Odisha News

ଦେବଦୂତ ସାଜିଲେ ଗାଁ ଯୁବକ, ନଦୀ ମଝିରେ ଫସିଥିବା ମା ଓ ଶିଶୁ ପୁତ୍ରକୁ କଲେ ଉଦ୍ଧାର

ରାୟଗଡ଼ା,୩/୮: ପାଣି ନ ଥିଲା। ନଦୀର ଗୋଟିଏ କୂଳରେ ପସି ଆର କୂଳଅକୁ ଆସୁଥିଲେ ମା’ ଓ ୫ ବର୍ଷର ପୁଅ। ହଠାତ୍ ଫୁଲିଗଲା ନଦୀ। ତେଣୁ ଠିକ୍ ମଝିରେ ଫସି ଗଲେ ଏହି ମା’ ଓ ପୁଅ। ନଦୀ ପାଣିର ପ୍ରଖର ସୁଅ ସେମାନଙ୍କୁ ଭସାଇ ନେବାକୁ ବସିଥିଲା।
ହେଲେ ନଦୀ ମଝିରେ ଥିବା ଏକ ବାଲି କୁଦର ଅନାବନା ଗଛକୁ ଧରି ଦୀର୍ଘ ୩ ଘଣ୍ଟା ଠିଆ ହେବା ପରେ ଏହି ଦୁଇ ଜଣଙ୍କୁ ଉଦ୍ଧାର କରିଛନ୍ତି ନିକଟସ୍ଥ ଗାଁର ଯୁବକମାନେ। ଏଭଳି ଛାତିଥରା ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ସଦର ବ୍ଳକର କୁମ୍ବିକୋଟା ପଞ୍ଚୟତ ପୁଞ୍ଜାପାଇ ଗ୍ରାମରେ।
ସୂଚନା ମୁତାବକ, ଉକ୍ତ ଗ୍ରାମର ନନ୍ଦିନୀ କାଡ୍ରାକା ଓ ତାଙ୍କର ୩ ବର୍ଷର ଶିଶୁପୁତ୍ର ନଦୀ ଆରପଟ ଜଙ୍ଗଲକୁ ଶୁଖିଲା କାଠ ସଂଗ୍ରହ କରିବାକୁ ଯାଇଥିଲେ।
ସେଠାରୁ ନଦୀ ଭିତର ଦେଇ ଫେରିବା ବେଳେ ହଠାତ ଜୋର ସ୍ରୋତ ସହ ମାଡ଼ିଆସିଥିଲା ବନ୍ୟାପାଣି। ବର୍ଷା ଯୋଗୁ ଉପର ମୁଣ୍ଡରେ ଜଳସ୍ତର ବୃଦ୍ଧି ଏହାର କାରଣ ହୋଇଥିଲା। ଆଉ ନଈ ମଝିରେ ଉଭୟ ଫସି ଯାଇଥିଲେ। ନା ଅପରପାର୍ଶ୍ୱକୁ ଫେରି ପାରିଥିଲେ, ନା ଗାଁ ନିକଟ ନଦୀକୂଳରେ ପହଞ୍ଚି ପାରିଥିଲେ।
ପାଣି ଉଭୟଙ୍କୁ ଭସେଇ ନେଇଯାଉଥିବା ବେଳେ ସୌଭାଗ୍ୟବଶତଃ ନଦୀ ମଝିରେ ଥିବା ଏକ ବାଲିବୁଦାରେ ଉଠିଥିବା ଅନାବନା ଗଛକୁ ଧରି ଚିତ୍କାର କରିଥିଲେ ମହିଳା।
ଚିତ୍କାର ଶୁଣି ଗ୍ରାମର ଲୋକେ ନଦୀ କୂଳରେ ପହଞ୍ଚିଥିଲେ। ସେମାନଙ୍କ ଭିତରୁ କିଛି ଯୁବକ ଉଭୟଙ୍କ ନିକଟକୁ ଉପସ୍ଥିତ ବୁଦ୍ଧି ଖର୍ଚ୍ଚ କରି ରଶି ପକାଇ ଅଟକାଇ ରଖିଥିଲେ। ପରେ ନଦୀ ପାଣି କମିବା ପରେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା। ଏଥିନିମନ୍ତେ ପ୍ରାୟ ୩ ଘଣ୍ଟା ଲାଗି ଯାଇଥିଲା। ଫଳରେ ଏହି ଦୁଇ ଜଣଙ୍କ ଜୀବନ ବଞ୍ଚି ଯାଇପାରିଛି।
ଉଦ୍ଧାର କରିଥିବା ଯୁବକମାନେ ଭଗବାନ ରୂପରେ ଆସି ତାଙ୍କୁ ଉଦ୍ଧାର କରିଛନ୍ତି ବୋଲି ନନ୍ଦିନୀ କାଡ୍ରାକା କହିଛନ୍ତି। ଅନ୍ୟପଟେ ନଦୀରେ ଏଭଳି ହଠାତ୍ ବଢ଼ି ପାଣି ଆସିବା ଯୋଗୁ କେତେକ ଗୋରୁ ଭାସି ଯାଇଥିବା ଜଣାପଡ଼ିଛି।

Related Posts

Seo wordpress plugin by www.seowizard.org.