Odisha News

ପଞ୍ଚଭୂତରେ ଲୀନ ହେଲେ ନେତାଜୀ ମୁଲାୟମ ସିଂହ ଯାଦବ, ଅଖିଳେଶ ଦେଲେ ମୁଖାଗ୍ନି

ସୈଫାଇ(ୟୁପି), ୧୧/୧୦: ଭାରତୀୟ ରାଜନୀତିର ନେତାଜୀ ଓରଫ ମୁଲାୟମ ସିଂହ ଯାଦବଙ୍କ ପାର୍ଥିବ ଶରୀର ଆଜି ପଞ୍ଚଭୂତରେ ଲୀନ ହୋଇଛି। ନିଜର ପୈତୃକ ଗ୍ରାମ ଉତ୍ତର ପ୍ରଦେଶର ଇଟାୱା ଅନ୍ତର୍ଗତ ସୈଫାଇରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ପୁଅ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ତାଙ୍କୁ ମୁଖାଗ୍ନୀ ଦେଇଛନ୍ତି।
ତାଙ୍କ ଅନ୍ତିମ ଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ସେହିପରି ଦଳମତ ନିର୍ବିଶେଷରେ ସମସ୍ତେ ନେତାଜୀଙ୍କ ଅନ୍ତିମ ଦର୍ଶନ କରିଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ନେତାଜୀଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି।
ସୋମବାର ସକାଳ ୮.୧୬ରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ମୁଲାୟମଙ୍କ ଦେହାନ୍ତ ହୋଇଥିଲା। ସେଠାରୁ ବିରାଟ ଶୋଭାଯାତ୍ରରେ ତାଙ୍କ ପାର୍ଥିବ ଶରୀରକୁ ସୈଫାଇ ଅଣାଯାଇଥିଲେ। ଆଜି ମଧ୍ୟାହ୍ନ ଯାଏ ତାଙ୍କୁ ଭଲ ପାଉଥିବା ଲୋକ ଓ ବିଭିନ୍ନ ଦଳର ନେତା ନେତାଜୀଙ୍କ ଘରେ ପହଞ୍ଚି ଶେଷ ଦର୍ଶନ କରିଥିଲେ।
ଏହାପରେ ବାସଭବନରୁ ହଜାର ହଜାର ଲୋକଙ୍କ ଭିଡ଼ ମଧ୍ୟରେ ନେତାଜୀଙ୍କ ପାର୍ଥିବ ଶରୀରର ଗାଁର ଶ୍ମଶାନରେ ପହଞ୍ଚିଥିଲା। ସେଠାରେ ପୁଅ ଅଖିଲେଶ ଯାଦବ ପରମ୍ପରା ଅନୁସାରେ ବାପାଙ୍କ ଅନ୍ତିମ ସଂସ୍କାର କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନେତାଜୀଙ୍କୁ ଶେଷ ସଲାମୀ ଦିଆଯାଇଛି। ସେହିପରି ରାଜ୍ୟରେ ୩ ଦିନିଆ ଶୋକ ମଧ୍ୟ ଘୋଷଣା କରାଯାଇଛି।
ଆଜି ସକାଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, କଂଗ୍ରେସର କମଲନାଥ ଓ ଟିଡିପିର ଏନ ଚନ୍ଦ୍ରବାବୁ ନାଇଡୁଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଦଳର ନେତା ସୈଫାଇରେ ମୁଲାୟମ ସିଂହଙ୍କ ଅନ୍ତିମ ଦର୍ଶନ କରିଥିଲେ।
ବଲିଉଡର ବିଗ ବି ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ମଧ୍ୟ ନେତାଜୀଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ। ଅନ୍ତିମ ଯାତ୍ରାରେ ମୁଲାୟମ ଯାଉଥିବା ବେଳେ ‘ନେତାଜୀ ଅମର ରହୈ’ ନାରାରେ ପୂରା ଗାଁ ପ୍ରକମ୍ପିତ ହୋଇ ଉଠିଥିଲା।

ମୁଲାୟମ ସିଂହ ଯାଦବ ୮ ଥର ବିଧାୟକ ଏବଂ ସାତଥର ସାଂସଦ ଓ ୩ ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ଏହାବାଦ ୧୯୯୬ରୁ ୯୮ ମସିହା ପର୍ଯ୍ୟନ୍ତ ସେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ମୁଲାୟମ ଦୀର୍ଘ ଦଶନ୍ଧି ଧରି ଜାତୀୟ ନେତା ଭାବରେ ପ୍ରତିଷ୍ଠିତ ହୋଇଥିଲେ। ସମାଜବାଦୀ ନେତା ଜୟପ୍ରକାଶ ନାରାୟଣ ଓ ଡକ୍ଟର ରାମମନୋହର ଲୋହିଆଙ୍କ ଆଦର୍ଶରେ ଅନୁପ୍ରାଣିତ ମୁଲାୟମ ନିଜକୁ ଜଣେ ସଫଳ ରାଜନୀତିଜ୍ଞ ଭାବେ ପ୍ରତିପାଦିତ କରି ପାରିଥିଲେ।

Related Posts

Seo wordpress plugin by www.seowizard.org.