Odisha News

ଉତ୍ସବ ମୁଖର ଶ୍ରୀକ୍ଷେତ୍ର ପୁରୀ; ଆଜି ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ,୧୭/୧ : କେଇ ଘଣ୍ଟାର ଅପେକ୍ଷା। ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ହୋଇଛି ଭବ୍ୟ ଆୟୋଜନ। ଲୋକାର୍ପଣ ପୂର୍ବରୁ ଆଲୋକମାଳା ଓ ଅନ୍ୟାନ୍ୟ ସାଜସଜାରେ ଝଟକୁଛି ଶ୍ରୀମନ୍ଦିର ସହ ଲୋକାର୍ପଣ ଅପେକ୍ଷାରେ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଚାରିଦ୍ବାରକୁ ଆଲୋକମାଳାରେ ଏଭଳି ଭରି ଦିଆଯାଇଛି ଯେ ଭକ୍ତ କ୍ଷଣିକ ପାଇଁ ଅଟକିଯାଉଛି।
ସିଂହଦ୍ବାରରେ ରଙ୍ଗବେରଙ୍ଗର ପାରମ୍ପରିକ ଝୋଟି କଳା ବି ଆକର୍ଷଣକୁ ଦ୍ବିଗୁଣିତ କରି ଦେଉଛି। ସେ ପଶ୍ଚିମଦ୍ବାର ହେଉ କି ଉତ୍ତର ଅବା ଦକ୍ଷିଣଦ୍ବାର, ସବୁଠି ଆଲୋକର ପ୍ରତିବିମ୍ବ ପ୍ରକଳ୍ପକୁ ଅପରୂପ ସୌନ୍ଦର‌୍ୟ୍ୟରେ ଭରି ଦେଉଛି।
‘ଫେକେଡ୍ ଇଲ୍ୟୁମିନେସନ୍’ ଜରିଆରେ ଶ୍ରୀମନ୍ଦିର ଓ ନୀଳଚକ୍ରକୁ ବି ସମ୍ପୂର୍ଣ୍ଣ ଆଲୋକରେ ଆଲୋକିତ କରାଯାଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ପୁନରୁଦ୍ଧାର ହୋଇଥିବା ମଠ, ମନ୍ଦିରକୁ ବି ଆଲୋକମାଳାରେ ସଜାଯାଇଛି। ଫଳର ମଠ, ମନ୍ଦିରର କାରୁକାର‌୍ୟ୍ୟ ଫୁଟି ବାହାରୁଛି। ସେପଟେ ଆଜି ପୁଣି ଶ୍ରୀମନ୍ଦିରର ଚାରିଦ୍ବାରରେ ଫୁଲର ବ୍ୟାପକ ସାଜସଜା କରାଯାଇଛି।
ମଠ, ମନ୍ଦିରକୁ ବି ଫୁଲରେ ପୁଣି ସଜାଯାଇଛି। ଚାରିଦ୍ବାରେ ରଙ୍ଗବେରଙ୍ଗ ଫୁଲକୁଣ୍ଡରେ ସଜ୍ଜିତ କରାଯାଇଛି। ଏହା ସାଙ୍ଗକୁ ସବୁଜ ବଳୟ ଆଧ୍ୟାତ୍ମିକତାର ମହକ ଭରି ଦେଉଛି। ଆଜି ବି ମହାଯଜ୍ଞ ସାଙ୍ଗକୁ ବେଦପାଠୀଙ୍କ ବେଦପାଠ ଓ ନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହେଉଛି ଖଣ୍ଡମଣ୍ଡଳ। ଭକ୍ତିପୂତ କରିଛି ଝାଞ୍ଜ, ସଂକୀର୍ତ୍ତନ ସାଙ୍ଗକୁ ସଂକୀର୍ତ୍ତନିଆଙ୍କ ଜୟ ଜଗନ୍ନାଥ ଡାକ। ଯଜ୍ଞ ଆହୂତି ସହ ବେଦମନ୍ତ୍ର ବିଶ୍ବ ମଙ୍ଗଳ କାମନା କରିଛନ୍ତି ବରଣୀୟ ବ୍ରାହ୍ମଣ।
ବେଦମନ୍ତ୍ରର ଗହଗହ ନାଦରେ କମ୍ପୁଛି ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ଚାରିଦ୍ବାରରେ ଏକକାଳୀନ ଗଞ୍ଜରିତ ହେଉଛି ବେଦମନ୍ତ୍ର। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଓ ଲୋକାର୍ପଣ ଅବସରରେ ମହାଯଜ୍ଞ ସହ ବେଦପାଠର ଅପୂର୍ବ ସମନ୍ବୟ ସମଗ୍ର ପରିବେଶକୁ କରିଛି ଭକ୍ତିମୟ। ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଲଙ୍ଗୁଳି ମଠ ନିକଟରେ ବାସ୍ତୁଶାସ୍ତ୍ର ଅନୁଯାୟୀ ଯଜ୍ଞ ମଣ୍ଡପରେ ଚାଲିଛି ମହାଯଜ୍ଞ। ୮ଫୁଟ ୧ ଇଞ୍ଚର ଯଜ୍ଞ କୁଣ୍ଡରେ ଶୋତ୍ରୀୟ ବ୍ରାହ୍ମଣମାନେ ପୂଜାପାଠ ସହ ନୃସିଂହ ମନ୍ତ୍ରରେ ଘୃତାହୁତି ଦେଉଛନ୍ତି। ଲୋକାର୍ପଣ ତଥା ପ୍ରତିଷ୍ଠା ଉତ୍ସବ ଯଜ୍ଞରେ ପ୍ରାୟ ୫ କୁଇଣ୍ଟାଲ ରଥ କାଠ ଜଳାଯିବ।
୫୦ କେଜି ଶୁଦ୍ଧ ଘିଅରେ ଆହୁତି ଦିଆଯିବ। ଶ୍ରୀମନ୍ଦିର ପୁରୋହିତ ସିଦ୍ଧେଶ୍ବର ମହାପାତ୍ରଙ୍କ କହିବା ଅନୁଯାୟୀ, ନୃସିଂହ ମନ୍ତ୍ର ଆଦ୍ୟ ମନ୍ତ୍ର ହୋଇଥିବାରୁ ଏହି ମନ୍ତ୍ରରେ ଆହୁତି ଦିଆଯିବ। ଏଥିସହ ହୟୋଶ୍ରୀର୍ଷୋକ୍ତ ମନ୍ତ୍ର, ଚତୁର୍ଦ୍ଧା ବିଗ୍ରହ ମନ୍ତ୍ର ଓ ବାସ୍ତୁପୂଜା ମନ୍ତ୍ର ପାଠ କରାଯାଉଛି। ଶ୍ରୀକ୍ଷେତ୍ର ସମସ୍ତ ଦେବଦେବୀଙ୍କ ନାମରେ ଆହୁତି ପ୍ରଦାନ କରାଯାଉଛି। ଯଜ୍ଞମଣ୍ଡପ ଭଳି ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାରାୟଣ ପାଇଁ ସ୍ୱତନ୍ତ୍ର ଭାବେ ମଣ୍ଡପ ପ୍ରସ୍ତୁତ କରାଯାଇଛି।
ଷୋହଳ ଶାସନର ୬୦ ଜଣ ବେଦଜ୍ଞ ପଣ୍ଡିତ ବେଦପାଠ କରିବେ। ସିଂହଦ୍ବାର ପାର୍ଶ୍ବ ବେଦ ମଣ୍ଡପରେ ଋଗ୍ ବେଦ, ପଶ୍ଚିମ ଦ୍ବାର କୌଥୁମଶାଖା ପାରାୟଣ ମଣ୍ଡପରେ ସାମବେଦ, ଉତ୍ତରଦ୍ବାର ଶୌନକଶାଖା ପାରାୟଣ ମଣ୍ଡପରେ ଅଥର୍ବ ବେଦ ଓ ଦକ୍ଷିଣଦ୍ବାର ମାଧ୍ୟନ୍ଦିନ ଶାଖା ଓ ବୈଦିକସୂକ୍ତ ପାରାୟଣ ମଣ୍ଡପରେ ଯଜୁର୍ବେଦ ପାଠ କରାଯାଉଛି। ଗୁରୁତ୍ବପୂର୍ଣ୍ଣ ହେଉଛି ଯଜ୍ଞଶାଳାରେ ମହାପ୍ରଭୁଙ୍କ ପ୍ରତିମୂତ୍ତି ମଧ୍ୟ ସ୍ଥାନିତ ହୋଇଛି।

Related Posts

Seo wordpress plugin by www.seowizard.org.