ପଞ୍ଚଦିବସୀୟ ପ୍ରଯୁକ୍ତି ବିଦ୍ୟା ଆଧାରିତ ପ୍ରଶିକ୍ଷଣ ଉଦଯାପିତ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୧/୫: ବୌଦ୍ଧଜିଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଲାଣ୍ଡିବନ୍ଧ ସମ୍ମିଳନୀ କକ୍ଷଠାରେ ପଞ୍ଚଦିବସୀୟ ପ୍ରଯୁକ୍ତି ବିଦ୍ୟା ଆଧାରିତ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ପ୍ରତିଷ୍ଠାନର ଅଧ୍ୟକ୍ଷ ବୃନ୍ଦାବନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧୃବଚରଣ ଘିବେଲା ଅତିଥି ଭାବରେ ଯୋଗଦେଇ ସମସ୍ତ ସିଆରସିସି ଆଗ୍ରହର ସହିତ ପ୍ରଯୁକ୍ତି ବିଦ୍ୟା କୌଶଳ ହାସଲ କରିବା ସହ ତାହା କାର୍ଯ୍ୟରେ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ ।
ଶିକ୍ଷକ ପ୍ରଶିକ୍ଷିକା ଶର୍ମିଷ୍ଠା ଗଡନାୟକ,ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା,ହରଭଙ୍ଗା ବ୍ଲକ ଲୁଣିବାହାଲ ସିଆରସିସି ସତ୍ୟନାରାୟଣ ନାଏକ,କଣ୍ଟାମାଳ ବ୍ଲକ ମନମୁଣ୍ଡା ସିଆରସିସି ପ୍ରଜିଣା ପାଢୀ ଓ ବୌଦ୍ଧ ବ୍ଲକ ତେଲିବନ୍ଧ ସିଆସିସି ରାଜକୁମାର ପ୍ରଧାନ ନିଜ ନିଜର ଅଭିଜ୍ଞତା ଉପସ୍ଥାପନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ କମ୍ପ୍ୟୁଟର ସମ୍ବନ୍ଧୀୟ ପ୍ରାରମ୍ଭିକ ଧାରଣା,ମାଇକ୍ରୋସପ୍ଟ ୱାଡ.ଏକ୍ସେଲ,ପାୱାର ପଏଣ୍ଟ,ଗୁଗୁଲ ସିଟ,ଜାମ ବୋର୍ଡ ଉପରେ ଆଲୋଚନା କରିବା ସହିତ ପ୍ରତ୍ୟକ୍ଷ କମ୍ପ୍ୟୁଟର ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।
ଜିଲାର ସମସ୍ତ ସିଆରସିିସି,ଗୋଷ୍ଠୀ ଶିକ୍ଷା ଅଧିକାରୀ,ସହ ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ ଉକ୍ତ ତାଲିମ ଶିବିରରେ ଅଂଶଗ୍ରହଣ କରିଥିଲେ । ପ୍ରଶିକ୍ଷକ ଭାବରେ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ,ବାଳଗୋପାଲ ସ୍ୱାଇଁ,ଛନ୍ଦାରାଣୀ ପ୍ରଧାନ ଓ ଶଙ୍କର ମେହେର ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଶିକ୍ଷକ ପ୍ରଶିକ୍ଷକ ଅଭିମନ୍ୟୁ ସେଠୀ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ପ୍ରଶିକ୍ଷକ ଅନୁପମା ମେହେର ଓ ଶୁଭଲକ୍ଷ୍ମୀ ପରିଡା ସହଯୋଗ କରିଥିଲେ ।
ଚିରସ୍ରୋତା ମହାନଦୀ ଓ ତେଲନଦୀ ଥାଇ ବୌଦ୍ଧବାସୀଙ୍କ ପାଇଁ ପାନୀୟଜଳ ପ ଓ ଚାଷ ପାଇଁ ଜଳ ନିଅଣ୍ଟ !
ବୌଦ୍ଧ,୧୧/୫ : ଆମ ରାଜ୍ୟ ଓଡିଶାର ଧନଧାନ୍ୟ ଓ ପ୍ରଗତି କ୍ଷେତ୍ରରେ ମହାନଦୀର ଅବଦାନ ଅତୁଳନୀୟ । ଓଡିଶାର ୧୬ଗୋଟି ଜିଲ୍ଲାକୁ ମହାନଦୀ ଛୁଇଁଛି । ବିଶୁଦ୍ଧ ପାନୀୟ ଜଳପାଇଁ ସମଗ୍ର ଓଡିଶାର ସିଂହଭାଗ ଅଧିବାସୀ ମହାନଦୀ ଉପରେ ନିର୍ଭରଶୀଳ । ମହାନଦୀ ୯୫୦୦ ବର୍ଗ କିଲୋମିଟର ଉପତ୍ୟକା ଓ ୨୦୦ କି.ମି. ଉପକୂଳକୁ ନେଇ ପରିବ୍ୟାପ୍ତ । ଛତିଶଗଡ ଓ ଓଡିଶାରେ ୮୫୮ କିଲୋମିଟର ପ୍ରବାହିତ ହେଉଥିବାବେଳେ ସେଥିମଧ୍ୟରୁ ବୌଦ୍ଧଜିଲ୍ଲା ଦେଇ ୧୦୦ କିଲୋମିଟରରୁ ଉର୍ଦ୍ଧ୍ୱ ମହାନଦୀ ପ୍ରବାହିତ ହେଉଅଛି ।
ବୌଦ୍ଧଜିଲ୍ଲା ଶିଳ୍ପବିହୀନ ଭାବେ ରାଜ୍ୟରେ ପରିଗଣିତ ହେଉଥିବାବଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବୌଦ୍ଧପାଇଁ କୌଣସି ଯୋଜନା ପ୍ରସ୍ତୁତ କରାଯାଇ ନ ଥିବାବେଳେ ଆଜି ପର୍ଯ୍ୟନ୍ତ ପିଇବା ପାଇଁ ପାନୀୟ ଜଳ କିମ୍ବା ଚାଷଜମି ପାଇଁ ଜଳସେଚନ ବ୍ୟବସ୍ଥାକୁ ସଂପୁର୍ଣ୍ଣ କରାଯାଇ ପାରିନାହିଁ ।
ଅପରପକ୍ଷରେ କେତେବେଳେ ଟିକରପଡା ନଦୀବନ୍ଧ ଯୋଜନା, ମଣିଭଦ୍ରା ନଦୀବନ୍ଧ ଯୋଜନା ଏବଂ ଆଉ କେତେବେଳେ ସିଣ୍ଡୋଲ ବ୍ୟାରେଜ କରିବା ପାଇଁ ଯୋଜନା କାଗଜ କଲମରେ ପ୍ରସ୍ତୁତ କରି ବୌଦ୍ଧବାସୀଙ୍କ ମନରେ ଭୟ ସୃଷ୍ଟି କରୁଥିବାରୁ ଲୋକମାନଙ୍କର ବିକାଶ ଦିଗରେ ଏହା ମୁଖ୍ୟ ପ୍ରତିବନ୍ଧକ ସାଜିଛି । ବୌଦ୍ଧଜିଲ୍ଲା ଦେଇ ମହାନଦୀ ସହିତ ତେଲନଦୀ, ବାଘନଦୀ, ସାଲୁଙ୍କି ଆଦି ଚିରସ୍ରୋତା ନଦୀ ପ୍ରବାହିତ ହେଉଅଛି ।
ଚାଷଜମିକୁ ଜଳ ଯୋଗାଣ ପାଇଁ ଜିଲ୍ଲାରେ ଜଳ ସଂପଦ ବିଭାଗ, ଉଠା ଜଳସେଚନ ଓ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟ କରୁଛନ୍ତି । ବୌଦ୍ଧଜିଲ୍ଲାରେ କୃଷି ଉପଯାଗୀ ଜମି ୮୫ ହଜାର ହେକ୍ଟର ରହିଛି । ଚାଷ ଓ ଚାଷୀର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅନୁଦାନ ଯୋଗାଇ ଦେଉଛନ୍ତି । ଯୋଜନା ପ୍ରସ୍ତୁତ ହୋଇ ଅର୍ଥ ଖର୍ଚ୍ଚ କରାଯାଉଛି । କିନ୍ତୁ ବାସ୍ତବ କ୍ଷେତ୍ରରେ ଚାଷଜମିକୁ ପାଣି ଅଭାବରୁ ଚାଷୀମାନେ ପ୍ରତିବର୍ଷ ମରୁଡିର ଶୀକାର ହେଉଛନ୍ତି । ସାଲୁଙ୍କି ଜଳସେଚନ ଯୋଜନାରେ ବୌଦ୍ଧବ୍ଲକର ୧୫ଗୋଟି ପଂଚାୟତର ୧୪୪ ଗ୍ରାମର ୧୨୯୦୨ ହେକ୍ଟର ଓ ହରଭଙ୍ଗା ବ୍ଲକର ୭ଗୋଟି ପଂଚାୟତର ୭୨ଗୋଟି ଗ୍ରାମର ୭୧୬୯ ହେକ୍ଟର ଜମିକୁ ଜଳସେଚିତ ହେଉଅଛି ।
ସେହିପରି ବାଘବ୍ୟାରେଜ ନିର୍ମାଣ ହେବାପରେ କଂଟାମାଳ ବ୍ଲକର ମାତ୍ର ୨ଗୋଟି ପଂଚାୟତର ୨୮ଗୋଟି ଗ୍ରାମର ୨ହଜାର ୩୨୭ହେକ୍ଟର ଜମି ଓ ବୌଦ୍ଧବ୍ଲକର ୫ଗୋଟି ପଂଚାୟତର ୮୨ଗୋଟି ଗ୍ରାମର ୮ହଜାର ୫୪୭ ହେକ୍ଟର ଜମିକୁ ଜଳସେଚିତ ହେଉଥିବା ଜଣାପଡିଛି । କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାରେ ୧୬ହଜାର ୯୮ ହେକ୍ଟର ଜମିକୁ ଜଳସେଚନ କରାଯାଇଛି । ଉଠା ଜଳସେଚନ ଯୋଜନା ମାଧ୍ୟମରେ ୫ଶହ ଗୋଟି ଯୋଜନାରେ ୯୨୦ ହେକ୍ଟର ଜମିକୁ ଜଳସେଚନ କରାଯାଇଛି ।
ବୃହତ ଜଳସେଚନ ବିଭାଗ ପକ୍ଷରୁ ବୌଦ୍ଧଜିଲ୍ଲାର ୫ଗୋଟି ସ୍ଥାନରେ ହିଲୁଙ୍ଗ, ଧଳପୁର, ରାମଗଡ, ସାମ୍ପୋଚ ଓ ତିରୋଡ ଠାରେ ୨୨କୋଟି ୩୫ଲକ୍ଷ ଟଙ୍କା ବିନିମୟରେ ୨୦୧୭ ମସିହାରୁ ମେଗା ପ୍ରକଳ୍ପ ପାଇଁ ବ୍ୟୟ ଅଟକଳ କରାଯାଇଥିବା ବେଳେ ହିଲୁଙ୍ଗ ଓ ତିରୋଡ ପ୍ରକଳ୍ପର କାର୍ଯ୍ୟ ୫୦ ପ୍ରତିଶତ ହୋଇଥିବାବେଳେ ଅନ୍ୟ ତିନିଗୋଟି ପ୍ରକଳ୍ପ ପାଇଁ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇନାହିଁ ।
ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅମୃତ ଯୋଜନା, ବସୁଧା ଯୋଜନା, ଘରଘର ଜଳ, ସୁଜଳ ଏବଂ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ ଯୋଜନା କାର୍ଯ୍ୟକାରୀ କରାଯାଉଛି । ବୌଦ୍ଧ ସହରରେ ବସୁଧା ଯୋଜନା ମାଧ୍ୟମରେ ପ୍ରତି ଘରକୁ ପାନୀୟ ଜଳ ଦେବାପାଇଁ ଯାଜନା କାର୍ଯ୍ୟକାରୀ ହେଉଥିବା ବେଳେ ଆଜି ପର୍ଯ୍ୟନ୍ତ ସଂପୁର୍ଣ୍ଣ ହୋଇପାରିନାହିଁ । ବିଭାଗୀୟ ଅଧରକାରୀଙ୍କ ଭୁଲ ନିଷ୍ପତି ଯୋଗୁଁ ୧୫କୋଟି ଟଙ୍କା ବିନିମୟରେ କରାଯାଇଥିବା ପାନୀୟଜଳ ବିଶୋଦ୍ଧନାଗାର ବୌଦ୍ଧ ସହରବାସୀଙ୍କୁ ୧୨ମାସ ପାନୀୟ ଜଳ ଯୋଗାଇବାରେ ବିଫଳ ହୋଇଛି ।
୨୦୦୯ ମସିହାରୁ ପ୍ରସ୍ତୁତ ହୋଇଥିବା ୯କୋଟି ଟଙ୍କାର ପ୍ରକଳ୍ପ ବୃଦ୍ଧି ପାଇ ୧୫କୋଟିରେ ପହଂଚିଥିବା ବେଳେ ପ୍ରକଳ୍ପ ସଂପୁର୍ଣ୍ଣ ହୋଇସାରିଥିଲେ ମଧ୍ୟ ଲୋକଙ୍କ କାମରେ ଲାଗିପାରୁନାହିଁ । ମହାନଦୀ ସୁରକ୍ଷା ପାଇଁ ଆସୁଥିବା ବିଭିନ୍ନ ଯୋଜନା ନଦୀବନ୍ଧ ସୁରକ୍ଷାରେ ରିଂ ଓ୍ୟାଲ , ଗ୍ରୀନ ମହାନଦୀ ଭଳି ଯୋଜନା ସଠିକ୍ ଭାବରେ କାର୍ଯ୍ୟକାରୀ କରାନଯାଇ ଆସିଥିବା ଅର୍ଥର ହରିଲୁଟ ହୋଇଥିବା ସାଧାରଣରେ ଅଭିଯୋଗ ହେଉଅଛି ।
ବୌଦ୍ଧଜିଲ୍ଲା ଦେଇ ପ୍ରବାହିତ ହେଉଥିବା ମହାନଦୀ ଜଳର ସଂରକ୍ଷଣ ସହ ବିନିଯୋଗ ଯୋଜନା କରାଗଲେ ରାଜ୍ୟର ବିକାଶ ହେବା ସହିତ ବୌଦ୍ଧ ଭଳି କୃଷି ଭିତ୍ତିକ ଜିଲ୍ଲାର ଅର୍ଥନୈତିକ ବିକାଶ ବିକାଶ ହୋଇପାରିବ ବୋଲି ମତପ୍ରକାଶ ପାଉଅଚି ।
ବାଘଗୁଡା ଛକରେ ୫୦ ମିଟର ହେବ ନୋ ପାର୍କିଂ ଜୋନ,ପ୍ରଶାସନ ପକ୍ଷରୁ ଜବରଦଖଲ ଅଭିଯାନ ଆରମ୍ଭ
ବୌଦ୍ଧ,୧୧/୫: ବୌଦ୍ଧ ସହରର ଲୋକ ସଂଖ୍ୟା ବୃଦ୍ଧି ପାଇବା ସହିତ ଟ୍ରାଫିକ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହା ଏକ ଗଡଜାତ ଓ ପୂରାତନ ସହର ହୋଇଥିଲେ ମଧ୍ୟ ସହରର ରାସ୍ତାଘାଟ ଓ ବସ୍ତି ଗୁଡିକ ଟାଉନପ୍ଲାନିଂ ଅନୁଯାୟୀ ନିର୍ମାଣ ହୋଇନଥିବାରୁ ଅନେକ ସମସ୍ୟା ଦେଖାଯାଉଅଛି । ସହର ମଧ୍ୟରେ ଅନେକ ପୂରାତନ ବସ୍ତି ଅଞ୍ଚଳ ରହିଛି । ତେବେ ନୂତନ ଭାବରେ ହେଉଥିବା ନିର୍ମାଣ ସମୟରେ ଟାଉନପ୍ଲାନିଂକୁ ଗୁରୁତ୍ୱ ଦେବାକୁ ବିଭାଗ ପକ୍ଷରୁ ସଚେତନତା ସୃଷ୍ଟି କରାଯାଉଅଛି ।
ଯୋଜନା ଅନୁଯାୟୀ ନିର୍ମାଣ ହୋଇନଥିବାରୁ ସହରର ଛକଗୁଡିକରେ ଟ୍ରାଫିକ ସମସ୍ୟା ସହିତ ପାର୍କିଂ ସମସ୍ୟା ମଧ୍ୟ ଦେଖାଦେଇଛି । ଜିଲାରେ ଦୁର୍ଘଟଣା ସଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ବୌଦ୍ଧ ସହରର ପ୍ରମୁଖ ବାଘଗୁଡା ଛକରେ ପୋଲିସ ପକ୍ଷରୁ ଟ୍ରାଫିକ ସିଗନାଲ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଏହି ସ୍ଥାନରେ ରାସ୍ତା ସଙ୍କୁଚିତ ହୋଇଯାଇଥିବାରୁ ଏବଂ ଯୋଜନା ଅନୁଯାୟୀ ଛକ ନିର୍ମାଣ ହୋଇନଥିବାରୁ ଟ୍ରାଫିକ କର୍ମଚାରୀମାନଙ୍କୁ ବହୁତ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଅଛି ।
ଏନେଇ ସଡକ ସୂରକ୍ଷା ସମିତି ବୈଠକରେ ଆଲୋଚନା କରାଯିବାପରେ ଜିଲାପାଳ ଓ ଏସପିଙ୍କ ମଧ୍ୟରେ ସହମତି ହୋଇ ବାଘଗୁଡା ଛକର ଚାରିପଟଳୁ ୫୦ ମିଟର ପର୍ଯ୍ୟନ୍ତ ନୋ ପାର୍କିଂ ଜୋନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ସେଥିପାଇଁ ବାଘଗୁଡା ଛକରୁ ବେଆଇନ ଜବରଦଖଲ ହଟାଇବା କାର୍ଯ୍ୟ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି । ରାସ୍ତାକୁ ମାଡି ଆସିଥିବା ଦୋକାନଗୁଡିକର ସମ୍ମୁଖରୁ ଜବରଦଖଲ ହଟାଯାଇଥିବାବେଳେ ଛକରେ ଥିବା ଅସ୍ଥାୟୀ କେବିନ ଓ ଉଠାଦୋକାନ ମଧ୍ୟ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏଥିସହିତ ବୌଦ୍ଧ ସହରର ନାମକରଣ ଐତିହାସିକ ଗୁରୁତ୍ୱ ଦୃଷ୍ଟିରୁ ବାଘଗୁଡା ଛକଠାରେ ବୁଦ୍ଧଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା ଜଣାଯାଇଛି । ତେବେ ବାଘଗୁଡାଛକରୁ ଜବରଦଖଲ ହଟିବା ଦ୍ୱାରା ଟ୍ରାଫିକ ସମସ୍ୟା ଦୂର ହେବା ସହିତ ସହରର ସୌନ୍ଦର୍ଯ୍ୟକରଣ ମଧ୍ୟ ବୃଦ୍ଧି ପାଇବ ବୋଲି ସାଧାରଣରେ ମତପ୍ରକାଶ ପାଉଅଛି ।