Odisha News

ଗଜପତି: କଠିନ ପରିଶ୍ରମ ହିଁ ସଫଳତାର ମାପକାଠି ବୋଲି କହି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ଫାଇଭ-ଟି ଅଧ୍ୟକ୍ଷ ଭି:କେ: ପାଣ୍ଡିଆନ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୪/୧: ଜୀବନରେ ପ୍ରତ୍ୟେକଙ୍କ ପାଇଁ କଠିନ ପରିଶ୍ରମ ହିଁ ସଫଳତାର ମାପକାଠି ହୋଇଥାଏ ବୋଲି ଆଜି ଫାଇଭ-ଟି ଅଧ୍ୟକ୍ଷ ଶ୍ରୀ ଭି କେ: ପାଣ୍ଡିଆନ , ଗଜପତି ଜିଲ୍ଲା ଗସ୍ତରେ ଆସି ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ “ନୂଆ-ଓ” ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ମହାବିଦ୍ୟାଳୟର ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ଏହା କହିଛନ୍ତି ।
ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଆୟୋଜିତ ଏହି “ନୁଆ-ଓ” ଉତ୍ସବ କାର୍ଯ୍ୟକ୍ରମରେ ଫାଇଭ-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ ଯେ , ଆପଣ ମାନେ ବର୍ତ୍ତମାନ କଲେଜରେ ପାଠ ପଢ଼ୁଛନ୍ତି ଏବଂ ଯେଉଁ ଷ୍ଟେଜ ରେ ଅଛନ୍ତି , ଏହା ହେଉଛି ସବୁଠାରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଷ୍ଟେଜ । ଏହି ଷ୍ଟେଜରେ ଥାଇ ୫ ବର୍ଷ ମଧ୍ୟରେ ଯାହାବି ଭଲ କରିବେ , ତାହା ଆଗାମୀ ୫୦ ବର୍ଷ ପାଇଁ ତାହା ଆପଣଙ୍କ ଉଜ୍ଜଳ ଭବିଷ୍ୟତ ଗଠନରେ ନିଶ୍ଚିନ୍ତ ଭାବେ ସହଯୋଗ କରିବ । ତେଣୁ ଏହି ଷ୍ଟେଜରେ ଅତ୍ୟନ୍ତ ଶୃଙ୍ଖଳିତ ଓ ନିଷ୍ଠାର ସହ ପାଠ ପଢ଼ିବା ବେଶ୍ ଗୁରୁତ୍ୱପୂର୍ଣ୍ଣ ।
ଏଥି ସଙ୍ଗେ ସଙ୍ଗେ ଆପଣ ମାନଙ୍କ ମଧ୍ୟରେ ଯେଉଁ ସବୁ ପ୍ରତିଭା ରହିଛି , ସେ ପ୍ରତିଭାକୁ ବାହାରକୁ ଆଣିବା ନିହାତି ଦରକାର ଏବଂ ସେଥିପାଇଁ ଏକ ପ୍ଲାଟଫର୍ମର ଆବଶ୍ୟକ ରହିଛି । ନିଜର ଅନ୍ୟ ଅଭିଜ୍ଞତା ଓ କାର୍ଯ୍ୟକଳାପ ରହିଥିଲେ ତାହା ଆମର ସର୍ବାଙ୍ଗୀନ ବ୍ୟକ୍ତିତ୍ୱର ବିକାଶ ଦିଗରେ ବେଶ୍ ସହାୟକ ହୋଇପାରିବ ।
ଜୀବନରେ ସଫଳତା ପାଇବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢା ସହିତ ନିଜର ସର୍ବାଙ୍ଗୀନ ବ୍ୟକ୍ତିତ୍ୱର ବିକାଶ ମଧ୍ୟ ଆବଶ୍ୟକ ।
ତେଣୁ ଏହାକୁ ଦୃଷ୍ଟିରେ ରଖି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ କଲେଜ ପଢା ଛାତ୍ରଛାତ୍ରୀ ମାନଙ୍କ ପାଇଁ “ନୂଆ-ଓ” କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।
ଯେଉଁଥିରେ କି ଆପଣ ମାନଙ୍କ ମଧ୍ୟରେ ଯାହାବି ପ୍ରତିଭା ରହିଛି , ତାହା ବାହାରକୁ ଆଣିବା ପାଇଁ ଆପଣ ମାନଙ୍କୁ ଏକ ସୁଯୋଗ ମିଳୁଛି ।
ଆପଣ ମାନଙ୍କ କ୍ଷେତ୍ରରେ ଜିଲ୍ଲା , ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହେଉଛି ଏବଂ ସେଥିରେ ଜିତିଲେ ଖୁସି ଅନୁଭବ ହେବ କିନ୍ତୁ ସେଥିରେ ଭାଗ ନେଲେ ଆପଣ ମାନେ କିଛି ଶିଖି ପାରିବେ ଏବଂ ଅଭିଜ୍ଞତା ହେବ ।
ଯାହାକି , ଜୀବନରେ କିଛି ଶିଖିବା ଦ୍ଵାରା ନିଜର ସୃଜନଶକ୍ତି ସହ ସମଭାବନା ସହ ଆତ୍ମବିଶ୍ବାସ ବଢିବ । ଏହି ଆତ୍ମବିଶ୍ବାସ ବଢ଼ିଲେ ହିଁ ଆପଣ ଯେଉଁ କଲେ ମଧ୍ୟ ତାହା ନିଶ୍ଚିତ ଭାବେ ଭଲ ହେବ ଏବଂ ସାକାର ହେବ ।
\”ନୂଆ-ଓ\” କାର୍ଯ୍ୟକ୍ରମ ସହିତ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଆଉ ଏକ ଭଲ କାର୍ଯ୍ୟକ୍ରମ କରିଛନ୍ତି , ତାହା ହେଉଛି , ଫାଇଭ-ଟି କଲେଜ ରୂପାନ୍ତରୀକରଣ ।
ଏହାଦ୍ବାରା ଆପଣ ମାନେ କଲେଜରେ ପାଥପଢ଼ା ବେଳେ ଉନ୍ନତ ମାନର ସ୍ମାର୍ଟ-କ୍ଲାସର ସୁବିଧା ପାଇବା ସହ ଇ-ଲାଇବ୍ରେରୀ , ବିଜ୍ଞାନ-ଲେବ ପ୍ରଭୃତି ଉନ୍ନତ ମାନର ଭଲ ଭଲ ସୁବିଧା ପାଇବେ। ଇତି ମଧ୍ୟରେ ଗଜପତି ଜିଲ୍ଲାରେ ଥିବା ବିଭିନ୍ନ କଲେଜକୁ ଫାଇଭ-ଟି କଲେଜରେ ରୂପାନ୍ତରୀକରଣ କରାହୋଇଛି ।
ବଡ଼ ବଡ଼ ସହରରେ ଥିବା କଲେଜରେ ଛାତ୍ରଛାତ୍ରୀ ମାନେ ପାଠ ପଢ଼ିବା କ୍ଷେତ୍ରରେ ଯେଉଁସବୁ ଉନ୍ନତ ମାନର ସୁବିଧା ପାଉଛନ୍ତି , ଆପଣ ମାନେ ମଧ୍ୟ ସେହି ସୁବିଧା ଆପଣଙ୍କ କଲେଜରେ ପାଇବେ ବୋଲି କହିଥିଲେ ।
ଏ ସବୁ କହିବା ପରେ ଫାଇଭ-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ଛାତ୍ରଛାତ୍ରୀ ମାନଙ୍କୁ ୬ ଗୋଟି ପ୍ରଶ୍ନ ପଚାରି ସେମାନଙ୍କ ସହ ବାର୍ତ୍ତାଳାପ କରିଥିଲେ ।
ସେହି ୬ ଗୋଟି ପ୍ରଶ୍ନ ମଧ୍ୟରେ ସଫଳତାର ସ୍ବପ୍ନ ଦେଖିବା , ପ୍ରତିଦିନ ଅନ୍ୟୁନ ଅଧଘଣ୍ଟା ଯେ କୌଣସି ଶାରୀରିକ ବ୍ୟାୟାମ ଓ ଯୋଗ କରିବା , ପ୍ରତିଦିନ ନିଜର ମସ୍ତିଷ୍କକୁ ଶାନ୍ତି ରଖିବା ପାଇଁ ଅନ୍ୟୁନ ଅଧଘଣ୍ଟା ଧ୍ୟାନ କରିବା , ପ୍ରତିଦିନ ଆମର ୨୪ ଘଣ୍ଟା ମଧ୍ୟରୁ ଅନ୍ୟୁନ ୧୪ ଘଣ୍ଟା ଆମର ଉଜ୍ଜଳ ଭବିଷ୍ୟତ ପାଇଁ କ୍ଲାସକୁ ଯିବା ଓ ଘରେ ପାଠ ପଢିବା ସହ ଧ୍ୟାନ , ଯୋଗ ଓ ଶାରୀରିକ ବ୍ୟାୟାମ କରିବା , କଠିନ ପରିଶ୍ରମ କରିବା , ସୋସିଆଲ ମିଡ଼ିଆର ସୀମିତ ବ୍ୟବହାର ଓ ସଠିକ ଉପଯୋଗ କରିବା ଏବଂ ବାପା-ମାଆ , ଗୁରୁଜନ ଓ ବଡ଼ ମାନଙ୍କ କଥା-ଉପଦେଶକୁ ସମ୍ମାନ ଦେଇ ଆଗକୁ ବଢିବା ପ୍ରଭୃତି ଉପରେ ପ୍ରଶ୍ନ ପଚାରି ଛାତ୍ରଛାତ୍ରୀ ମାନଙ୍କ ଠାରୁ ଉତ୍ତର ଜାଣିଥିଲେ ।
ପରେ ଆସନ୍ତା ୫ ବର୍ଷକୁ ଦିନରାତି ଏକ କରି କଠିନ ପରିଶ୍ରମ ସହ ନିଜର ଆତ୍ମବିଶ୍ବାସ ବଢ଼ାନ୍ତୁ । ଜୀବନରେ ବହୁତ୍ ଆକର୍ଷଣୀୟ , ଲୋଭନୀୟ ଓ ମିଥ୍ୟା ପ୍ରତିଶୃତି ସବୁ ଆସିବ , ସେଥିପ୍ରତି ଛାତ୍ରଛାତ୍ରୀ ମାନେ ଜାଗ୍ରତ ହେବା ସହ ବିପଥଗାମୀ ନ ହୋଇ ଭଲ ରାସ୍ତାରେ ଯାଇ ନିଜର ଉଜ୍ଜଳ ଭବିଷ୍ୟତର ସ୍ବପ୍ନକୁ ସାକାର କରିବା ସହ ପରିବାର ଓ ଓଡ଼ିଶାର ନାମକୁ ସୁନାମ କରି ନୂଆ-ଓଡ଼ିଶା ଗଠନ କରିବା ଦିଗରେ ସହାୟକ ହେବା ପାଇଁ ଆହ୍ବାନ କରିଥିଲେ।
ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରା ହୋଇଥିଲା ।
ଏହି ଜିଲ୍ଲାସ୍ତରୀୟ \”ନୂଆ-ଓ\” ଉତ୍ସବ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ସମସ୍ତ କଲେଜ ଓ ଉଚ୍ଚ ମାଧ୍ୟମିକ ସ୍କୁଲର ୧୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଏବଂ ଏସପି: ସ୍ଵାତୀ ଏସ: କୁମାରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବ୍ୟାପକ ଭାବେ ପୋଲିସ ବ୍ୟବସ୍ଥା କରା ହୋଇଥିଲା ।

Related Posts

Seo wordpress plugin by www.seowizard.org.