Odisha News

ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲା, ରାୟଗଡା ଏସପିଙ୍କୁ ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ

ରାୟଗଡ଼ା,୨/୧: ରୁଷ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ ଏନେଇ ଜାତୀୟ ମାନବାଧିକାର କମିସନ୍ ଅସନ୍ତୋଷ ପ୍ରକାଶ କରିଛି। କିପରି ଏବଂ କେଉଁ ପରିସ୍ଥିତିରେ ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ ହେଲା, ମୃତ୍ୟୁ ପଛର କାରଣ ପର୍ଦାଫାଶ ପାଇଁ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ସଂପର୍କରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କମିଶନ୍ ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମାଙ୍କୁ ରିପୋର୍ଟ ତଲବ କରିଛନ୍ତି।
ମାନବାଧିକାର କର୍ମୀ ରବୀନ୍ଦ୍ର ମିଶ୍ର କମିସନଙ୍କ ଦ୍ବାରସ୍ଥ ହେବା ପରେ କମିସନ୍ ରାୟଗଡ଼ା ଏସପିଙ୍କୁ ପକ୍ଷଭୂତ କରି ଓଡ଼ିଶା ପୁଲିସ୍ ଡିଜିଙ୍କୁ ନୋଟିସ୍ ପଠାଇଛନ୍ତି।
ରୁଷ ନାଗରିକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ଖୁଲାସ ହେବାରେ ଲାଗିଛି। କ୍ରାଇମବ୍ରାଞ୍ଚ ତଦନ୍ତର ଚେର ଯେତେ ଭିତରକୁ ଯାଉଛି ମୃତ୍ୟୁ ପଛର ରହସ୍ୟକୁ ନେଇ ଆଶଙ୍କା ସେତିକି ବଢ଼ିବାରେ ଲାଗିଛି। ତଦନ୍ତର ତୃତୀୟ ଦିନରେ କ୍ରାଇମବ୍ରାଞ୍ଚ ଟିମ୍ ହୋଟେଲ୍ କର୍ମଚାରୀଙ୍କୁ ଜେରା କରିଛି। ସେପଟେ ଭ୍ଲାଦିମିର୍ ବିଦାନୋଭଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁ ପୂର୍ବରୁ ଭ୍ଲାଦିମିର୍ ଗଞ୍ଜେଇ ସେବନ କରିଥିବା ଉଲ୍ଲେଖ ରହିଛି।
ପୂର୍ବରୁ ଅତ୍ୟଧିକ ମଦ୍ୟପାନ ଯୋଗୁ ଭ୍ଲାଦିମିରଙ୍କ ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଥିଲା। ମୃତ୍ୟୁ ପରେ ପୁଲିସ୍ ହୋଟେଲ୍ ରୁମକୁ ଯାଞ୍ଚ କରିବା ସହ ସିଲ୍ କରିଥିଲା। କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତଭାର ନେବା ପରେ ରୁମ୍ ପରିସରରୁ ମଦ ବୋତଲ, ଚପଲ, ଗ୍ଲାସ ଜବତ କରିବା ସହ ଫିଙ୍ଗର୍ ପ୍ରିଣ୍ଟସ୍ ସଂଗ୍ରହ କରିଥିଲା। ଗଞ୍ଜେଇକୁ ନେଇ ହୋଟେଲ୍ ରୁମରେ କୌଣସି ସୁରାକ୍ ତଦନ୍ତକାରୀ ଟିମ୍ ପାଇନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଭ୍ଲାଦିମିରଙ୍କ ନିକଟକୁ ଗଞ୍ଜେଇ ଆସିଲା କେଉଁଠୁ ତାକୁ ନେଇ ଆରମ୍ଭ ହୋଇଛି ତନାଘନା।
ରାୟଗଡ଼ାରେ ପହଞ୍ଚିବା ପୂର୍ବରୁ ରୁଷ ପର‌୍ୟ୍ୟଟକ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ପରିଭ୍ରମଣରେ ଯାଇଥିଲେ। ଦାରିଙ୍ଗବାଡ଼ିରେ ଥିବା ସମୟରେ ନାଁ କନ୍ଧମାଳରୁ ରାୟଗଡ଼ା ଆସିବା ରାସ୍ତାରେ ଭ୍ଲାଦିମିର୍ ଗଞ୍ଜେଇ କିଣିଥିଲେ ତାକୁ ନେଇ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ।
ଇୟଗ୍ଦ ଭଚ୍ଚ ସେହିପରି ଦୁଇ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ଦିନ ହୋଟେଲରେ ଉପସ୍ଥିତ ଥିବା ସମସ୍ତ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି। ଡିଏସପି ସରୋଜକାନ୍ତ ମହାନ୍ତ, ଇନସପେକ୍ଟର ମମତାରାଣୀ ପଣ୍ଡା ଅଲଗା ଅଲଗା ଭାବେ ହୋଟେଲ୍ କର୍ମଚାରୀଙ୍କୁ ପଚରା ଉଚରା କରିବା ସହ ବୟାନ୍ ରେକର୍ଡ କରିଛନ୍ତି।
ଭ୍ଲାଦିମିର୍ ଓ ଆନ୍ଥେଭଙ୍କ ଚାଲି ଚଳନ, ଆଚାର ବ୍ୟବହାର ସଂପର୍କରେ କ୍ରାଇମ୍ରବାଞ୍ଚ ହୋଟେଲ୍ କର୍ମଚାରୀ ଏବଂ ରୁମ୍ ସର୍ଭିସ୍ ଦେଉଥିବା ବଏଙ୍କ ନିକଟରୁ ଖାଦ୍ୟପେୟ ସଂପର୍କରେ ତଥ୍ୟ ସଂଗ୍ରହ କରିଛି। ପଚରା ଉଚରା ସମୟର ଭିଡ଼ିଓ ରେକଡିଂ କରିଛି କ୍ରାମଇବ୍ରାଞ୍ଚ।
ଅନ୍ୟପକ୍ଷରେ ତଦନ୍ତର ଖିଅ ଖୋଜୁଥିବା କ୍ରାଇମବ୍ରାଞ୍ଚ ଫରେନସିକ୍ ଟିମ୍ ଗତକାଲି ସିରିଗୁଡ଼ା ଶ୍ମଶାନରୁ ଜବତ କରିଥିବା ଆନ୍ଥେଭଙ୍କ ହାଡ଼, ପାଉଁଶର ଡିଏନ୍ଏ ପରୀକ୍ଷଣ ପାଇଁ ଭୁବନେଶ୍ବର ଲ୍ୟାବକୁ ପଠାଇଛି। ଆଜି କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ପାଇଁ ହୋଟେଲ୍ ସମେତ ଅନ୍ୟ କୁଆଡେ ଯାଇନଥିଲେ। ଫରେନସିକ୍ ୟୁନିଟ୍ ମଧ୍ୟ ଜବତ ହୋଇଥିବା ସାମଗ୍ରୀର ଯାଞ୍ଚ କରିବା ବ୍ୟତୀତ ଘଟଣାସ୍ଥଳ, ରୁମ୍ କିମ୍ବା ଶ୍ମଶାନକୁ ଯାଇନାହାନ୍ତି।

Related Posts

Seo wordpress plugin by www.seowizard.org.