Odisha News

କଲେଜରେ ଭୟାନକ ରାଗିଂ, ଛାତ୍ରୀଙ୍କୁ ଜବରଦସ୍ତି ଆଇ ଲଭ୍ ୟୁ ଏବଂ କିସ୍ କରିବାକୁ କରାଯାଉଛି ବାଧ୍ୟ

ବ୍ରହ୍ମପୁର,୧୬/୧୧: ଓଃ, କଲେଜରେ ଭୟାନକ ରାଗିଂ । ଛାତ୍ରୀଙ୍କୁ ଜୋରଜବରଦସ୍ତି କିସ୍ କରାଯାଉଛି। ହାତ ଟାଣି ଆଣି ପ୍ରେମ ନିବେଦନ କରାଯାଉଛି। ଆଇଲଭୟୁ କୁହାଯାଉଛି। ଛାତ୍ରୀ ଜଣକ ଏହି ସ୍ଥାନରୁ ବର୍ତ୍ତିବାକୁ ଯେତେଥର ଚେଷ୍ଟା କରୁଛନ୍ତି, ତାଙ୍କୁ ପ୍ଲାଷ୍ଟିକ୍ ପାଇପ୍ରେ ମାଡ଼ ମାରିବାକୁ ଧମକ ଦିଆଯାଉଛି। କଲେଜ୍ କ୍ୟାମ୍ପସ୍ରେ ହୋଇଛି ଏଭଳି ରାଗିଂ। ବ୍ରହ୍ମପୁରର ବିନାୟକ ଆଚାର‌୍ୟ୍ୟ କଲେଜ୍ କ୍ୟାମ୍ପସ୍ରେ ଘଟିଛି ଏହି ଲଜ୍ଜାଜନକ ଘଟଣା। ଗତକାଲି ଏହି ଘଟଣା ଘଟିଥିବା ବେଳେ ଆଜି ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।
ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ଜୁନିୟର ଛାତ୍ରୀ ଓ ଜଣେ ଛାତ୍ରଙ୍କୁ ରାଗିଂ କରିଛନ୍ତି ଜଣେ ସିନିୟର୍ ଛାତ୍ର। ସମ୍ପୃକ୍ତ ସିନିୟର ଛାତ୍ର ଜଣକ ହାତରେ ଏକ ଶକ୍ତ ପାଇପ୍ ଧରିଛନ୍ତି, ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବା ସହ ଉଭୟଙ୍କୁ ହାତରେ ବାଡ଼ଉଛନ୍ତି। ପାଇପ୍ରେ ବାଡେଇବାକୁ ଧମକାଇ ବିଭିନ୍ନ ଅଶୀଳ କାମ କରିବାକୁ ବାଧ୍ୟ କରିଛନ୍ତି।
ଉଭୟ ଜୁନିୟରଙ୍କୁ ପ୍ରେମିକ, ପ୍ରେମିକା ଭାବେ ଆଚରଣ କରିବାକୁ କହୁଛନ୍ତି ଅଭିଯୁକ୍ତ ଛାତ୍ର ଜଣକ। ପାଖରେ ଅନ୍ୟ ଛାତ୍ର, ଛାତ୍ରୀ ବି ୟୁନିଫର୍ମରେ ରହି ସେଠି ଛିଡ଼ା ହୋଇ ଘଟଣାକୁ ଦେଖୁଛନ୍ତି। ଅଭିଯୁକ୍ତ କଥାରେ ତାଳି ବଜାଉଛନ୍ତି। କିଛି ଛାତ୍ର ଭୋଜି ଦେବାକୁ କହୁଛନ୍ତି। ଅଭିଯୁକ୍ତ ଯୁବକ ଜଣକ ଭୋଜି ଦେବେ ବୋଲି କହୁଛନ୍ତି। ଏଭଳି ଅସହନୀୟ ନିର‌୍ୟାତନା ଛାତ୍ରୀ ଜଣକ ସହିଥିବା ବେଳେ ଅନ୍ୟମାନେ ଏହାର ଆନନ୍ଦ ନେଇଛନ୍ତି। ଘଟଣାକୁ ଭିଡିଓରେ ରେକଡିଂ କରିଛନ୍ତି।
କଲେଜ କ୍ୟାମ୍ପସରେ ଘଟଣା ଘଟିଥିବା ବେଳେ କଲେଜ କର୍ତ୍ତୃପକ୍ଷଙ୍କ ନଜର ନ ପଡ଼ିବା ଉଦ୍ବେଗର କାରଣ ହୋଇଛି। ଚାପ କିମ୍ବା ଲଜ୍ଜାରେ ଛାତ୍ରୀ ଜଣଙ୍କ ଚୁପ୍ ରହିଥିବା ବେଳେ ଆଜି ଭାଇରାଲ ଭିଡିଓ ପାଇବା ପରେ ଘଟଣାକୁ ଗୁରୁତ୍ୱ ସହ ନେଇଛି ବଡ଼ବଜାର ଥାନା ପୁଲିସ୍। ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖିବା କରିବା ପରେ ଏବେ ଅନ୍ୟମାନଙ୍କ ବିରୋଧରେ ଆଇନଗତ କାର‌୍ୟ୍ୟାନୁଷ୍ଠାନ ନେବାକୁ ଚିହ୍ନଟ ପ୍ରକ୍ରିୟା ଚାଲିଥିବା ଏସ୍ପି ଶ୍ରବଣ ବିବେକ ଏମ୍ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ହସ୍ତଗତ ଭିଡ଼ିଓରେ ଜଣେ ନବାଗତା କଲେଜ ଛାତ୍ରୀଙ୍କୁ ହାରାସ ଓ ରାଗିଂ କରାଯାଉଥିବା ନଜର ଅସିଛି। ଗତକାଲି ଦିନ ୧୨ଟା ଲଞ୍ଚ ଟାଇମ୍ରେ ଏହି ଘଟଣା ଘଟିଛି। ଏହି ଭିଡ଼ିଓରେ ମୁଖ୍ୟ ଅଭିଯୁକ୍ତ ଥିବା ଅଭିଷେକ ନାହାକ(୨୪)କୁ ଅଟକ କରାଯାଇଛି। ସେ ଏହି କଲେଜରେ ପାଠପଢ଼ୁଛନ୍ତି, ବାରମ୍ବାର ଫେଲ୍ ହେଉଛନ୍ତି ଓ ପୁନଃଆଡମିସନ କରି ପାଠ ପଢ଼ୁଛନ୍ତି। ଆଗରୁ ମଧ୍ୟ ତାଙ୍କ ନାମରେ ଏକ ମାମଲା ରହିଛି। ଏହି ମାମାଲାରେ ସେ ଗିରଫ ମଧ୍ୟ ହୋଇଥିଲେ। ଏହି ଘଟଣାରେ ସାମିଲ ଥିବା ସମସ୍ତଙ୍କ ନାମରେ ରାଗିଂ କରିବା ନେଇ ମାମଲା କରାଯାଇ କାର‌୍ୟ୍ୟାନୁଷ୍ଠାନ ନିଆଯିବ।
ରାଗିଂ କରିବା ଏକ ଅପରାଧିକ ମାମଲା ହୋଇଥିବାରୁ ଯେଉଁମାନେ ଏଥିରେ ସାମିଲ ଥିବା ଜଣାପଡ଼ିବ ସେମାନଙ୍କୁ କଲେଜରୁ ରଷ୍ଟିଗେଟ୍ କରିବା ପାଇଁ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ଜାରି ଗାଇଡ୍ ଲାଇନ୍ରେ କୁହାଯାଇଛି। ତେଣୁ ଏହି ମାମଲାରେ ଯେଉଁମାନେ ରାଗିଂରେ ସାମିଲ ଥିବେ ଏବଂ ରାଗିଂ ଚାଲିଥିବା ଦେଖୁଥିବେ ସମସ୍ତଙ୍କୁ ଏହି ମାମଲାରେ ଅଭିଯୁକ୍ତ ବୋଲି ଧରାଯିବ। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ନେବାକୁ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ପୁଲିସ ପକ୍ଷରୁ ସୁପାରିସ୍ କରାଯିବ।
ପୀଡ଼ିତା ଜଣକ ଯୁକ୍ତ ୨ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ରୀ ବୋଲି ଜଣାପଡ଼ିଛି। ଏଠାରେ ଉପସ୍ଥିତ ସମସ୍ତଙ୍କ ପରିଚୟ ଚିହ୍ନଟ କରିବାକୁ ପ୍ରକ୍ରିୟା ଚାଲିଛି। ଏଥିପାଇଁ ପ୍ରିନ୍ସପାଲଙ୍କୁ ଡକାଯାଇଛି ବୋଲି ଏସ୍ପି କହିଛନ୍ତି।

Related Posts

Seo wordpress plugin by www.seowizard.org.