Odisha News

ଟ୍ରେନ୍ ଧକ୍କାରେ ୩ଟି ହାତୀଙ୍କର ମୃତ୍ୟୁ

ଯୋଡ଼ା,୨୦/୫: ନିଦାବିଷ୍ଣୁ ସାଜିଚି ବଦବିଭାଗ । ବନବିଭାଗର ଖାମଖିଆଲ ନୀତି ଯୋଗୁଁ ଚମ୍ପୁଆ ରେଞ୍ଜରୁ ହାତୀ ପଲ ନିପାତ ହେବାକୁ ବସିଲେଣି। ବାରମ୍ବାର ରେଳ ଧାରଣାରେ ଦୁର୍ଘଟଣା ଘଟି ହାତୀ ମୃତ୍ୟୁ ଘଟୁଥିବା ବେଳେ ବନବିଭାଗ ପକ୍ଷରୁ ଏଥିପାଇଁ କୌଣସି ପ୍ରତିକାର କରାଯାଇପାରୁନାହିଁ।
ମାଲବୋଝେଇ ଟ୍ରେନ୍ ଧକ୍କାରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଯୋଡ଼ା ବନପାଳ ଅଧୀନସ୍ଥ ବାଂଶପାଣି ନିକଟରେ ଆଜି ୩ଟି ହାତୀଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଏମାନେ ଗତକାଲି ଗୁରୁତର ଆହତ ହୋଇଥିଲେ। ସେଥିମଧ୍ୟରୁ ଗୋଟିଏ ହାତୀର ଗତକାଲି ମୃତ୍ୟୁ ଘଟିଥିଲା। ଆଜି ଭୋରରୁ ଆଖି ବୁଜିଛନ୍ତି ଆଉ ଦୁଇ ହାତୀ। ଟ୍ରେନ୍ ଧକ୍କାରେ ଦୁଇଟି ଛୁଆ ହାତୀ ଏବଂ ଗୋଟିଏ ମାଈ ହାତୀଙ୍କର ପ୍ରାଣହାନି ଘଟିଛି।
ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ସାଢ଼େ ୭ଟା ବେଳେ ଏକ ୨୨ଟିକିଆ ହାତୀପଲ ବାଂଶପାଣିଠାରେ ରେଳଲାଇନ୍ ପାର ହେଉଥିବା ବେଳେ ଏହି ସମୟରେ ଏକ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା। ଟ୍ରେନ୍ ଧକ୍କାରେ ଦୁଇଟି ଛୁଆ ହାତୀ ଏବଂ ଗୋଟିଏ ମାଈ ହାତୀ ଛିଟିକି ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ହାତୀ ମରିଯାଇଥିବା ସନ୍ଦେହ କରାଯାଉଥିଲା। ବାକି ୧୯ଟି ହାତୀ ସେଠାରେ ଘେରି ରହିଥିବା ବେଳେ ପ୍ରବଳ ଗର୍ଜନତର୍ଜନ କରୁଥିଲେ।
ଖବର ପାଇ ଯୋଡ଼ା ବନପାଳ ଅନିରୁଦ୍ଧ ପଣ୍ଡା ସଦଳବଳେ ସେଠାରେ ପହଞ୍ଚିଥିଲେ ହେଁ ଆହତ ହାତୀଙ୍କ ପାଖକୁ ଯାଇ ପାରି ନଥିଲେ। କୌଣସି ପରିସ୍ଥିତିରେ ବି ହାତୀମାନେ ସେ ସ୍ଥାନ ଛାଡ଼ି ଯାଉ ନଥିବାରୁ ବନ ବିଭାଗ ଚିନ୍ତାରେ ପଡ଼ିଯାଇଥିଲା। ଆହତ ହାତୀଙ୍କ ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ବି ହୋଇ ପାରୁ ନଥିଲା। ହାତୀମାନେ ସେ ସ୍ଥାନ ଛାଡ଼ି ଯିବା ପରେ ଯାଇ ଯାହାକିଛି ପଦକ୍ଷେପ ନିଆଯିବ ବୋଲି ବନପାଳ ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ।

Related Posts

Seo wordpress plugin by www.seowizard.org.