Odisha News

ଗଜପତି: ଜିଲ୍ଲାସ୍ତରୀୟ ଜାତୀୟ ଗଣମାଧ୍ୟମ ଦିବସ-୨୦୨୧ ପାଳନ ଅବସରରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୬/୧୧: ଜାତୀୟ ଗଣମାଧ୍ୟମ ଦିବସ-୨୦୨୧ ପାଳନ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ମଙ୍ଗଳବାର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ କରୋନା ମହାମାରି ସମୟରେ ଗଣମାଧ୍ୟମ: ଏକ ନୂତନ ଆହ୍ବାନ ସମ୍ପର୍କିତ ଜିଲ୍ଲାସ୍ତରୀୟ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଯୋଗ ଦେଇ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହି ଗଣମାଧ୍ୟମ ସମାଜର ଜାଗ୍ରତ ପ୍ରହରୀ । ବିଭିନ୍ନ ବିପର୍ଯ୍ୟ ସମୟରେ ଗଣମାଧ୍ୟମ ପ୍ରଶାସନକୁ ସହଯୋଗ କରି ଆସୁଛନ୍ତି ।
ଏମିତି କି , ଗତ ଦେଢ ବର୍ଷ ଧରି କରୋନା ମହାମାରୀ ଯେଉଁଭଳି ଭାବେ ସଂକ୍ରମଣ ବ୍ୟାପିବାର ରୂପ ନେଇଥିଲା , ସେ କ୍ଷେତ୍ରରେ ଗଣମାଧ୍ୟମ ହିଁ ପ୍ରଶାସନକୁ ସହଯୋଗ କରି ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ହେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।
ତେଣୁ ସବୁବେଳେ ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରି ସମାଜର ସାମୁହିକ ଉନ୍ନତିରେ ସହାୟକ ହେବାପାଇଁ ଆହ୍ବାନ କରିଥିଲେ ।
ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଶ୍ରୀ ଗରୁଡ଼ ଧ୍ୱଜ ଚୌଧୁରୀ , ଶ୍ରୀ ଦ୍ଵିଜେନ୍ଦ୍ର ନାଥ ପାଢ଼ୀ , ଶ୍ରୀ ବସନ୍ତ ପଣ୍ଡା , ଶ୍ରୀ ଭାଗବତ ପାଢ଼ୀ , ଶ୍ରୀ ଆଦର୍ଶ ଦାସ , ଶ୍ରୀ ରୂପେଶ ସାହୁ ଓ ଦିଲୀପ ଶତପଥୀ ପ୍ରମୁଖ କରୋନା ମହାମାରୀ ସମୟରେ ପ୍ରଶାସନର କଟକଣା ସତ୍ତ୍ୱେ କିଭଳି ସେମାନେ ଜାଗ୍ରତ ପ୍ରହରୀ ଭଳି କାର୍ଯ୍ୟ ସମ୍ପାଦନ କରିଥିଲେ ଏବଂ କିଭଳି ତାହା ସେମାନଙ୍କ ପାଇଁ ଏକ ଆହ୍ବାନ ସଦୃଶ୍ୟ ଥିଲା , ସେହି ଅନୁଭୂତି ଓ ଅଭିଜ୍ଞତାକୁ ଅବଗତ କରାଇଥିଲେ ।
ଏହି ଅବସରରେ କରୋନା ସମୟରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ୩ ଜଣ ସାମ୍ବାଦିକଙ୍କ ଅକାଳ ବିୟୋଗରେ ୨ ମିନିଟ ନିରବ ପ୍ରାର୍ଥନା କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସ୍ୱରାଜ୍ୟ ଶିସା , ଡିସିପିୟୁ: ଶ୍ରୀ ଅରୁଣ କୁମାର ତ୍ରିପାଠୀ ଏବଂ ଡ଼ିଏସଓ: ଶ୍ରୀ ପ୍ରଭାକର ତ୍ରିପାଠୀ ପ୍ରମୁଖ ମଞ୍ଚଆସିନ ଥିବା ବେଳେ ବହୁ ଜିଲ୍ଲାସ୍ତରୀୟ ସାମ୍ବାଦିକ ଯୋଗ ଦେଇଥିଲେ ।

Related Posts

Seo wordpress plugin by www.seowizard.org.