ବିଭାଗ ମଧ୍ୟ ଖୁବ ପ୍ରଶଂସା ସାଉଣ୍ଟିଥିଲା । ପ୍ରାୟ ଦୁଇକିଲୋମିଟର ଲମ୍ବ ଏହି ବ୍ରିଜ ସେତେବେଳେ ମହାନଦୀ ଉପରେ ଦ୍ୱିତିୟ ଦୀର୍ଘତମ ସେତୁ ଭାବରେ ମାନ୍ୟତା ପାଇଥିଲା ।
ଏହି ସେତୁ ଦେଇ ଦୈନିକ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ୱ ଯାନ ଯିବା ଆସିବା କରୁଥିବାବେଳେ ବର୍ତମାନ କଟକ ସମ୍ବଲପୁର ରାସ୍ତା ନିର୍ମାଣ କାମ ଚାଲିଥିବା ଯୋଗୁଁ ବହୁ ସଂଖ୍ୟାରେ ଭାରିଯାନ ମଧ୍ୟ ଏହି ସେତୁ ଉପର ଦେଇ ଯିବା ଆସିବା କରୁଅଛି । ଫଳରେ ମୂଳ ସେତୁର କୌଣସି କ୍ଷତି ନହେଲେ ମଧ୍ୟ ସେତୁ ଉପରେ ଢଳାଯାଇଥିବା କଂକ୍ରିଟ ଆସ୍ତରଣ ବାରମ୍ବାର ଫାଟି ଲୁହାଛଡ ସବୁ ବିପଦଜନକ ଭାବରେ ବାହାରକୁ ବାହାରି ରହିଛି । ବୌଦ୍ଧ କିଆକଟା ସେତୁ ଉପରେ ବିପଦଜ୍ଜନକ ଭାବରେ ବାହାରି ରହିଥିବା ଲୁହା ଛଡ ଓ ସୃଷ୍ଟି ହୋଇଥିବା ବଡ ବଡ ଖାଲ ଯୋଗୂଁ ପ୍ରତିଦିନ ଛୋଟବଡ ଦୁର୍ଘଟଣାମାନ ଘଟୁଛି ।
ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏହାର ବାରମ୍ବାର ମରାମତି କରାଯାଉଥିଲେ ମଧ୍ୟ ଅଳ୍ପଦିନ ପରେ ପୁଣିଥରେ କଂକ୍ରିଟ ଫାଟି ଛଡସବୁ ବାହାରି ଖାଲ ସୃଷ୍ଟି ହୋଇଯାଉଥିବା ଦେଖାଯାଉଛି । ଏହି ସେତୁ ଉପରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଧନ ଜୀବନ ମଧ୍ୟ କ୍ଷତି ହୋଇସାରିଲାଣି । ହେଲେ ସେତୁ ଉପରେ ସୃଷ୍ଟି ହୋଇଥିବା ଖାଲ ଓ ବାହାରିଥିବା ଛଡର ସ୍ଥାୟୀ ମରାମତି କରାଯାଉନଥିବାରୁ ସବୁବେଳେ ଦୁର୍ଘଟଣାର ଆଶଙ୍କା ଲାଗି ରହୁଛି । ଐତିହାସିକ ବୌଦ୍ଧ ସହରର ସୌନ୍ଦର୍ଯ୍ୟକରଣକୁ ପ୍ରାଧାନ୍ୟ ଦିଆଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇବର୍ଷ ପୂର୍ବରୁ ଏହି ସେତୁର ଆଲୋକୀକରଣ କରାଯାଇଥିଲା ।
ସେତୁ ଆଲୋକୀକରଣ କରାଗଲା ସିନା ସୌନ୍ଦର୍ଯ୍ୟକରଣତ ଦୂରର କଥା ସେତୁ ଉପରେ ଅଧାରୁ ଅଧିକ ଲାଇଟ ଜଳୁନଥିବା ଦେଖାଯାଉଅଛି । ବର୍ତମାନ ଜିଲ୍ଲାରେ ମହାନଦୀ ଉପରେ ଧଳପୁର ଆଠମଲ୍ଲିକ ଓ ବୌଦ୍ଧ ମର୍ଜାକୁଦ ମଧ୍ୟରେ ଦୁଇଗୋଟି ସେତୁ ନିର୍ମାଣ କରାଯାଇ ଉଦଘାଟନ ଅପେକ୍ଷାରେ ଥିବାବେଳେ ମାତ୍ର ୨୦ ବର୍ଷ ତଳେ ନିର୍ମିତି ବୌଦ୍ଧ କିଆକଟା ସେତୁର ସୁରକ୍ଷା ପ୍ରତି ଜାତୀୟ ରାଜପଥ ବିଭାଗ ପକ୍ଷରୁ ଦୃଷ୍ଟି ଦିଆନଯିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରୁଅଛି । ତେଣୁ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇ ବୌଦ୍ଧ କିଆକଟା ସେତୁ ଉପରେ ବିପଦଜନକ ଭାବରେ ବାହାରି ରହିଥିବା ଛଡ ଓ ସୃଷ୍ଟି ହୋଇଥିବା ବଡ ବଡ ଖାଲର ତୁରନ୍ତ ମରାମତି କରାଯିବାକୁ ବୁଦ୍ଧଜିବୀ ମହଲରେ ମତପ୍ରକାଶ ପାଉଅଛି ।

Related Posts

Seo wordpress plugin by www.seowizard.org.