Odisha News

ଜରାଟରେ ତାଣ୍ଡବ ରଚିଲା ବାତ୍ୟା ‘ବିପର୍ଯ୍ୟୟ’: ଉପୁଡ଼ିଲା ଗଛ, ଅନ୍ଧାରରେ ୯୦୦ରୁ ଅଧିକ ଗାଁ, ୨ ମୃତ

ଗୁଜରାଟ,୧୬/୬ : ବାତ୍ୟା ‘ବିପର୍ଯ୍ୟୟ’ ଗତକାଲି ଗୁଜରାଟର ଲ୍ୟାଣ୍ଡଫଲ କରିଥିବା ବେଳେ ଏଥିଯୋଗୁ ସେଠାରେ ବ୍ୟାପକ କ୍ଷୟକ୍ଷତି ହୋଇଛି।
ରାଜ୍ୟର ୧୦ଟି ଜିଲ୍ଲାର ଲୋକେ ପ୍ରଭାବିତ ହୋଇଛନ୍ତି। ବାତ୍ୟା ଯୋଗୁ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ୨୦ରୁ ଅଧିକ ପ୍ରାଣୀଧନଙ୍କ ଜୀବନ ଯାଇଛି। ୫୦୦ରୁ ଅଧିକ ଗଛ ଉପୁଡ଼ି ପଡ଼ିଛି। ବହୁ ସଂଖ୍ୟାରେ ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ୯୦୦ରୁ ଅଧିକ ଗାଁକୁ ବିଜୁଳି ସେବା ବିଚ୍ଛିନ୍ନ ହୋଇଯାଇଛି।
ଏନ୍ଡିଆରଏଫ୍ ଟିମ୍ ଏବେ ଗଛ କାଟି ରାସ୍ତାଘାଟ ସଫା କରୁଛି। ଭାଙ୍ଗି ପଡ଼ିଥିବା ବିଦ୍ୟୁତ ଖୁଣ୍ଟ ଗୁଡ଼ିକୁ ସଜାଡ଼ିବା କାମ ମଧ୍ୟ ଆରମ୍ଭ କରାଯାଇଛି। ୧୮ଟି ଏନ୍ଡିଆରଏଫ ଟିମ୍ ସହିତ ୧୨ଟି ଏସ୍ଡିଆରଏଫ ଏବଂ ରାଜ୍ୟ ସଡ଼କ ଓ ନିର୍ମାଣ ବିଭାଗର ୧୧୫ଟି ଟିମ୍ ଏହି ସବୁ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଅନ୍ୟପକ୍ଷରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବାତ୍ୟା ପ୍ରଭାବିତ ଅଞ୍ଚଳ ଦେଇ ଯା’ଆସ କରୁଥିବା ୯୯ଟି ଟ୍ରେନକୁ ବାତିଲ କରି ଦିଆଯାଇଛି।
ଆରବସାଗରରେ ୧୦ରୁ ଅଧିକ ଦିନ ରହିବା ପରେ ଗତକାଲି ଗୁଜରାଟର ଜଖୌ ପୋର୍ଟ ନିକଟରେ ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ବିପର୍ଯ୍ୟୟ । ସନ୍ଧ୍ୟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ରାତି ସାଢ଼େ ୧୦ଟାରୁ ସାଢ଼େ ୧୧ଟା ମଧ୍ୟରେ ଜଖୌ ପୋର୍ଟ ନିକଟରେ ସୌରାଷ୍ଟ୍ର-କଚ୍ଛ ଉପକୂଳକୁ ଅତିକ୍ରମ କରିଥିଲା ବାତ୍ୟା ‘ବିପର୍ଯ୍ୟୟ’ ।
ଏହି ସମୟରେ ପବନରେ ବେଗ ଘଣ୍ଟା ପ୍ରତି ୧୧୫ରୁ ୧୨୫ କିଲୋମିଟର ରହିଥିଲା। ବାତ୍ୟା ‘ବିପର୍ଯ୍ୟୟ’ ର ଳ୍ୟାଣ୍ଡଫଲ ପ୍ରକ୍ରିୟା ମଧ୍ୟରାତ୍ର ପର୍ଯ୍ୟନ୍ତ ଚାଲିଥିଲା। ମଧ୍ୟରାତ୍ର ବେଳକୁ ଏହା ସଂପୂର୍ଣ୍ଣ ଭାବେ ସ୍ଥଳ ଭାଗରେ ପହଞ୍ଚି ଯାଇଥିଲା। ରାତି ପ୍ରାୟ ୨ଟା ୩୦ ବେଳକୁ ପବନ ବେଗ ହ୍ରାସ ପାଇଥିଲା। ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ରହିଥିଲା।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ‘ବିପର୍ଯ୍ୟୟ’ ର ଆଉ ଅତି ଭୀଷଣ ହୋଇ ରହିନାହିଁ। ଏହା ଏବେ ଅତି ଭୀଷଣ ବାତ୍ୟାରୁ ଭୀଷଣ ବାତ୍ୟାରେ ପରିଣତ ହୋଇ ଉତ୍ତରପଶ୍ଚିମକୁ ଗତି କରୁଛି।
ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜସ୍ଥାନରେ ପ୍ରବଳ ବର୍ଷା ହେବ। ସେଠାରେ ବି ଘଣ୍ଟାପ୍ରତି ୭୫ରୁ ୮୫ କିଲୋମିଟର ବେଗରେ ପବନ ହେବ ବୋଲି ଆକଳନ କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ଏହା ରାଜସ୍ଥାନରେ ପହଞ୍ଚିବ। ସେତେବେଳକୁ ଏହା ଏହା ଡିପ୍ ଡିପ୍ରେସନରେ ପରିଣତ ହୋଇସାରିଥିବ।

Related Posts

Seo wordpress plugin by www.seowizard.org.