Odisha News

କଟକରେ ସ୍ୱରେଜ୍ ଟାଙ୍କି ଭିତରେ ଫଶି ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଅସନ୍ତୋଷ ଝାଡ଼ିଲେ ଏନ୍ଏଚ୍ଆରସି

କଟକ,୧୯/୪: କଟକ ସିଡିଏ ସେକ୍ଟର-୧୦ରେ ସ୍ୱେରେଜ୍ ଚାମ୍ବର ସଫା କରୁଥିବା ବେଳେ ୨୦୨୧ ଏପ୍ରିଲ୍ ମାସରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣା ପାଇଁ ରାଜ୍ୟ ସରକାର ଦାୟୀ ବୋଲି ମତ ଦେଇଛନ୍ତି ଜାତୀୟ ମାନବିକ ଅଧିକାର କମିଶନ। ତେଣୁ ସରକାର ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ କାହିଁକି ନ ଦେବେ, ସେ ନେଇ ଉତ୍ତର ଦେବାକୁ କମିଶନ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।
୨୦୨୧ ଏପ୍ରିଲ୍ ୧୫ ତାରିଖରେ ସଫା କରିବା ପାଇଁ ସ୍ୱେରେଜ୍ ଚାମ୍ବରରେ ପଶିଥିବା ସମୟରେ ଶ୍ୱାସରୁଦ୍ଧ ହୋଇ ପାଟପୁରର ପି.ଶଙ୍କର ଓ ବଡମ୍ବାର ବିଷ୍ଣୁ ନାୟକଙ୍କର ମୃତ୍ୟୁ ହୋଇଥିବା ବେଳେ ଡି.ଶିବା ଗୁରୁତର ଆହତ ହୋଇଥିଲେ। ସାରା ଦେଶରେ ମାନୁଆଲ୍ ସ୍କାଭେଜିଂ(ମଣିଷମାନଙ୍କ ଦ୍ୱାରା ମଇଳା ସଫେଇ କାର‌୍ୟ୍ୟ)କୁ ନିଷେଦ୍ଧ କରାଯାଇଥିବା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏବେ ବି ମଣିଷମାନଙ୍କ ଦ୍ୱାରା ନିଜ ହାତରେ ମଇଳା ସଫା କରାଯାଉଛି।
କୌଣସି ନିରାପତ୍ତା ସାମଗ୍ରୀ ମଧ୍ୟ ବ୍ୟବହାର କରାଯାଉନାହିଁ । କଟକ ମହାନଗର ନିଗମର ଚରମ ଅବହେଳା ଯୋଗୁଁ କଟକରେ ବାରମ୍ବାର ଏପରି ଘଟଣା ଘଟୁଛି ବୋଲି ଦର୍ଶାଇ ମାନବିକ ଅଧିକାର କର୍ମୀ ତଥା ଆଡଭୋକେଟ୍ ଅଖଣ୍ଡ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ ପିଟିସନ୍ ଦାୟର କରିଥିଲେ। କମିଶନ ଏହାକୁ ଗୁରୁତର ସହ ବିଚାର କରି କମିଶନ ଗୃହ ଓ ନଗର ଉନୟନ୍ନ ବିଭାଗ ପ୍ରମୁଖ ସଚିବ, କଟକ ମହାନଗର ନିଗମ କମିଶନର୍ ଓ ପୁଲିସ୍ କମିଶନରଙ୍କୁ ୧୨.୧୨.୨୦୨୨ରେ ନୋଟିସ୍ ଜାରି କରିଥିଲେ। ୦୭.୦୧.୨୦୨୩ରେ ଭୁବନେଶ୍ୱର ପୁଲିସ୍ କମିସନର ଦେଇଥିବା ରିପୋର୍ଟରେ କୁହାଯାଇଥିଲା ଯେ ବିନା କୌଣସି ନିରାପତ୍ତାମୂଳକ ସାମଗ୍ରୀ ନଥାଇ ଏହି ଦୁଇଜଣ ସ୍ୱେରେଜ୍ ଟାଙ୍କିରେ ପଶିଥିଲେ। ସେହିଭଳି ବିଭାଗୀୟ ଅନୁସନ୍ଧାନରୁ ଜଣାପଡିଥିଲା ଯେ ପିଏଚଡି ଜୁନିୟର୍ ଇଂଜିନିୟର୍ ପ୍ରଦ୍ୟୁତ କୁମାର ସାହୁ ଓ ଠିକାଦାର ଦୀପକ କୁମାର ନାୟକ ଏଥିପାଇଁ ଦାୟୀ। ଏମାନଙ୍କ ବିରୋଧରେ ସିଡିଏ, ଅନ୍ୟପକ୍ଷରେ ଜଣେ ମୃତକ ପି.ଶଙ୍କର ଓ ଆହତ ଡି.ଶିବାଙ୍କ ଆନ୍ଧ୍ରପ୍ରଦେଶର ବାସିନ୍ଦା ହୋଇଥିବାରୁ ସେମାନଙ୍କ ଠିକଣା ମିଳିପାରୁନାହିଁ। ସେମାନେ ‘ଆରଜୁସ୍’ ଜାତିର ହୋଇଥିବାରୁ ସେମାନଙ୍କୁ କ୍ଷତିପୂରଣ ଦିଆଯିବ କି ନାହିଁ ତାହା ମଧ୍ୟ ବିଚାର କରାଯାଉଛି। କମିସନ ଏ ସବୁ ରିପୋର୍ଟକୁ ବିଚାର କରି ଶୁଣାଣି କରିଛନ୍ତି। କମିସନ କହିଛନ୍ତି, ଏହି ଘଟଣା ପାଇଁ ଦୁଇ ଜଣ ଦାୟୀ ବୋଲି ରିପୋର୍ଟରେ ସ୍ପଷ୍ଟ ହୋଇଛି। ତେଣୁ ଏଥିପାଇଁ ରାଜ୍ୟ ସରକାର ଦାୟୀ। ତେଣୁ ସରକାର ମୃତକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ କାହିଁକି ନଦେବେ ତାହା ଜଣାଇବାକୁ କମିସନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କାରଣ ଦର୍ଶାଅ ନୋଟିସ୍ ଜାରି କରି ଚାରି ସପ୍ତାହ ମଧ୍ୟରେ ନୋଟିସର ଜବାବ୍ ରଖିବାକୁ କମିସନ କହିଛନ୍ତି। ଯଦି ମୃତକ ଓ ଆହତଙ୍କୁ କିଛି କ୍ଷତିପୂରଣ ମିଳିଛି, ତାର ବିବରଣୀ ଦେବାକୁ ମଧ୍ୟ କମିସନ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ସରକାର ମାନୁଆଲ୍ ସ୍କାଭେଜିଂକୁ ସଂପୂର୍ଣ୍ଣ ଭାବେ ରୋକିବାକୁ ଚାହୁଁନାହାନ୍ତି। ଏହାକୁ ରୋକିବା ପାଇଁ ରାଜ୍ୟ, ଜିଲ୍ଲା, ମୁନିସିପାଲିଟି ଓ ପଞ୍ଚାୟତ ସ୍ତରରେ ଭିଲିଲାନ୍ସ କମିଟି ଗଠିତ ହେବା କଥା। ଏହି କମିଟି ତିନିମାସରେ ଥରେ ବସିବା କଥା । କିନ୍ତୁ ଏହା ହେଉନାହିଁ ଏବଂ ଏହି କମିଟି ଅଚଳ ହୋଇପଡିଛି। ତେଣୁ ଏହି ଶ୍ରମିକମାଙ୍କ ସମସ୍ୟା ସମାଧାନ ଦିଗରେ ଏହି କମିଟିର ଭୂମିକା ରହୁନାହିଁ । ଯାହାଫଳରେ ଅନେକ ଶ୍ରମିକ ପ୍ରାଣ ହରାଉଛନ୍ତି ବୋଲି ଅଖଣ୍ଡ ଅଭିଯୋଗ କରିଛନ୍ତି ।

Related Posts

Seo wordpress plugin by www.seowizard.org.